Unknown

 

 

 

 

 

 

 

 

 

 

 

ଅମଣିଷ

ଶ୍ରୀ ପୁଳିନବିହାରୀ ରାୟ

 

ମୁଖବନ୍ଧ

 

ଡାକ୍ତର ପୁଳିନବିହାରୀ ରାୟଙ୍କ ଅମଣିଷ ଉପନ୍ୟାସଟି ଆମ ସମାଜର ନିମ୍ନସ୍ତରରେ ଥିବା ଗୋଟିଏ ପରିବାରର ନିବିଡ଼ ଅନ୍ତର୍ଦ୍ୱନ୍ଦ୍ୱର ପରିବେଷଣ କରିଛି । ଗଳ୍ପଲେଖନ କ୍ଷେତ୍ରରେ ଲେଖକଙ୍କ ଲେଖନୀ ସିଦ୍ଧହସ୍ତ । ପୁଣି ଗଳ୍ପର ବିଭିନ୍ନ ବିଭାଗ ମଧ୍ୟରୁ ଚରିତ୍ର ସର୍ଜନାରେ ସେ ଅନବଦ୍ୟ କୃତିତ୍ୱ ହାସଲ କରିଛନ୍ତି । ସେହି ଦୃଷ୍ଟିରୁ ବିଚାର କଲେ ଉପନ୍ୟାସର ପ୍ରତ୍ୟେକଟି ଚରିତ୍ର ଆମ ସମାଜର ଗୋଟିଏ ଗୋଟିଏ ନିରାଟ ବାସ୍ତବତା’ର ପ୍ରତିଫଳନ । ଉପନ୍ୟାସର ନାୟକ, କୁତ୍ସିତ ଚରିତ୍ର ‘ଭଜ’କୁ ଆଧୁନିକ ସମାଜର ଅର୍ଥନୀତିକ ସଂସ୍ଥାର ଦାରୁଣ ଶରବ୍ୟ ରୂପେ ଚିତ୍ରିତ କରି ଲେଖକ ତା ପ୍ରତି ପାଠକର ସହାନୁଭୂତି ଆକର୍ଷଣ କରାଇ ପାରିଛନ୍ତି । ତାହାହିଁ ତାଙ୍କର ମହାନୁଭବତା’ର ପରିଚୟ ଦିଏ । ନାରୀ ଚରିତ୍ରଗୁଡ଼ିକୁ ସେ ଯେତେ ତନ୍ନତନ୍ନ ପର୍ଯ୍ୟାଲୋଚନା କରିଛନ୍ତି ତାହା କ୍ୱଚିତ୍ ଲେଖକଙ୍କଠାରେ ଦୃଷ୍ଟ ହୁଏ । ନବ, ନଟ, ଯାମିନୀ ବାବୁ, ବିନୟ ବାବୁ ସମସ୍ତଙ୍କଠାରେ ଏପରି ଚାରିତ୍ରିକ ବୈଶିଷ୍ଟ୍ୟ ପରିଲକ୍ଷିତ ହୁଏ । ସେ ସମସ୍ତେ ଉପନ୍ୟାସରେ ପରିପୂରକ ଚରିତ୍ରାବଳୀ ପରି ପ୍ରତୀୟମାନ ହୁଅନ୍ତି । ଆବେଗ ଓ ଉତ୍କଣ୍ଠା ସାଙ୍ଗକୁ ହାସ୍ୟରସର ଆଙ୍ଗିକ ସମ୍ମିଶ୍ରଣ ହୋଇ ପୁସ୍ତକଟି ସୁଖପାଠ୍ୟ ହୋଇପାରିଚି । ଉପନ୍ୟାସଟି ପାଠକ ମଣ୍ଡଳୀର ଗ୍ରାହ୍ୟ ହେବାର ଉପଯୁକ୍ତ ।

 

କଟକ

ଶ୍ରୀ ଶ୍ୟାମସୁନ୍ଦର ମିଶ୍ର ଏମ୍. ଏ.

୨୫-୦୩-୬୩

 

Image

 

ଭୂମିକା

 

ବହୁତ ଦିନର ଆଶା–ଉପନ୍ୟାସ ଲେଖିବି, କଣ ଲେଖିବି ? କେଉଁ ବିଷୟକୁ କେନ୍ଦ୍ର କରି ଉପନ୍ୟାସ ଲେଖିବି ?

 

‘ମାଟିର ମଣିଷ’, ‘ମନର ମଣିଷ’ ଏବଂ ‘ଲୁହାର ମଣିଷ’...ଇମିତି କେତେ ପ୍ରକାରର ଉପନ୍ୟାସ ଦେଖିଲି । ଏଣୁ ମୁଁ ଠିକ୍ କଲି ଲେଖିବି–‘ଅମଣିଷ’ ।

 

ଯାହା ଲେଖିଲି, ତା’ର ଭଲମନ୍ଦ ପାଠକ, ପାଠିକାଙ୍କ ରୁଚି ଉପରେ ନିର୍ଭର କରେ ।

 

ଅମଣିଷ ପଢ଼ି ଯଦି ପାଠକ, ପାଠିକା କିଛି ଆନନ୍ଦ ଲାଭ କରନ୍ତି, ସେଥିରେ ମୋର ଶ୍ରମ ସାର୍ଥକ ମଣିବି ।

 

ଯେଉଁ ବନ୍ଧୁମାନେ ଏ ଉପନ୍ୟାସ ଲେଖିବା ସମୟରେ ଧୈର୍ଯ୍ୟ ରଖି କିଛି କିଛି ଶୁଣି ମୋତେ ଉତ୍ସାହ ଦେଇଛନ୍ତି ଏବଂ ମୋତେ ଉପନ୍ୟାସ ଲେଖିବାପାଇଁ ବାରମ୍ୱାର ଅନୁରୋଧ କରିଛନ୍ତି, ଆହୁରି ମଧ୍ୟ କେନ୍ଦ୍ରାପଡ଼ା ଉଚ୍ଚ ଇଂରାଜୀ ବିଦ୍ୟାଳୟର ପଣ୍ଡିତ ଶ୍ରୀ ନକୁଳଚନ୍ଦ୍ର ମିଶ୍ର, ଯେ କି ତାଙ୍କର ବହୁମୂଲ୍ୟ ସମୟ ନଷ୍ଟକରି ପାଣ୍ଡୁଲିପି ସଂଶୋଧନ କରିଛନ୍ତି ଏବଂ ମୋର ବନ୍ଧୁ ଡାକ୍ତର ଶ୍ରୀ ଶତ୍ରୁଘ୍ନ ମିଶ୍ର (Assistant Surgeon, Veterinary) ଯାହାଙ୍କ ଉଦ୍ୟମରେ ‘ଅମଣିଷ’ ଆତ୍ମପ୍ରକାଶ କରିପାରିଛି, ଆଜି ତାଙ୍କଠାରେ ମୋର ଏକାନ୍ତ ଶ୍ରଦ୍ଧା ଏବଂ କୃତଜ୍ଞତା ଜ୍ଞାପନ କରୁଛି ।

 

‘ଅମଣିଷ’ ଲେଖାର ସ୍ଥାନ ଏବଂ ସମୟ ହେଲା–କେନ୍ଦ୍ରାପଡ଼ା, ୩୦-୧୧-୧୯୪୭, ଆଉ ପ୍ରକାଶିତ ହେବାର ସ୍ଥାନ ଏବଂ ସମୟ ହେଲା–କଟକ, ୧୯୬୩ ମସିହା । ଇତି ।

 

ଚନ୍ଦକା

ଲେଖକ

୨୮-୫-୧୯୬୩

ଶ୍ରୀ ପୁଳିନବିହାରୀ ରାୟ

Image

 

 

 

 

 

 

 

 

 

 

 

 

ଉତ୍ସର୍ଗ

ପରମାରାଧ୍ୟା ଜନନୀଙ୍କ ଶ୍ରୀ ଚରଣରେ

 

-ଅମଣିଷ-

-୧-

 

ସଞ୍ଜବତୀ ଲାଗିଲା ପରେ ଯାମିନୀବାବୁ ଜଳଖିଆ କରିବାକୁ ବସିଲେ । କତିରେ ମା’ ବସିଛନ୍ତି, ଆଉ ମା’ଙ୍କ କତିରେ ପିଲାମାନେ ଗୋଳମାଳ କରୁଥାନ୍ତି । ଯାମିନୀବାବୁ ଜଳଖିଆ କରୁ କରୁ କିଛିକ୍ଷଣ ପରେ ମା’ଙ୍କୁ କହିଲେ–ମା, ଏ ମାସରେ ଆମର ଆଉ କୌଣସି ଅସୁବିଧା ନାହିଁ । ବେଶ ସୁରୁଖୁରୁରେ ଏ ମାସର କେତେ ଦିନ ବିତିଗଲାଣି, ଅତିଥି ଅଭ୍ୟାଗତ ଏ ପର୍ଯ୍ୟନ୍ତ କାହାରି ଦେଖା ନାହିଁ । ଆଉ ବୋଧହୁଏ କେହି ଏ ମାସରେ ଆସିବେ ନାହିଁ ।

 

ଯାମିନୀବାବୁଙ୍କ ମା’ ପୁଅର ଏ କଥାରେ ଉତ୍ତର ଦେବାକୁ ଯାଇ କିଛି ଆରମ୍ଭ କଲା ମାତ୍ରେ ଦାଣ୍ଡଆଡ଼ୁ ଶୁଣାଗଲା–ନୂଆବୋଉ, ଘରେ ଅଛ କି ? ଚିହ୍ନି ପାରିବ ନାହିଁ, କୁଣିଆ ପହଞ୍ଚିଲି ।

 

ଆଗନ୍ତୁକ ଲୋକଟିର କଣ୍ଠସ୍ୱର ହଠାତ୍ ବାରି ହେଲା ନାହିଁ । ପ୍ରାୟ ନୂଆ ପରି ଜଣାଗଲା । ଇତି ମଧ୍ୟରେ ଯାମିନୀବାବୁ ଜଳଖିଆ ଶେଷ କରି ସାରିଥିଲେ । ଏ ନୂଆ କଣ୍ଠସ୍ୱର, ସେଥିରେ ପୁଣି ‘‘ମୁଁ କୁଣିଆଁ–ଏ ଭୂମିକାରେ ତାଙ୍କର ଛାତିଟା କିମିତି ଦକ୍ ଦକ୍ ହେଲା । ସେ ହଠାତ୍ ଦାଣ୍ଡକୁ ବାହାରି ପଡ଼ି ଦେଖନ୍ତି–କୁଣିଆ ଗୃହ ପ୍ରବେଶ କରି ତାଙ୍କରି ଆଡ଼କୁ ଆସୁଛନ୍ତି ।

 

କୁଣିଆକୁ ଅନ୍ଧାର ମଧ୍ୟରେ ଦେଖି ଯାମିନୀବାବୁ କହି ଉଠିଲେ ‘‘କିଏ, ଦାଦି ! ନମସ୍କାର-। ନମସ୍କାର । ବହୁତ ଦିନରେ ଦେଖା !’’

 

–କିଏ ଯାମିନୀ ଯେ, ଆଉ କାହିଁକି ଚିହ୍ନିବ ?

 

ଯାମିନୀବାବୁ ଦାଦି ଭଜହରିକୁ ଅନେକ ଦିନ ପରେ ଦେଖି ଆନନ୍ଦରେ ହସିହସି ମା’ଙ୍କୁ ଡାକି କହିଉଠିଲେ–ମା’ ଦାଦି ଆସିଛନ୍ତି ।

 

ମା’ ମଧ୍ୟ ଖୁସିରେ ତାଙ୍କ ବସିବା ସ୍ଥାନରୁ ପଚାରିଉଠିଲେ–କିଏ, କୋଉ ଦାଦି ?

 

ଭଜହରି ଯାମିନୀବାବୁଙ୍କ ପଛେ ପଛେ ଯାଇ ହସିହସି ତାଙ୍କ ମା’ଙ୍କ ସାମନାରେ ଠିଆ ହୋଇଯିବା ମାତ୍ରେ ଯାମିନୀବାବୁଙ୍କ ମା ସତ୍ୟବତୀ ହଜିଲା ଧନ ପାଇଲା ପରି ଆନନ୍ଦରେ କହିଉଠିଲେ ‘‘କିଏ, ଭଜ ! କୁଆଡ଼େ ଥିଲ ଏତେ ଦିନ ଯାଏ ? ଆହା ! କେତେଦିନ ପରେ ଦେଖିଲି ତୁମକୁ । ବସ, ବସ, ଆସନଟା କୁଆଡ଼େ ଗଲା ?’’

 

ଭଜହରି–ନାହିଁ ନାହିଁ ଆସନ କଣ ହବ, ମୁଁ ଏଇଠି ବସୁଛି ।

 

ଭଜହରି ଯାଇ ସତ୍ୟବତୀଙ୍କ ଅଳ୍ପଦୂରରେ କାନ୍ଥକୁ ଆଉଜି ଥକ୍‌କା ହେବା ଭଙ୍ଗିରେ ବସିପଡ଼ିଲେ ।

 

ପିଲାମାନେ ଯା’ ଗୋଳମାଳ କରୁଥିଲେ, ସମସ୍ତେ ଏ ନୂଆଲୋକକୁ ଦେଖି ଚୁପ୍‌ଚାପ ହୋଇଗଲେ । ସତ୍ୟବତୀ ଭଜହରିଆଡ଼କୁ ବୁଲି ବସି ପଚାରିଲେ–ତୁମେ କୁଆଡ଼େ ମ ? ଆଜି ସୂର୍ଯ୍ୟ କୁଆଡ଼େ ଉଇଁଥିଲେ କି ? ତମେ ଏତେଦିନ ପରେ ! ବଡ଼ ଆଚମ୍ୱିତ କଥା । ତୁମେ ତ ଶ୍ୱଶୁର ଘରେ ଘରଜୋଇଁଆ ହୋଇଥିଲ ଶୁଣିଥିଲି, ତମର ଗୋଟିଏ ପୁଅ ନା ?

 

–ହଁ, କିନ୍ତୁ ମୁଁ ଆଉ ଶ୍ୱଶୁର ଘରେ ଆଜିକାଲି ନାହିଁ । ଗାଁକୁ ଚାଲିଆସିଛି । ଗାଁରେ ଘର କରି ରହିବି ।

 

ସତ୍ୟବତୀ ଏକଥା ଶୁଣି ଆହୁରି ଟିକିଏ ଆନନ୍ଦ ଓ ଚମକମିଶା କଣ୍ଠରେ କହିଉଠିଲେ–ସତେ ନା ? ହଉ, ହଉ, ତମ ଭିଟାରେ ଦୀପ ଜଳୁ । ତମ ବାପାଙ୍କ ନାଁ ରହୁ । ଆହା ! କେତେଗୁଡ଼ାଏ ଭାଇ, ଭଉଣୀ ! ସମସ୍ତେ ତ ଗଲେ, ତୁମେ ହେଲେ ଏକା ନାଁ ରଖ ।

 

ଏତିକିବେଳେ ମା’ଙ୍କ କଥାରେ ବାଧା ଦେଇ ଯାମିନୀବାବୁ କହିଉଠିଲେ–ମା, ଭଜଦାଙ୍କ ବଡ଼ଭାଇ ରାମଦା ଯେ ଭୁବନେଶ୍ୱରରେ ଚାକିରି କରୁଥିଲେ, ସେ କି ସୁନ୍ଦର ଲୋକ ! ଆମେମାନେ ତାଙ୍କ କତିକି ଗଲେ, ନ ଖୋଇ କେଭେ ଛାଡ଼ିବେ ନାହିଁ । ‘ଖା’, ‘ଖା’ କହି କହି ମଣିଷକୁ ବିରକ୍ତ କରି ଦିଅନ୍ତି । କିଛି ହେଲେ ନ ଖାଇ ତାଙ୍କ କତିରୁ ଲୋକ ଆସିପାରିବ ନାହିଁ ।

 

ସତ୍ୟବତୀ ପଚାରିଲେ–ତମେ ତମର ଭାଇ ମଲାବେଳେ ତାଙ୍କ କତିରେ ଥିଲ ତ ?

 

ଭଜହରି ବାଁ ଆଣ୍ଠୁରେ ବାଁ ହାତ ବୁଲାଉ ବୁଲାଉ କହିଲେ–ନା, ମୁଁ ବଡ଼ଭାଇଙ୍କ ମରିବା ଦେଖି ନାହିଁ । ତାଙ୍କ ମରିବାର ଅନେକ ଦିନ ଆଗରୁ ମୁଁ ତାଙ୍କ କତିରୁ ଚାଲିଆସିଥିଲି ।

 

ସତ୍ୟବତୀ–କାହିଁକି ?

 

ଭଜହରି କହିଲେ–ତାଙ୍କ ସ୍ତ୍ରୀ ମଲାପରେ ସେ ପୁଣି ଗୋଟାଏ ଯେଉଁ ମାଇପିଟାକୁ ରଖିଲେ ସେଥିରେ ମୁଁ ବିରକ୍ତ ହୋଇ ଚାଲିଆସିଲି । ମୋର ବିଭା ପ୍ରତି ମନ ଦେଲେ ନାହିଁ କି କିଛି ଯୋଗାଡ଼ କଲେ ନାହିଁ । ତମେ ତ ଦେଖିଛ ନୂଆବୋଉ ମୁଁ ବଡ଼ଭାଇଙ୍କର କଣ ନ କରିଛି ? ବଡ଼ଭାଇ ବଡ଼ଭାଉଜର କେତେ ଜଞ୍ଜାଳ ନ ସହିଛି । ମୋର ତ ବିଭା ହେବାର ବୟସ ହୋଇଥିଲା-। ମୋତେ ତ ବାପା, ମା, ସେଇ ବଡ଼ଭାଇ, ବଡ଼ଭାଉଜଙ୍କ କତିରେ ଛାଡ଼ି ଚାଲିଗଲେ-। ମୋତେ ବିଭା ଦବାକୁ ତାଙ୍କର ମନ ହେଲା ନାହିଁ । ସେ ବୁଢ଼ା ବୟସରେ ସ୍ତ୍ରୀ ମଲା ପରେ ପୁଣି ଗୋଟାଏ ମାଇପିଟାକୁ ରଖିଲେ । ସେଇଥି ସକାଶେ ମୁଁ ଆଉ ତାଙ୍କ ମୁହଁ ଚାହିଁଲି ନାହିଁ ।

 

ସତ୍ୟବତୀ ଦୁଃଖ ପ୍ରକାଶ କରି କହିଲେ–ଆହା ! ତମ ଭାଉଜଟି ଦେଖିବାକୁ ବେଶ୍ ସୁନ୍ଦର ଥିଲା । ତମ ବୋହୂଟି ଦେଖିବାକୁ ସେମିତି ନା ?

 

ଭଜହରି ସତ୍ୟବତୀଙ୍କ ଏ କଥାରେ ହସିଦେଇ କହିଲେ–ମୋ ବୋହୂ ତା’ଠାରୁ ଦେଖିବାକୁ ବେଶି ସୁନ୍ଦର ।

 

–ସତେ ନା ? ବୋହୂ ତା’ହେଲେ ଭଲ ପାଇଛ । ଗୁଣ କିମିତି ? ଭଜହରି ଏତେବେଳେ ଅନ୍ୟମନସ୍କ ଭାବରେ କହିଲେ–ହଁ, ଗୁଣ କଥା କହିବସିଲେ ଅନେକ ରାତି ହବ । ମୋର ଯିବାର ଅସୁବିଧା ହବ, ଅନ୍ଧାର ରାତି ।

 

ଭଜହରି ଏ କଥାର ଅଳ୍ପ ସମୟ ପରେ ଚାଲିଯାଇ ପାରେ ଭାବି ସତ୍ୟବତୀ ପୁଣି ପ୍ରଶ୍ନ କଲେ–କ’ଣ, ଏତେଦିନ ପରେ ଆସିଲ, ଅଭିକା ଚାଲିଯିବ ନା କଣ ? କିଛି ନ ଖାଇ ଯାଇ ପାରିବ ନାହିଁ ।

 

ଭଜହରି ସତ୍ୟବତୀଙ୍କ ଏ କଥାର ଉତ୍ତର ଦବାକୁ ଯାଇ କହିଲେ–ତମ ଘରେ ଖାଇ ଖାଇ ତ ଏଡ଼େ ବଡ଼ । ଖାଇବା ପାଇଁ କ’ଣ ମୁଁ ଆସିଛି ? ଖାଇବା ପାଇଁ ଇଚ୍ଛା ହେଲେ ମୁଁ ନିଜ ହାତରେ ନେଇ ଖାଇବି, ମୁଁ ଯା’ ପାଇଁ ଆସିଛି, ସେ କଥା ମଧ୍ୟ ସେ ପର୍ଯ୍ୟନ୍ତ କିଛି କହି ପାରି ନାହିଁ ।

 

ସତ୍ୟବତୀ ପଚାରିଲେ–କ’ଣ ଏ ପର୍ଯ୍ୟନ୍ତ କହି ପାରି ନା ? କି’ କଥା ?

 

ଭଜହରି ଏତେବେଳେ ଉଠି ବସି କହିଲେ–ଦେଖ ନୂଆବୋଉ, ଏଥର ମୁଁ ଆସିଛି ଜଣକ ବିଭାଘରକୁ । ତାଙ୍କର ଲୋକର ଦରକାର ଥିଲା, ଟିକିଏ ସାହାଯ୍ୟ କରିବା ପାଇଁ, ମୋତେ ଡାକି ଥିଲେ । ବାହାଘର ସରିଲାରୁ ଆଜି ଫୁରସତ୍ ମିଳିଲା । ଭାବିଲି, ତମକୁ ଆଉ ଯାମିନୀକୁ ଟିକିଏ ଦେଖି ଆସେ । ଆଉ ଯାମିନୀକୁ କହିଲେ ମୋର ମଧ୍ୟ କାମଟା ଠିକ୍ ହବ । ତମେତ ଜାଣ ନୂଆବୋଉ ପିଲାଦିନୁ ମୁଁ ଯାମିନୀକୁ ଯେମିତି ଭଲ ପାଏ, ଯାମିନୀ ମଧ୍ୟ ମୋତେ ଭାରି ଭଲ ପାଏ-। ମୋର ଇଚ୍ଛା, ଯାମିନୀ ମୋତେ ଖଣ୍ଡେ ଚାକିରି କରିଦେବ । ସେତ ଡାକ୍ତର, ତା’ର ତ ବହୁତ ଲୋକ ସାଙ୍ଗରେ ଆଳାପ । ସେ ଚେଷ୍ଟା କଲେ ଚାକିରି ଖଣ୍ଡେ ନିଶ୍ଚେ ଯୋଗାଡ଼ କରି ଦେଇ ପାରିବ-। ଆଉ ମୁଁ ଯାମିନୀ କତିରେ ଯେମିତି ରହିପାରିବି ।

 

ଭଜହରିର ଚାକିରି ଯୋଗାଡ଼ କରିଦବାକୁ ହବ ଶୁଣି ଯାମିନୀବାବୁ ହସିଉଠି କହିଲେ–ମା, ଆଜି ଭଜଦା ଚାକିରି ଯୋଗାଡ଼ କରିବାକୁ କହୁଛନ୍ତି । ଯେତେବେଳେ ଚାକିରି ଯୁଟେ, ଲୋକ ମିଳେ ନା ଯେତେବେଳେ ଲୋକ ଯୁଟେ, ଚାକିରି ମିଳେ ନା । ମୋର ନିଜର ଗୋଟାଏ ଲୋକ ଦରକାର ଥିଲା । କେତେ ଖୋଜିଲି, କେହି ହେଲେ ଆପଣାର ଲୋକ ମିଳିଥିଲେ କେତେ ସୁଖରେ ରହିଥାନ୍ତା ।

 

ଭଜହରିକୁ ଲକ୍ଷ୍ୟ କରି ଯାମିନୀବାବୁ ପୁଣି ଆରମ୍ଭ କଲେ–ମା’ଙ୍କୁ ପଚାର, ତମ କଥା ମଧ୍ୟ ମା’ଙ୍କୁ ପଚାରିଥିଲି । ମା’ କହିଲେ,–ସେ ଶ୍ୱଶୁର ଘରେ ଭଲରେ ଅଛି, ସେ କାହିଁକି ଆସିବ, ଗୋଲାମି କରିବାକୁ ? କେହି ପରିଚିତ ଲୋକ ନ ମିଳିଲାରୁ ଶେଷରେ ଗୋଟାଏ ଅପରିଚିତ ଲୋକକୁ ରଖିଲି । ସରକାରୀ ଚାକିରି, ସେ ଲୋକଟା କେତେ ସୁଖରେ ମୋ କତିରେ ଥିଲା !

 

ସତ୍ୟବତୀ ଯାମିନୀବାବୁଙ୍କ କଥାରେ ବାଧା ଦେଇ କହିଲେ–ଦେଖ, ଯାହାତ ହବାର ହେଲାଣି, ଭଜ ଲାଗି ଖଣ୍ଡେ ଚାକିରି ଯୋଗାଡ଼ କର, ଭଜତ ଆମର ଆପଣାର ଲୋକ ।

 

ଭଜହରି ଯାମିନୀବାବୁଙ୍କୁ ଲକ୍ଷ୍ୟ କରି କହିଲେ–ଦେଖ, ତମେ ଯୋଗାଡ଼ କଲେ ଚାକିରି ଖଣ୍ଡେ ନିଶ୍ଚେ ଯୁଟିବ । ଚାକିରି ହେଲେ, ମୁଁ ଆସି ତୁମରି କତିରେ ରହିବି, ତମର ବହୁତ କାମ କରିଦେବି । ଆଜି ମୁଁ ଯାଉଛି, ଆଉ ଦିନେ ଦୁଇଦିନ ପରେ ଆସିବି । ଏଠି ରହିବି ତିନି, ଚାରି ଦିନ, ତା’ପରେ ଗାଁକୁ ଯିବି । ଗାଁରୁ ଫେରିବା ବେଳକୁ ଯିମିତି ଚାକିରି ଯୋଗଡ଼ କରିଥିବ ।

 

ଯାମିନୀ ବାବୁ କହିଲେ–ହଉ ହଉ, ଚାକିରି କରିଦେବି, ତୁମେ ଆସ । ଚାକିରି ଖଣ୍ଡେ ଯୋଗାଡ଼ ହେଇ ପାରିବ ନାହିଁ ଯେ, ଭାରି ଗୋଟାଏ କଥା । ତମେ ଆସିଲେ ଯାଇ ସବୁ କଥା । ମୁଁ ମଧ୍ୟ ତୁମରି ପରି ଜଣେ ଲୋକ ଖୋଜୁଥିଲି । ତେବେ ଚାକିରି ଇମିତିକା ହବା ଦରକାର ଯେ, ତମେ ଆମ ଘରେ ରହିବ, ଆମର କାମ କରିବ, ପୁଣି ଅଫିସ ସମୟକୁ ଅଫିସ କାମ କରିପାରିବ । ମୁଁ ତ ଏକା ଲୋକ, ଗୋଟିଏ ଲୋକର ଅଭାବରେ ଭାରି ହଇରାଣ ହେଉଛି ।

 

ଭଜହରି ଏ କଥା ଶୁଣି କହିଲେ–ଆଚ୍ଛା ଆଚ୍ଛା, ତମେ ଚାକିରି କରିଦିଅ । ମୁଁ ରହିଲେ ଆଉ ହଇରାଣ ହବ ? କେତେ ସୁବିଧାରେ ଚଳିବ । ମୁଁ ଆସୁଛି ନୂଆବୋଉ–ଏତକ କହି ଭଜହରି ଯେତେବେଳେ ଯିବେ ବୋଲି ଠିଆ ହେଲେ, ସତ୍ୟବତୀ ଟିକିଏ କାନ୍ଦ କାନ୍ଦ ହୋଇ କହିଲେ–ଦେଖ, ଭଜ ! ବଞ୍ଚିଥିଲି ବୋଲି ତମକୁ ଦେଖିଲି । ଆହା ! କିଏ କୁଆଡ଼େ ସବୁ ଗଲେଣି...

 

ଭଜହରି ବିଦାୟ ନେଇ ଚାଲିଗଲେ, ସତ୍ୟବତୀ ମଧ୍ୟ ଭଜହରିକୁ ବଳେଇ ଦବାକୁ ଭଜହରିର ପଛେ ପଛେ ବାହାରକୁ ଚାଲିଗଲେ ।

 

-୨-

 

ଭଜହରି ଚାଲିଗଲା ପରେ ଯାମିନୀବାବୁ ନିଜ ସ୍ତ୍ରୀକୁ ଭଜହରିର ଟିକିଏ ଭଲ ପରିଚୟ ଦେବାକୁ ଯାଇ ରୋଷେଇ ଘର ଦୁଆର ମୁହଁରେ ଠିଆହବା ମାତ୍ରେ ତାଙ୍କର ସ୍ତ୍ରୀ ହସିହସି କହିଲେ–କ’ଣ, କୁଣିଆତ ଆସି ପୁଣି ଚାଲିଗଲେ । ମୁଁ ତ କଣ କରିବି କିଛି ଠିକ୍ କରି ପାରୁ ନ ଥିଲି । ରହିବେ କି ଚାଲିଯିବେ ଜାଣିପାରୁ ନ ଥିଲି ।

 

ଯାମିନୀବାବୁ ରୋଷେଇ ଘର ଦୁଆର ମୁଁହରେ ଟହଲୁ ଟହଲୁ କହିଲେ–ଭଜଦା ଚାଲିଯିବେ ବୋଲି ମୁଁ ମଧ୍ୟ ଆଶା କରୁ ନ ଥିଲି ।

 

ଯାମିନୀ ବାବୁ କଥା ଶେଷ ନ କରୁଣୁ ସ୍ତ୍ରୀ ପଚାରିଲେ–ଦାଦିଙ୍କୁ ‘ଦା’ ବୋଲି କଣ କହୁଛ-?

 

ଯାମିନୀ ବାବୁ ହସି ହସି କହିଲେ–ଦେଖ ସୁରମା, ‘ଦାଦି’ର ସଟ୍‍ଫର୍ମ ହେଲା ‘ଦା’ । କେତେ ଆଉ ‘ଦାଦି’, ‘ଦାଦି’ କହୁଥିବି ? ତେବେ ଭଜଦାତ ନିଜ ଦାଦି ନୁହେଁ । ଗାଁରେ ଯେମିତି ସବୁ ଲେଖାଯୋଖା ଦାଦି’ଥାନ୍ତି, ସେହିପରି । ବୟସରେ ବଡ଼ ଅବଶ୍ୟ, ତେବେ ପିଲାଦିନୁ ମୁଁ ସେମିତି ଡାକିଆସିଛି । ମୋର ବୟସର ଆଉ ଆଉ ଲୋକ ଭଜଦାକୁ ଥଟା କରନ୍ତି; କିନ୍ତୁ ମୁଁ ସେତକ କରେନା । ସେଇଥିଲାଗି ଭଜଦା ମୋତେ ଟିକିଏ ବେଶି ଭଲପା’ନ୍ତି । ଶୁଣିଲତ କହିଗଲେ–ଚାକିରି ଖଣ୍ଡେ ଇମିତି ଯୋଗାଡ଼ କରିବି, ଯେପରି ସେ ମୋ କତିରେ ରହିପାରିବେ ।

 

ତୁମେତ ଭଜଦାଙ୍କୁ ଆଜି ନୂଆ ଦେଖୁଛ । ସେ ଆମ ଘରକୁ ଯକୌଣସି ବଡ଼ ବଡ଼ କାର୍ଯ୍ୟରେ ଆସିଥାନ୍ତି, କିନ୍ତୁ ମୋ ବିଭା ବେଳେ ଆସି ନ ଥିଲେ । ତୁମେ ଆଉ ଦେଖିବ କୁଆଡ଼ୁ ? ଭାରି ଖଟିବାର ଲୋକ, ନ ଖାଇ ନ ପିଇ ଖଟିବେ । ଭଜଦାଙ୍କ ଚେହେରା ଦେଖି ପାରିଲତ ?

 

ସୁରମା କାନର ଅଳଙ୍କାର ଦୁଇଟାକୁ ଚୁଲି ନିଆଁର ଆଲୋକରେ ବେଶ ଚିହ୍ନେଇ ଦେଇ କହିଲେ–ନା, ସେତେ ଭଲ କରି ଦେଖି ପାରି ନାହିଁ । ଯା’ ଦେଖିଛି, ସେ ନ ଦେଖିବା ଭିତରେ ।

 

ଯାମିନୀ ବାବୁ କହିଲେ, ତାଙ୍କର ଚେହେରା ମୋତେ ଭାରି ଭଲ ଦେଖାଯାଏ–ଦାନ୍ତଗୁଡ଼ିକ ବେଶ ବଡ଼ ବଡ଼, ହାରମୋନିୟମ୍‌ର ରିଡ଼୍‌ପରି, ପୁଣି ଦାନ୍ତଗୁଡ଼ିକ ଅଳ୍ପ ଟିକିଏ ଆଗକୁ ବାହାରି ଆସିଛି । ତାଳୁ ଉପରତ ପ୍ରାୟ ମରୁଭୂମି, କିନ୍ତୁ ସାମନାରେ କାନ ଉପରେ ଏବଂ ପଛଆଡ଼େ କେତେକ ବାଳ ଅଛି । ଦାନ୍ତ ଯିମିତି ଆଖି ଦୁଇଟି ମଧ୍ୟ ତା’ ସାଙ୍ଗକୁ ବେଶ୍‍ମାନେ । ଭଜଦା ଯେତେବେଳେ ହସି ଦିଅନ୍ତି, ଦାନ୍ତଗୁଡ଼ିକର ବିକାଶ ସଙ୍ଗେ ସଙ୍ଗେ ଆଖିର ଶୋଭା ମଧ୍ୟ ଗୋଟାଏ ଦେଖିବାର ଜିନିଷ । ଦିହଟା ଦେଖିଲେ ବୁଝାଯାଏ–ବାହା, ପୁଆଣି, କାନଫୋଡ଼ା, ନିର୍ବନ୍ଧ ଏ ସବୁ ଖଟଣୀର ଝାଞ୍ଜାରୁ ଯେମିତି ଘର ଖଣ୍ଡକରୁ ନଡ଼ା, ବତା, ବାଉଁଶ କେଇ ଖଣ୍ଡ ରହିଛି ମାତ୍ର । ଭଜଦାର ଭୂରୁ ଦୋ’ଟି ଯେମିତି ମୋଟା ମୋଟା, କାନ ଦୋ’ଟିରେ ସେମିତି ଲମ୍ୱା ଲମ୍ୱା ଦି’ମେଁଚା ବାଳ ।

 

ସୁରମା ରୋଷେଇ ଘରର ଧୂଆଁ ମଧ୍ୟରେ ଚୁଲି ସାମନାରେ ଖଣ୍ଡିଏ ପିଢ଼ା ଉପରେ ବସି ସ୍ୱାମୀଙ୍କର କଥା ଶୁଣିବାକୁ ଯାଇ ଚୁଲି ନିଆଁଆଡ଼କୁ ବିରକ୍ତି ପ୍ରକାଶ କରି, ଚୁଲିର ମୁହଁଆଡ଼କୁ ପାଖେଇ ବସି ପ୍ରଶ୍ନ କଲେ–ଚେହେରାତ ତାଙ୍କର ଯା’ ଦେଖିଲି, ବୟସତ ଅନେକ ବୋଲି ମନେ ହେଲା । ସେ ବିଭା ହେଲେ କେତେ ବର୍ଷ ହେଲା ?

 

ଯାମିନୀ ବାବୁ ସୁରମାର ପ୍ରଶ୍ନର ଉତ୍ତର ଦବାକୁ ଯାଇ ଆରମ୍ଭ କଲେ–ଭଜଦାଙ୍କୁ ବୟସ ଅନେକ । ଏଇ କେତେ ବର୍ଷ ହେଲା, ବିଭା ହୋଇଛନ୍ତି ।

 

‘ସକାଳେ ପତଳା କୁହେଳି ଉଢ଼ାଳେ ଉଦିତ ଅରୁଣ ପରି’, ସୁରମା ରୋଷେଇ ଘରର ଧୂଆଁ ମଧ୍ୟରେ ଅଳ୍ପ ହସି ଦେଇ କହିଲେ–ତାଙ୍କର ସ୍ତ୍ରୀ ତ ବେଶ୍‌ ସୁନ୍ଦରୀ ବୋଲି ନିଜେ ମୁହଁରେ କହିଲେ । ସ୍ତ୍ରୀ ସହିତରେ ଦେଖାହବ ଯେ ! ତୁମେ ଚାକିରି ଯୋଗାଡ଼କର, ଚାକିରି ହେଲେ ସେ କଣ ତାଙ୍କର ସ୍ତ୍ରୀକୁ ଏଠିକି ନ ଆଣିବ ?

 

ଯାମିନୀବାବୁ କହିଲେ–ହଁ ବୃଦ୍ଧସ୍ୟ ତରୁଣୀ ଭାର୍ଯ୍ୟା ହୋଇଥିବେ । ଏତିକିବେଳେ ବାହାରଆଡ଼ୁ ସତ୍ୟବତୀଙ୍କ କଣ୍ଠସ୍ୱର ଶୁଣାଗଲା–‘ଆହା, ବଞ୍ଚିଥିଲି ବୋଲି ଦେଖିଲିରେ, ଭଜମା’ର କେତେ ପିଲା ମରିମରି ଶେଷରେ ଭଜ ରହିଲା । କେତେ କେତେ ବଡ଼ ପିଲାଗୁଡ଼ା ମରିଛନ୍ତି । ଯା’ ହେଉ, ଭଜ ବଂଶ ରଖିଲା ।

 

ସତ୍ୟବତୀଙ୍କ କଣ୍ଠସ୍ୱର ଶୁଣି ଯାମିନୀବାବୁ ରୋଷେଇ ଦୁଆର ମୁହଁରୁ ଚାଲିଆସିଲେ । ସତ୍ୟବତୀ ଭଜହରିକୁ ବିଦାୟ ଦେଇ ଆସି ପୁଣି ରୋଷେଇ ଘର ଦୁଆର ମୁହଁର ଅଳ୍ପ ଦୂରରେ ବସି ପୁଅ ଯାମିନୀକୁ ଲକ୍ଷ୍ୟ କରି ଆରମ୍ଭ କଲେ–ଆହା ! ଭଜର ବାପ, କି ସୁନ୍ଦର ଲୋକ ! ମୁଁ ଖିରି ଖାଇବାକୁ ଭଲପାଏ ବୋଲି ଯେତେ ଥର ମୋତେ ନିମନ୍ତ୍ରଣ କରିବେ, ମୋ ଲାଗି ଭଜମାକୁ ବାରମ୍ୱାର ତାଗଦା କରି ମୋ ଲାଗି ଖିରି ଟିକିଏ ଯେମିତି ହେଲେ କରେଇ ଥିବେ । ଆହା କି ଅମାୟିକ ଲୋକ ! ସେମିତିଆ ଲୋକ ଆଉ ମିଳିବ ନାହିଁରେ, ମିଳିବ ନାହିଁ । ତାଙ୍କ ପୁଅ ଭଜକୁ ଶେଷରେ ଶ୍ୱଶୁର ଘରେ ଘରଜୋଇଁଆ ହେଇ ରହିବାକୁ ପଡ଼ିଲା । ଯା’ ହେଉ ଭଜ ମୋତେ ମନେ ରଖିଛି । ତା’ର ଲୋଭ ଦେଖ, ସେ ଚାଲି ଆସିଛି ମୋତେ ଟିକିଏ ଦେଖିବାକୁ । ଦେଖ ଯାମିନୀ, ତୁ ଭଜ ଲାଗି ଖଣ୍ଡେ ଚାକିରି ଯେମିତି ହେଲେ ଯୋଗାଡ଼ କର । ତୁଇ ଋଣ ସୁଝ । ଭଜମା, ଭଜବାପ, ଆମର ବହୁତ ଉପକାର କରିଛନ୍ତି, ଭାରି ଭଲ ଲୋକ ଥିଲେ ସେମାନେ । ତୁଇ ସେ ଧାର ସୁଝ । ତୋର ବାପ ଥିଲେ, ଭଜଲାଗି ଆଗେ ଚାକିରି ଖଣ୍ଡେ ଯୋଗାଡ଼ କରି ଦିଅନ୍ତେ । ତୁ ବି କଣ ଚେଷ୍ଟା କଲେ ହବ ନାହିଁ ? ମନ ଦେଇ ଚେଷ୍ଟା କଲେ ନିଶ୍ଚେ ହବ ।

 

ଯାମିନୀବାବୁ ମା’ଙ୍କର ଏ କଥା ଶୁଣି କହିଲେ–ଭଜଦା କି ଚାକିରି କରିବେ ? ଉମର କଟେଇ ଦେଲେ ଖାଲି ରୋଷେଇ କାମ କରି କରି । ପାଠତ ଅଳ୍ପ କିଛି ପଢ଼ିଛନ୍ତି ସେଥିରେ କି ଚାକିରି କରିବେ ?

 

ସତ୍ୟବତୀ ଅଳ୍ପ ରାଗିଯାଇ କହିଲେ–ରୋଷେଇ କାମ କରୁଥିଲା ବୋଲି ଅନ୍ୟ କାମ କରି ପାରିବ ନାହିଁ ? କାମିକା ଲୋକ, ଯୋଉଥିରେ ଲଗେଇବ, ସେଥିରେ ଲାଗିବ । ପାଠ ଅଳ୍ପ ପଢ଼ିଚିତ ହେଲା କଣ ? ଚପରାସି କାମ ଖଣ୍ଡେ ହେଲେ ସେ ଚଳିଯିବ । ସେତ ଆମ ଘରେ ରହିବ, ତା’ର କଣ ଖାଇବା ଖର୍ଚ୍ଚ ଲାଗୁଛି ? ଦରମା ଯା’ ପାଇବ ସେଥିରେ ତା’ର ପିଲା ଭାରିଯା ପୋଷୁ । ଅସଲ କଥା, ତୁ ଚାକିରି ଯୋଗାଡ଼ କରିପାରିବୁ କି ନା ସେ କଥା କହ । ସେ କଣ ହାକିମ ହୁକୁମା କାମ ଖୋଜୁଛି ? ଗରିବ ଲୋକ, କିମିତି ହେଲେ ଚଳିଯିବାକୁ ଚାହୁଁଛି । ଆହା, କୋଉ ଲୋକର ପୁଅ ସେ । ଆଜି ଚପରାସି କାମକୁ ବି ସେ ଯୋଗ୍ୟ ହେଲା ନାହିଁ ? ଭଜ ବାପର ଇମିତି ଢଙ୍ଗ ଥିଲା, ଗୋଟିଏ ପିଲା ଜନ୍ମ ହେଲାତ ଗୋଟିଏ ଗାଈ କିଣିବେ; ପିଲା ଦୁଧ ଖାଇବ । ପିଲାଏ କିଣାଦୁଧ ଖାଇବେ ନାହିଁ । କେତେ ଯତ୍ନରେ ଭଜ ମଣିଷ ହେଇଛିରେ । ତା ଭାଗ୍ୟରେ ଆଜି ୟା ବି ଥିଲା । କଥା କହୁ କହୁ ସତ୍ୟବତୀଙ୍କ ଆଖି ଓଦା ହୋଇ ଆସିଲା ।

 

-୩-

 

ଚାରିଦିନ ପରେ, ଦିନେ ସନ୍ଧ୍ୟା ପରେ ଯାମିନୀ ବାବୁଙ୍କ ଦାଣ୍ଡଦୁଆର ଖଡ଼ଖଡ଼ ଶଦ୍ଦ ଶୁଣାଗଲା । ଯାମିନୀବାବୁ ଦାଣ୍ଡଦୁଆର ଖୋଲିଦେଇ କହି ଉଠିଲେ–କିଏ, ଭଜଦା ଯେ । କଣ ସେଠା ବିଭାଘର କାମସବୁ ସରିଗଲା ?

 

–ହଁ ସେଠା ବିଭାଘର କାମ ସବୁ ସରିଲା, ଆଜି ମୁଁ ବିଦାୟ ନେଇ ଆସିଲି ।

 

–ଆସ, ଆସ ।

 

ଯାମିନୀବାବୁ ମା’ଙ୍କୁ ଡାକି କହିଲେ–ମା, ଭଜଦା ଆସିଲାଣି । ସତ୍ୟବତୀ ଏ କଥା ଶୁଣି ଆନନ୍ଦରେ ହସି ଉଠି କହିଲେ-ଆସ ଭଜ, ଆସ, ଗୋଡ଼ହାତ ଧୂଅ, ବସ । କଣ, ବିଭାଘର କାମ ସବୁ ସରିଲା ସେଠି ?

 

ଭଜହରି କହିଲେ–ହଁ ।

 

ଭଜହରି ‘ହଁ’ ଉଚ୍ଚାରଣରେ ସଙ୍ଗେ ସଙ୍ଗେ ସତ୍ୟବତୀଙ୍କ ସାମନାରେ କାନ୍ଥକୁ ଆଉଜି ବସିପଡ଼ିଲେ । ଭଜହରି ଗୋଡ଼ ଦୁଇଟି ସଡ଼କ ଧୂଳିରେ ନାଲି । ଭଜହରି ଚାଦର ଖଣ୍ଡକରେ ମୁହଁ, ଛାତି, ହାତରୁ ଝାଳ ପୋଛି ସାରି କିଛି ସମୟ ନେଲା ପରେ ଲୋଟା ନେଇ ବାରିଆଡ଼କୁ ଯାଇ ଗୋଡ଼ଧୋଇ ଆସି ସତ୍ୟବତୀଙ୍କୁ ପଚାରିଲେ–ରୋଷେଇ କଣ ବୋହୂ କରନ୍ତି ?

 

–ସତ୍ୟବତୀ ଉତ୍ତର ଦେଲେ–ହଁ, ଭଜ; ବୋହୂ ରାନ୍ଧେ । ଭାରି ଅସୁବିଧା ! ଦି’ ବେଳା ବୋହୂ ରାନ୍ଧେ ?

 

–ଆଉ କିଏ କରିବ ? ଆଜିକାଲିତ ଚାକର ଗୋଟାଏ ମିଳୁନି । ଆଉ ପୂଝାରି ରଖିବି କାହୁଁ ? ସମୟତ ହେଲା ଭିନେ, ଜଣେ ରୋଜଗାର କରିବ, ସେଥିରେ କାଳ ମହରଗ, ଆଉ ପୂଝାରି ରଖି ପାରୁନି । କେଇଟା ଲୋକ ଯେ ହାତେ ହାତେ ମୁଠାଏ ଫୁଟେଇ ଖାଇବା କଥା ।

 

ଭଜହରି ଗୋଡ଼ହାତ ପୋଛୁ ପୋଛୁ କହିଲେ–ବୋହୁଙ୍କୁ କହିଦିଅ, ସେ ରୋଷେଇ ଘରୁ ଚାଲିଯା’ନ୍ତୁ, ମୁଁ ରାନ୍ଧିଦେବି ।

 

ସତ୍ୟବତୀ ଭଜହରିର ରୋଷେଇ କରିବା କଥା ଶୁଣି କହିଲେ–ଏ ଗୋଟାଏ କଥା ! ତୁମେ ଆଜି ଆସିଲ, ଆଜି ରାନ୍ଧିବ ! ଆଜି ଥାଉ, ଆଜି ବସି ଗପ କର କାଲି ବରଂ ରାନ୍ଧିବ । ଆହା, ତାମ ହାତ ରୋଷେଇ କେବେ ଖାଇଥିଲି; ରୋଷେଇରେ ତମକୁ କିଏ ବାଛିବ ? ତମେ ଜଳଖିଆ କର । ଆଜିକ ଫୁରସତ ନିଅ, କାଲିକି ରାନ୍ଧିବ । ତୁମେତ ରହିବ, ଅଭିଜାତ ଯାଉନା ଯାମିନୀ ତ ଚାକିରି ଯୋଗାଡ଼ କରୁଛି । ରାନ୍ଧିବତ ଏତେ ତରତର କାହିଁକି ? ବୋହୂତ ରାନ୍ଧୁଛି, ରାନ୍ଧୁ । ମୋ ବୋହୂ ରାନ୍ଧଣା ଚାଖ ।

 

ଭଜହରି ସତ୍ୟବତୀଙ୍କ ଏ କଥାର ଉତ୍ତରରେ କହିଲେ–ନା, ନୂଆବୋଉ, ମୁଁ ବର୍ତ୍ତମାନ ମୋଟେ ଦୁଇଦିନ ରହିବି, ତା’ପରେ ଗାଁକୁ ଯିବି । ମୋର ସ୍ତ୍ରୀର ଦଶମାସ ଗର୍ଭ କ’ଣ ଯେ ହେଲାଣି ଠିକ୍ ନାହିଁ । ଛାଡ଼ି ଆସିଛି, କତିରେ ତ କେହି ନାହାନ୍ତି ।

 

ସତ୍ୟବତୀ ଭଜହରିର ସ୍ତ୍ରୀର ଦଶମାସ ଗର୍ଭ କଥା ଶୁଣି ଅଳ୍ପ ହସି କହିଲେ ସତେ ନା । ତମ ବୋହୂର ପୁଣି କଣ ହବାର ଅଛି ? ହଉ ହଉ ଭଗବାନ କରନ୍ତୁ ତମ ଭିଟାରେ ଦୀପ ଜଳୁ । ବାପ, ମାର ନାଁ ରହୁ । ଗୋଟିଏ ପୁଅତ ହେଇଛି, ଆହୁରି ଗୋଟିଏ ପୁଅ ହଉ । ସେ ପୁଅଟି ନା କଣ ଦେଇଛ ?

 

ଭଜହରି କହିଲେ–କଣ ନାଁ ଦେବି ? ତାକୁ ‘ପଫ’ ବୋଲି ଡାକେ । ତା’ର ଭଲ ନାଁ ‘ପ୍ରବୀର’ ।

 

ସତ୍ୟବତୀ ହସିହସି କହିଲେ–ଭଲ ନାଁ ଦେଇଛ, ମନ୍ଦ କଣ ? ତମେ ଗାଁରେ ପରା ଘର ତୋଳୁଛ ? ସଇଲାଣି, ନା ଆହୁରି ବାକି ଅଛି ? ହାତରେ କିଛି ଟଙ୍କା ପଇସା ଆଣିଥିଲ ?

 

ଭଜହରି ଉତ୍ତରେ କହିଲେ–ନାଁ, ଟଙ୍କା ପଇସା କୋଉଠୁ ଆଣିବି ? ମାଗି ଯାଚି କରିବା କଥା । ଗାଁବାଲାଙ୍କ ସାହାଯ୍ୟରେ ଘର ଖଣ୍ଡିଏ କରିବା କଥା । ଝାଟିମାଟି କାନ୍ଥ କୌଣସି ରକମରେ ଛପର ପକେଇ ମୁଣ୍ଡଗୁଞ୍ଜି ରହିଯିବା ।

 

ସତ୍ୟବତୀ କହିଲେ । ସତେ ! ଗାଁ ଲୋକେ ସାହାଯ୍ୟ କରୁଛନ୍ତି ? ଏତ ନୂଆ କଥା ଶୁଣୁଛି ତମ ମୁହଁରୁ । ଯା’ହଉ ତମ ଭାଗ୍ୟ । ଆମରତ ଗାଁ ସାଙ୍ଗରେ ସମ୍ପର୍କ ନାହିଁ । ଗାଁ ଛାଡ଼ିବାର କେତେ ବର୍ଷ ହୋଇଗଲାଣି, ଲୋକମାନେ ତ ମରିମରି ଗାଁ ପଦା ହୋଇଗଲା । ସେଇଥିଲାଗି ଆଉ ଗାଁକୁ ଯିବାକୁ ମନ କରୁନା । କେହି ତ ଗୋଟିଏ ପୁରୁଖା ଲୋକ ନାହିଁ; କା’ସାଙ୍ଗରେ ଭଲମନ୍ଦରେ କଥା ପଦେ କହିବାକୁ । ଯେତେ ସବୁ ଲାଙ୍ଗୁଡ଼ଛିଣ୍ଡା ଦଳ ନୂଆ ଅଧାପାଠୁଆ; ମୂର୍ଖ ମୁରବି; ଟୋକା ଟାକରା । ବୋହୂ ଝିଅତ ଯେ ଅଛନ୍ତି । ତାଙ୍କ କଥା ଛାଡ଼ । କିଏ ଚିହ୍ନୁଛି କା’କୁ ? ତାଙ୍କ ସାଙ୍ଗରେ ତ କଥା କହିବାକୁ ଡର । ଦେଖିଲତ ମୁଣ୍ଡ ନଇଁବାକୁ ତାଙ୍କୁ କଷ୍ଟ ।

 

ସତ୍ୟବତୀ କଥା ବନ୍ଦ କରି ବୋହୂଙ୍କୁ ଡାକ ଦେଲେ ଭଜହରିକୁ ଜଳଖିଆ ଆଣିବା ପାଇଁ-

 

ବୋହୂ ସୁରମା ଅନେକବେଳୁ ଭଜହରି ପାଇଁ ଜଳଖିଆ ପ୍ରସ୍ତୁତ କରି ସାରିଥିଲେ; କିନ୍ତୁ ଲଜ୍ଜାରେ କିମିତି ଭଜହରି ସାମନାକୁ ଆସିବେ ଭାବି ଠିକ୍ କରି ପାରୁ ନ ଥିଲେ । ଏଣେ ମଧ୍ୟ ଭଜହରିର ସାମନାରେ ଶାଶୁଙ୍କୁ ଇସାରା ଦେଇ ପାରୁ ନ ଥିଲେ ଯେ ଭଜହରିଙ୍କୁ ଜଳଖିଆ ଦବା ପାଇଁ ।

 

ସୁରମା ଏତେବେଳେ ଶାଶୁଙ୍କର ଡାକ ଶୁଣି ଓଢ଼ଣା ଟାଣି ମେଘାବୃତ ଶଶୀ ପରି ମୁହଁ ଲୁଚେଇ ଜଳଖିଆ ଧରି ଧୀରେ ଧୀରେ ବାହାରିବାରୁ ସତ୍ୟବତୀ କହିଲେ–ଆସ ବୋହୂ; ଭଜକୁ ସରମ କରିବ ନାହିଁ, ସେତ ତମ ଶ୍ୱଶୁର ନେଖା ହେବ । ତାକୁ ସରମ କଲେ ଚଳିବ କିମିତି ? ଆସ-

 

ଭଜହରି ଜଳଖିଆ ଖାଇ ବସିବା ପରେ; ସତ୍ୟବତୀ ପୁଣି ଆରମ୍ଭ କଲେ;–ବୋହୂ ତମକୁ ସରମ କରୁଛି; କେବେତ ଦେଖି ନାହିଁ । ଆଜିତ ନୂଆ ପରିବେଷଣ କରୁଛି, ବିଭାଘରବେଳେ ତ କୁଆଡ଼େ ରହିଲ ଯେ; ଆସିଲ ନାହିଁ । ମୁଁ ତ ତମ ଠିକଣା ଜାଣେ ନା; ଆଉ ଜଣେଇ ପାରିଲି ନାହିଁ ।

 

ଭଜହରି ଜଳଖିଆ ଖାଉ ଖାଉ କହିଲେ–ତମ ବୋହୂ ଲାଜ ସରମତ ନିଶ୍ଚୟ କରିବ । ସେ କଣ ଆଉ କା’ ଘର ବୋହୂ ହେଇଛି କି ? ତମ ସାମନାରେ ବଦଚାଲ ! ଭଜହରି ପୁରି ଖଣ୍ଡକ ଦାନ୍ତରେ ଛିଣ୍ଡେଇ ନେଇ ଚୋବୋଉ ଚୋବୋଉ କହିଲେ–ମୁଁ ଯିମିତି ଗୋଟାଏ ବିଭା ହୋଇଛି ! ଲାଜ, ସରମ କିଛି ଅଛି ? ନବାବକୁ ଯବାବ ଦେଲାବାଲା, କ’ଣ ଗୋଟାଏ ମୁଁ ବିଭା ହେଲି । ଖାଲି ରୂପ ଛଡ଼ା ତା’ଠି ଆଉ କିଛି ନାହିଁ ।

 

ସତ୍ୟବତୀ ଏ କଥା ଶୁଣି ହଠାତ୍‌ କହିଲେ–କଣ, ତମ ବୋହୂର ଲାଜ, ସରମ ନାହିଁ ? କଣ କହୁଛ ନବାବକୁ ଯବାବ ଦେଲାବାଲା ? କଣ ଏତେ ବାଛି ବାଛି ଶେଷରେ ଇମିତିଆ ଭାରିଯାଟିଏ ପାଇଲ ?

 

ଭଜହରି ଖାଉ ଖାଉ ବାଁ ହାତ ହଲେଇ କପାଳରେ ହାତମାରି କହିଲେ–କହନା, କୁହନା ତା’ ଢଙ୍ଗରଙ୍ଗ କଥା ! ମୁଁ ଭାବିଛି, ଏଠି ଚାକିରି କଲେ, ତାକୁ ତମରି କତିରେ ଆଣି ଛାଡ଼ିଲେ ସେ ଜାରିହବ, ତା’ର ସବୁ ବେବାଗିଆ ଢଙ୍ଗ ଛାଡ଼ିଯିବ । ଟଙ୍କାଗୁଡ଼ାଏ ଖର୍ଚ୍ଚ କରି ବିଭା ହେଲି, କିଛି ଫଳ ନାହିଁ । କଲିକତାରେ ଥାଇ ଯା’ ରୋଜଗାର କରିଥିଲି, ସବୁ ଶ୍ୱଶୁର ଘରେ ପୂରେଇ ଏତେବେଳେ ଫକଡ଼ ହେଇ ବୁଲୁଛି । ଯା’କୁ ବିଭା ହେଲି, ସେ ବି ମୋର ନୁହେଁ । ମୁଁ ଯମିତି ତା’ର ଗୋଲାମ କି ଚାକର ! ଟିକିଏ ଖାତିର ନାହିଁ, କ’ଣ କହିବି ନୂଆବୋଉ !

 

ଏତେବେଳେ ଜଳଖିଆ ଖାଇବା ଅଳ୍ପ ସମୟ ଲାଗି ବନ୍ଦକରି ଭଜହରି ନିଜ କଥାର ସତ୍ୟତା ପ୍ରମାଣ କରିବାକୁ ଯାଇ କହିଲେ ଦେଖ ନୂଆବୋଉ ତମେତ ମା’ ସମାନ, ଆହାର ଉପରେ ବସିଛି, ସେ ମାଇପିଟାର ଆଚରଣରେ ମଧ୍ୟ ମୋର ସନ୍ଦେହ । କେଡ଼େ ବଡ଼ଟାତ ହେଇ ରହିଥିଲା, କେହି ଯୁଟୁ ନଥିଲେ । ମୁଁ ତ ଆଉ ଜାଣି ନ ଥିଲି । ବିଭା ହେଇଗଲି, ତେବେ ଯା ହଉ ନୂଆବୋଉ, ବିଭା ହେଲା ପରେ କଲିକତାରେ ଜଣେ ଜ୍ୟୋତିଷକୁ ପଚାରୁଥିଲି । ସେ କହିଲା–ତମର ସ୍ତ୍ରୀକୁ ସନ୍ଦେହ କରନା, ସେ ସତୀ, ତା’ର ଆଚରଣ ଭଲ, ଖରାପ ନୁହେଁ ।

 

ଏତିକିବେଳେ ଯାମିନୀବାବୁ ଘର ଭିତରେ ଶୋଇ ଖଣ୍ଡେ ବହି ପଢ଼ୁଥିଲେ । ଭଜହରିର ଇମିତିଆ କଥା ଶୁଣି ଧୀରେ ଧୀରେ ଉଠିଆସି ମା’ଙ୍କର ଅଲକ୍ଷ୍ୟରେ ରୋଷେଇ ଘରେ ପଶି ରନ୍ଧନରତା ସୁରମାକୁ ଇସାରା ଦେଇ ହସିହସି ଚୁପଚୁପ କରି କହିଲେ–ଶୁଣୁଛ, ଭଜଦା’ ତାଙ୍କ ସ୍ତ୍ରୀ ବିଷୟରେ କ’ଣ କହୁଛନ୍ତି ମା’ଙ୍କ ଆଗରେ ? ସୁରମା ହସିହସି କହିଲେ–ଶୁଣୁଛି, କି କଥା ସେ କହୁଛନ୍ତି ? ଆମେମାନେ ଅଛୁ, ମା’ଙ୍କ ସାମନାରେ ଏଇ କଥା କୁହାହଉଛି ?

 

ସୁରମା ତରକାରୀରେ କାଠି ମାରୁଥାନ୍ତି, ଯାମିନୀବାବୁ ରୋଷେଇ ଘର ମଧ୍ୟରେ ଚୋରପରି ଭୀତତ୍ରସ୍ତ ହୋଇ ଠିଆହୋଇ ରହିଲେ ଭଜହରିର ଆହୁରି କଥା ଶୁଣିବାପାଇଁ ।

 

ଭଜହରି ପୁଣି କହିଲେ–ସେ ଜ୍ୟୋତିଷ ଗଙ୍ଗାଜଳ ସ୍ପର୍ଶକରି କହିଲା । ସେଥିଲାଗି ମନ ମାନିଛି, ତେବେ ସୁଦ୍ଧା ତା’ର ଚାଲିଚଳଣ ଦେଖିଲି କିମିତି କିମିତି ଲାଗେ । ମୁଁ ଯା ସାଙ୍ଗରେ କଥା କହିବାକୁ ମନା କରିବି, ସେ ହଟ କରି ତା’ ସାଙ୍ଗରେ କଥା କହିବ । ସେ କ’ଣ ମୋ ସାଙ୍ଗରେ ଆମ ଗାଁ’କୁ ଆସିବାକୁ ମଙ୍ଗୁଥିଲା ? କୌଣସି ଉପାୟରେ ତାକୁ ନେଇ ଆସିଲି, ତା’ର ମନ ଆଦୌ ମୋ’ଠି ନାହିଁ ।

 

ଭଜହରି ଦୁଇଦିନ ରହି ତୃତୀୟ ଦିନ ସକାଳୁ ଉଠି ଗାଁ’କୁ ବାହାରିଗଲେ । ଗଲାବେଳେ ଯାମିନୀବାବୁଙ୍କୁ ବାରମ୍ବାର ଅନୁରୋଧ କରି କହିଲେ–ଦେଖ ଯାମିନୀ, ମୁଁ ଗାଁ’କୁ ଯାଉଛି ଏଥି ମଧ୍ୟରେ ଯେମିତି ହେଲେ ଖଣ୍ଡେ ଚାକିରି ଯୋଗାଡ଼ କରିଥିବ । ଦେଖ, ହାତରେ ସେମିତି କିଛି ନାହିଁ-। ତା’ପରେ ପୁଣି ଗୋଟିଏ ଅନ୍ତୁଡ଼ି ଘର ହବ । କ’ଣ କିମିତି କରିବି, ମୋତେ ଅନ୍ଧାର ଦିଶୁଛି-। ମୁଁ ତ କେତେଦିନ ହେଲା ଆସି ଇଆଡ଼େ ରହିଛି, ପିଲାପିଲି ଯଦି ହେଇ ସାରିଥାଏ, କ’ଣ ଯେ ଅବସ୍ଥା ହେଇଥିବ ! ଲୋକ ନାହିଁ କି ପଇସା ବି ନାହିଁ ସ୍ତ୍ରୀ କତିରେ । ଦେଖ, ମୋ କଥା ଭୁଲିବ ନାହିଁ-। ଖାଲି ପିଲା ଜନ୍ମ ହେଇ ସାରିଲା ପରେ ମୁଁ ପଳେଇ ଆସିବି । ଆସିଲେ ଯିମିତି ଚାକିରି ଖଣ୍ଡେ ପାଏ, ନ ହେଲେ ଉପାସ ଭୋକରେ ଛଟପଟ ହେଇ ମରିଯିବୁ ।

 

-୪-

 

ଗ୍ରାମ ନାମ ହରିପୁର, ସାହିର ନାମ ଟିକିପଡ଼ା । ଗାଁ’ଖଣ୍ଡକ ଯା’ଥାଉ, ସାହି ଖଣ୍ଡକ ଆଉ ଟିକିପଡ଼ା ହେଇ ରହିଲା ନାହିଁ । ଯେଉଁ ଦିନଠୁଁ ଭଜହରି ସସ୍ତ୍ରୀକ ଗ୍ରାମରେ ପ୍ରବେଶ କରିଛନ୍ତି, ସେଇ ଦିନଠୁଁ ଟିକିପଡ଼ା ବଡ଼ପଡ଼ା ବୋଲି ମନେ ହେଲା । ଏହାର କାରଣ ଭଜହରି ନୁହେଁ, ଭଜହରିର ସ୍ତ୍ରୀ-

 

କାରଣ ଭଜହରି ସ୍ତ୍ରୀର ସୌନ୍ଦର୍ଯ୍ୟ–ଭାରତୀୟ ନାରୀର ସୌନ୍ଦର୍ଯ୍ୟ ଯଦି କୌଣସି ଇଂରାଜୀ କବି କିମ୍ୱା ଲେଖକ ଦେଖିଥାନ୍ତେ ତା’ହେଲେ ସେ କେବଳ ତା’ର ରୂପରେ ମୁଗ୍‌ଧ ହୋଇ କଲମ ଧରିବାକୁ ଭୁଲିଯାନ୍ତେ । ଲେଖିବା ତ ଦୁରର କଥା, ଭାରତୀୟ ନାରୀର ସୌନ୍ଦର୍ଯ୍ୟ ବର୍ଣ୍ଣନା କରିବାକୁ କେବଳ ଭାରତୀୟ କବି କିମ୍ବା ଲେଖକ ପକ୍ଷରେ ସମ୍ଭବ ବୋଲି ମନେହୁଏ । ତେବେ ସୁଦ୍ଧା ରବୀନ୍ଦ୍ରନାଥ ଯଦି ଦେଖିଥାନ୍ତେ, ସେ ମଧ୍ୟ–‘ଉଷାର ଉଦୟସମ ଅନବଗୁଣ୍ଠିତା, ତୁମେ ଅକୁଣ୍ଠିତା’ ଲେଖିବା ପରିବର୍ତ୍ତେ ଆଉ କିଛି ଲେଖିଥାନ୍ତେ । ଉପେନ୍ଦ୍ରଭଞ୍ଜ ଦେଖିଥିଲେ ତାଙ୍କର ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’କୁ ତୁଚ୍ଛ ଜ୍ଞାନ କରି ଦୂରେ ଫିଙ୍ଗି ଦିଅନ୍ତେ । ‘ମନବୋଧ ଚଉତିଶା’ ପ୍ରଣେତା ଯଦି ଦେଖିଥାନ୍ତେ ସେ ମଧ୍ୟ ‘କହଇ ମନ ଆରେ ମୋ ବୋଲ କର, କଳା ଶ୍ରୀମୁଖ ବାରେ ଦେଖିବା ଚାଲ’ ଲେଖିବା ପରିବର୍ତ୍ତେ ଲେଖିଥାନ୍ତେ–‘କହଇ ମନ ଆରେ ମୋ ବୋଲ କର, ଘନଜଘନା ବାରେ ଦେଖିବା ଚାଲ’ । ମାୟାଧର ମାନସିଂହ ଦେଖିଥିଲେ ତାଙ୍କର ‘ଧୂପ’ରେ ପାଣି ଢାଳି ଦେଇଥାନ୍ତେ । କାଳିନ୍ଦୀବାବୁ ଦେଖିଥିଲେ ‘ମାଟିର ମଣିଷ’ ଲେଖିବା ଛଡ଼ା ‘ଲୁହାର ମଣିଷ’ ଲେଖି ପାରି ନ ଥାନ୍ତେ । ‘ଡଗର’ର ସଂପାଦକ ଦେଖିଥିଲେ ବୋଧହୁଏ ଲେଖିଥାନ୍ତେ–‘ସେ କି ସହଜେ ପାଇବା ଧନ, ତାକୁ ସହଜେ ପାରିବ ଧରି, ସେତ ବୁଢ଼ିଆଣୀ ସୂତା ପରି’ ।

 

ଆଉ ଗାଁ’ର ବଢ଼େଇ, କମାର, ମୂଲିଆ, ମାମଲତକାର, ବଡ଼ଲୋକ, ଟୋକାଟାକରା ଏମାନଙ୍କ କଥା ବା କ’ଣ କହି ହେବ ? ବଢ଼େଇ ଯେ କି ଭଜହରିର ନୂଆ ତୋଳା ହେଉଥିବା ଘରର କବାଟ ତିଆରି କରିବାରେ ବିନା ପଇସାରେ ଅକ୍ଳାନ୍ତ ପରିଶ୍ରମ କରୁଛି ସେ ମଧ୍ୟ ଭାବୁଛି–ମାଇପିଟା । ଗାଁ’ରେ ଆଗେ ରହୁ, କବାଟ ତିଆରି କରିବା ପରିଶ୍ରମ କ’ଣ ବୃଥା ହବ ? କମାର ଯେ କି ବିନା ପଇସାରେ ଜଞ୍ଜିର, କୁହୁଣ୍ଡା ଇତ୍ୟାଦି ଯୋଗାଉଛି, ସେ ଭାବୁଛି–ଆଗେ ମାଇପିଟା ରହୁ, ତା’ ମନ ଲାଗୁ, ଦିନେ ଏ ଜଞ୍ଜିର କ’ଣ ମୋଲାଗି ଖୋଲିବ ନାହିଁ ? ମୂଲିଆ ଯେ କି ଭଜହରି କାନ୍ଥରେ ମାଟି ଲଦୁଛି, ତଳେ ମାଟି ଚକଟୁଛି, ସେ କ’ଣ କାଦୁଅକୁ, କାଦୁଅ ଜ୍ଞାନ କରୁଛି ? ପଇସା ନ ପାଇ ସୁଦ୍ଧା, ସେ ଭାବୁଛି–ଦିନେ କ’ଣ ଏ ପରିଶ୍ରମର ଫଳ ମିଳିବ ନାହିଁ ? ମିଳିବ, ମାଇପିଟା ଆଗ ରହୁ । ଯେଉଁ ମୂଲିଆ ଭଜହରିର ଚାଳରେ ବତା, ବାଉଁଶରେ ଗଣ୍ଠି ପକଉଛି, ସେ ଭାବୁଛି–ଇମିତି ଦିନେ ତା’ର ମୋର ଗଣ୍ଠି ପଡ଼ିବ । ଗାଁ’ର ମାମଲତକାର ଯେ କି ପାଞ୍ଚଲୋକଙ୍କୁ ମତେଇ ଭଜହରିର ଘର ତୋଳାରେ ପାଞ୍ଚକାମ କରେଇ ଦଉଛି, ସେ ଭାବୁଛି–ରହୁ, ରହୁ, ଇମିତି କେତେ ଘରେ କ’ଣ କରି ଆସିଲି, ଆଉ ୟାକୁ ଛାଡ଼ିଦେବି ? ଏଇଠି ମୁଣ୍ଡି ମରିବ । ଗାଁ’ର ବଡ଼ଲୋକ ଯେ କି ଭଜହରିକୁ ଘର ତୋଳିବାରେ କାଠ, ବାଉଁଶ, ଟଙ୍କା ପଇସା ସାହାଯ୍ୟ କରୁଛି, ସେ ଭାବୁଛି–ଭଜହରିର ପରିବାର କିଏ, ଆଉ ତା’ର ପରିବାର କିଏ ? କଥା ଯେମିତି ହେଲେ ରହିବ, ନୋହିଲେ ମୋର ହାତର କଥା, ଯେଉଁ ଘର ତୋଳିବାରେ ଆଜି ସାହାଯ୍ୟ କରୁଛି, ଗୋଟାଏ ଡିଆସିଲି କାଠିକି ନିଅଣ୍ଟ । ଆଉ ଟୋକାଟାକରାଙ୍କ କଥା–ଯେ ଭଜହରିର ଉପକାରରେ ଲାଗିଛନ୍ତି, ପାନ, ବିଡ଼ି, ଯୋଗେଇବା, ବେଳଦେଖି ଭଜହରିର ପୁଅକୁ ଭଲ ଭଲ ଜିନିଷ କିଣିଦବା, ଭଜହରିକୁ ପାଞ୍ଚ ପଇସା ଦରକାର ବେଳେ ଦେଇଦବା, ଭଜହରିର ସାଙ୍ଗ ବୋଲି ମିଛେ ମିଛେ ଯାଇ ଭଜହରିକୁ ଡାକିବା, ତାଙ୍କର ତ ମନ ହଉଛି ସୁଖ ମାଛ କୂଳେ ପଡ଼ିଛି ।

 

ଭଜହରି, ସତ୍ୟବତୀ ଆଉ ଯାମିନୀବାବୁଙ୍କ କତିରୁ ବିଦାୟ ନେଇ ଗାଁ’ରେ ଆସି ପହଞ୍ଚି, ଘର ଯାଏ ଚାଲି ଚାଲି ଯିବା ପର୍ଯ୍ୟନ୍ତ ବାଟ ଯାକ କେବଳ ତାଙ୍କ ମନ ଭିତରେ ଗୋଟାଏ କଥାର ଆନ୍ଦୋଳନ ଚାଲିଛି, ଇମିତିଆ ଆନ୍ଦୋଳନ ତ ତାଙ୍କ ମନ ମଧ୍ୟରେ ଆଜି ନୂଆ ପ୍ରବେଶ କରି ନାହିଁ ! ଯେଉଁ ଦିନଠୁଁ ସେ ସତ୍ୟବତୀଙ୍କ ମୁହଁରୁ ଶୁଣିଲେ–‘ସତେ ! ଗାଁ ଲୋକେ ତୁମକୁ ସାହାଯ୍ୟ କରୁଛନ୍ତି-? ଏତ ନୂଆ କଥା ଶୁଣୁଛି ତୁମ ମୁହଁରୁ, ଯା’ ହଉ ତୁମ ଭାଗ୍ୟ । ସତ୍ୟବତୀ ଏ କଥା କାହିଁକି କହିଲେ ? ମୋତେ ଗାଁ ଲୋକେ ସାହାଯ୍ୟ କରିବା ଭିତରେ କ’ଣ ଆଉ କିଛି କଥା ଅଛି କି-? ଗାଁ ଲୋକେ କ’ଣ ସାହାଯ୍ୟ କରୁଛନ୍ତି ସେଇ ଉଦ୍ଦେଶ୍ୟରେ ନା କ’ଣ ? ନା, ସେ କଥା ନୁହେଁ, ଇମିତି କ’ଣ ଗାଁ ଲୋକେ ସାହାଯ୍ୟ କରି ନ ଥାନ୍ତି ? ସବୁଦିନ କ’ଣ ଗାଁ’ରେ ମନ୍ଦଲୋକ କେବଳ ମନ୍ଦଲୋକ ହୋଇ ରହୁଥା’ନ୍ତି ? ତାଙ୍କର କ’ଣ ମତିଗତି ଆଉ ବଦଳେ ନାହିଁ ? ଗାଁରେ ଭଲଲୋକ କ’ଣ ନ ଥିଲେ ? ଏମାନେ ତ ତାଙ୍କର ଅଂଶ ଏମାନେ କ’ଣ ଏତେ ଖରାପ ହୋଇ ପଡ଼ିଛନ୍ତି-? ନ ହେବେ ବା କାହିଁକି ? ମଣିଷ ମନ, ମଣିଷ ପ୍ରକୃତି । ହେଇପାରେ, ତା’ ନ ହେଲେ ମୋତେ ଏତେ ସାହାଯ୍ୟ କରିବାର ଉଦ୍ଦେଶ୍ୟ କ’ଣ ? ମୂଲିଆ ଯେ ସେ ତ ମଧ୍ୟ ପଇସା ମାଗୁନି, ତେବେ ମୂଲିଆର କ’ଣ ସେଇ ଉଦ୍ଦେଶ୍ୟ ?

 

ଇମିତି ଭାବୁ ଭାବୁ ଭଜହରି ଯେତେବେଳେ ଆସି ଘର ଦୁଆର ମୁହଁରେ ହେଲେ, ଦେଖିଲେ–ଭଜହରିର ସ୍ତ୍ରୀ ଘର ମଝିରେ ଗୋଡ଼ ଲମ୍ବେଇ ବସି ପାନ ଭାଙ୍ଗୁଛନ୍ତି । କତିରେ ଗୋଟାଏ ନୂଆ ବାସନା ତେଲର ବୋତଲ ରହିଛି । ଆଉ ଅଳ୍ପ ଦୂରରେ ବସିଛି କାନ୍ଥକୁ ଆଉଜି–ଗୋକୁଳଚନ୍ଦ୍ର ।

 

ଗୋକୁଳ ଭଜହରିକୁ ଦେଖିଲା ମାତ୍ରେ ଟିକିଏ ଥତମତ ହେଇ ପରେ ସାହସ ଧରି ଅଳ୍ପ ହସିଦେଇ କହି ଉଠିଲେ–ହେଇତ ଭିଣେଇ ଆସିଲେଣି ।

 

ଏକଥା ଶୁଣି ଭଜହରିର ସ୍ତ୍ରୀ ଚମକି ଉଠିଲା ପରି ଗୋଡ଼ ଦୋ’ଟି ଗୋଟେଇ ନେଇ କହି ପକେଇଲେ–କାହିଁ ?

 

ଭଜହରି ଗୃହ ପ୍ରବେଶ କରି ସମସ୍ତ ଜିନିଷ ଉପରେ ନଜର ପକେଇ, ବିଶେଷତଃ ବାସନା ତେଲ ବୋତଲଟା ଉପରେ ଆଉ ଗୋକୁଳ ଏବଂ ନିଜ ସ୍ତ୍ରୀର ବସିବା ମଧ୍ୟରେ ବ୍ୟବଧାନ କେତେ, ତା’ପରେ ପାନଭଙ୍ଗା, ତା’ପରେ ସାହି ଖଣ୍ଡକ କିମିତି ନୀରୋଳା ହେଇଛି କାରଣ ଦି’ ପହର ବେଳ, ଯେ ଯା’ର ଟିକିଏ ବିଶ୍ରାମ ନେଇଛନ୍ତି, ଇମିତି କେତେଗୁଡ଼ାକଥା ଲକ୍ଷ୍ୟ କରି, ବାହାରକୁ ବେଶ୍‍ ଆନନ୍ଦରେ ସ୍ତ୍ରୀଠାରୁ ଅଳ୍ପ କିଛି ଦୂରରେ ଥକା ହୋଇ ବସିପଡ଼ିଲେ ।

 

ଗୋକୁଳ ଆଗେ ପଚାରିଲା–ଭାଇ, ଗୋଡ଼ ଧୋଇ ପକାଅ, ଆଛା ହଉ, ଟିକିଏ ଝାଳ ମରିଯାଉ, ଆଉ ସବୁ ଭଲତ ? ଖରାଟାରେ କିମିତି ଆସିଲ ? ଟିକିଏ ବାଟରେ କୋଉଠି ବିଶ୍ରାମ ନେଲ ନାହିଁ, ଛାଇ ନେଉଟି ଥିଲେ ଆସିଥା’ନ୍ତ ।

 

ଭଜହରିର ସ୍ତ୍ରୀକୁ ଉଦ୍ଦେଶ୍ୟ କରି ଗୋକୁଳ ପୁଣି ଆରମ୍ଭ କଲା–ପାଣି ଢାଳେ ଆଣି ଦିଅ, ପଙ୍ଖାଟା ଆଣି ଟିକିଏ ବିଞ୍ଚି ଦଉନା ।

 

ଭଜହରି ଏ କଥା ଶୁଣି ମୁହଁରୁ ଝାଳ ପୋଛୁ ପୋଛୁ କହିଲେ ଥାଉ, ଥାଉ, ବିଞ୍ଚିବା ଦରକାର ନାହିଁ । ଭଜହରି ନିଜେ ଚାଦର ଖଣ୍ଡକ ଘୂରେଇ ବିଞ୍ଚି ହବାକୁ ଲାଗିଲେ । ଗୋକୁଳ ଏତିକିବେଳେ ଭଜହରି ଏବଂ ତାଙ୍କ ସ୍ତ୍ରୀକୁ ଉଦ୍ଦେଶ୍ୟ କରି କହିଲା ତୁମେ ବସ, ମୁଁ ଯାଉଛି, ଭିଣେଇ ଆସିଲେଣି, ତାଙ୍କ କଥା ସବୁ ବୁଝ । ଗୋକୁଳ ଉଠି ଚାଲିଗଲା । ଗୋକୁଳ ଗଲା ପରେ ଭଜହରି କାନ୍ଥକୁ ଆଉଜି ଯାହା ବସିଥିଲେ, ତଳେ ଲମ୍ବାହୋଇ ଗଲେ । ଦିହ ମୁଣ୍ଡ ପୋଛି ହଉ ହଉ ସ୍ତ୍ରୀକୁ କହିଲେ–ଶୁଣୁଛ ।

 

ଭଜହରିର ସ୍ତ୍ରୀ ଟିକିଏ ଶଙ୍କିତ ସ୍ୱରରେ–କଣ ?

 

ଭଜହରି–ମୁଁ ଯା’ ଭାବିଥିଲି....

 

ଭଜହରିର କଥା ଶେଷ ନ ହେଉଣୁ ସ୍ତ୍ରୀ ଉତ୍ତର ଦେଲେ କଣ ଭାବିଥିଲ ?

 

ଭଜହରି କଡ଼ ଓଲଟେଇ ସ୍ତ୍ରୀ ଆଡ଼କୁ ଟିକିଏ ବଡ଼ ବଡ଼ ଆଖିରେ ଅନେଇ କହିଲେ–କ’ଣ ଭାବିଥିଲି ? ସେ ଗୋକୁଳ ଏଠି କାହିଁକି ବସିଥିଲା ? ଏ ଉଦୁଉଦିଆ ଦି’ପହରେ ଏଇ ମଉଜ ଚାଲିଥିଲା ?

 

ସ୍ତ୍ରୀ ଆଉ ଟିକିଏ ଜୋର ଗଳାରେ–ମଉଜ କଣ ? ଭଜହରି ପୁଣି କହିଲେ–ମଉଜ ଆଉ କାହାକୁ କହନ୍ତି ? ସାହି, ଘର ଚାରିଆଡ଼, ନିଶୂନ, ଏତେବେଳେ ସେ ଟୋକା କାହିଁକି ତମ କତିରେ ବସିଥିଲା ? ଏ ବାସନାତେଲ ବୋତଲ କିଏ ଦେଇଛି ? ସ୍ତ୍ରୀ ଉତ୍ତର ଦେଲେ–ଦବ କିଏ ? ମୁଁ କିଣିଛି ।

 

ଭଜହରି ପ୍ରଶ୍ନ କଲେ–ତୁମେ କିଣିଛ ? ଟଙ୍କା କୋଉଠୁ ପାଇଲ ?

 

ସ୍ତ୍ରୀ କହିଲେ–ମୁଁ ଟଙ୍କା ଦେଇ ନାହିଁ, ସେମିତି ରଖିଛି । କହିଛି ତମେ ଆସିଲେ ଟଙ୍କା ଦେବି ।

 

ଭଜହରି–ସତେ ! ମୁଁ ଟଙ୍କା ଦେବି, ତୁମେ ବାସନାତେଲ ଲଗେଇ ଏ ଟୋକାଙ୍କୁ ନେଇ ମଉଜ କରିବ ।

 

ଭଜହରିର ସ୍ତ୍ରୀ ଉତ୍ତର ଦେଲେ–କୋଉ ଟୋକାକୁ ନେଇ ମୁଁ ମଉଜ କଲି ? ମଣିଷଟା ଆସିଲାଯେ, ଭଲ କଥା ନାହିଁ, ଆଗେ ଲଗେଇଲା–ମୁଁ ଟୋକାଙ୍କୁ ନେଇ ମଉଜ କଲି ।

 

ଭଜହରି–ଟୋକାଙ୍କୁ ନେଇ ମଉଜ କରୁନା ? ମୁଁ ପଚାରେ, ସେ ଗୋକୁଳ ଆସି କାହିଁକି ତମ କତିରେ ବସିଥିଲା ?

 

ସ୍ତ୍ରୀ ଉତ୍ତର ଦେଲେ–କଣ, ଗୋକୁଳ କାହିଁକି ଆସି ବସିଥିଲା ସେ ମୋତେ ଧରମ ଭଉଣୀ କରିଛି । ତାଙ୍କ ଘରେ ଆମେ ଭଡ଼ାରେ ଅଛୁଁ, ସେ ଆସିଲାତ କଣ ଦୋଷ ହେଲା ?

 

ଭଜହରି ଏତେବେଳେ ଉଠି ବସି–କ’ଣ ଧରମ ଭଉଣୀ କରିଛି ? ବଡ଼ ବଡ଼ ହାକିମ ହୁକୁମା ଲୋକତ ‘ଧରମ ଝିଅ’ କରି କଣ କରି ଚାଲି-ଯାଉଛନ୍ତି । ଆଉ ଗୋକୁଳ ୟାକୁ ଧରମ ଭଉଣୀ କରିଛି ଯେ–ଏଇଥିରେ ଏ ସତୀ, ଆଉ କିଛି ଦୋଷ ନାହିଁ । ମୁଁ ଆଜି, ଟିକିଏ ଦମ ନେଇସାରେ । ଦେଖୁଛି, ଧରମ ଭାଇ, ଧରମ ଭାଉଣୀ ହବା ଛଡ଼ାଉଛି । ଏଇଥିଲାଗି ଗୋକୁଳ ମୋତେ ‘ଭିଣେଇ’ ‘ଭିଣେଇ’ କହୁଛି । ମୁଁ ଭାବି ଠିକ୍‌କରି ପାରୁନି ଯେ–ଏ ମୋତେ ‘ଭିଣେଇ’ କଣ କହୁଛି ?

 

ଭଜହରିର ସ୍ତ୍ରୀ ପୁଣି ଉତ୍ତର ଦେଲେ–ସେଇ ଧରମ ଭାଇ ନ ଥିଲେତ କୁଆଡ଼େ ହାଡ଼ିଘରେ ପଶି ସାରନ୍ତଣି । ହାତରେ ଗୋଟାଏ ପଇସା ନାହିଁ । ଏତେଦିନ ଯେ ଛାଡ଼ିଦେଇ ଗଲ, ମୁଁ ଚଳେ କିମିତି ? ପିଲାଟିଏ ସେ, ପାକୁ ପାକୁ ହଉଛି ଖାଇବାକୁ । ସେଇ ଗୋକୁଳ ମୋର ଇଜ୍ଜତ ରଖିଛି । ଭାଉଜ ଜିମା ଯେ ଛାଡ଼ି ଯାଇଥିଲ, ସେ କ’ଣ କଲେ ? ସେ ଖାଲି ହସୁଛି ଭଗାରୀଙ୍କ ପରି ଘରତୋଳା ଦେଖି । ଆଉ ଖାଲି ଦେଖେଇ ଦେଖେଇ କହୁଛି ‘ଲାଗିଲାରେ ଲାବଣ୍ୟନିଧିକି ଶ୍ୟାମ ନଟ’ ।

 

ଭଜହରି–ଭାଉଜ କାହିଁକି ଏ କଥା କହୁଛି ? ତମ ଗୁଣ ଦେଖି ।

 

ସ୍ତ୍ରୀ–ମୋ ଗୁଣ ଦେଖି ନା ଘରତୋଳା ଦେଖି । ଭଜହରିର ଏତିକିବେଳେ ପୁଣି ଗୋଟାଏ କଥା ମନରେ ପଶିଲା–ଭାଉଜ ଯଦି ଘରତୋଳା ଦେଖି ଏ କଥା କହୁଥିବ, ତା’ହେଲେ ସତ୍ୟବତୀଙ୍କ କଥା କଣ ଠିକ୍‌ ? ଏଇ ଲୋକମାନେ ଇମିତି ସାହାଯ୍ୟ କରିବା ଦେଖି ବୋଧେ ଭାଉଜ ଅନ୍ୟ କଥା ଭାବି କହୁଛି ।

 

ଛାଇ ନେଉଟିଲା । ଭଜହରି ପଦାକୁ ବାହାରି ନିଜର ପୁରାତନ ଭିଟା ଉପରେ ନିଜର ନୂତନ ଘରତୋଳା ହେଉଥିବାର ଦେଖି ଯେତିକି ଆନନ୍ଦ ଅନୁଭବ କରିଥାନ୍ତେ କିନ୍ତୁ ଗୋଟାଏ କଥା ଯୋଗୁଁ ସେତେ ଆନନ୍ଦିତ ହୋଇପାରିଲେ ନାହିଁ ।

 

ରାତି ହେଲା, ଚାରିଆଡ଼େ ଅନ୍ଧାର । ସାହି ଖଣ୍ଡକରେ ଯେ ଯା’ଘରେ ପଶିଲେ । କା’ଘରେ ରୋଷେଇ ହେଲାତ, କା’ଘରେ ରୋଷେଇ ବନ୍ଦ, କା’ ଘରେ ଖିଆ ପିଆତ, କା’ ଘରେ ଉପାସ । କା’ ଘରେ ସୁଖାଳାପ ତ, କା’ ଘରେ କଳହ । କା’ ଘରେ ଭଲକଥାର ଚର୍ଚ୍ଚାତ, କା ଘରେ ପରନିନ୍ଦା, ପର ଚର୍ଚ୍ଚା । କିନ୍ତୁ ଭଜହରିଙ୍କ ଘରୁ ଶୁଣାଗଲା ବିଧା, ଚାପୁଡ଼ା, ଗୋଇଠାର ଶବ୍ଦ ଆଉ ତା’ ସଙ୍ଗେ ସଙ୍ଗେ ପୁରୁଷ କଣ୍ଠର ଧମକ ନାରୀ କଣ୍ଠର ବାହାନା, ପିଲା କଣ୍ଠର କାନ୍ଦଣା ତ ପୁଣି ସଙ୍ଗେ ସଙ୍ଗେ ନବଜାତ ଶିଶୁକଣ୍ଠର ‘କୁଆଁ’ ‘କୁଆଁ’ ଶବ୍ଦ ।

 

ଏ କଣ ! ସାହିର କେତେକ ଲୋକ ଭଜହରି ଘରୁ ବିଧା ଚାପୁଡ଼ାର ଶବ୍ଦ ଶୁଣି ବୁଝି ପାରୁଥିଲେ–ଭଜହରି ତା’ର ସ୍ତ୍ରୀକୁ ମାରୁଛି, ପୁରୁଷ କଣ୍ଠର ଧମକ–ଭଜହରି ତା’ର ସ୍ତ୍ରୀକୁ ଧମକାଉଛି । ନାରୀ କଣ୍ଠର ବାହୁନା–ଭଜହରିର ସ୍ତ୍ରୀ କାନ୍ଦୁଛି । ପିଲାକଣ୍ଠର କାନ୍ଦଣା–ଭଜହରିର ପୁଅ ତା’ର ମା’ ମାଡ଼ ଖାଇବା ଦେଖି କାନ୍ଦୁଛି । କିନ୍ତୁ ନବଜାତ ଶିଶୁକଣ୍ଠର ‘କୁଆଁ’ ‘କୁଆଁ’ ଶବ୍ଦ କଣ ? ଭଜହରିର ସ୍ତ୍ରୀରତ ପିଲାପିଲି ହବାର ଥିଲା, ସେ କଣ ବର୍ତ୍ତମାନ ହେଲା ! ବର୍ତ୍ତମାନର ଭଜହରି କଣ ତା’ର ସ୍ତ୍ରୀକୁ ମାରୁଥିଲା, କଣ କିଛିତ ବୁଝା ଯାଉନି ! ! !

 

ବୁଝିବା ଲାଗି କେତେକ ମରଦ ମାଇପେ ଭଜହରି ଘରକୁ ଦୌଡ଼ିଲେ । ଅଳ୍ପ ସମୟ ପରେ ବେତାର ବାର୍ତ୍ତାପରି ସାହି ଖଣ୍ଡକରେ ରାଷ୍ଟ୍ର ହେଇଗଲା, ଭଜହରିର ଗୋଟିଏ ପୁତ୍ର ଲାଭ ହେଇଛି, । କିନ୍ତୁ ୟାଠୁଁ ବଡ଼ ଏବଂ ପରିହାସର ଖବର ହେଲା–ସ୍ତ୍ରୀର ଗର୍ଭ ବେଦନାକୁ ଫିଷାଦ ମନେକରି, ନ ବୁଝି, ଭଜହରି ଏଣେ ସ୍ତ୍ରୀକୁ ବାଡ଼େଇବାରେ ଲାଗିଛି ।

 

ଭଜହରିରର ନିନ୍ଦାର ଆଉ ବାକି ରହିଲା ନାହିଁ । କେତେ ଲୋକ ମନେ ମନେ ଦାନ୍ତ କାମୁଡ଼ି ରହିଗଲେ–କି ସ୍ତ୍ରୀକୁ ସେ କଣ କରୁଛି ! ! ! ଆମେ ହେଇଥିଲେ ସେ ସ୍ତ୍ରୀକୁ ଖାଲି କାଚ ଆଲମାରିରେ ରଖି ଦେଖୁଥାନ୍ତୁ ।

 

-୫-

 

ସନ୍ଧ୍ୟା ପରେ ଅଗଣା ଭିତରେ ଆଲୁଅ ଜଳୁଛି । ସତ୍ୟବତୀ ଗୋଡ଼ ଲମ୍ବେଇ ଅଗଣାରେ ବସିଛନ୍ତି; ନାତି, ନାତୁଣୀ ସତ୍ୟବତୀଙ୍କ ଚାରିଆଡ଼େ ଦୌଡ଼ା ଦୌଡ଼ିକରି ଗୋଳମାଳ କରୁଛନ୍ତି । ବଧୂ ସୁରମା ରୋଷେଇ ଘରେ ରୋଷେଇର ଆୟୋଜନ କରୁଛନ୍ତି । ଏତିକିବେଳେ ହଠାତ୍‌ ପିଲାମାନଙ୍କୁ ବାଧାଦେଇ ସତ୍ୟବତୀ କହିଲେ–ରୁହ, ଏ ପିଲାଏ ଟିକିଏ କିଛି ଶୁଣିବାକୁ ଦେଲେ ନାହିଁ, କିଏ ଡାକୁଛି ପରା ! ପିଲାଏ ଗୋଳମାଳ ବନ୍ଦ କଲେ । ସତ୍ୟବତୀ କାନ ଡେରି ଶୁଣିଲ–ପ୍ରକୃତରେ କିଏ ଦାଣ୍ଡ ଦୁଆରେ ଡାକୁଛି, ଉଠିଯାଇ ଦାଣ୍ଡ କବାଟ ଖୋଲି ଦେଖନ୍ତିତ–ଭଜହରି ।

 

ସତ୍ୟବତୀ ଆନନ୍ଦରେ କହିଲେ–କିଏ ଭଜ, ଆସ । ସବୁ ଭଲତ ? ସତ୍ୟବତୀ ଭଜହରିକୁ ଦେଖି ପ୍ରଶ୍ନ କରୁ କରୁ ଅଗଣା ଭିତରକୁ ପ୍ରବେଶ କଲେ, ଭଜହରି ମଧ୍ୟ ଆସିଲେ । ସତ୍ୟବତୀ କହିଲେ–ବସ, କ’ଣ ସବୁ ଗାଁର ହାଲଚାଲ ? ଆଗ ତମର ଖବର କଣ କୁହ ।

 

ଭଜହରି କାନ୍ଥକୁ ଆଉଜି ବାରନ୍ଦାରେ ବସି ପଡ଼ି କହିଲେ–ଖବର ହଉଛି, ମୋର ଆଜିକି ଚାରିଦିନହେଲା ପୁଅଟିଏ ହେଇଛି । ଭଜହରି କଥା କହୁ କହୁ ଜାମା ଓହ୍ଲେଇବାରେ ଲାଗିପଡ଼ିଲେ ।

 

ଭଜହରିର ପୁଅ ହବାର କଥା ଶୁଣି ସତ୍ୟବତୀ ଅତିଶୟ ପୁଲକିତା ହୋଇ କହିଉଠିଲେ–ପୁଅଟିଏ ହେଇଛି, ହେ ଭଗବାନ ! ତୁମେ ଭରସା କିମିତି ସେ ଜୀଇଁଜାଇ ରାଇଜ କରୁ ଦୁନିଆରେ ରହୁ ଗରିବର ସଙ୍ଖାଳି ! ଆହା ! ଭଜ, ତମ ବାପ ମା ଥିଲେ ଆଜି କି ଆନନ୍ଦ ଲାଗିଥାନ୍ତା ! ସ୍ତ୍ରୀ ଭଲ ଅଛିତ ? ପ୍ରସବ ସମୟରେ ବିଶେଷ କଷ୍ଟ ହେଇନାହିଁ ତ ?

 

ଭଜହରି ଏ କଥାର ଉତ୍ତର ଦବାକୁ ଯାଇ କହିଲେ–ନା । ସତ୍ୟବତୀ ପୁଣି କହିଲେ–ଯା’ ହଉ ଭଲରେ ଭଲରେ ପିଲାଟି ହେଇଯାଇଛି । ଅରକ୍ଷିତକୁ ଦୈବ ସାହା । କାହିଁକି କିଛି ହବାକୁ ଯିବ-? ତୁମେ କଣ କା’ର ଭଲରେ ନା ମନ୍ଦରେ ଥାଅ ଯେ, ତୁମର କାହିଁକି କଣ ହବାକୁ ଯିବ ?

 

ଭଜହରି ଆରମ୍ଭ କଲେ–ନୂଆବୋଉ, ପିଲାଟିତ ହେଲା, କିନ୍ତୁ କରେ କଣ ? ମୁଁ ଗତବାରେ ବିଭାଘରୁ ଯା’ ପାଇଥିଲି ସବୁ ସ୍ତ୍ରୀ କତିରେ ଥୋଇ ଦେଇ ପଳେଇ ଆସିଛି । ଯାମିନୀକୁ କହି ଯାଇଥିଲି ଚାକିରି ଲାଗି । ଚାକିରି ନ କଲେ ମୋର ଆଉ ଉପାୟ ନାହିଁ । ସ୍ତ୍ରୀ କତିରେ ଯା ଦେଇ ଆସିଛି, ସେ କେଇଟା ଦିନର ଖୋରାକ ମାତ୍ର । ସେ ସରିଗଲେ କଣ କରିବି ?

 

ସତ୍ୟବତୀ ଭଜହରିକୁ ଆଶ୍ୱାସନା ଦେଇ କହିଲେ–ଚିନ୍ତା କରନା । ଯେ ପାଟି ଚିରିଛି, ସେଇ ଦାନା ଦବ । ଯାମିନୀ ତ ତମରି ସକାଶେ ଘୂରୁଛି ଚାକିରି ଯୋଗାଡ଼ରେ । ତେବେ ଆଜିତ କହିଯାଇଛି, ଚାକିରି ଖଣ୍ଡେ କାଲି ଭିତରେ ଯୁଟିଯିବ ବୋଲି । କହୁଥିଲା, ଚାକିରି ହବାର ସଠିକ୍‌ ଜାଣିପାରିଲେ ସେ ତମ କତିକି ଚିଠି ଲେଖିଦବ । ତମେତ ଆସିଲଣି, ଚାକିରି ଯେମିତି ହେଲେ ସେ ଯୋଗାଡ଼ କରିଦେବ । ସେଇ ଆଜି ଦିନ ଦି’ଟା ବେଳୁ କୁଆଡ଼େ ତମରି ସକାଶେ ଯାଇଛି । ଗଲାବେଳେ ମୋତେ ଏଇ କଥା କହି ଯାଇଛି । ଦେଖାଯାଉ ଫେରିଲେ ଜଣା ପଡ଼ିବ ।

 

ଭଜହରି ଏକଥା ଶୁଣି ଖୁସିହେଇ କହିଲେ–ଯାମିନୀ କହୁଥିଲା ନା ? କାଲି ଭିତରେ ଚାକିରି ଖଣ୍ଡେ ଯୁଟିଯିବ, ପ୍ରଭୁ ତା’ର ମଙ୍ଗଳ କରନ୍ତୁ । ଓଃ, ମୋ ଲାଗି ସେ କେତେ ଘୂରୁଛି । ବୁଝିଲ ନୂଆବୋଉ, ପିଲାଖଣ୍ଡେ ଏକା ଯାମିନୀ । କାଲି ଭିତରେ ଚାକିରି ଯୁଟି ଯିବ ନା ? ମୁଁ କଣ ଇମିତିଆ ଲୋକକୁ ଧରିଛି ? ଚାକିରି ଖଣ୍ଡେ ପୁଣି ନ ମିଳିବ ମୋତେ ?

 

ଭଜହରିର କଥା ଶେଷ ନ ହେଉଣୁ ସତ୍ୟବତୀ କହିଲେ କିଏ ଡାକୁଛି କି ?

 

ଭଜହରି କଥା ବନ୍ଦକରି କାନ ଡେରି କହିଲେ–ହଁ, ଯାମିନୀ ଡାକୁଛି ।

 

ସତ୍ୟବତୀ ନିଜେ ଉଠି ଯାଉଥିଲେ କବାଟ ଖୋଲିବାପାଇଁ, ଭଜହରି କହିଲେ–ନା, ତୁମେ ବସ, ମୁଁ ଯାଉଛି ।

 

ଭଜହରି ଉଠିଯାଇ କବାଟ ଖୋଲିଦେଲା ପରେ ଯାମିନୀ ବାବୁ ଭଜହରିକୁ ଦେଖି କହିଉଠିଲେ–କି ତମେ କେତେବେଳେ ଆସିଲ ? କଣ ସବୁ ଭଲ ?

 

–ହଁ, ମୁଁ ଏଇନା ଆସି ପହଞ୍ଚିଲି ।

 

–ଆସ, ଆସ ।

 

ଯାମିନୀବାବୁ ଆସି ଜାମାଯୋତା ଖୋଲୁ ଖୋଲୁ ସତ୍ୟବତୀ କହି ପକେଇଲେ–ଆରେ ଶୁଣିଛୁ, ଭଜର ଗୋଟିଏ ପୁଅ ହେଇଛି, ୟାକୁ ନେଇ ଯୋଡ଼ିଏ ପୁଅ ହେଲା ।

 

ଯାମିନୀବାବୁ ଏ ଶୁଭ ସମ୍ବାଦରେ କିଛି ଉତ୍ତର ନ ଦେଇ ନୀରବ ରହିଲେ । ସତ୍ୟବତୀ ପୁଅର ଏ ନୀରବତା’ର ଅର୍ଥ କିଛି ବୁଝି ପାରିଲେ ନାହିଁ । ପୁଣି ପ୍ରଶ୍ନ କଲେ–ଭଜର ଚାକିରି ବିଷୟରେ କଣ ବୁଝିଲୁ ? କାଲି ଯିବତ ଚାକିରି କରିବାକୁ ? ସେ ମଧ୍ୟ ଆସି ଠିକ୍‌ ସମୟରେ ପହଞ୍ଚିଯାଇଛି ଯୋଗକୁ ।

 

ଯାମିନୀବାବୁ ମା’ଙ୍କର ଅଳ୍ପ ଦୂରରେ ଆସି ବସିପଡ଼ି ଆରମ୍ଭ କଲେ–ଚାକିରି କଥା ମା’ କାହିଁକି କହୁଛୁ ? ଆମ ଜାତିର ବଡ଼ ବଡ଼ ଲୋକଗୁଡ଼ାକ ଯଦି ଇମିତି ନୀଚ ପ୍ରକୃତିର ହେବେ, ତା’ ହେଲେ ଏ ଦେଶର ଅବସ୍ଥା ହବ କଣ ? ଯୋଉଗୁଡ଼ାକୁ ଆମେ ମଣିଷ ବୋଲି ଭାବୁ, ଯା’ଙ୍କଠୁ ଆମେମାନେ ପାଞ୍ଚକଥା ଶିଖିବାର ଆଶାକରୁ, ଯା’ଙ୍କ ମୁଣ୍ଡରେ କିଛି ବୁଦ୍ଧି ବୃତ୍ତି ଅଛି ବୋଲି ଆମେ ବିଶ୍ୱାସ କରୁଁ, ସେଗୁଡ଼ାକ ଏଡ଼େ ନୀଚ ଧରଣର ! ଏଣେ ସଭା ସମିତି ହେଲେ, ସଭାପତି ହଉଛନ୍ତି-। ବେକରେ ଫୁଲମାଳ ଦିଆହଉଛି । ବଡ଼ବଡ଼ କଥା କହି ବକ୍ତୃତା ଝାଡ଼ୁଛନ୍ତି । ସେତେବେଳେ ମନେ ହବ, ସତେ କି ଇମିତି ଆଦର୍ଶ ଲୋକଟାଏ ଇମିତିଆ ଲୋକ ସବୁ ମଲେ ପୁଣି ତା’ଙ୍କ ଶବକୁ ଶୋଭାଯାତ୍ରା କରି ନିଆ ହବ । ଶବ ଉପରେ ଫୁଲ ଅଜଡ଼ା ହବ, ପୁଣି ପ୍ରତିବର୍ଷ ଶ୍ରାଦ୍ଧୋତ୍ସବ ହେବ-। ଛି, ଛି, ଛି, ଏଗୁଡ଼ାକ ଏତେ ନୀଚଲୋକ !!!

 

ସତ୍ୟବତୀ, ଭଜହରି ଯାମିନୀବାବୁଙ୍କ ମୁହଁକୁ ହାଁ କରି ଚାହିଁଥାନ୍ତି । ଯାମିନୀବାବୁଙ୍କ ମୁହଁଙ୍କୁ ଖିଆଲ ନାହିଁ ଯେ ସେ ଯା’ କହି ଯାଉଛନ୍ତି ତାଙ୍କର ମା’ ଏବଂ ଭଜହରି ତାକୁ ସଂପୂର୍ଣ୍ଣ ବୁଝି ପାରୁଛନ୍ତି କି ନା । କିନ୍ତୁ ଭଜହରି ଲାଗି ଖଣ୍ଡେ ସାମାନ୍ୟ ଚାକିରିର ଯୋଗାଡ଼ରେ ଯାଇ ଜାଗା ଜାଗା ଯେପରି ଉପେକ୍ଷିତ ଏବଂ ଲାଞ୍ଚିତ ହୋଇ ତାଙ୍କୁ ଫେରିବାକୁ ହେଇଛି, ସେହି ଅନ୍ତର୍ନିହିତ ପୁଞ୍ଜୀଭୂତ ବେଦନାର କିୟଦଂଶ ଉଦ୍‌ଗାର କରିସାରି ପୁନରାୟ ଉଦ୍‌ଗାର କରିବାକୁ ଯାଇ ଆରମ୍ଭ କଲେ–ସେମାନଙ୍କୁ ଭଗବାନ କୋଉ କଥାରେ ଊଣା କରିଛନ୍ତି ? ଉଦାରତା ଟିକିଏ ନାହିଁ, ଖାଲି ଛୋଟ କଥା ନେଇ ଭିଡ଼ା ଓଟରା, ପେଞ୍ଚ, ପରଶ୍ରୀକାତରତା । ଯେ ଟିକିଏ ମୁଣ୍ଡ କାଢ଼ିଲା ତାକୁ ଦବେଇବାକୁ ଚାହିଁଲେ । ନିରପେକ୍ଷତା ଟିକିଏ ନାହିଁ । ଏ ଜାତିର ଉନ୍ନତି ହବ କିମିତି ? ଯେତ ଯୋଗା ଲୋକ, ତାକୁତ ଏ ସାମାନ୍ୟ ସାମାନ୍ୟ କଥା ନେଇ ତା’ ସାଥିରେ ବାଦ ସାଧିଲେ, ତା’ର ପ୍ରତିଭାର ବିକାଶ ହବ କାହୁଁ ? ଦେଶରେ ଉପଯୁକ୍ତ ଲୋକତ ମୁଣ୍ଡ ଟେକି ପାରିଲେ ନାହିଁ । ଯେତେ ଜୁଆଚୋର, ସୁବିଧାବାଦୀ, ଚିକ୍‌କଣ କୁହା, ଧପ୍‌ପାବାଜ ସବୁ ମୁଣ୍ଡ କାଢ଼ି ଦଶ ଜାଗାରେ ଦଶଟା ଅନୁଷ୍ଠାନର ଉଦ୍‌ଘାଟନ କରାହଉଛି, ଦଶଟା ନୂଆ କାମରେ ଶୁଭ ଦିଆହଉଛି । ଆଉ ଏଣେ ଭିତରେ ଦେଖିବ ପୂରା ପେଞ୍ଚପାଞ୍ଚ ଭର୍ତ୍ତି । ନିଜ ସ୍ୱାର୍ଥ ଉପରକୁ ଟିକିଏ ଆଞ୍ଚ ଆସିଲେ ମଲେ । କିରେ, ଚପରାସିଟାଏତ ସେ ହବାକୁ ଚାହୁଁଛି । ତମ କାମତ ଖୋଜୁ ନାହିଁ । ଏଥିରେ ପୁଣି ଏତେ ପେଞ୍ଚ !!! ଯଦି ଇମିତିଆ ଲୋକଗୁଡ଼ାଙ୍କ ଶବରେ ହୀରାକୁଦ ବନ୍ଧ ତିଆରି ହୋଇଥାନ୍ତା ତା’ହେଲେ ଏ ଦେଶର ଭବିଷ୍ୟତ ଭଲ, ନଚେତ୍‌ ବନ୍ୟା ବିପତ୍ତି କମିଗଲେ କଣ ହବ ମା’ ? ଦେଶରେ ଯେ ଏଣେ ଏ ପଙ୍ଗପାଳଙ୍କ ବଂଶ ବୃଦ୍ଧିହବାରେ ଲାଗିଥିବ ।

 

ସତ୍ୟବତୀ, ଭଜହରି ଉଭୟେ ଯାମିନୀବାବୁଙ୍କ ଏ ଢଙ୍ଗର କଥା ଶୁଣି ବୁଝିପାରିଲେ–ଚାକିରି ହେଇ ନାହିଁ । ତେବେ ସୁଦ୍ଧା ସତ୍ୟବତୀ ଟିକିଏ ଶଙ୍କିତକଣ୍ଠରେ ପଚାରିଲେ–ଚାକିରି କଣ ହେଲା ନାହିଁ ?

 

ଯାମିନୀବାବୁ ମା’ଙ୍କର ପ୍ରଶ୍ନ ଶୁଣି ପୁଣି ଆରମ୍ଭ କଲେ–ମା’ ଚାକିରି କଥା କାହିଁକି ପଚାରୁଛ ? ସାମାନ୍ୟ ସାମାନ୍ୟ କଥା ଯୋଗୁଁ ଚପରାସି ଚାକିରି ଖଣ୍ଡେ ହେଇ ପାରୁ ନାହିଁ । ମା’ ଏ ଦେଶରେ ଗୋପବନ୍ଧୁଙ୍କ ପରି ଲୋକତ ଜନ୍ମିଥିଲେ । ଏ କୁଳାଙ୍ଗାର ଏଠି ଜନ୍ମହେଲେ କିମିତି ?

 

ସତ୍ୟବତୀ ଏତେବେଳେ ଯାମିନୀବାବୁଙ୍କ କଥାରେ ସହାୟତା ଦେଖେଇ କହିଲେ–ପୁଅ, ଏଇ ମାଟିରୁତ ପାଚିଲା କଦଳୀ, ଆମ୍ୱ, ପଣସ ଫଳୁଛି, ପୁଣି ନିମକୋଳି, ତେନ୍ତୁଳି ତ ଫଳୁଛି-। ସେ ତାଙ୍କର ଦୋଷ ନୁହେଁରେ, ଭଜର କପାଳର ଦୋଷ । ଚେଷ୍ଟାକର; ଆମରତ ଚାକିରି ଦରକାର, ବିରକ୍ତ ହେଲେ କଣ ହବ ? ରାଗିଲେ କଣ ହବ ? ଯଦି ପରପାଇଁ ଖୋଷାମୋଦ କରିବାକୁ ହୁଏ, ପରର ଗୋଡ଼ ଧରିବାକୁ ହୁଏ, ସେଥିରେ ଆମର ଲାଜ କଣ ? ଲୋକର ଉପକାର ଯଦି ହେଇପାରିଲା ସେଇ ଆମର ଯଥେଷ୍ଟ । ଚାକିରି ମିଳିବ, ତୁ ଲାଗି ପଡ଼ । ଭଜ ଆମର ଏଇଠି ଥାଉ । ଆସିଛି ଯେତେବେଳେ ଆଉ ଫେରିଯିବ କାହିଁକି ?

 

ଯାମିନୀବାବୁ କହିଲେ–ନା, ଫେରିଯିବେ କାହିଁକି ? ଥାନ୍ତୁ ଚାକିରି କ’ଣ ମିଳିବ ନାହିଁ ? କେବଳ ଅପେକ୍ଷା କରିବାକୁ ହେବ ।

 

ଭଜହରି ଏ ସବୁ କଥା ଶୁଣି ମେଞ୍ଚାଏ କାଦୁଅ ପରି କାନ୍ଥକୁ ଲାଗି ବସିଥିଲେ, ଏତେବେଳେ ଟିକିଏ ଉଠି ବସି ଗୋଟାଏ ଦୀର୍ଘ ନିଶ୍ୱାସ ପକେଇ କହିଲେ–କଣ କରିବ ନୂଆବୋହୂ-? ମୁଁ ଭାବିଥିଲି ଚାକିରି ଖଣ୍ଡେ ଯୋଗାଡ଼ ହେଇ ଯାଇଥିବ ।

 

ସତ୍ୟବତୀ ଭଜହରିକୁ ସାନ୍ତ୍ୱନା ଦେଇ କହିଲେ–ଦେଖ ଭଜ, ବ୍ୟସ୍ତ ହୁଅନା, ଚାକିରି ଯୁଟିଯିବ । ଡେରି ହେଉଛି, ଏଇ ଯା ଅସୁବିଧା, କି ଚାକିରି ସବୁ ଯାଇଛି ! ସେତେବେଳେ ତ ଦେଖାକଲ ନାହିଁ । ତମ ଭାଗ୍ୟ ! ଯା’କପାଳରେ ଯା’ଅଛି ବ୍ୟସ୍ତ ହୁଏନା, ତମେ ରୁହ, ଚାକିରି ମିଳିବ ।

 

-୬-

 

ଯାମିନୀବାବୁ ଭଜହରିର ଚାକିରି ଯୋଗାଡ଼ରେ ବାହାରି ଦିନେ ଗୋଟିଏ ଛାପାଖାନା ଭିତରେ ପ୍ରବେଶ କରି ଛାପାଖାନାର ମାଲିକଙ୍କ ସହିତରେ ଦେଖା କରିବାକୁ ଇଚ୍ଛା ପ୍ରକାଶ କରନ୍ତେ, ପ୍ରେସ୍‌ର ଦରୁଆନ୍‌ କହିଲା–

 

ମାଲିକଙ୍କ ସହିତରେ ଦେଖା କରିବାକୁ ହେଲେ, ଆଗରୁ ଖଣ୍ଡେ ଛାପାଫର୍ମ ପୁରଣ କରିବାକୁ ହବ । ସେ ମାଲିକଙ୍କ ନିକଟକୁ ଯିବ, ସେଥିରେ ଯଦି ମାଲିକ ଅନୁମତି ଦିଅନ୍ତି ଦେଖା କରିବାକୁ, ତା’ହେଲେ ଆପଣ ଦେଖା କରି ପାରିବେ ।

 

ଦରୁଆନ୍‌ ପୁଣି କହିଲା–ମାଲିକଙ୍କ ସାଥିରେ ଦେଖା କରିବାକୁ ହେଲେ, ଆଗେ ବଡ଼ବାବୁଙ୍କ ସାଥିରେ ଦେଖା କରିବାକୁ ହବ ମାଲିକଙ୍କ ସାଥିରେ କେହି ଆଗେ ଦେଖା କରିବାର ନିୟମ ନାହିଁ । ଆଉ ମାଲିକଙ୍କ ସାଥିରେ ଦେଖା କରିବା ଯା’ ବଡ଼ବାବୁଙ୍କ ସାଥିରେ ଦେଖା କରିବା ଏକା କଥା, ବଡ଼ବାବୁ ଯା’ କହିବେ । ମାଲିକ ସେଥିରେ ରାଜି ।

 

ଦରୁଆନ୍‌ କହିବା ମତେ ପ୍ରେସ୍‌ର ଆଇନ ଅନୁଯାୟୀ ଯାମିନୀବାବୁ ବଡ଼ବାବୁଙ୍କ ସାଥିରେ ଦେଖା କରିବାକୁ ପ୍ରେସ୍‌ର ଖଣ୍ଡିଏ ଛପା ଫର୍ମ ପୂରଣ କରିବାପାଇଁ ପ୍ରେସ୍‌ ଭିତରକୁ ଆଉ ପାଦେ ଆଗେଇ ଛପା ଫର୍ମଟି ପୂରଣ କରି ଗୋଟିଏ ଚପରାସି ହାତରେ ପଠେଇ ଅନୁମତି ଅପେକ୍ଷାରେ ବସିଲେ ।

 

ଅନୁମତି ଆସିଲା, ଯାମିନୀବାବୁ ପ୍ରେସ୍‌ ଭିତରକୁ ଯାଇ ବଡ଼ବାବୁଙ୍କ ଅଫିସ ଦୁଆରର ପରଦା ଆଡ଼େଇ ଭିତରେ ପ୍ରବେଶ କରି ଦେଖନ୍ତି–ବଡ଼ବାବୁ ଯେ, ସେ ହେଉଛନ୍ତି, ତାଙ୍କର ଡାକ୍ତରୀ ପଢ଼ିବା ଆଗରୁ କଲେଜରେ ପଢ଼ିବା ବେଳର ଜଣେ ସାଥି ପରିଚିତ ବନ୍ଧୁ–ବିନୟ ।

 

ଅଫିସ ଘର ଭିତରେ ବଡ଼ବାବୁ ଆଉ ଦର୍ଶନପ୍ରାର୍ଥୀ ଉଭୟଙ୍କର ଚାରିଆଖି ହେବା ମାତ୍ରେ ଆରମ୍ଭ ହୋଇଗଲା–କିଏ ଯାମିନୀ ଯେ, ବହୁତ ଦିନରେ ଦେଖା । କିଏ ବିନୟ, ତୁମେ ଏଠି ବଡ଼ବାବୁ ହେଇଛ, ବାଃ ! ବିନୟବାବୁ କହିଲେ ବସ, ବସ, କୁଆଡ଼େ ଆସିଲ, କେତେଦିନ ପରେ ଦେଖା ହେଲା, କଣ ସବୁ ହାଲଚାଲ ?

 

ଯାମିନୀବାବୁ ଉତ୍ତର ଦେଲେ–ହାଲଚାଲ ଯା’ ହଉ, ତୁମକୁ ଯେତେବେଳେ ପାଇଲିଣି, ଆଉ ମୋର ଭାବନା କରିବା ଦରକାର ନାହିଁ । ଯା’ ପାଇଁ ଆସିଛି, ଏଇଠି ନିଶ୍ଚୟ ମିଳିଯିବ ।

 

ଯାମିନୀବାବୁ ବନ୍ଧୁ ବିନୟକୁ ପାଇ ଭଜହରିର ଏତେ ଦିନେ କପାଳ ଫେରିଲା ବୋଲି ମନେ ମନେ ଆଶ୍ୱସ୍ତ ହୋଇ ପଚାରିଲେ–ବିନୟ ! ତୁମର ହାଲଚାଲ କଣ ଆଗେ କୁହ, ମୁଁ ତ ପ୍ରଥମେ ବଡ଼ବାବୁଙ୍କ ସାଥିରେ ଦେଖା କରିବି ବୋଲି ଟିକିଏ ନରଭସ୍‌ ହୋଇ ପଡ଼ିଥିଲି,–କିମିତି ଲୋକ ହୋଇଥିବେ ! ଦେଖା କରିବାକୁ ଅନୁମତି ଦେବେ କି ନା ? ଏଇ ସବୁ ଭାବନାରେ ପଡ଼ିଯାଇଥିଲି, ଯା’ ହଉ ତୁମର ସବୁ ଘଟଣା କଣ କୁହ, ମନେ ପଡ଼ୁଛି, ପଢ଼ିଲା ବେଳର କଥା, ତୁମର ମୁଣ୍ଡର ବାଳ କଣ ସବୁ ପାଚିଗଲାଣି ! କଲେଜରେ ପଢ଼ିଲା ବେଳେତ ଦେଖିଥିଲି ଅଳ୍ପ ଅଳ୍ପ ପାଚିଥିଲା, ବର୍ତ୍ତମାନ ତ କଣ ବେଶ ବୁଢ଼ାଙ୍କ ପରି ହେଇଗଲଣି ।

 

ବିନୟବାବୁ ଆରମ୍ଭ କଲେ–ବାଳ ପାଚିବା କଥା କାହିଁକି ପଚାରୁଛ ? ମୋର ତ ଇମିତି ବାତୁଆ ମୁଣ୍ଡ ପିଲାଦିନୁ, ତା’ପରେ ଏ ଚାକିରିରେ ପୁଣି ମୁଣ୍ଡ ଗରମ ହେଇ ହେଇ ଆହୁରି ବାଳଗୁରା ପାଚିଗଲା । ଭାଇ ସମୟଟା କଣ ହେଲା କହିଲ ! ଆଉ ଏ ଦୁନିଆରେ ଚଳିହବନି, ତୁମେ ଜାଣ କି ନା ? କହି ପାରୁନି । ବଙ୍ଗାଳୀ, ଓଡ଼ିଆ ଏ ସବୁ ଭେଦଭାବ ଦେଖ ସ୍କୁଲ, କଲେଜ, ଅଫିସ, କଚେରୀ, କଳକାରଖାନା ସବୁଠି ଭିଡ଼ି ରହିଛି । ତା’ପରେ ପୁଣି ଆଜିକାଲି ବାହାରିଛି–ଯୁଦ୍ଧଫେରନ୍ତାଙ୍କୁ ଆଗେ ଚାକିରି ଦିଅ ତା’ପରେ ଆଉ ଯା’ଙ୍କ କଥା ବୁଝାଯିବ । ଇମିତିକି ବର୍ତ୍ତମାନ ଆମେମାନେ କୁଲି ଗୋଟାଏ ଆପଏଣ୍ଟ କରି ପାରୁନାହୁଁ । କି ଯୁଦ୍ଧ କଲେ ଏ ! ଆଗେ ଯୁଦ୍ଧଫେରନ୍ତାଙ୍କୁ ଚାକିରି ଦିଅ । ଏଇ ସବୁ କଥା ଭାବି ଭାବି ମୁଣ୍ଡ ଖରାପ ହେଇଗଲାଣି । ଗରିବ ଲୋକଗୁଡ଼ାକ କରିବେ କ’ଣ ? କୁଲିରେ ବି ପଶି ପାରୁ ନାହାନ୍ତି । ଆଉ ଚାକିରି ପାଇବେ ଏ ଯେତେ ଲାଙ୍ଗୁଡ଼ଛିଣ୍ଡା ଚାରିଦଉଡ଼ିକଟା, ହୃଦଙ୍ଗା ମାଖୁନା ଦଳ ! କହିଲ ଯାମିନୀ, ଏ ଟାଉନ୍‌ଟାରେ କେତେ ସେଲୁନ୍‌ ଖୋଲିଗଲା । କା’ଲାଗି ? ଏ ମାଖୁନାଙ୍କର ମୁହଁରେ ଆଜିକାଲି ଦାଢ଼ି ଉଠିଛି ବୋଲି । ଖାଲି ଦେଖିବ ଦାଢ଼ି ଚଞ୍ଛା ହେଉଛି, ଆଉ ମୁଣ୍ଡର ପଛ ବାଳତକ ଚଁଛା ହଉଛି । ଖାକୀ ପୋଷାକ, ଆଉ ମୁହଁରେ ଭଙ୍ଗା ଭଙ୍ଗା ଇଂରେଜୀ କଥା, ଆଉ ସିଗାରେଟ୍‌ ଧୂଆଁ ଯାମିନୀ, କି ସିଗାରେଟ୍‌ ଖାଇଗଲେ ସେମାନେ ! ହଁ, ହାତରେ ପୁଣି ଗୋଟାଏ ଲେଖା ରିଷ୍ଟଓ୍ୟାଚ୍‌, କେହି ବାଁ ହାତରେ ବାନ୍ଧୁଛିତ କେହି ଡାଁ’ଣ ହାତରେ ବାନ୍ଧୁଛି ! କଣ କହିବି ଯାମିନୀ, ତୁମେ ଯୋଉଠି ଯା’ କରୁଥିଲ କରୁଥିଲ, ଆଜିକାଲି ସୁଦ୍ଧା ଗାଁରେ ଆସି ଖାଲି ଅଣ୍ଡର ଓୟାର ଖଣ୍ଡେ ଖଣ୍ଡେ ପିନ୍ଧିଦେଇ ଖାଲି ଦେହରେ, ହାତରେ ରିଷ୍ଟ ଓ୍ୟାଚ୍‌ ବାନ୍ଧି, ସିଗାରେଟ୍‌ ଖାଇ ଗାଁ ଦାଣ୍ଡରେ ବୁଲା ହଉଛି । ଆଜି କାଲିତ ଚାକିରି ଗଲାଣି ବୁଝିଲ ଯାମିନୀ, ଆଉ ସିଗାରଟ୍‌ ମିଳୁ ନାହିଁ, ଏବେ ‘ବିଡ଼ି’ ଧଇଲେଣି । ଭାତ ନ ଖାଇ ଦିନ ଭିତରେ ଅଠରଥର ‘ଚା’ ପିଆ ହଉଛି । ଏଣେ କୁଲି କାମରେ ବି ପଶିବାକୁ ରାଜି ହେଲେଣି । ଏ ତଳତଳିଆ ଯୁଦ୍ଧଫେରନ୍ତାଙ୍କ ନାଁ ଶୁଣିଲେ ମୋର ଦିହ ଜଳିଯାଏ । ଯୁଦ୍ଧବେଳେ ଯେତେବେଳେ ବିଡ଼ା ବିଡ଼ା ନୋଟ ପାଉଥିଲେ, କି ଗଉଁ ! କି ବାଁ ପୁଅ କଥା ! କି ତୋଫାନିଆ ଚାଲି ! ଆଜି ଏଇମାନଙ୍କ ଯୋଗୁଁ ଗୋଟାଏ କୁଲି ଆମେ ରଖିପାରୁନୁ ।

 

ଯାମିନୀବାବୁ ବନ୍ଧୁ ବିନୟଙ୍କର ଏପରି ଭୂମିକାରେ ଭଜହରିର କପାଳ କଥା ଭାବୁ ଭାବୁ ପୁଣି ବିନୟବାବୁ କଥାର ଗତି ବଦଳେଇ ପଚାରିଲେ–କେତେ କଥା ଏଣୁତେଣୁ କହିଗଲି, ହଁ, ତୁମେ କୁଆଡ଼େ ଆସିଲ କହିଲ ନାହିଁ ?

 

ଯାମିନୀବାବୁ ଅଳ୍ପ ନିସ୍ତେଜ ଭାବରେ କହିବାକୁ ଆରମ୍ଭକଲେ–କଣ ଆଉ କହିବି, ତୁମେ ଯେତେବେଳେ କହୁଛ, କୁଲି ଗୋଟାଏ ରଖିବାର ତମର କ୍ଷମତା ନାହିଁ, ଯୁଦ୍ଧଫେରନ୍ତା ନ ହେଲେ, ଆଉ କଣ କହିବି ?

 

ବିନୟବାବୁ ଟିକିଏ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନକଲେ–କ’ଣ ତମର ଦରକାର କହିଲ ?

 

ଯାମିନୀବାବୁ ଏତେବେଳେ ଆରମ୍ଭ କଲେ–ମୋର ଗୋଟିଏ ଲୋକ ଅଛି, ସେ ଆମର ଗାଁର ଲୋକ, ନିହାତି ଗରିବ, ନିହାତି ଅସହାୟ । ପିଲା ଦୋ’ଟି ତା’ର, ଖାଇବାକୁ କିଛି ନାହିଁ, ସେ ଆସି ମୋ ନିକଟରେ ପହଞ୍ଚିଛି–ଖଣ୍ଡେ ଚାକିରି ଲାଗି, କଣ କରିବି ଅନେକ ଜାଗାରେ ତା’ ଲାଗି ଚେଷ୍ଟା କରି କରି ଥକିଲିଣି । ଆଜି ମଧ୍ୟ ବାହାରିଥିଲି ତା’ରି ଲାଗି, ଖଣ୍ଡେ ଚାକିରି ଯୋଗାଡ଼ରେ । ରାସ୍ତାରେ ଯାଉଁ ଯାଉଁ ଭାବିଲି–ଏ ପ୍ରେସ୍‌ରେ ଯାଇଁ ବୁଝେ, ଯଦି କିଛି ଚାକିରି ଥାଇପାରେ । ଇମିତି ଉଦ୍ଦେଶ୍ୟରେ ଆସି ତମ କତିରେ ପହଞ୍ଚିଲି । ତେବେ ତୁମକୁ ଯେତେବେଳେ ଦେଖିଲି, ମୋର ପୂର୍ଣ୍ଣ ଆଶା ଥିଲା, କିନ୍ତୁ ତୁମଠୁଁ ଯେମିତି ଶୁଣୁଛି....

 

ବିନୟବାବୁ ଟିକିଏ କଣ ଭାବି ନେଇ ପଚାରିଲେ–ସେ ଲେଖାପଢ଼ି କରିପାରେ ? କିଛି ପଢ଼ାପଢ଼ି କରିଛି ?

 

ଯାମିନୀବାବୁ ଟିକିଏ ଆଶାନ୍ୱିତ ହୋଇ–ହଁ, କଣ ପଢ଼ାପଢ଼ି କରିଛି । ଭାରି ସତ୍ୟବତୀ ଲୋକ ସେ, ଭଲ କାମିକା ଲୋକ ।

 

ବିନୟବାବୁ ଏତେବେଳେ କହି ଉଠିଲେ–ନା ଯାମିନୀ, ସେ କାମିକା ଲୋକ ହେଇପାରେ, ସତ୍ୟବତୀ ନୁହେଁ । ସତ୍ୟବତୀ ହୋଇଥିଲେ ଦୁଃଖୀ ହୁଅନ୍ତା କାହିଁକି ?

 

ଯାମିନୀବାବୁ କହିଲେ–ମୁଁ ଯେତିକି ଦେଖିଛି, ସେଇୟା କହୁଛି । ତା’ ପେଟ ଭିତରେ ଯଦି କିଛି ଥାଏ, ସେ କଥା କିମିତି କହିବି ?

 

ବିନୟବାବୁ କହିଲେ–ସେ ସତ୍ୟବତୀ କଦାପି ନୁହେଁ, ସତ୍ୟବତୀ ହୋଇଥିଲେ, ତା’ର ଏ ଅବସ୍ଥା କେଭେ ହୁଅନ୍ତା ନାହିଁ ।

 

ଯାମିନୀବାବୁ ବିନୟବାବୁଙ୍କ କଥାରେ ପ୍ରତିବାଦ କରିବାକୁ ଯାଇ ଉତ୍ତର ଦେଲେ–ତା’ ହେଲେ ତୁମେ କଣ କହୁଛ, ଆଜିକାଲି ଆମେ ଯା’କୁ ଦେଖୁଛୁ–ଖୁବ୍‌ ସୁଖରେ ଭାସୁଛନ୍ତି, ସେମାନେ କ’ଣ ସବୁ ସତ୍ୟବତୀ ଲୋକ ?

 

ବିନୟବାବୁ କହିଲେ–ହେଇ ପାରିଥାନ୍ତି, ଏ ଜନ୍ମରେ ନ ହେଲେ ପୂର୍ବଜନ୍ମରେ ଥିଲେ ବୋଧହୁଏ । ବର୍ତ୍ତମାନ ତା’ରି ଫଳ ଭୋଗ କରୁଛନ୍ତି ।

 

ଯାମିନୀବାବୁ ଏତେବେଳେ ଦମ୍ଭର ସହିତ ଉତ୍ତର ଦେଲେ–କେଭେ ନୁହେଁ, କେଭେ ନୁହେଁ, ଏ ଜନ୍ମରେ ତ ନୁହେଁ, ପୂର୍ବଜନ୍ମରେ ମଧ୍ୟ ନ ଥିଲେ । ଏମିତି କୋଟିକରେ ଗୋଟିଏ ଲୋକ ଥାଇ ପାରନ୍ତି, ନଚେତ୍‌ ସବୁ ଚୋର, ସବୁ ଚୋର ।

 

ବିନୟବାବୁ ପ୍ରଶ୍ନ କଲେ–ଯାମିନୀ, ତୁମେ ଧର୍ମ ପୁସ୍ତକ କିଛି ପଢ଼ାପଢ଼ି କରିଛ ?

 

ଯାମିନୀବାବୁ ହସି ହସି କହିଲେ–ଧର୍ମ ପୁସ୍ତକ ! ସେ ଦିଗକୁ ମନ ଯାଇ ନାହିଁ । ମଝିରେ କେତେ ଦିନ ମନ ଟିକିଏ ହେଇଥିଲା, ‘ଗୀତା’ ପଢ଼ିବାପାଇଁ, କାରଣ ଗୀତାରେ ଭଗବାନଙ୍କର ମୁଖନିଃସୃତ କଥାଗୁଡ଼ାଏ ଅଛି । ଭାବିଲି–ଭଗବାନଙ୍କର ଉକ୍ତି ଯେଉଁ ବହିରେ ଅଛି, ସେ ବହି କାହିଁ ନ ପଢ଼ିବି ? ଆଉ ଗୀତାଟି ମଧ୍ୟ ଛୋଟ ଧର୍ମ । ମୋର ବଡ଼ ଧର୍ମ ଗ୍ରନ୍ଥ ପଢ଼ିବାର ତ ଧୈର୍ଯ୍ୟ ରହିବ ନାହିଁ, କାରଣ ଧର୍ମ ସମ୍ୱନ୍ଧୀୟ ବହି ପଢ଼ିବାକୁ ଇମିତି ତ ଭଲ ଲାଗୁ ନାହିଁ, ସେଇଥି ଯୋଗୁଁ ଗୀତା ପଢ଼ିବାକୁ ଆରମ୍ଭ କଲି । କିନ୍ତୁ ମୁଁ ଯେଉଁ ଗୀତା ବହି ଖଣ୍ଡି କିଣିଲି, ପ୍ରଥମେ ତା’ର ‘ଭୂମିକା’ ପଢ଼ି ଦେଖିଲି ଯେ ସେଥିରେ ଲେଖା ଅଛି–‘ମହାଭାରତ’ରେ ଯେ ସବୁ ଘଟଣାର ଉଲ୍ଲେଖ ଅଛି, ସେ ସବୁ ଘଟଣା ଘଟି ନାହିଁ, ସେ କେବଳ ବ୍ୟାସଦେବଙ୍କ କଳ୍ପନାପ୍ରସୂତ ଘଟଣାବଳୀ; ଗୀତାରେ ଯେପରି ଲେଖାଅଛି–ଅର୍ଜୁନ ପଚାରୁଛନ୍ତି, ଆଉ ଭଗବାନ ଶ୍ରୀକୃଷ୍ଣ ବୁଝାଉଛନ୍ତି, ସେ ମଧ୍ୟ ନୁହେଁ । ସେ ସବୁ ବ୍ୟାସଦେବଙ୍କର କଳ୍ପନା । ଆହୁରି ଲେଖା ଅଛି–ବ୍ୟାସଦେବ ଯେତେବେଳେ ମହାଭାରତ ଲେଖିବାକୁ ଆରମ୍ଭ କଲେ, ଗଣେଶଙ୍କୁ ଡାକି ନେଇଥିଲେ, ମହାଭାରତ ଲେଖିବାପାଇଁ, କିନ୍ତୁ ଗଣେଶଙ୍କ ହାତ ଲେଖା ସେ ପୋଥି ଏ ପର୍ଯ୍ୟନ୍ତ କେହି ଦେଖି ନାହିଁ, ବା କେଉଁଠି ମିଳେନା । ଆମେମାନେ ଯେଉଁ ଗୀତା ପୁସ୍ତକ ଦେଖୁଁ, ସେଥିରେ ଯେତେ ଶ୍ଳୋକ ଅଛି, ସେ ସବୁ ଲୋକେ ଶୁଣି ଶୁଣି କେବଳ ଲେଖିଛନ୍ତି, ସେଥିରେ ପୁଣି ଅନେକ ନିଜ ତିଆରି ଶ୍ଳୋକ ମଧ୍ୟ ପୂରେଇ ଦେଇଛନ୍ତି । ଇମିତି ଅନେକ ଗୀତା ପୁସ୍ତକ ମଧ୍ୟ ଦେଖିବାକୁ ମିଳେ । ଏଥିରେ ଗୀତା ପଢ଼ିବାରୁ ମୋର ମନ କାହିଁକି ଛାଡ଼ିଗଲା । ଗୀତା ପାଠରୁ ମନ ଛାଡ଼ିଯିବାର ଦ୍ୱିତୀୟ କାରଣ ହେଉଛି–ମୁଁ ଗୀତାପାଠ ଆରମ୍ଭ କରିବାର ଅଳ୍ପ ଦିନ ପରେ ଘରେ ଲାଗିଲା–ଭୀଷଣ କଳହ, ଭୀଷଣ ଅଶାନ୍ତି ସୃଷ୍ଟି ହେଲା, ସ୍ତ୍ରୀ ଆଉ ପୁଅ ଭୀଷଣ ରୋଗରେ ପଡ଼ିଲେ । ଭାବିଲି,–ଏ କେବଳ ଗୀତା ପାଠର ଫଳ, କାରଣ ଗୀତାରେ ଦେଖିଲି–ଅର୍ଜୁନଙ୍କର ଯୁଦ୍ଧ କରିବାକୁ ଇଚ୍ଛା ନାହିଁ, ତାଙ୍କୁ ଭଗବାନ ପ୍ରବର୍ତ୍ତାଉଛନ୍ତି ଯୁଦ୍ଧ କରିବାକୁ, ଅର୍ଥାତ୍‌ ଅନର୍ଥ ସୃଷ୍ଟି କରିବାକୁ, ଅଶାନ୍ତି ବଢ଼େଇବାକୁ । ଆଉ ଗୀତା’ର ଜନ୍ମ ଯୁଦ୍ଧଭୂଇଁରେ, ଆସନ୍ନ ଯୁଦ୍ଧ ସମୟରେ, ସେପରି ବହି ପଢ଼ିଲେ ଭାବିଲି–ଅନର୍ଥ ହବାର କଥା, ଗୀତାହିଁ ମହାଭାରତ ଯୁଦ୍ଧର ମୂଳ କାରଣ । ନୁହେଁ କି ବିନୟ, ଗୀତା ଯଦି ବ୍ୟାସଦେବଙ୍କ କଳ୍ପନାର ବସ୍ତୁ ନ ହୋଇ ପ୍ରକୃତ ଘଟଣା ହୋଇଥାଏ, ସେଥିରେ ଭଗବାନଙ୍କର ଯେ ସବୁ ଭକ୍ତି ଅଛି, ତାକୁହିଁ ଅର୍ଜୁନ ଶୁଣି ତାଙ୍କର ଯୁଦ୍ଧ କରିବାକୁ, ଜ୍ଞାତି କ୍ଷୟ କରିବାକୁ ମନ ହେଲା । ଏସବୁର କାରଣ କଣ ଗୀତା ନୁହେଁ କି ? ତେବେ ସେପରି ବହି ପଢ଼ିଲେ ଅନର୍ଥ ବା ନ ହେବ କାହିଁକି ? ସେଇଥିଲାଗି ଆଉ ଗୀତା ପଢ଼ିଲି ନାହିଁ ।

 

ବିନୟବାବୁ ବନ୍ଧୁ ଯାମିନୀର ସମସ୍ତ କଥା ଶୁଣିସାରି ପଚାରିଲେ–ଗୀତପାଠ ବନ୍ଦକଲା ପରେ କଣ ତମ ଘରେ କଳହ, ଅଶାନ୍ତି, ସବୁ ଦୁର ହୋଇଗଲା ?

 

ଯାମିନୀବାବୁ କହିଲେ–ହଁ,

 

ବିନୟବାବୁ ପୁଣି ପ୍ରଶ୍ନ କଲେ–ତୁମର ସ୍ତ୍ରୀ ଆଉ ପୁଅ ରୋଗମୁକ୍ତ ହେଇଗଲେ ?

 

ଯାମିନୀବାବୁ କହିଲେ–ହଁ ।

 

ଏତେବେଳେ ବିନୟବାବୁ ଟିକିଏ ଦମ୍ଭର ସହିତ କହିବାକୁ ଲାଗିଲେ–ମୁଁ କହିପାରେ ଯାମିନୀ, ତୁମେ ଗୀତା ପାଠ ବନ୍ଦକଲ ବୋଲି ଯେ ଏସବୁ ଅଶାନ୍ତିରୁ ରକ୍ଷା ପାଇଲ, ତା’ ନୁହେଁ, ଗୀତପାଠ କିଛି କରିଥିଲ ବୋଲି ତୁମ ଘରୁ କଳହ, ଅଶାନ୍ତି, ରୋଗ ଇତ୍ୟାଦି ଏତେ ଶୀଘ୍ର ଦୂର ହୋଇଗଲା । ସ୍ତ୍ରୀ ଏବଂ ପୁଅ ଏତେ ଶୀଘ୍ର ଭଲ ହୋଇଗଲେ, ନଚେତ୍‍ ଆହୁରି କଣ ହୋଇଥାନ୍ତା ।

 

ବିନୟବାବୁ ପୁଣି କହିଲେ–ଗୀତା କାଳ୍ପନିକ ହୋଇପାରେ, କିନ୍ତୁ ତୁମେ ଭଗବାନ ବିଶ୍ୱାସ କର କି ନା ?

 

ଯାମିନୀବାବୁ ଉତ୍ତର ଦେଲେ–ହଁ ବିଶ୍ୱାସ କରେ । ବିନୟବାବୁ କହିଲେ–ତେବେ ଗୀତା କାଳ୍ପନିକ ଘଟଣା ହେଲେ କଣ ହେଲା ? ସେଥିରେ ଭଗବାନଙ୍କର ନାମତ ଅଛି । ଭଗବାନ କୁହ, ଆଲ୍ଲା କୁହ, ଯୀଶୁ କୁହ, କିମ୍ୱା କୌଣସି ମହାଶକ୍ତି ବା ମହାସତ୍ତା କୁହ, ତାଙ୍କର ନାମ ଉଚ୍ଚାରଣ କଲେ ଗୁଣଗାନ କଲେ, ତାଙ୍କୁ ପ୍ରାର୍ଥନା କଲେ ଦୋଷ ଅଛି କି ଯାମିନୀ ? ତୁମେ ଦେଖ, ଗାନ୍ଧି ଯେ ଆଜି ମହାମାନବ ବୋଲି ପରିଚିତ, ସେତ ଗୀତା’ର ଭକ୍ତ, ରବୀନ୍ଦ୍ରନାଥ ଯେ ଏତେ ବଡ଼ ବୋଲି ପରିଚିତ, କା’ ଯୋଗୁଁ ? ତାଙ୍କର ‘ଗୀତାଞ୍ଜଳି’ ପଢ଼ିଛ ?

 

ଯାମିନୀବାବୁ କହିଲେ–ହଁ,

 

ବିନୟବାବୁ କହିଲେ–ସେ କଣ ? କା’ ଉଦ୍ଦେଶ୍ୟରେ ଲେଖା ? ଆହା ! ତୁମେ ସାମାନ୍ୟ ଗୋଟାଏ ଧାରଣାରେ ଗୀତା ପାଠ ବନ୍ଦକରି ଦେଲ, ତୁମେ ପୁଣି ପଢ଼ିବାକୁ ଆରମ୍ଭ କର ।

 

ମୋର ନିଜ କଥା ଶୁଣିବ ? ମୁଁ ଏଇ ଅଫିସରେ ପ୍ରଥମେ କିଛି ଦିନ ପରେ ଏଇଠି ବଡ଼ବାବୁ ହୋଇଥିଲି । ମୋର କେତେକ ତଳିଆ କର୍ମଚାରୀ ମୋ ବିପକ୍ଷରେ କେତେଗୁଡ଼ିଏ ମିଥ୍ୟା ଅଭିଯୋଗ ମୋର ବଡ଼ ହାକିମଙ୍କ ନିକଟରେ କଲେ । ବଡ଼ ହାକିମ କଣ ବୁଝିଲେ, ମୋତେ ପୁଣି ତଳକୁ ଡି. ଗ୍ରେଡ଼୍‌ କରିଦେଲେ । ମୁଁ ତ ତଳକୁ ଗଲି, କିନ୍ତୁ ମୁଁ ବରାବର ଗୀତା ପାଠ କରୁଥାଏ । କିଛି ଦିନ ପରେ ପୁଣି ଜଣେ ହାକିମ ଆସିଲେ, ସେ ମୋର କାର୍ଯ୍ୟକଳାପ ଦେଖି ପୁଣି ମୋତେ ବଡ଼ବାବୁ କରିଦେଇ ଚାଲିଗଲେ । ଯେଉଁ ଲୋକମାନେ ମୋ ନାଁରେ ଅଭିଯୋଗ କରିଥିଲେ, ସେମାନେ ବର୍ତ୍ତମାନ ସେଇଥିରେ ପଡ଼ିଛନ୍ତି, ସେ ମୋର ଏତେ ଅନିଷ୍ଟ କଲାସତ୍ୱେ ମୁଁ ତାଙ୍କ ନାଁ ରେ କିଛି ନ କରି କେବଳ ଗୀତା’ର ଆଶ୍ରୟ ନେଇଥାଏ, ଏବେ ମଧ୍ୟ ମୁଁ ସେମାନଙ୍କର କିଛି ଅନିଷ୍ଟ କରିବାରେ ମନ ବଳାଏ ନାହିଁ ।

 

ବିନୟବାବୁ କଥା ବନ୍ଦକରି ତାଙ୍କର ଟେବୁଲର ଦରାଜ ଖୋଲି ଖଣ୍ଡିଏ ଗୀତା ପୁସ୍ତକ କାଢ଼ିଲେ ଏବଂ କହିଲେ–ଦେଖିବ, ଗୀତା ପାଠ କଲେ କ’ଣ ହୁଏ ?

 

ଏହା କହି ବିନୟବାବୁ ଗୀତାରୁ ‘ଗୀତା ମହାତ୍ମ୍ୟ’ ଅଂଶଟି କାଢ଼ି ଶ୍ଳୋକଗୁଡ଼ିକୁ ତାଙ୍କରି ଅଫିସ ଘର ଭିତରେ ତନ୍ମୟ ହୋଇ ମୁଣ୍ଡହଲେଇ ଏତେ ଉଚ୍ଚସ୍ୱରରେ ଆବୃତ୍ତି କଲେ ଯେ ଯାମିନୀବାବୁଙ୍କ ମନେ ହେଲା–ସତେ କି ସେ କୌଣସି ଦେବ ମନ୍ଦିର ମଧ୍ୟରେ ବସିଛନ୍ତି, ଏବଂ ବନ୍ଧୁ ବିନୟର ଅଫିସ ଘର ମଧ୍ୟରେ ଏପରି ହବା ଦେଖି ସେ ଟିକିଏ ମନେ ମନେ ଆଶ୍ଚର୍ଯ୍ୟାନ୍ୱିତ ଏବଂ ଲଜ୍ଜିତ ହେଲେ ଯେ, ବିନୟ କଣ କରୁଛି ! ଯାମିନୀବାବୁଙ୍କର ଆହୁରି ମନେ ହେଲା–ଯେପରି ଭଗବାନ ନିଜେଇ ବନ୍ଧୁ ବିନୟର ମୁହଁରେ ତାଙ୍କୁ ନିର୍ଦ୍ଦେଶ ଦଉଛନ୍ତି–ଗୀତା ପାଠ କର । ଗୀତାପାଠ ବନ୍ଦ କଲ କାହିଁକି ?

 

ଯାମିନୀବାବୁଙ୍କ ଦିହ ଟାଙ୍କୁରି ଉଠିଲା । ବିନୟବାବୁ ଯେତେବେଳେ କେତେଗୁଡ଼ିଏ ଶ୍ଳୋକ ଆବୃତ୍ତି କରି ସାରିଲା ପରେ ଗୀତା ପୁସ୍ତକ ବନ୍ଦ କରି ମୁଣ୍ଡରେ ଛୁଇଁଲେ, ଯାମିନୀବାବୁ ମଧ୍ୟ କରଯୋଡ଼ି କରି ମୁଣ୍ଡନଇଁ ଭକ୍ତିପୂର୍ଣ୍ଣ ଚିତ୍ତରେ ଭଗବାନଙ୍କୁ ନମସ୍କାର କଲେ ।

 

ବିନୟବାବୁ ଗୀତା ରଖିଦେଇ କହିଲେ–ଯାମିନୀ ଗୀତା ପଢ଼ ଗୀତା ପଢ଼, ନିଷ୍କାମ ଭାବରେ ପଢ଼ିବ ।

 

ଯାମିନୀବାବୁ ମଧ୍ୟ ସମ୍ମତିସୂଚକ କଣ୍ଠରେ କହିଲେ–ହ, ମୁଁ ପୁଣି ଗୀତା ପାଠ ଆରମ୍ଭ କରିବି, କିନ୍ତୁ ସେ ଲୋକଟି ବିଷୟରେ କ’ଣ କରିବି କହିଲ ? ତାକୁ ଚାକିରି ଖଣ୍ଡେ ଦେଇ ପାରିବ ନାହିଁ ?

 

ବିନୟବାବୁ ଅଳ୍ପ ହସି ଆଖିରେ ଭକ୍ତିର ସୂଚନା ଦେଖେଇ କହିଲେ–ମୁଁ କାହାକୁ ଚାକିରି ଦେଇପାରେ ? ମୋର କି କ୍ଷମତା ! ଭଗବାନ ତା’ର ଯଦି ଏଠି ଦାନାପାଣି ଖଞ୍ଜିଥିବେ ତା’ ହେଲେ ସେ ପାଇବ, ମୁଁ କେବଳ ନିମିତ୍ତ ହୋଇପାରେ ।

 

ବିନୟବାବୁ ପୁଣି ଟିକିଏ ଭିନ୍ନ ଭାବରେ କହିଲେ–ଦେଖ ଯାମିନୀ, ବର୍ତ୍ତମାନ ତ କୌଣସି ଭାକାନ୍‌ସି ନାହିଁ । ଯଦି ପରେ କେବେ ହୁଏ, ତା’ ହେଲେ ମୁଁ ତା’କୁ ରଖିନେବି, ତେବେ ମଝିରେ ମଝିରେ ଖବର ନେଉଥିବ ।

 

ଯାମିନୀବାବୁ ବନ୍ଧୁ ବିନୟର କଥାରେ ମନେ ମନେ ବିମର୍ଷ ହୋଇ ବିନୟବାବୁଙ୍କୁ ନମସ୍କାରଟିଏ କରି ଅଫିସର ଘର ଦୁଆର ପରଦାଟି ଆଡ଼େଇ ଯେତେବେଳେ ବାହାରକୁ ଆସିଲେ, ଗୋଟାଏ ଦୀର୍ଘନିଶ୍ୱାସ ପକେଇ ମନେ ମନେ ଅବସାଦ ଅନୁଭବ କରି ଆଉ କେଉଁଠି କି ନ ଯାଇ ଶିଥିଳ ଗତିରେ ଘରକୁ ଫେରିଲେ ।

 

-୭-

 

ଭଜହରି ଗାଁରୁ ଆସି ଯାମିନୀବାବୁଙ୍କ ଘରେ ଚାକିରି ଅପେକ୍ଷାରେ ପାଞ୍ଚଦିନ କଟେଇଲା ପରେ ଦିନେ ନିହାତି ଦୁଃଖରେ ସତ୍ୟବତୀଙ୍କୁ କହିଲେ–ଦେଖ ନୂଆବୋଉ ସ୍ତ୍ରୀ କତିରେ ଯା ଖାଇବାକୁ ଦେଇ ଆସିଥିଲି ସବୁ ସରିବଣି, ମୋତେ କିଛି ଯଦି ଦେଇପାର ତା’ହେଲେ କାଲି ଜଣକର ଗାଁକୁ ଯିବାର ଅଛି, ତା’ରି ହାତରେ ଘାଟ କୂଳରେ ଯାଇ ପହଁଚେଇ ଦେଇ ଆସନ୍ତି । ସେ ନେଇ ଘରେ ଦିଅନ୍ତା । ଆଉ ମୁଁ ଏଠି ଟିକିଏ ସୁସ୍ଥହୋଇ ରହନ୍ତି । ମୋର ମନ ଆଦୌ ଭଲ ଲାଗୁନାହିଁ । ମୁଁ ଖାଉଛି ଏଠି ଅଥଚ, ସ୍ତ୍ରୀ, ପୁଅ ଆଉ ପିଲାବକଟେ ସେମାନେ ଯେ କଣ ଖାଉଛନ୍ତି କିମିତି କଣ କରୁଛନ୍ତି, କିଛି ଭାବି ପାରୁନାହିଁ ।

 

ଭଜହରିର ଏପରି ଅନୁରୋଧରେ ସତ୍ୟବତୀ ତରଳିଯାଇ ମୁକ୍ତହସ୍ତରେ ପ୍ରସୂତିର କ’ଣ ଦରକାର, ନବଜାତ ଶିଶୁର କଣ ଦରକାର, ତିନିବର୍ଷର ପିଲାର କଣ ଦରକାର, ଅର୍ଥାତ୍‌ ଖାଇବା, ଲଗେଇବା, ଏପରି କି ଅଣ୍ଟାରେ ଚେର ମୂଳ ଟିକିଏ ଔଷଧ ରୂପରେ ବାନ୍ଧିବା ପାଇଁ ଅନ୍ତୁଡ଼ି ପିଲାର ଯା’ଦରକାର, ସବୁ ଜିନିଷର ବେଶ ଜଣେ ମୁଣ୍ଡେଇଲା ଓଜନର ଗୋଟିଏ ଗଣ୍ଡିରା ପ୍ରସ୍ତୁତ କରି ତା’ଛଡ଼ା ନଗଦ ଖର୍ଚ୍ଚ କରିବାଲାଗି ଶୁଭ୍ରକାନ୍ତିର କେତୋଟି ମଧ୍ୟ ଭଜହରିର ଜିମା କରିଦେଲେ ।

 

ରାତି ପାହିଲା, ସତ୍ୟବତୀ ଉଠି ଦୁଆର ଘର ଓଳେଇବାରେ ଲାଗିଲାବେଳକୁ, ଭଜହରି ଗତ ରାତ୍ରିରେ ସତ୍ୟବତୀଙ୍କ ସ୍ୱହସ୍ତପ୍ରସ୍ତୁତ ଗଣ୍ଡିରାଟିକି କାନ୍ଧରେ ବସେଇ ଘାଟକୂଳକୁ ବାହାରି ପଡ଼ି କହିଲେ–ନୂଆବୋଉ, ମୁଁ ଏତକ ପହଁଚେଇ ଦେଇ ଆସୁଛି । ଅଭିକା ନ ଗଲେ, ଡେରି ହେଲେ ଲଞ୍ଚ ଛାଡ଼ିଦେବ, ମୁଁ ଏତକ ପହଞ୍ଚେଇ ଦେଇ ଅଭିକା ଫେରିଆସୁଛି ।

 

ଭଜହରି ବାହାରି ଗଲେ । ପ୍ରଭାତର ସୂର୍ଯ୍ୟ ଆସି ମଝି ଆକାଶରେ ହେଲା ବେଳକୁ ଯାମିନୀବାବୁଙ୍କ ଘରେ ବେଶ ଟିକିଏ ଆନ୍ଦୋଳନ ଲାଗିଗଲା–ଭଜହରି କାହିଁ ? କାହିଁକି ଭଜହରି ଫେରି ଆସିଲା ନାହିଁ ? ଭଜହରିତ ଅଭିକା ଫେରି ଆସୁଛି ବୋଲି କହିଗଲା, ନ ଆସିବାର କାରଣ କଣ ?

 

ସତ୍ୟବତୀ ଶେଷରେ କହିଲେ–ସେ ସେମିତିଆ ଲୋକ । ତା’ର ଢଙ୍ଗ ମୁଁ ପିଲାଦିନଠୁଁ ଦେଖିଆସୁଛି । ସେ କଣ କୋଉଠି ଥୟ ହେଇ ରହେ । ଗାଁକୁ ବୋଧହୁଏ ପଳେଇଲା, ଅଭିକା ବେଶ ଦି’ ଦିନ ଗାଁରେ ବସିଯିବ ।

 

ଯାମିନୀବାବୁ କହିଲେ–ଭଜଦାର ଯଦି ଇମିତିଆ ମତଲବ ଥିଲା, ତା’ହେଲେ ମୋତେ ମିଛରେ ଏତେ ଦୌଡ଼େଇଲେ କାହିଁକି ? କେତେ ଲୋକଙ୍କୁ ଖୋଷାମୋଦ କଲି, ତୁମେ ଯଦି ଜାଣ ମା, ତାଙ୍କର ପ୍ରକୃତି ଇମିତି, କୋଉଠି ଥୟ ହେଇ ରହିବେ ନାହିଁ । ତା’ହେଲେ ତୁମେ କିମିତି କହିଲ-? –ଭଜଦା ଲାଗି ଚାକିରି ଯୋଗାଡ଼ କରିବାପାଇଁ ।

 

ସତ୍ୟବତୀ ନିଜ ଲାଗି ଖଣ୍ଡେ ପାନ ଭାଙ୍ଗୁ ଭାଙ୍ଗୁ କହିଲେ–ମୁଁ କିମିତି ଜାଣିବି କହ ? ଲୋକଟା ଚାକିରି ଲାଗି ଆତୁର ହଉଛି ସେତେବେଳେ ଅଳ୍ପ ବୟସର ଥିଲା, ଚଗଲା ବୁଦ୍ଧି ଧରିଥିଲା କେଉଁଠି ଥୟ ହୋଇ ରହୁ ନ ଥିଲା, ଆଜିକାଲି ପିଲାଛୁଆର ବାପ ହେଲା, ଏବକୁ ବୟସ ହେଲା । ଆଉ କଣ ସେହି ବୁଦ୍ଧି ଥାଏ ଭାବିଲି, ଭଜର ବୁଦ୍ଧି ବଦଳିଯାଇଛି, ଚାକିରି ଖୋଜୁଛି ଲୋକ ରହିଯିବ-। ଏବେତ କଣ ସେହି ବୁଦ୍ଧି ଦେଖୁଛି । ମୋତେ କହି ଯାଉଛି–ଅଭିକା ଆସୁଛି ବୋଲି, ଆଉ ଦେଖା ନାହିଁ । ତେବେ ସୁଦ୍ଧା ମୋତେ ଜଣାଯାଉଛି, ସେ ପୁଣି ଆସିବ, ତୁ ଚାକିରିର ଅନୁସନ୍ଧାନ କରୁଥା, ଯଦି ନ ଆସିବ ତ, ନ ଆସିବ, ଚାକିରି ଯୋଗାଡ଼ ହେଲେ କଣ ଚାକିରି କରିବାକୁ ଲୋକ ମିଳୁ ନାହାନ୍ତି ? ତେବେ ଭଜ ଆପଣାର ଲୋକ, ଚାକିରି କରିଥିଲେ, ଆମ କତିରେ ଥାନ୍ତା, ଆମର ବି ଉପକାର ହୁଅନ୍ତା, ତା’ର ମଧ୍ୟ ଉପକାର ହୁଅନ୍ତା, ଏଇଥିଲା କହୁଥିଲା । ତା’ କପାଳ, ହେଇତ ଏ କେତେଦିନ କତିରେ ଥିଲା କୋଉଠି କ’ଣ ହଉଛି, ମୁଁ ଜାଣୁଥିଲି କି ? ସବୁ ସେ ଆବୁରି ନେଉଥିଲା-। ଆଜିତ ପୁଣି ସବୁ ହାତରେ କରିବାକୁ ପଡ଼ୁଛି ।

 

ସତ୍ୟବତୀ ପାନଖଣ୍ଡକ ପାନକୁଟା ଭିତରେ ପୁରେଇ ଗୁଣ୍ଡ କରୁ କରୁ କହିଲେ–ଗାଁକୁ ଚାଲିଲେ ବୋଧହୁଏ । ମନେ ମନେ ବିରକ୍ତ ହେଇ–କାହିଁକି ଏଠି ଏକା ବିଦେଶରେ ପଡ଼ିବ ? ଚାକିରିତ ଯୁଟିବାକୁ ଡେରି ଅଛି । ଗାଁରେ ପାଞ୍ଚକାମ କଲେ, କଣ ତା’ପେଟ ଅପୋଷା ରହିଯିବ ? ତେବେ ଭଲ ଘର ପିଲା, ଆଜି ଗରିବ ହେଇ ଯାଇଛି ସେଇଥିଲାଗି ଭାବିଲା–ଅନ୍ୟ କାମ କରିବା ଅପେକ୍ଷା ଚାକିରି ଖଣ୍ଡେ କଲେ ତା’ ଇଜ୍ଜତ ଭିନେ । ଦୂରକୁ ପାହାଡ଼ ସୁନ୍ଦର, ବିଦେଶରେ କୁଲିକାମ କଲେ, ବୋଝ ମୁଣ୍ଡେଇଲେ, କିଏ ଜାଣୁଛି ? ଆପଣା ଦେଶକୁ ଆସିଲେ କ’ଣ ନା–ବିଦେଶରେ ଚାକିରି କରୁଛି । ଆଉ ତା’ର ମୋ କତିରେ ରହିବାକୁ ଟିକିଏ ବେଶୀ ଆଶା ପିଲାଦିନଠୁଁ, ସେ କଣ, ତା’ର ଆଉ ଭାଇ, ଭଉଣୀମାନେ, ଆଜି ସିନା ମରିଗଲେ, ସମସ୍ତେ ମୋତେ ଭଲପା’ନ୍ତି । ତାଙ୍କର ମୋ କତିରେ ଯେତେ ଜୁଲୁମ ଆଉ କା’କତିରେ ସେତେ ଜୁଲୁମ କରନ୍ତି କି ?

 

ବେଳ ଗଡ଼ିଲା । ସତ୍ୟବତୀ ଦିବା ନିଦ୍ରାରୁ ଉଠି ଘରର କେତେଟା କାମ ସାରି ଗୋଡ଼ ଲମ୍ୱେଇ ସଞ୍ଜବତୀ ବଳୁଥିଲେ ଏବଂ ମନେମନେ ମଧ୍ୟ ଟିକିଏ ବିରକ୍ତ ହଉଥିଲେ–କାହିଁକି ଆଜି କାହାରି ଦେଖାନାହିଁ । କାରଣ, ଏତିକିବେଳକୁ ନିତି ସତ୍ୟବତୀଙ୍କୁ ଘେନି ସାହିର ଆଉ କେତେଜଣ ବୟସ୍କା ଲୋକଙ୍କର ଗୋଟିଏ ଛୋଟ ବ୍ୟବସ୍ଥାପକ ସଭା ବସେ । ସେଥିରେ ଅନେକ ଅନେକ ବୃଦ୍ଧା ଯୋଗ ଦିଅନ୍ତି । ପ୍ରତ୍ୟେକ ଦିନର ସଭ୍ୟ ସଂଖ୍ୟା ଯେ ସମାନ ରହେ, ତା’ ନୁହେଁ, କେବଳ ଜଣେ, ଦୁଇଜଣ ଯୋଗ ଦେଲେଇ ସଭା କାର୍ଯ୍ୟ ଆରମ୍ଭ ହୋଇଯାଏ, ଅର୍ଥାତ୍‌ ନାନା ବିଷୟର ଆଲୋଚନା ଚାଲେ ।

 

କି ଆଜି ଆପେ ଆପେ ସଞ୍ଜ ବଳୁଛ ? –ଧନିମା ଗୃହ ପ୍ରବେଶ ପୂର୍ବକ ପ୍ରଶ୍ନ କଲେ ।

 

ସତ୍ୟବତୀ ଏତେବେଳେ ଯେମିତି ଶ୍ୱାସରୋଧରୁ ରକ୍ଷା ପାଇ କହିଲେ–କ’ଣ କରିବି ? ପରକୁ ଆଶ୍ରା କଲେ କି ଚଳେ ?

 

ଧନିମା କହିଲେ–କାହିଁକି ସେ ଲୋକଟା ଯେ ଥିଲା, କୁଆଡ଼େ ଗଲା କି ?

 

ସତ୍ୟବତୀ ଆଉ ଗୋଟିଏ ସଳିତା ତିଆରି କରୁ କରୁ କହିଲେ–ଗଲେଣି ଲୋ ମା, ଗଲେଣି । ଆଜି ସକାଳୁ, ହୋଇ ଆସୁଛି ବୋଲି କହିତ ଯାଇଛି, ଆଉ ଦେଖା ନାହିଁ ।

 

ଧନିମା ଟିକିଏ ଜାକିଜୁକି ହେଇ ସତ୍ୟବତୀଙ୍କ ଅଳ୍ପ ଦୂରରେ ବସି କହିଲେ–କଣ, ସେ ଲୋକ ଗଲା ବୋଲି କଣ ତୁମେ ହାତରେ ସଞ୍ଜ ବଳିବ ? ବୋହୂ କଣ କରୁଛି କି ?

 

ସତ୍ୟବତୀ ଆଉ ଗୋଟିଏ ସଳିତା ବଳୁ ବଳୁ ଆରମ୍ଭ କଲେ–ବୋହୂର ତର କାହିଁ ? ସେ ତ ରୋଷେଇ ଆଉ ପିଲା ନେଇ ବ୍ୟସ୍ତ । ମୁଁ ତ ବସିଛି, ମୁଁ କଣ କରୁଛି କି ? ସଞ୍ଜ ଦି’ଟା ବଳିଦିଏ, ବୋହୂଟା କେତେ ଏକା ହଇରାଣ ହବ ?

 

ଧନିମା ସତ୍ୟବତୀର ପାନବଟା ଖୋଜୁ ଖୋଜୁ କହିଲେ–ଲୋକଟା ଏକା ଭାରି କାମିକା ଥିଲା, ମାଇପିଙ୍କ ପରି ସଞ୍ଜବତୀ ବଳି ପକାଉଥିଲା, ତୁମ ହାତରୁ କାମ ଛଡ଼େଇ କରି ଯାଉଥିଲା, ଚାକିରି ଖୋଜୁଥିଲା, ଛତରା ୟା କାହିଁକି କଲାମ ? ପଳେଇଲା କାହିଁକି ?

 

ସତ୍ୟବତୀ ଆଉ ଗୋଟିଏ ସଳିତା ବଳିବାକୁ ଆରମ୍ଭ କରି କହିଲେ–ସେ କଣ କରିବ ? ତା’ ମୁଣ୍ଡ ଠିକ୍‌ ନାହିଁ, କେଇଟା ଦିନ ଏଠି ରହିଲା, ସବୁବେଳେ ତା’ ଭାରିଯା କଥା ।

 

ଧନିମା ପାନବଟା ଟାଣି ଆଣି ପାନ ଖଣ୍ଡେ ଭାଙ୍ଗୁ ଭାଙ୍ଗୁ କହିଲେ–କାହିଁକି ? ତା’ ଭାରିଯାଟା କଣ ତା’ ମନ ଲାଖି ହେଇ ନାହିଁ କି ?

 

କି ଆଜି ଦାଣ୍ଡଆଡ଼କୁ ନ ଆସି କଣ ଘର ଭିତରେ ବସିଥିବ ?–ମହନ୍ତିଆଣୀ ପିକା ଖଣ୍ଡେ ଜାକି ପାଦେ ଦି’ପାଦ ହୋଇ ଗୃହ ପ୍ରବେଶ କରି ସତ୍ୟବତୀଙ୍କୁ କହିଲେ ।

 

ସତ୍ୟବତୀ ମହନ୍ତିଆଣୀଙ୍କୁ ଦେଖି ଆଉ ଟିକିଏ ମୁକ୍ତ ବାୟୁ ସେବନ କଲାପରି କହି ଉଠିଲେ–କିଏ ମହନ୍ତିଆଣୀ, ଚାଲ ଯିବା ଦାଣ୍ଡକୁ ଏଥର ମୋ କାମ ସରିଲାଣି, ସଞ୍ଜ ବଳୁଥିଲି ଧନିମା ଆସିଲାରୁ ଏଇଠି ସତ୍ୟବତୀ ସଳିତାସବୁ ଏକାଠି କରି ରଖିଦେଇ ନାତୁଣୀଟି କି କୋଳରେ ନେଇ ଦାଣ୍ଡଆଡ଼କୁ ବାହାରିଗଲେ ।

 

ସତ୍ୟବତୀ, ମହାନ୍ତିଆଣି ଆଉ ଧନିମା ଗୋଟିଏ ବିଷମବାହୁ ତ୍ରିଭୁଜର ତିନିକୋଣ ମାଡ଼ିବସି ଆରମ୍ଭ କଲେ ଆଲୋଚନା–ସେଇ ଭଜହରିର ଆକସ୍ମିକ ପଳାୟନର ବୃତ୍ତାନ୍ତ ।

 

ମହାନ୍ତିଆଣି ଶୁଣିତ ଅବାକ୍‌ ହୋଇଗଲେ–କ’ଣ ! ଲୋକଟା ପଳେଇଲା !!! ଏତେ କଥା କହୁଥିଲା, ଇମିତି କରିବି, ସିମିତି କରିବି, ଚାକିରି କରିବି, ଚକି ପେଷିବି, ବାରବୁଲା ତା’ପେଟରେ ଏତେ କୂଟ ଥିଲା ! କଣ ତା’କୁ ଅସୁବିଧା ହେଲା ଏଠି ? କପାଳରେ ଭଲ ଦଶା ନାହିଁ-

 

ସତ୍ୟବତୀ ଗୋଡ଼ ଲମ୍ୱେଇ, କୋଳରେ ନାତୁଣୀଟିକି ବସେଇ ଆରମ୍ଭ କଲେ–ତା’ଭାରିଯା ଲାଗି ସେ ପଳେଇଲା ।

 

ମହାନ୍ତିଆଣି କହିଲେ–ଭାରିଯା ଲାଗି ଲୋକଟା ପଳେଇଲା ? ମୁଁ କିଛି ବୁଝିପାରୁ ନାହିଁ ଏକଥା । ଲୋକଟା ଭାରିଯା ଲାଗି ପଳେଇବ କାହିଁକି ?

 

ସତ୍ୟବତୀ ଏତେବେଳେ ଟିକିଏ ଗୁପ୍ତକଥା କହିଲା ଭଳି ସତର୍କିତ ଭାବରେ କହିଲ–ତା’ ଭାରିଯାଟାକୁ ଏ ସବୁବେଳେ ସନ୍ଦେହ କରେ, ହବା କଥା, ଭାରିଯା କୁଆଡ଼େ ଭାରି ସୁନ୍ଦର ଦେଖିବାକୁ । ୟାକୁ ମୋଟେ ଖାତିର କରେ ନା, ଏ ସବୁବେଳେ ସେ ଭାରିଜାକୁ ଜଗିଥାଏ; ଏ କେତେ ଦିନ ହେଲା ଯେ ଛାଡ଼ି ଆସିଛି, ୟା ମନ ଥୟ ହେଉଛି କାହୁଁ ? ତା’ ପରେ ପିଲାଟିଏ ହେଇଛି, ଖାଇବାକୁ ଯା’ ଦେଇ ଆସିଥିଲା, ସରିଯାଇଥିବ, କ’ଣ ଭାବି ପଳେଇଲା ।

 

ମହାନ୍ତିଆଣି ପିକା ଖଣ୍ଡ ପାଟିରୁ କାଢ଼ି ହାତରେ ଧରି କହିଲେ–ଆଉ କଣ ସେ ଆସିବ ନାହିଁ ?

 

ସତ୍ୟବତୀ ନିହାତି ତୁଚ୍ଛ ଭାବରେ କହିଲେ–ଆସିଲେ ଆସିବ, ନ ଆସିଲେ ନାହିଁ ।

 

+ + +

 

ଭଜହରି ସତ୍ୟବତୀଙ୍କ ନିକଟରୁ ପଳାୟନ ପରେ ଚାରିଦିନ ସୂର୍ଯ୍ୟ ଉଠିଲେ, ବୁଡ଼ିଲେ, କିନ୍ତୁ ତା’ପରେ ଯେମିତି ଧୈର୍ଯ୍ୟ ରଖି ପାରିଲେ ନାହିଁ । ମେଘର ଉଢ଼ାଳରେ ଲୁଚିଲେ, ଗଗନେ ଅବଘନ, ମେଘ ଦାରୁଣ’–ଘୋଟି ଆସିଲା, ହେଲା ବର୍ଷା, ଯାମିନୀବାବୁ ବଜାରକୁ ବାହାରିଥିଲେ, ଖୋଜିଲେ ଛତା’, ଛତା ଖଣ୍ଡକ ତାଙ୍କର ଯେଉଁଠି ଥାଏ, ସେଠି ଦେଖିଲେ ନାହିଁ । ଛତା କ’ଣ ହେଲା-? ଯାମିନୀବାବୁଙ୍କ ସ୍ତ୍ରୀ ଖୋଜିଲେ, ମା ସତ୍ୟବତୀ ଖୋଜିଲେ; କେହି ପାଇଲେ ନାହିଁ । ଶେଷରେ ସମସ୍ତେ ଆଶ୍ଚର୍ଯ୍ୟ ହେଲେ–ଛତା କୁଆଡ଼େ ଗଲା ! ଘର ଭିତରୁ ଛତା କିଏ ନବ ?

 

ଶେଷରେ ଭାବି ଭାବି ଯାମିନୀବାବୁ କହିଲେ–ମା, ଭଜଦା ନେଇ ଯାଇ ନାହାନ୍ତି ତ ?

 

ସତ୍ୟବତୀ ଏ କଥା ଶୁଣି ବିରକ୍ତ ହୋଇ କହିଲେ–ଆହା, ଲୋକ ଗରିବ ହେଲେ, ତା’କୁ ଯେ ଯା’ କହିପାରେ । କେତେ ବଡ଼ ଘରର ପିଲା ଭଜ, ଆଜି ଗରିବ ହେଇଛି ବୋଲି ତା’କୁ ତୁ ସନ୍ଦେହ କଲୁ । ସେ ସେମିତି ଚୋର ନୁହେଁରେ । ଆହା, କାହାକୁ ତୁ କି କଥା କହିଲୁ ଆଜି !

 

ମା’ ବିରକ୍ତ ହବାର ଦେଖି ଯାମିନୀବାବୁ କହିଲେ–ନା, ମା, ମୁଁ କଣ ଭଜଦାଙ୍କୁ ଚୋର ବୋଲି କହୁଛି ? ହୁଏତ ଇମିତି ନେଇ ଯାଇ ପାରିଥାନ୍ତି । ବର୍ଷା ତ ମଝିରେ ମଝିରେ କେତେବେଳେ କିମିତି ହଉଛି, ତାଙ୍କର ତ ଫେରି ଆସିବାର ଥିଲା, ଦୈବାତ୍‌ କାହିଁକି ଆସି ପାରି ନାହାନ୍ତି । ଏଥିରେ ଛତା ଖଣ୍ଡକ ସେ ନେଇ ଥିବା କହିଲେ କଣ, ଦୋଷର କଥା ହେଲା ?

 

ସତ୍ୟବତୀ କହିଲେ–ଭଜତ ମୋ’ ସାମନାରେ ଗଲା, ମୁଁ ତ କାହିଁ ଦେଖିଲି ନାହିଁ । ଛତା ନବାର । ଛତାତ କିଛି ଗୋଟାଏ ଛୋଟିଆ ପଦାର୍ଥ ନୁହେଁ ଯେ ଅଣ୍ଟାରେ ଖୋସିଦେବ । ନେଇଥିଲେ, ଅବଶ୍ୟ ଆଖିରେ ପଡ଼ିଥାନ୍ତା । କେଜାଣି ବାବୁ, ଆଉ କଣ ଛତାଟା ନେଇଛି ବୋଲି କି ଆଉ ଫେରିଲା ନାହିଁ । ଅଭାବରେ ସ୍ୱଭାବ ନଷ୍ଟ । ହେଇ ପାରିଥାଏ । କଲିକତା ଯେ ମାରି ଆସିଛି, ତା’କୁ କୋଉ ବିଦ୍ୟା ଅମାଲୁମ । ସେଇଥିଲାଗି ବୋଧହୁଏ ଆସିଲା ନାହିଁ । ଛତାଟା ନେଇ ପଳେଇଛି । ହେଇ ପାରେ, ଛତା ଖଣ୍ଡେତ କରିବା ଆଜିକାଲି କମ୍‍ କଥା ନୁହେଁ ! ଆଉ କିଛି ନେଇ ଯାଇ ନାହିଁତ ! ବୋହୂ ଦେଖି ନିଅ, ଆଉ ସବୁ ଜିନିଷ ଠିକ୍‌ ଅଛି କି ନା ? ସେ କଣ ଗୋଟିଏ ଅଧେ ଜିନିଷ ହେଇଛି ? ସବୁ ଦେଖିନବ, ଘର କରି କୋଉ ଜିନିଷ ନାହିଁ ? ଯଦି ଏ ମତଲବରେ ଯାଇଥାଏ, ତା’ହେଲେ ଆଉ ସେ ଆସିବ ନାହିଁ । ଛତାଟା ଅକାରଣେ ଗଲା !

 

ସତ୍ୟବତୀ ଏଥର ଉପାୟ ଖୋଜିଲେ; କିମିତି ଭଜ ଧରା ହବ । ଛତା ଆଦାୟ ହବ । କାହିଁକି ସେ ୟା କଲା ? ସତ୍ୟବତୀ ଏଥର ଠିକ୍‍ ମତେ ବୁଝି ପାରିଲେ–ଛତା ନେଇଥିବା ହେତୁ ଭଜ ପଳେଇଛି । ଆଜିକାଲି ତା’ହେଲେ ଭଜ ଚୋର ହେଇଛି । ଏ ସବୁ କଲିକତାରେ ରହି ତାଲିମ ହେଇଛି । ଆଉ ଆଜିକାଲି ତ ପ୍ରାୟ ଇମିତି ଲୋକଙ୍କ ଘରୁ ଚୋରି ହଉଛି ।

 

ସତ୍ୟବତୀ ଯାମିନୀବାବୁଙ୍କୁ ପଚାରିଲେ–ତା’ହେଲେ ଛତା କିମିତି ମିଳିବ ? ସେ କଣ ଆଉ ଧରା ଦଉଛି ? ବାରବୁଲା ସେ, ସେଇଥିଲାଗି ପଳେଇଛି ।

 

ଯାମିନୀବାବୁ କହିଲେ–ଆଉ କଣ କରିବି ? ଛତା ଖଣ୍ଡିକ ଲାଗି ଭଜଦାଙ୍କୁ ଧର ପକଡ଼ କରିବା କଣ ଭଲ ହବ ? ଗଲା, ଗଲା ।

 

ସତ୍ୟବତୀ ପୁଅର ମନୋଭାବ ଦେଖି କହିଲେ–ନା, ଛତାଟା ଆଦାୟ କରିବା ଦରକାର-। ସେ କାହିଁକି ୟା କଲା । ଛତା ଖଣ୍ଡେ ମାଗିଥିଲେ ତ ମୁଁ ଦେଇ ପାରିଥାନ୍ତି । ସେ ଲୁଚେଇ ନେଲା କାହିଁକି ? ସତ କହୁଛି, ସେ ଗଲାବେଳେ ତ ତା’ହାତରେ ମୁଁ ଛତା ଦେଖି ନାହିଁ ।

 

ସତ୍ୟବତୀ ପୁଣି କହିଲେ–ତୁ ଗୋଟାଏ କାମ କର, ଭଜକୁ ଖଣ୍ଡେ ଚିଠି ଲେଖ, ଯେ–ମୋର ଛତାଟା ମିଳୁ ନାହିଁ, ତୁମେ ଯଦି ନେଇ ଥାଅ....

 

ମା’ଙ୍କର କଥା ଶେଷ ନ ହେଉଣୁ ଯାମିନୀବାବୁ କହିଲେ–ନା, ସେମିତି ଲେଖିଲେ ହବ କି ? ମୁଁ ଭାବୁଛି–ଛତା ଯଦି ସେ ପ୍ରକୃତ ଲୋଭରେ ପଡ଼ି ନେଇଥାନ୍ତି, ତା’ହେଲେ ଇମିତିଆ ଲେଖିଲେ କଣ ସେ ଛତା ଫେରେଇ ଦେବେ ? ତାଙ୍କୁ ଇମିତି ଭାବରେ ଲେଖିବାକୁ ହବ, ଯେମିତି ଆମେ ଜାଣୁ ସେ ଛତା ନେଇଛନ୍ତି । ଆଉ ବର୍ଷା ଯୋଗୁଁ ମୁଁ ଏଠି ଭାରି ହଇରାଣ ହଉଛି, ଆଉ ତାଙ୍କର ଚାକିରି ମଧ୍ୟ ଖଣ୍ଡେ ଯୋଗାଡ଼ ହେଇଛି, ତା’ହେଲେ ସେ ଯଦିଚ ଛତା ଲୋଭରେ ପଡ଼ି ନେଇଥିବେ ଚାକିରି ନାଁ ଶୁଣି ଛତା ନେଇ ସେ ଆସି ପହଁଚିବେ ।

 

ସତ୍ୟବତୀ ଏତେବେଳେ ଟିକିଏ ଆଶାନ୍ୱିତା ହୋଇ ପଚାରିଲେ–ଲେଖ, ତୋତେ ଯେମିତି ବୁଦ୍ଧି ଦିଶୁଛି । ଆହା କି ସୁନ୍ଦର ଛତା ଖଣ୍ଡକ ! ଆଉ ସେ ମିଳିବ ନାହିଁ । ଲେଖ; ଚେଷ୍ଟା କର, ଯଦି ସେ ଲୋଭରେ ପଡ଼ି ନେଇଥାଏ, ଆଉ ଆସୁଛି ?

 

ସତ୍ୟବତୀ ଏତକ କହିସାରି ଟିକିଏ ଥମି ଯାଇ ପୁଣି କହିଲେ–ଆଚ୍ଛା ତୁ ତ ଚାକିରି ଯୋଗାଡ଼ କରିନାହୁଁ, ଲୋକଟାକୁ ମିଛରେ କିମିତି ଗୋଟାଏ ଆଣା ଦେଇ ରଖିବୁ ? ଏ କଣ ଭଲ କଥା ? ମନେ କର ତୋର ଛତା ଖଣ୍ଡକ ଫେରି ପାଇଲୁ, କିନ୍ତୁ ଲୋକଟା ଯେ ଚାକିରି ଆଶାରେ ଚାଲିଆସିବ, ତା’ଲାଗି କଣ କରିବୁ ?

 

ଯାମିନୀବାବୁ ମା’ଙ୍କର କଥାର ଉତ୍ତର ଦବାକୁ ଯାଇ କହିଲେ–ମା, ଭଜଦା ଆସିଲେ, ଯେମିତି ଆମ ଘରେ ଥିଲେ, ସେମିତି ଥିବେ । ମୁଁ ପୁଣି ଚାକିରି ଯୋଗାଡ଼ରେ ଲାଗିବି, ଚାକିରି ଖଣ୍ଡେ ଯୁଟି ଯିବ ନି ? ଭଜଦା ଆସିଲେ କହିବି–ତୁମେ ଏଠି ନ ଥାଇ ଅସୁବିଧା ହେଲା, ଚାକିରିଟା ଅଳ୍ପକରେ ଖସିଗଲା । ତା’ପରେ ଏ ଅଳ୍ପଦିନ ମଧ୍ୟରେ ଚାକିରି ଖଣ୍ଡେ ଯୁଟିଯିବ ଯେ ।

 

ସତ୍ୟବତୀ ପୁଅର ଏ ଚକ୍ରାନ୍ତ ଶୁଣି ବିଷଣ୍ଣା ହୋଇ କହିଲେ–ଇମିତି କରିବାଟା ଆଦୌ ଭଲ ହୁଏ ନାହିଁ । ସେ ଯେମିତି ଚାତକ ପରି ଚାହିଁ ରହିଛି ଚାକିରି କି, ତା ମୁଁ ଆଶା ଦେଇ ଇମିତି ହଟହଟା କରିବା ମୋତେ କିଛି ଭଲ ଲାଗୁ ନାହିଁ । ତା’ପରେ ମନେ କର ଭଜ ଆମ ଘରେ ରହିଲା, କିନ୍ତୁ ସେ ଚାକିରି ଯୁଟିଲା ନାହିଁ, ସେତ ପୁଣି ଆମରି ଉପରେ ବୋଝ । ଗୋଟିଏ ଲୋକକୁ ପୋଷିବା ଆଜିକାଲି ସମୟରେ ହାତୀଟିଏ ପୋଷିବା, ସେତ ଯାଇଛି, ଯାଇଛି । ଛତା ଖଣ୍ଡେ ଗଲା ଗଲା ପଛେ, ପୁଣି ତାକୁ ଡକେଇ ବସେଇ ପୋଷିବା କମ୍‍ ଖର୍ଚ୍ଚର କଥା ! ଇମିତି ଆମର କାମ ହାତେ ହାତେ ଚଳି ଯାଉଛି ।

 

ଯାମିନୀବାବୁ ପୁଣି କହିଲେ–ମା, ତୁମେ ହିଁ କହୁଥିଲ ନା ? ଭଜଦା ଏଠି ଚାକିରି କରିବ, ଆମ ଘରେ ରହିବ, ଆମ ଉପରେ ତା’ର ଖାଇବା ଖର୍ଚ୍ଚ ଉଠିଯିବ, ତା’ର ଯା’ ଦରମା ପାଇବ, ସେ ତା’ର ଭାରିଯା ପିଲା ପୋଷିବ ?

 

ସତ୍ୟବତୀ ଟିକିଏ ଭାବିଲା ପରି କହିଲେ–ହଁ, କହୁଥିଲି, କିନ୍ତୁ ଲୋକଟା ଆସିଥିଲା, ରହିଥାନ୍ତା କି, ଯଦି ଚାଲିଗଲାତ, ଯାଉ, ଆଉ କି ଦରକାର ତାକୁ ପୁଣି ଡକେଇବା ? ମୁଁ ଏଇ କଥା ଭାବି କହିଲି ଦେଖ, ତୋତେ ଯେମିତି ଭଲ ଦେଖାଯାଉଛି । କିନ୍ତୁ ମୋତେ କାହିଁକି ଭଲ ଦିଶୁନି । ତା’ପରେ ଲୋକଟା ଛତା ଖଣ୍ଡ ନେଇ ଗଲାତ ଟିକିଏ ଜଣେଇ କରି ନେଲା ନାହିଁ ? ଯା’ କରିବୁ କର, ତୋ’ ଇଚ୍ଛା କଥା, ସେତେବେଳେ ବିରକ୍ତ ହଉଥିବୁ–ପଇସା ଅଣ୍ଟିଲାନି, ମୁଁ ଆଉ କଣ କରିବି-?

 

-୮-

 

ଭଜହରି କିଏ ? ଭଜହରି କିଏ ? –ଡାକବାଲା କେତେଲୋକଙ୍କୁ ପଚାରି ପଚାରି ଶେଷରେ ଭଜହରି ହାତରେ ଖଣ୍ଡେ ଚିଠି ଦେଇ ଚାଲିଗଲା ।

 

ଭଜହରି ପ୍ରଥମେ ଚିଠି ଖଣ୍ଡ ପାଇ ଆଶ୍ଚର୍ଯ୍ୟ ହୋଇଗଲେ–କିଏ ଆଜି ତାଙ୍କୁ ଚିଠି ଦେଇଛି ? ଚିଠି କୋଉଠୁ ଆସିଲା ? ଚିଠିଖଣ୍ଡ ଥରେ ଦୁଇଥର ଏପାଖ, ସେପାଖ କରି ଦେଖିଲେ–ତଳେ ଲେଖା ହୋଇଛି–ଇତି, ତୁମର ସ୍ନେହର ଯାମିନୀ,

 

ଭଜହରି ଆନନ୍ଦରେ ଚିଠି ପଢ଼ିବାକୁ ଲାଗିଲେ–

 

ଭଜଦା,

 

ତୁମେ ସେଦିନ ଫେରି ଆସିବ ବୋଲି କହିଯାଇଥିଲ, ଆଉ ଫେରିଲା ନାହିଁ, ସେଥିଲାଗି ଆମ୍ଭେମାନେ ସମସ୍ତେ ଚିନ୍ତିତ ଅଛୁ । ଘରର ଖବର ଭଲତ ? ମୋର ଛତାଖଣ୍ଡ ମଧ୍ୟ ତୁମେ ନେଇ ଯିବାଦ୍ୱାରା ମୁଁ ବଡ଼ ହଇରାଣରେ ପଡ଼ିଛି । ଯା’ ହେଉ ତୁମଲାଗି ଚାକିରି ଖଣ୍ଡିଏ ଯୁଟିଛି । ତୁମେ ଏଠି ଥିଲେ ଆଜି ଚାକିରିରେ ରହିଯାନ୍ତ, ତୁମେ ଯେତେ ଶୀଘ୍ରପାର ଚାଲି ଆସ, ନଚେତ୍‌ ଚାକିରିଟା ହାତଛଡ଼ା ହେଇଯିବ । ପିଲାମାନଙ୍କର ଖବର ଲେଖି ସୁଖୀ କରାଇବ । ମା’ଙ୍କର ଆଶୀର୍ବାଦ ଜାଣିବ । ଆମ୍ଭମାନଙ୍କର ପ୍ରଣାମ ଗ୍ରହଣ କରିବ ।

 

ଇତି

ତୁମ୍ଭର ସ୍ନେହର

ଯାମିନୀ

 

ଭଜହରିର ବୟସ କେବଳ ଆଗେଇ ଯାଇଥିଲା ବୋଲି, ନଚେତ୍‌ ଚାକିରିର ସମ୍ୱାଦ ପାଇ ସେ ଯେତେ ଆନନ୍ଦ ଅନୁଭବ କଲେ, ପିଲା ହୋଇଥିଲେ, ଚାରି, ଛ’ଥର ନ କୁଦି ଛାଡ଼ି ନଥାନ୍ତେ । ତାଙ୍କର ଖାଲି ମନେ ପଡ଼ିଲା–‘‘ମାର୍‌ଦିଆ, ମାର୍‌ଦିଆ, ନୌକରି ଏକଠୋ ଯୁଟାଦିଆ’’ । କେବଳ ହିନ୍ଦିରେ କାହିଁକି କେଜାଣି ଏତକ ଭଜହରିର ସେଦିନ ମନୋଦ୍ୟାନରେ ବାରମ୍ୱାର ବିକଶି ଉଠିଲା ।

 

ଭଜହରି ଗ୍ରାମକୁ ଆସି ତାଙ୍କର ମନ ଏକବାରେ ଦବିଯାଇଥିଲା–କାରଣ ସ୍ତ୍ରୀର ପ୍ରସୂତି ଅବସ୍ଥାରେ ମଧ୍ୟ ଶରୀର ଭୟଙ୍କର ଅସୁସ୍ଥ । ବଡ଼ ପୁଅଟି ମ୍ୟାଲେରିଆ ଜ୍ୱରରେ ରକ୍ତହୀନ ହୋଇ ଫୁଲି ଭୀଷଣ ଅବସ୍ଥା । କେବଳ ଅନ୍ତୁଡ଼ି ପିଲାଟିର ଦେହ ଏକ ପ୍ରକାର ଭଲ । ତା’ ପରେ ଆଉ ଏକ ଘଟଣା–ଭଜହରି ଯେତେବେଳେ ଏଥର ଆସି ଘରେ ଗୋଡ଼ ଦିଅନ୍ତି, ଦେଖିଲେ–ଘରର ଦୁଆର ମୁହଁରେ ଗାଁର ଦୁଇ ଚାରିଜଣ ଟୋକା ଆସି ବସିଛନ୍ତି, ତା’ ମଧ୍ୟରେ ଗୋକୁଳଚନ୍ଦ୍ର ମଧ୍ୟ ଅଛନ୍ତି । ସାହିର ସ୍ତ୍ରୀ ଲୋକମାନଙ୍କ ଅପେକ୍ଷା ମରଦ ଟୋକାଗୁଡ଼ାକଙ୍କର ଏତେ ଯା’ ଆସ କାହିଁକି କରୁଥିଲେ-? ତେବେ ଦେଖିଲେ ଯେ–ସେମାନେ ବହୁତ ସାହାଯ୍ୟ କରିଛନ୍ତି, ନଚେତ୍‌ ଭାରିଯା ପିଲା ଆଉ ବଞ୍ଚି ନ ଥାନ୍ତେ । କତିରେ ଗୋଟିଏ ପଇସା ନ ଥିଲା କି ଖୁଦ ମୁଠାଏ ନ ଥିଲା । ସେହି ଗାଁର ଟୋକାମାନେ ବହୁତ ଚଳେଇଛନ୍ତି । ପୁଣି ଶୁଣିଲେ–ସେ ଯେଉଁ ଭାଉଜ ଜିମା କରି ଯାଇଥିଲେ, ଭାରିଯା, ପିଲାର ଟିକିଏ ନିଘାମାନି ନବାପାଇଁ, ସେ କେତେବେଳେ କିମିତି ଥରେ ଅଧେ ଆସନ୍ତି, ଯେମିତି ସାହିର ଆଉ ମାଇପିମାନେ କେତେବେଳେ କିଏ ଆସିଥାନ୍ତି, ସେହିପରି । ତା’ ଛଡ଼ା ଭାଉଜ ମଧ୍ୟ ପ୍ରାୟ ଦେଖଇ ଦେଖେଇ କହିଛନ୍ତି,–ଦେଖଲୋ ମାଇପେ, ଦେଖ, କଇଁଛ କାଢ଼ିଛି ବେକ, ଇଆ ଅର୍ଥ କଣ ? ସ୍ତ୍ରୀର ବିଶେଷ ଅଭିଯୋଗ–ସେ କାହିଁକି ତୁମେ ଗଲା ପରଠୁଁ ଇମିତି କହୁଛି ? ଯଦି ବୁଝିବତ ବୁଝ, ନୋହିଲେ ଏଣିକି ମୋ’ ମୁହଁ ଫିଟିବ, ଆଉ ମାନିବି ନାହିଁ । ସେ କ’ଣ ମୋ’ ନିଜ ଯା’ ହେଇଛି ? ତାକୁ ମାନିବି ? କୋଉ ନେଖାଯୋଖା ଲୋକ, ତା’ର ପୁଣି ଏଡ଼େ କଥା-। କଣ ମୁଁ ପୁଅ ବେଇଛି ବୋଲି ତା’ର ଦିହ ସହୁ ନାହିଁ, ମୋତେ ଥଟା ହଉଛି । ନିଜେ ତ ଜନ୍ଦା, ପିମ୍ପୁଡ଼ିଟିଏ ଜନ୍ମକରି ନାହିଁ, ଇତ୍ୟାଦି, ଇତ୍ୟାଦି ।

 

ତେବେ ସେ କଥାର ଭିତରେ ଭଜହରିର ପ୍ରାଣରେ ଗୋଟାଏ କଥା ବଡ଼ ଆଘାତ ଦେଲା–ଏ ଟୋକାମାନଙ୍କର ଏତେ ସମାଗମ କାହିଁକି ? ଏଠି ରହିବାତ ଉଚିତ ନୁହେଁ । ତା’ପରେ ଭାଉଜ, ଦେଠା ପୁଅ ଭାଇର ସ୍ତ୍ରୀ, ବିଧବା, ବୟସ୍କା । ତାକୁ ଘେନି ଗୋଟାଏ ସାହସ ବାନ୍ଧିଥିଲେ–ସମୟରେ ତା’ଜିମା ସ୍ତ୍ରୀ, ପିଲାଙ୍କୁ ଛାଡ଼ିଦେଇ କୁଆଡ଼େ ଚାକିରି କରିବେ । ତା’ର ତ ଇମିତି ବ୍ୟବହାର, ହଟ ଦେଖିବା ଲୋକ କିମିତି ଏ ଗାଁରେ, ଏ ସାହିରେ ଚଳିବେ ? ଆଜି ଯେ ଚାକିରି ଖଣ୍ଡିଏ ଯୁଟିଲା କିମିତି ସ୍ତ୍ରୀକୁ ଏଠି ଛାଡ଼ି ବିଦେଶରେ ଯାଇ ରହିବେ ? ଚାକିରି କରିବେ ? ତାପରେ ଏ ଅଳ୍ପଦିନ ଘର ଛାଡ଼ି ଯାଇ ଏତେ ଗୁଡ଼ାଏ ଉପପାଦ୍ୟ, ସଂପାଦ୍ୟର ସମ୍ମୁଖୀନ ହେବାକୁ ପଡ଼ୁଛି । ଆଉ ବେଶି ଦିନ ଛାଡ଼ିଗଲେ କଣ ଅବସ୍ଥା ହବ ! ସେତେବେଳେ ଆଉ ଏ ଗାଁରୁ ବାହରି ହବନି । ଶେଷରେ ସ୍ତ୍ରୀର ମୁହଁ ବଢ଼ିଯିବ । ଆଉ ସେତେବେଳକୁ ହାତ ପାଇବନି । ଏଇ ସବୁ ଭାବନାରେ ଘାତ ପ୍ରତିଘାତ ଭିତରେ ତେବେ ସୁଦ୍ଧା ଆଜିକାର ଆନନ୍ଦରେ ଭଜହରି ସବୁ କଥାକୁ ପଛରେ ପକେଇ ଦେଇ ଚିଠି ଖଣ୍ଡ ଧରି ବାହାରି ଗଲେ ସାହି ଭିତରକୁ–ସମସ୍ତଙ୍କୁ ଜଣେଇ ଦବା ପାଇଁ ସୁସମ୍ୱାଦ....ତାଙ୍କର ଚାକିରି ଖଣ୍ଡେ ହେଇ ଯାଇଛି । ଗଲେ (ଜଇନ୍‌) କରିବେ ।

 

ସାହିରେ ସମସ୍ତେ ଚିଠି ପଢ଼ିଲେ, କେତେକ ପ୍ରକୃତ ଖୁସି ହେଲେ, କେତେକ ନିଜ କପାଳକୁ ମନେ ମନେ ନିନ୍ଦା କଲେ । ଭଜହରି ସମସ୍ତଙ୍କୁ କହିଲେ ଯାମିନୀବାବୁଙ୍କ କଥା–କିମିତିଆ ଲୋକ ! ତାଙ୍କ ଲାଗି କିମିତି ଆପ୍ରାଣ ଚେଷ୍ଟା କରି ଚାକିରି ଖଣ୍ଡେ ଯୋଗାଡ଼ କରିଦେଲେ । ଭଜହରି ପ୍ରତ୍ୟେକ ଲୋକ ଆଗରେ ମଧ୍ୟ ଯାମିନୀବାବୁଙ୍କର ଧନ-ପୁତ୍ର-ବାଞ୍ଚିତ ସୁକଲ୍ୟାଣ କରିବାକୁ ଲାଗିଲେ । କେତେକ ଭାବିଲେ–ଗରିବଟା ବଞ୍ଚିଗଲା । କେତେକ ଭାବିଲେ–ଏଥର ଆହୁରି ସୁବିଧା ହବ । ଭଜହରିତ ବିଦେଶରେ ରହିବ, ଚାକିରି କରିବ । ଭାରିଯା ପିଲାଙ୍କୁ କଣ ଅଭିକା ସାଙ୍ଗରେ ନେଉଛି ?

 

ଭଜହରିକୁ ବର୍ତ୍ତମାନ ହାତରେ ରାନ୍ଧିବାକୁ ପଡ଼େ, କାରଣ, ସ୍ତ୍ରୀ ପ୍ରସୂତି, ରୁଗ୍‌ଣା, ଅନ୍ୟ ଉପାୟ ନାହିଁ । ଆଜି ଭଜହରିର ତରକାରୀର ଛୁଙ୍କଟା ସାହିଖଣ୍ଡକରେ ବେଶ ଗୋଟାଏ ଚମକ ଆଣିଦେଲା । ସାହିର ଘରେ ଘରେ ଲୋକେ କାଶି କାଶି ବ୍ୟସ୍ତ ହୋଇଗଲେ । ସମସ୍ତ କାଶ ଥମିଗଲା କିନ୍ତୁ ଭାଉଜଙ୍କ କାଶ ବନ୍ଦ ହେଲା ନାହିଁ ।

 

ଭାଉଜଙ୍କର ଅଯଥା ଏବଂ ଅଧିକ କାଶିବାର ଦେଖି ଭଜହରିର ସ୍ତ୍ରୀ ଶେଯରେ ଶୋଇ ସ୍ୱାମୀଙ୍କୁ ଚେତେଇ ଦେଲେ–ଦେଖୁଛ, ଦେଖ, ଦେଖ, କିମିତି କାଶୁଛି ଥଟ୍ଟା କରି ।

 

ରୋଷେଇ ସଇଲାରୁ ଭଜହରିର ସ୍ତ୍ରୀ କହିଲେ–ତୁମେ ଯାଅ ଗାଧେଇ ଆସ, ରୋଷେଇତ ସଇଲା, ଆଉ ଡେରି କାହିଁକି କରୁଛ ?

 

Unknown

ଭଜହରିକୁ ସ୍ତ୍ରୀ ଏ କଥାଗୁଡ଼ିକ ଆଜି ଦୈବ୍ୟବାଣୀ ପରି ମନେ ହେଲା । ଭଜହରି ପ୍ରତ୍ୟୁତ୍ତରରେ କହିଲା–ନା ତୁମେ ରୋଗୀ ଲୋକ । ତୁମେ ଆଗେ ଖାଇ ନିଅ, ମୁଁ ଖାଇବାକୁ ଅଭିକା ଡେରି ଅଛି । ମୁଁ କ୍ଷିଅର ହେବି, ଖଣ୍ଡେ ସାବୁନ ଆଣି ଲୁଗାପଟା ସବୁ କାଚି ସଫା କରିବି, ତେବ ଯାଇ ଗାଧୋଇବି ଖାଇବି ।

 

ସ୍ତ୍ରୀ ଟିକିଏ ଉଠି ବସି ନବଜାତ ଶିଶୁକୁ କୋଳକୁ ନେଇ ଟିକିଏ ସହାନୁଭୂତିସୂଚକ କଣ୍ଠରେ କହିଲେ–ଅନିୟମ କରନା, ଚାକିରିକି ଯିବ, ଦିହ ଠିକ୍‌ ଥିଲେ ସବୁ କଥା । କଣ ଏ ! ସ୍ତ୍ରୀର ଏ ବାକ୍ୟଗୁଡ଼ିକ ଆଜି ଭଜହରିର ଦିହରେ ବରଫ ମାଲିସ ହେଲା ପରି ଜଣାଗଲା । ଯେଉଁ ସ୍ତ୍ରୀକୁ ସେ ଏତେ ସନ୍ଦେହ କରନ୍ତି, ତା’ର ଆଜି ସ୍ୱାମୀ ପ୍ରତି ଏତେ ସହାନୁଭୂତି ଆଦର, ଅନୁକମ୍ପା !! କାହିଁକି ତାଙ୍କର ସ୍ତ୍ରୀକୁ ସେଇମିତି ଭାବନ୍ତି ! ତାଙ୍କର ସ୍ତ୍ରୀ–ସତୀ ।

 

ଭଜହରିକୁ ଆଜିକାର ଏ ସାହି, ତା’ଉପରେ ଖରା, ପବନ, ଆକାଶ, ତା’ ଚାରିପାଖର ବଣବୁଦା, ନଈ, ନାଳ ସବୁ ଯିମିତି ଆହୁରି ଆପଣାର ବୋଲି ମନେ ହେଲା ।

 

ଭଜହରି ଗାଧେଇବାକୁ ଯାଇ, ଲୁଗା, କୁର୍ତ୍ତା, ଗେଞ୍ଜି ଯେତେଗୁଡ଼ାଏ ମଇଳା ହୋଇଥିଲା, ସବୁ କାଚିସାରି ଲୁଗାଧୁଆ ସାବୁନରୁ ଯା’ ବଳିଲା, ତାକୁ ଛାତି, ପିଠି, ମୁହଁ, ହାତ, ଜଙ୍ଘ ଏପରିକି ଶରୀରର ଯେତେକ ଅନାବୃତ ଏବଂ ଆବୃତ, ମୁକ୍ତ ଏବଂ ଗୁପ୍ତସ୍ଥାନଗୁଡ଼ିକରେ ସୁଚାରୁ ରୂପେ ମାଲିସ କରିସାରି ଶୁଭ୍ର ସଫେନ ଶରୀରରେ ପାହାଚ ଉପରେ ଠିଆହୋଇ ବାହୁ ପ୍ରସାର କରି ମୁକ୍ତ ବକ୍ଷରେ ଗ୍ରାମପ୍ରାନ୍ତର କେନାଲ କୋଳକୁ ବେଙ୍ଗପରି ଲମ୍ଫପ୍ରଦାନ କଲେ ।

 

ଭଜହରି କେନାଲ ପାଣିରେ ବୁଡ଼ିଲେ, ଉଠିଲେ, ପହଁରିଲେ, ବେଙ୍ଗପରି ଭାସି ଭାସି ବୁଲିଲେ । ଶେଷରେ ଛାତିଏ ପାଣିରେ ଠିଆହୋଇ ଦିହରୁ ରୂଢ଼ଗୁଡ଼ାକ ଛାଡ଼ିଲା କି ଆଉ କୋଉଠି ଲାଗିରହିଛି, ଅନୁସନ୍ଧାନ କରୁଛନ୍ତି, ଏଇ ସମୟରେ ଶୁଣିଲେ–କିଏ ଭଜ, ଆଜି ଏତେ ଡେରିରେ ଗାଧୁଆ ଯେ !

 

ଭଜହରି ମୁହଁ ଉପରେ ପଡ଼ିଥିବା ମୁଣ୍ଡର ଓଦା ବଳଗୁଡ଼ାକୁ ଛାତ୍ରସୁଲଭଭଙ୍ଗିରେ ପଛକୁ ଛାଟିଦେଇ ଦେଖନ୍ତି–ବନ୍ଧ ଉପରେ ବିନୁ ପଧାନ ।

 

ଭଜହରି ପଧାନକୁ ଦେଖି କହିଲେ–ସମୁଦି, ଆଜି ଡେରି ହେଇଗଲା ଗାଧେଇବା । ତମେ ଜାଣିନା ବୋଧହୁଏ, ମୋର ଖଣ୍ଡେ ଚାକିରି ହେଇଯାଇଛି, କାଲି ଚାଲିଯିବ । ସେଇଥିଲାଗି ଲୁଗାପଟା ସବୁ ସଫା କରୁ କରୁ ଡେରି ହେଇଗଲା । ତମକୁ କହି ନ ଥିଲି, ତମ ସାଙ୍ଗରେତ ଅଭିକା ଦେଖାହେଉଛି । ଆଉ ସମସ୍ତଙ୍କୁ ଜଣେଇ ଦେଇଛି । ଦେଖ, ତମୁକୁ ‘ସମୁଦି’ କହିଲି ବୋଲି ମନରେ କଷ୍ଟକଲ କି ? ଏତ ମୋର ମାମୁଲି ଡାକ । ତେବେ ପ୍ରକୃତ ସମୁଦି କଉଦିନ ହବା କି ଜାଣି-? ମୋର କିନ୍ତୁ ଝିଅ ନାହିଁ । ଯୋଡ଼ିଏ ପୁଅ, ଗୋଟିଏ ଥିଲା, ଏବେ ଗୋଟିଏ ହେଇଛି ।

 

ହଉ, ହଉ, ଭଲ କଥା–ଏତକ ଅଳ୍ପରେ କହିଦେଇ ବିନୁ ପଧାନ ବନ୍ଧ ଉପରୁ ଗାଁ ଭିତରକୁ ଗଡ଼ିଲେ ଭାବି ଭାବି–ଲୋକର ପୁଣି ଇମିତି ଭାଗ୍ୟ ଫେରେ ! ପୁଅ ଉପରେ ପୁଅ, ପୁଣି ତା’ଉପରେ ଚାକିରି ! ଆମ କପାଳଟା ଇମିତି ! –ଝିଅ ବୋଲି ଖଣ୍ଡେ, ତାକୁ ବାରମାସରେ ତେର ରୋଗ, ପୁଣି ହିଡ଼ମାଟି ହିଡ଼ରେ ଲଦ ଲଦି ଦିନ ସରୁ ନାହିଁ । କାହିଁକି ଲୋକଟା ସାଙ୍ଗରେ କଥା କହିବାକୁ ଗଲି ଯେ ?

 

ବିନୁ ପଧାନ ଯେତେବେଳେ ଅଦୃଶ୍ୟ ହୋଇଗଲେ, ଆଉ କେହି କୁଆଡ଼େ ନାହାନ୍ତି, ଚରିଆଡ଼ ଶୂନଶାନ ହେଲାଣି, ଖାଲି କାପତା’ର ଡାକ ଶୁଣାଯାଉଛି । ଭଜହରି ସ୍ନାନ ସମାପନ କରି ଆଞ୍ଜୁଳାଏ ପାଣିଧରି ମୁଣ୍ଡ ଉପରୁ ଅଳ୍ପ ଢଳି ପଡ଼ିଥିବା ସୂର୍ଯ୍ୟଙ୍କୁ ଭକ୍ତିପୂର୍ଣ୍ଣ ନୟନରେ ଚାହିଁ, ନିଜର ଏବଂ ଯାମିନୀବାବୁଙ୍କ ଶୁଭ କାମନାକରି ଆଞ୍ଜୁଳାଏ ପାଣିକୁ ତିନିଥରରେ ପୁଣି କେନାଲ ପାଣିରେ ମିଶେଇ ଦେଇ ଧୀରେ ଧୀରେ ପାଣିରୁ ଉଠି ପୋଛିପାଛି ହୋଇ ଘରକୁ ବାହୁଡ଼ିଲେ । ବାଟରେ ଏତିକିବେଳେ ମନେ ପଡ଼ିଲା–ପ୍ରଥମରେ ଯାମିନୀବାବୁଙ୍କ ଛତାଟା ନେଇ ଆସି ସେ କି ଭୁଲ୍‌ କରିଛନ୍ତି । ଛତାଖଣ୍ଡ ଲାଗି ଯାମିନୀ ଯେ ହଇରାଣ ହେଉଛି–ଏକଥା ମଧ୍ୟ ଲେଖିଛି । ଯାମିନୀ ଯଦି ଭାବିଥାଏ–ଭଜଦା ଛତାଟାକୁ ନେଇ ପଳେଇଛନ୍ତି, ନା ଏକଥା ଯାମିନୀ କଦାପି ଭାବି ନଥିବ । ସେ ଜାଣେ ତା’ର ଭଜଦା କିପରି ଲୋକ । ଆଉ ସାମନ୍ୟ ଛତାଖଣ୍ଡକ ଲାଗି ଯାମିନୀପରି ଲୋକ ଭଜଦା ପ୍ରତି କେଭେ ଇମିତି ଖରାପ ଧାରଣା କରି ନ ଥିବ । ସେ’ତ ଫେରିଯିବେ ବୋଲି କହି ଆସିଥିଲେ । ଦୈବାତ ଇମିତି ଆସିବାକୁ ପଡ଼ିବ ବୋଲି କିଏ ଜାଣିଥିଲା ? ଚାକିରିପାଇଁତ ପୁଣି ସେ ଯାମିନୀ କତିକି ଯାଇଥାନ୍ତେ । ଯେମିତି ହେଲେ ସେତିକି ବେଳେ ଫେରେଇ ଦେବେ ବୋଲି ଭାବିଥିଲେ । ଯାମିନୀ ଜାଣେ ତା’ର ଭଜଦାର ଗୁଣ ।

 

ଦ୍ୱିତୀୟରେ ମନେ ପଡ଼ିଲା–ବର୍ତ୍ତମାନ ଅବସ୍ଥାରେ ସ୍ତ୍ରୀ, ପିଲାଙ୍କୁ ସାଙ୍ଗରେ ନେଇଗଲେ କିମିତି ହବ ? ଚାକିରିତ ହେଇଛି, ମାସ ଗୋଟାଏ କଣ ଯାମିନୀ ଚଳେଇ ପରିବନି ସମସ୍ତଙ୍କୁ ? ଯାମିନୀଙ୍କ ଘରେ ଇମିତି କେତେ ଲୋକ ଆସି ମାସେ ମାସେ ଧରି ରହିଯାନ୍ତି । ତେବେ ଆଜିକାଲି ସମୟ ଭିନେ, ହେଲେ କଣ ହେଲା, ଯାମିନୀ ଡାକ୍ତର, ତା’ର କି ଅଭାବ ? ଏ କେଇଟା ଲୋକ–ବଡ଼ମଣିଷ ଦୁଇଜଣ, ପିଲା ଦି’ଟା, ଏମାନଙ୍କୁ ମାସେ ଚଳେଇବାକୁ କେଭେ କୁଣ୍ଠିତ ହବନି ଯାମିନୀ-। ତା’ପରେ ଯାମିନୀର ମା, ସେ’ତ କହିଛନ୍ତି ତୁମର ଚାକିରି ହେଲେ, ତୁମେ ପିଲାପିଲିଙ୍କୁ ଏଠିକି ନେଇ ଆସିବ । ଚାକିରିତ ହେଇଛି, ଆଉ କଣ ? ସ୍ତ୍ରୀକୁ କଦାପି ଛାଡ଼ିଯିବାର କଥା ନୁହେଁ ଏ ଗାଁରେ । ସ୍ତ୍ରୀ ମଧ୍ୟ ସାଙ୍ଗରେ ଯିବାକୁ ନିଶ୍ଚୟ ବାହାରିବ । ସହର ଜାଗା, କେତେ କଣ ଦେଖିବ, କେଭେତ ସହର ଦେଖି ନାହିଁ ।

 

ଘରେ ପହଞ୍ଚି ଭଜହରି ନିଜ ହାତରେ ସବୁ ବାଢ଼ି ଆଣି ଯେତେବେଳେ ଖାଇ ବସିଲେ, ସ୍ତ୍ରୀ ଅଳ୍ପ ଦୂରରେ ଆସି ବସିଲେ । ସ୍ୱାମୀଙ୍କ ଭୋଜନବେଳେ ଆଜି ମନ ହେଲା ଟିକିଏ ପଙ୍ଖା କରିଦେବେ, କିନ୍ତୁ ଶକ୍ତି କୁଳେଇଲା ନାହିଁ ।

 

ଭଜହରି ଖାଉଖାଉ ମାଂସର ଝୋଳ ଟିକିଏ ହାପୁଡ଼ିଦେଇ କହିଲେ–ଦେଖ, ମୁଁ ଭାବିଛି, ତୁମକୁ ସାଙ୍ଗରେ ନେଇ ଏଥର କଟକ ଚାଲିଯିବି । ନୋହିଲେ ତୁମର ଯେ ଅବସ୍ଥା, ସେଥିରେ ତ ଛାଡ଼ିଯିବା ଭଲହବ ନାହିଁ ।

 

ସ୍ତ୍ରୀ ସ୍ୱାମୀଙ୍କ ମୁହଁରୁ ଏ କଥା ଶୁଣି ବସିବା ଜାଗାରୁ ଉଠିଯାଇ ବିଛଣାରେ ପୁଣି ଶୋଇଲେ, କିଛି ଉତ୍ତର ଦେଲେ ନାହିଁ ।

 

ଭଜହରି ସ୍ତ୍ରୀର ନୀରବତା ଲକ୍ଷ୍ୟକରି ପଚାରିଲେ–କଣ କହୁଛ ? ଯିବାହିଁ ଉଚିତ୍‌ । ଆଜି ସବୁ ଜିନିଷପତ୍ର ଠିକ୍‌ କର, କାଲି ସକାଳୁ ବାହାରିଯିବା ।

 

ସ୍ତ୍ରୀ ଭଜହରିଆଡ଼କୁ ପଛକରି ଶୋଇଥିଲେ, ସେଇ ଅବସ୍ଥାରେ ଉତ୍ତର ଦେଲେ–ମୁଁ ଯିବିନାହିଁ ।

 

ଭଜହରି ସ୍ତ୍ରୀଙ୍କର ଇମିତିଆ ଉତ୍ତର ଶୁଣି ଆଉ ଖାଇବେ କଣ, ତାଙ୍କ ମୁହଁରେ ଯିମିତି ଚାପୁଡ଼ା ବସିଲା । ସେ କଣ ଭାବୁଥିଲେ ସ୍ତ୍ରୀ ତାଙ୍କର-ସତୀ । ସେ ସାଙ୍ଗରେ ଯିବାକୁ ନାରାଜ ! କାରଣ, ସେ ଚାଲିଗଲେ, ଏଣେ ଟୋକାଙ୍କୁ ନେଇ ରାସଲୀଳା ହେବ । ଏଇତ ମତଲବ ।

 

ଭଜହରି ଅଳ୍ପ ସମୟ ପାଇଁ ଖାଇବା ବନ୍ଦକରି ପଚାରିଲେ–କଣ, ଯିବ ନାହିଁ ? ଏଠି କ’ଣ ମରିବ ?

 

ସ୍ତ୍ରୀ ଉତ୍ତର ଦେଲେ–ହଁ, ମଲେ ମରିବି ।

 

ଭଜହରି ରାଗିଯାଇ–ମରିବ, ନା, ଏଠି ଟୋକାଙ୍କ ସାଙ୍ଗରେ ରାସଲୀଳା ହବ ମୁଁ ଗଲେ-?

 

ସ୍ତ୍ରୀ ଏତେବେଳେ ପୁଣି ଉଠି ବସି–କଣ ଟୋକାଙ୍କ ସାଙ୍ଗରେ ରାସଲୀଳା ହବ । ଟୋକାଏତ ନ ଥିଲେ କୋଉଠି ମରି ଘାସ ଉଠି ସାରନ୍ତିଣି, ଟୋକାଏ କେତେ ସାହାଯ୍ୟ କରୁଛନ୍ତି । ସେ ସବୁ ଆଉ ଆଖିରେ ଦିଶୁନାହିଁ ? ତା’ବେଳକୁ ଆଖି ଫୁଟିଯାଇଛି ।

 

ଭଜହରି ଆହୁରି ଗରମ ହୋଇ–କଣ ଆଖି ଫୁଟିଯାଇଛି ? ମୋ’ ସାଙ୍ଗରେ ଯିବ, ସେଠି ମୋ କତିରେ ରହିବ, ସେ ହବନାହିଁ, ଏଠି ରହିଲେ ଯେ ଆଖଡ଼ା ଜମିବ ।

 

ସ୍ତ୍ରୀ ଦୃଢ଼ଭାବରେ ଉତ୍ତର ଦେଲେ–ମୁଁ ଯିବିନାହିଁ । ନିଜ କଥା ଠିକ୍‌ ନାହିଁ, ନିଜେ ଯାଇ କିମିତି ଆଗେ ମାସେ ଚଳିବ ସେ କଥାକୁ ଚିନ୍ତା ନାହିଁ । ଆଉ ସାଙ୍ଗରେ ମୋତେ, ପିଲା ଦି’ଜଣ–ସମସ୍ତଙ୍କୁ ନେଇ ପର ଉପରେ ଲଦିଦେଇ ଚାକିରି କରିବେ । ଆଜିକାଲି ସମୟ କଣ ? ସେଥିରେ ପୁଣି ଆମେ ବେମାରିଆ । ଲୁଗାପଟା କିଛି ଅଛି ? ବିଛଣା ପତ୍ର ଅଛି ? ଜଣେ ଭଦ୍ରଲୋକ ଘରେ ଯାଇ ପହଞ୍ଚିବି ଯେ, ସେ କଣ ଭାବିବେ ! ତୁମେ ମରଦ ମଣିଷ, ତୁମ ଯିବାକଥା ଭିନେ । ତୁମେ ସେଠି ଥରକୁ ପାଞ୍ଚଥର ଯାଇ ଚଳାଚଳ ହେଇଚ, ମୁଁ ନୂଆଯିବି । ମୁଁ ଇମିତି ଅବସ୍ଥାରେ ଯାଇପାରିବି ନାହିଁ । ମୋର କହିବାର କଥା ଏଇଆ । ଆଉ ଖମ୍ୱଆଳୁ ଆଗେ ବୁଝି ପକେଇଲେ–ଆରେ ମନା କରୁଛି, ଯିବାକୁ କାହିଁକି ? ମୁଁ ଗଲେ ଟୋକାଙ୍କ ସାଙ୍ଗରେ ମାତିବ, ନିର୍ଲ୍ଲଜକୁ ଲାଜ ଅଛି ? ‘ଉଠି ନ ପାରେ ବର, ନା, ତା’କୁ ଧରାଧରି ବାହାକର’ । ନିଜ କଥା ଠିକ୍‌ ନାହିଁ, ସେ ପୁଣି ପିଲା, ଭାରିଯାଙ୍କୁ ସାଙ୍ଗରେ ନେଇଯିବେ । ଏଣେ ରୋଗ, ଏଣେ ଅସନା ମସନା ହେଇଛୁ ଯେ–କେହି କତିରେ ପୂରେଇବେ ନାହିଁ । କହିଲେ–ସାଙ୍ଗରେ ଚାଲ ।

 

ଭଜହରି ଆଉ ଖାଇବେ କଣ ? ସ୍ତ୍ରୀ ‘ନାହିଁ’ ପଦ ଶୁଣି ତାଙ୍କର ଯିମିତି ଭୋକ ମରିଗଲା-। ସେ ପୁଣି କହିଲେ–ଦେଖ, ସେ ଡାକ୍ତର ଘର, ଔଷଧ ପାଣି ଅଭିକା ସେମିତି ସେଠି ବିନା ପଇସାରେ ପାଇବା । ସେମାନେ ଘୃଣା କରିବାର ଲୋକ ନୁହନ୍ତି । ତାଙ୍କ ଘରେ କେହି ସେମିତି ଲୋକ ନାହାନ୍ତି । ଗଲେ କେତେ ଆଦର ପାଇବ । ବେରାମ ଅବସ୍ଥା ହେଲେ କଣ ହେଲା-? ତାଙ୍କୁ ଯେ ପରବୋଲି ଭାବୁଛ, ସେମାନେ ଆପଣାଠୁଁ ବଳି । ତା’ପରେ, ତାଙ୍କ ଉପରେ ମାସେକାଳ ବସି ଖାଇଲେ ସେମାନେ କହିବାର ଲୋକ ନୁହନ୍ତି । ସହର ଜାଗା, ଦିହ ଭଲ ହୋଇଗଲେ, କେତେ କଣ ଦେଖିବ । ଖାଇବ, ଚାକିରିତ ହେଇଛି, ଆଉ ଭାବନା କଣ ? ମାସ ପୂରିଲେ, ଦରମା ଥୁଆ-

 

ସ୍ତ୍ରୀ ଏତେବେଳେ ପୁଣି ଚିଗୁଲେଇ ହୋଇ କହିଲେ–କି ଦରମାଟା ପାଇବ ? କି ଚାକିରି କରିବ ? ହେଇ ହେଇ କୁଲିକାମ ଖଣ୍ଡେ ନୋହିଲେ ଚପରାସିଟାଏ, ଆଉ ଦରମା–କ’ଣ ଶ’ ଦି’ଶ ଘୋଷାରି ପକେଇବ ? ଦରମା ଥୁଆ’, କଥା ଶୁଣ, ମନେ ମନେ ତ କାହିଁରେ କଣ ହେଇ ଗଲେଣି-! ଲାଜ ନାହିଁ ? କୋଉ ଗୁଣକୁ ଏତେ ଢମ ? ମୁଁ ଯିବିନାହିଁ, ତମେ ଯା, ମୋତେ ଚାକିରି ଦେଖଉଛି, ଦରମା ଦେଖଉଛି । ମୋ କପାଳରେ ତ ଅଛି–ଟୋକାକୁ ନେଇ ଆଖଡ଼ା ଜମେଇ ପେଟ ପୋଷିବି, ତା ନହେଲେ, ତୁମପରି ଲୋକର ହାତ ଧରନ୍ତି କିଆଁ ? ଘରଖଣ୍ଡକ ଯେତିକି ତୋଳା ହେଲାଣି, ଗାଁ ବାଲା–ଭଲ ଲୋକଠୁଁ ଆରମ୍ଭ କରି କମାର, ବଢ଼େଇ କୁଲି ପର୍ଯ୍ୟନ୍ତ କିଏ ସାହାଯ୍ୟ ନ କରୁଛି ? କହୁନା, ତାଙ୍କୁ ବି ନେଇ ଆଖଡ଼ା ଜମଉଛି ? ଯୋଗାପୁରୁଷ; ଆଉ ଯଦି ସମିତି କାଢ଼ୁଆଟାଏ ହେଇଥାନ୍ତା, ଆହୁରି କେତେ କଥା କୁହନ୍ତା ।

 

ଭଜହରି ଆଉ ସମ୍ଭାଳି ପାରିଲେ ନାହିଁ । ନୂଆ ଚାକିରିର ସମ୍ୱାଦରେ ତାଙ୍କ ମନ ଆଜି ଗୋଟିଏ ସ୍ପଞ୍ଜ ପରି ଯେତିକି ଫୁଲି ଉଠିଥିଲା, ସ୍ତ୍ରୀର ଏ ଲାଞ୍ଛନାରେ ମନ ସେତିକି ଚୁପୁଡ଼ି ହେଇ ଶୁଖି ସେମଟା ହେଇଗଲା ।

 

ଭଜହରି ଅବିଳମ୍ୱେ ଆହାର ଉପରୁ ଉଠି ଭାତ ମାଂସ ତରକାରୀ ସବୁ ଦ୍ୱାର ମୁହଁରେ ଅପେକ୍ଷା କରୁଥିବା ଗୋଟିଏ କୁକୁର ସାମନାରେ ଅଜାଡ଼ି ଦେଇ ସେଇ ଅଇଁଠା ହାତରେ ସ୍ତ୍ରୀର ପିଠି, ଗାଲରେ ଅଚଳନୀୟ, ଅସହନୀୟ କେତେଗୁଡ଼ିଏ ଖୁନ୍ଦା, ବିଧା, ‘ଦେହି ଦେହି ପୁନଃ ପୁନଃ’ ରୀତିରେ ସିଦ୍ଧହସ୍ତର ପରିଚୟ ଦେଇ ବସେଇ ଦେଲେ ।

 

ସ୍ତ୍ରୀ ଏତିକିରେ–ମରିଗଲି ଲୋ, ମୋର ଛାତି କଣ ହେଇ ଯାଉଛି ଲୋ, କହୁ କହୁ ଆଖି ଖୋସିଦେଇ ବସିବା ଅବସ୍ଥାରୁ ସିଧା ସଳଖ ଗଡ଼ିପଡ଼ିଲେ ।

 

-୯-

 

ଯାମିନୀବାବୁ ଚାକିରି ଛାଡ଼ି ଅଳ୍ପଦିନ ହେଲା ଘରୋଇ ଭାବରେ ରୋଗୀ ଚିକିତ୍ସାରେ ମନ ଦେଇଛନ୍ତି । ଘରକୁ ଲାଗି ନିଜର ଖଣ୍ଡିଏ ଛୋଟ ଡାକ୍ତରୀ ଦୋକାନ । ଦୈନିକ ରୋଗୀର ସଂଖ୍ୟା ଅଳ୍ପ ହେଲେ ମଧ୍ୟ ସଂଖ୍ୟା କ୍ରମଶଃ ବଢ଼ିବାରେ ଲାଗିଛି ।

 

ରାତି ଆଠଟା ପରେ ଯାମିନୀବାବୁ ଦୋକନଟା ବନ୍ଦକରି ଦେଲେ । କାରଣ ବର୍ଷାମୁଖର ରାତି, ରୋଗୀଙ୍କରତ ଦେଖା ନାହିଁ । ତା’ଛଡ଼ା ଆଉ ଜଣେ ଦୁଇଜଣ ଯେ ପ୍ରତ୍ୟେକ ଦିନ ସନ୍ଧ୍ୟା ପରେ ଆସି ଗପ କରନ୍ତି, ତାଙ୍କର ମଧ୍ୟ ଆଜି ଦେଖା ନାହିଁ ।

 

ଯାମିନୀବାବୁ ଘର ଭିତରକୁ ଆସି ଦେଖିଲେ ମା–ନାତି, ନାତୁଣୀଙ୍କୁ ନେଇ ଶୋଇ ଯାଇଛନ୍ତି । ସ୍ତ୍ରୀ ସୁରମା ରୋଷେଇ ଘରେ ଏକାକିନୀ ବସି ରୋଷେଇ କରିବାରେ ଲାଗିଛନ୍ତି । ସ୍ୱାମୀଙ୍କର ଆଗମନ ପ୍ରତି ତାଙ୍କର ଲକ୍ଷ୍ୟ ନାହିଁ ।

 

ଯାମିନୀବାବୁ ଅଳ୍ପ ସମୟ ଠିଆହୋଇ ଦେଖିଲେ–ଘର ଭିତରର ଧୂଆଁ ଏବଂ ସାମନାରେ ଚୁଲିର ନିଆଁର କନକ ଆଭାରେ ରନ୍ଧନରତା ସ୍ତ୍ରୀ ସୁରମାର ରୂପରେ କିମିତି ଟିକିଏ ନୂତନତ୍ୱ ଫୁଟିଉଠିଛି । ଦିହ ମୁଣ୍ଡର ବାସ ଏଣେ ଅଳ୍ପ ଖସିପଡ଼ିଛି !

 

ଯାମିନୀବାବୁଙ୍କୁ ହଠାତ୍‌ ଚାହିଁଦେଇ ସୁରମା ଦିହ ମୁଣ୍ଡର ଲୁଗା ସଜାଡ଼ି ନେଇ ହସି ହସି କହିବାକୁ ଲାଗିଲେ, କ’ଣ ଆଜି ଏତେ ଶୀଘ୍ର ଯେ ଦୋକାନ ବନ୍ଦ କରିଦେଇ ଚାଲି ଆସିଲ ? ରୋଗୀ ନ ଯୁଟିଲେ ବୋଲି ଆଉ କେହି ସଭାସଦ ଯୁଟିଲେ ନାହିଁ ? ବର୍ଷା ରାତି, ଆଜି ନ ଯୁଟିବାର କଥା ।

 

ଯାମିନୀବାବୁ ରୋଷେଇ ଘରର ଦୁଆର ମୁହଁରୁ ଅଳ୍ପଦୂରରେ ବସିଲେ, ସ୍ତ୍ରୀଙ୍କ ସହିତରେ ଆଳାପ କରିବା ଆଶାରେ ।

 

ସୁରମା କହିଲେ–ମା’ତ ଶୋଇ ପଡ଼ିଲେ, ପିଲାମାନେ ମଧ୍ୟ ଶୋଇ ପଡ଼ିଲେ । ମୋତେ ଭାରି ଏକୁଟିଆ ଲାଗୁଥିଲା.....

 

ଯାମିନୀବାବୁ ସ୍ତ୍ରୀର କଥାର ଉତ୍ତରଦେବାକୁ ଯାଇ କହିଲେ–ତେବେ ସୁଦ୍ଧା କହୁଛ–ଏତେ ଶୀଘ୍ର ଦୋକାନ ବନ୍ଦକରି ଦେଇ ଚାଲି ଆସିଲ ? ଏକୁଟିଆ କଣ ଲାଗୁଥିଲା ?

 

ସୁରମା କହିଲେ–ମୁଁ ଏକା ଅଛି ବୋଲିତ ଦୋକାନ ବନ୍ଦ କରିନା, କରିଛ, ରୋଗୀ ଯୁଟିଲେ ନାହିଁ ବୋଲି । ଡାକ୍ତରଙ୍କୁ ସ୍ତ୍ରୀର ସଙ୍ଗ ଅପେକ୍ଷା ରୋଗୀର ସଙ୍ଗ ଆହୁରି ଭଲ ଲାଗେ । ଲାଗେ ନା ?

 

ଯାମିନୀବାବୁ ସ୍ତ୍ରୀଙ୍କୁ ପରିହାସ କରି କହିଲେ–ଲାଗେ, ତୁମେ କଣ କି ? ତୁମେତ ଜଣେ ରୋଗୀ, ତୁମକୁ ତ ଯେ ଦେଖିବ, ସେ କଣ ଭାବିବ ? ରୋଗୀ ବୋଲି ପ୍ରଥମେ ଭାବିବ, ସୁସ୍ଥ ଶରୀରରେ ଏତେ ଦୁର୍ବଳ କିଏ ଦେଖାଯାଉଛି ? ସେଇଥିଲାଗି ବାହାରର ରୋଗୀ ଯେତେବେଳେ ନ ଯୁଟିଲେ ଘରର ରୋଗୀ କତିକି ଚାଲିଆସିଲି ।

 

ସୁରମା ହସି ହସି କହିଲେ–କିନ୍ତୁ ଘରର ରୋଗୀକୁ ଚିକିତ୍ସା କଲେ ‘ଫି’ ପାଇବନି ।

 

ଯାମିନୀବାବୁ କହିଲେ–‘ଫିସ୍‌’ ନ ପାଇଲେ ସେମିତି ଔଷଧ ଦେବି ନାହିଁ, ଖାଲି ଆଳାପ କରିବି ।

 

ଯାମିନୀ, ଯାମିନୀ, ନୂଆବୋହୂ–ଦାଣ୍ଡଦୁଆରେ ଡାକ ଏବଂ ଜଞ୍ଜିର ଖଡ୍‌ଖଡ୍‌ ହବାର ଶୁଣି ଯାମିନୀବାବୁ ଅଳ୍ପ ସମୟ କାନଡ଼େରି ସ୍ତ୍ରୀକୁ କହିଲେ–ଭଜଦା ଆସିଲେଣି ।

 

ଯାମିନୀବାବୁ ସ୍ତ୍ରୀଙ୍କ କତିରୁ ଉଠିଯାଇ ଦାଣ୍ଡଦୁଆର ଖୋଲି ଦେଖନ୍ତି–ପ୍ରକୃତ ଭଜଦା, ସେ ଗୋଟିଏ ରୁଗ୍‌ଣ ପିଲାକୁ କାଖେଇ ଏବଂ ଡାଁ’ଣ ହାତରେ ତାଙ୍କର ଛତା ଖଣ୍ଡିକ ଧରି ଉପସ୍ଥିତ । ଭଜଦାଙ୍କ ଡାଁ’ଣ ହାତରେ ତାଙ୍କର ନିଜର ଛତା ଖଣ୍ଡିକ ଧରିଥିବାର ଦେଖି ଯାମିନୀବାବୁ ମନେ ମନେ ଯେତିକି ଖୁସି ହେଲେ, ବାଁ ପାଖରେ ପିଲାଟିକି ଦେଖି ସେତେ ଖୁସି ହୋଇ ପାରିଲେ ନାହିଁ । ତେବେ ସୁଦ୍ଧା ଅଳ୍ପ ହସି ଦେଇ ପଚାରିଲେ–ଏ କ’ଣ ପୁଅ ?

 

ଭଜହରି ସ୍ମିତମୁଖରେ ଉତ୍ତର ଦେଲେ–ହଁ ।

 

ଯାମିନୀବାବୁ ରାସ୍ତା ଉପରକୁ ଚାହିଁ କହିଲେ–ରିକ୍‌ସାରେ କିଏ ?

 

ଏତେବେଳେ ଭଜହରି ବିମର୍ଷ ଭାବରେ କହିଲେ–ମୁଁ ତ ଗଲାବେଳକୁ ଏମାନେ ସବୁ ବେରାମ, ଆଉ କଣ କରିବି ? ସାଙ୍ଗରେ ଘେନି ଆସିଲି ।

 

ଯାମିନୀବାବୁଙ୍କ ସାମନାରେ ଭଜହରି ଛତା ଖଣ୍ଡିକ ରଖି, ପୁଅକୁ କାଖରୁ ଓହ୍ଲେଇ ତଳେ ବସେଇ ଦେଇ ରିକ୍‌ସାରୁ ବୋଝ ଗୋଟିଏ ଆଣି ଥୋଇଲା ପରେ ଅପେକ୍ଷା କଲେ, ଯାମିନୀ ଟିକିଏ ଆଡ଼ ହୋଇଗଲେ, ସ୍ତ୍ରୀକୁ କହିବେ–ରିକ୍‌ସାରୁ ଓହ୍ଲେଇ ଆସିବା ପାଇଁ ।

 

ଯାମିନୀବାବୁ ଭଜଦାର ଉଦ୍ଦେଶ୍ୟ ବୁଝିପାରି, ହାତର ଲଣ୍ଠନକୁ ଦାଣ୍ଡ ଦୁଆରେ ଥୋଇଦେଇ ଘର ଭିତରକୁ ବିଷଣ୍ଣ ଭାବରେ ଆସି ସ୍ତ୍ରୀଙ୍କୁ କହିଲେ–ବୁଝିଲ ଭଜଦା ସପରିବାରରେ ଆସି ଉପସ୍ଥିତ ! ! !

 

ସୁରମା ଏ କଥା ଶୁଣି ବିସ୍ମିତା ହୋଇ ପଚାରିଲେ–କଣ ! ପିଲାଛୁଆ ନେଇ ? ତାଙ୍କର ସ୍ତ୍ରୀ ଏବେ ପରା ପିଲା ପ୍ରସବ କରିଛନ୍ତି ? ଏ ବର୍ଷାରେ କିମିତି ନେଇ ଆସିଲେ ? ସମ୍ଭାଳ ଏଥର, ପିଲାପିଲିଙ୍କୁ ନେଇ ଉପସ୍ଥିତ !

 

ଭଜହରି ଘର ଭିତରକୁ ପଶିଆସି ଗୋଡ଼ ହାତ ଧୋଇବା ପାଇଁ ନୋଟା ଖୋଜିଲେ ଏବଂ କହିଲେ–ଦେଖ ଯାମିନୀ, ତୁମରି ଭରସାରେ ନେଇ ଆସିଲି ପିଲାପିଲିଙ୍କୁ । ଅବସ୍ଥା ଭାରି ଖରାପ ହୋଇ ପଡ଼ିଛି । ଖାଲି ସେ କୋଳର ପିଲାଟିକି ଛାଡ଼ିଦେଲେ, ସ୍ତ୍ରୀ ଆଉ ବଡ଼ ପୁଅର ଅବସ୍ଥା ସାଂଘାତିକ !

 

ଯାମିନୀବାବୁ ମା’ଙ୍କୁ ଉଠେଇଲେ ଏବଂ କାତର ଭାବରେ କହିଲେ–ମା, ଭଜଦା ପିଲାପିଲିଙ୍କୁ ନେଇ ଆସି ପହଞ୍ଚିଲେଣି ।

 

ମା’ ସତ୍ୟବତୀ ଏ କଥା ଶୁଣି ନିଦରୁ ଉଠି ଖୁସି ହୋଇ କହିଲେ–ସତେ ! ଭଜ ତା’ର ବୋହୂକୁ ଆଣିଛି ? କ’ଣ କହୁଛୁ ?

 

ସତ୍ୟବତୀ ଖଟରୁ ଓହ୍ଲାଇ ପଡ଼ି ଆଗେ ଗଲେ ଭଜର ସ୍ତ୍ରୀ ଏବଂ ପୁଅ ଦୁଇଟିକୁ ଦେଖିବାପାଇଁ ।

 

ଯାମିନୀବାବୁ ସ୍ତ୍ରୀଙ୍କୁ କହିଲେ–ଦେଖୁଛ, ମା’ଙ୍କର ଖୁସି, ଗଲେଣି ଦେଖିବାକୁ ।

 

ସୁରମା କହିଲେ–ମା’ତ ଖୋଜୁଥିଲେ, ତାଙ୍କର ସ୍ତ୍ରୀଙ୍କୁ ଦେଖିବା ପାଇଁ । ସୁରମା ପୁଣି କହିଲେ–ଉଠ, ମା ଯାଇଛନ୍ତି, ମୁଁ ଟିକିଏ ଦେଖି ଆସେ ।

 

ସତ୍ୟବତୀ ଏବଂ ସୁରମା ଦୁହେଁ ଯେତେବେଳେ ଭଜଦାଙ୍କର ସ୍ତ୍ରୀ ଏବଂ ପିଲାମାନଙ୍କୁ ଦେଖିବାକୁ ଗଲେ, ଯାମିନୀବାବୁ ଏକା ବାରଣ୍ଡାରେ ଏକୁଟିଆ ଟହଲୁ ଟହଲୁ କେବଳ ଭାବିବାକୁ ଲାଗିଲେ–ଛତା ଖଣ୍ଡ ସିନା ମିଳିଲା, କିନ୍ତୁ ଏମାନେ ଯେ ଆସି ପହଞ୍ଚିଲେ । ଏମାନଙ୍କୁ ଚଳେଇବା କି ଦୁରୂହ ବ୍ୟାପାର ଏବଂ ସେଥିରେ ପୁଣି ରୋଗୀ ଅର୍ଥସଙ୍କଟତ ରହିଛି, ତା’ପରେ ପୁଣି ଘରେ ରୋଗ ବ୍ୟାପିପାରେ କି ଜଞ୍ଜାଳ ! ଭଜଦା ଉପରେ ମନେ ମନେ ଭାରି ବିରକ୍ତ ହେବାକୁ ଲାଗିଲେ ।

 

ଏଇ ସମୟରେ ସୁରମା ଫେରିଆସି ଆଶ୍ଚର୍ଯ୍ୟ ହୋଇ ହସି ହସି କହିଲେ–ତାଙ୍କର ସ୍ତ୍ରୀ ପ୍ରକୃତ ସୁନ୍ଦରୀ, ଯା’କୁ କହନ୍ତି ସୁନ୍ଦରୀ । ତେବେ ଅଯତ୍ନରେ ଅଛନ୍ତି ବୋଲି ବର୍ତ୍ତମାନ ଦେଖାଯାଉଛନ୍ତି କା’ପରି କହିବି ? ଯେମିତି–‘ଶ୍ରୀରାଧା ବାତୁଳୀ’ କିମ୍ୱା ବଙ୍କିମଚନ୍ଦ୍ରଙ୍କର ବର୍ଣ୍ଣିତ–‘କପାଳକୁଣ୍ଡଳୀ’ । କି ସୁନ୍ଦର ଆଖି ତାଙ୍କର ! ଭଜଦାଙ୍କୁ ସେ ସ୍ତ୍ରୀ ! ଆହା, କାହିଁକି ତାଙ୍କର ବାପ ୟା କଲେ ? ଭଜଦା ପରି ଲୋକଙ୍କୁ ଇମିତି ସୁନ୍ଦର ଝିଅ ଦିଅନ୍ତି ? ଯେମିତି ଗଠନ, ସେମିତି ମୁଣ୍ଡର ବାଳ । ସେମିତି ମଧ୍ୟ ଦେହର ରଙ୍ଗ ! ଆଉ ଜାଣିଥାଅ ଭଜଦା ଘରେ ଆଣି ରୋଗ ପୂରେଇଲେ ।

 

ସତ୍ୟବତୀ ମଧ୍ୟ ଫେରି ଆସି ପୁଅ ଯାମିନୀକୁ କହିଲେ–ଭଜତ ବୋହୂ ପାଇଛି । ତା’ର ବଡ଼ଭାଇର ସ୍ତ୍ରୀକୁ ଦେଖିଛି । ସେ ୟା ଗୋଡ଼କୁ ସରି ହବ ?

 

ପୁଣି ଦୁଃଖ କରି କହିଲେ–ଭଜର ସ୍ତ୍ରୀ ଆଉ ବଡ଼ ପୁଅ ଭାରି ବେରାମ ! ଆଉ କୋଳର ପିଲାତ ହେଇଛି, ଯେମିତି ପିଲା ହୁଏ, କି ସୁନ୍ଦର ମଜବୁତ ପିଲା !

 

ସତ୍ୟବତୀ ପୁଅର ଟିକିଏ କାତରତା ଏବଂ ବିରକ୍ତି ଭାବ ଦେଖି ସାନ୍ତ୍ୱନାସୂଚକ କଣ୍ଠରେ କହିଲେ–ଦେଖ ଗରିବ, ଆସି ତୋତେ ଭରସା କରି ପହଞ୍ଚିଛି, ତାଙ୍କର ଯତ୍ନ ନେ, ଭଲ କରି ଦେ, ତୋର ନାଁ ହବ ।

 

ଆଉ ପଇସାକୁ ଡରୁଛୁ ? ଭଗବାନ କୋଉ ବାଟରେ ହେଲେ ଦେବେ । ଆରେ ଯୋଉ କୂଅର ପାଣି କେହି ବ୍ୟବହାର କରେ ନାହିଁ, ତା’ର ପାଣି ସେତିକି ରହିଥାଏ । ଆଉ ଯୋଉ କୂଅର ପାଣି ନିତି ଖର୍ଚ୍ଚ ହଉଛି ସେ ପୁଣି ଭରିଯାଉଛି । ଯେମିତି, ଯେତେ ଟଙ୍କା ହଉଥିବ, ଭଗବାନ କୁଆଡ଼ୁ ହେଲେ ପୁଣି ସେତିକି ଦେବେ । ଗରିବ, ଦୁଃଖୀଙ୍କ ଲାଗି ଖର୍ଚ୍ଚ କଲେ ସେ ପଇସା ତୋର ପାଣିରେ ପଡ଼ିବ ନାହିଁ । ଘର କଲେ ଇମିତି ପାଞ୍ଚ ଜଣ ଅତିଥି, ଅଭ୍ୟାଗତ ଆସି ଯୁଟନ୍ତି । ଏତ ମୋ’ ଘରେ ଆଜି ନୂଆ କଥା ନୁହେଁ ।

 

ଯାମିନୀବାବୁ ମା’ଙ୍କର କଥାରେ ଉତ୍ସାହିତ ହେଲେ ମଧ୍ୟ ରୋଗ ଲାଗି ତାଙ୍କର ମନଟା ଦବିଗଲା–କାରଣ ଘରେ ରୋଗ ବ୍ୟାପିବାର ଆଶଙ୍କା ରହିଛି, ତା’ପରେ ଭଜଦାଙ୍କ ଚାକିରି ଲାଗି କ’ଣ କରାଯିବ ? ଚାକିରି କଣ ଏତେ ସହଜରେ ଯୁଟୁଛି ?

 

ସେଦିନ ରାତିରେ ଯାମିନୀବାବୁଙ୍କ ଘରେ ବେଶ କୋଳାହଳ ଲାଗିଗଲା । ଖାଇବା, ପିଇବା, ଦିଆନିଆ, ଭଜହରିର ନବଜାତ ଶିଶୁର କାନ୍ଦଣା, ବଡ଼ ପୁଅଟିର ଅତିରିକ୍ତ ଜ୍ୱର ହେତୁ କାନ୍ଦଣା ଏବଂ କୁନ୍ଥେଇବା, ସତ୍ୟବତୀଙ୍କ ଆଦେଶ ଅନୁଯାୟୀ ଭଜହରିର ପୁଅ ଲାଗି ବାର୍ଲି ରାନ୍ଧିବାରେ, ଭଜହରିର ସ୍ତ୍ରୀ ପାଇଁ ରୋଟି ତିଆରି କରିବାରେ ସୁରମା ରୋଷେଇ ସାରି ପୁଣି ଲାଗିପଡ଼ିବା ଯୋଗୁଁ ରୋଷେଇ ଘର ମଧ୍ୟରେ ଖଟ୍‌ଖାଟ୍‌, ଝଣଝାଣ ଶବ୍ଦ, ଭଜହରିର ପୁଅର ଜ୍ୱରର ଆଶୁ ଉପଶମ ଲାଗି ଯାମିନୀବାବୁଙ୍କ ଡାକ୍ତରୀ ଦୋକାନ ଘରୁ ଔଷଧି କାଢ଼ିବାର ଶବ୍ଦ ଇତ୍ୟାଦି, ଇତ୍ୟାଦି ।

 

ସତ୍ୟବତୀ ଭଜହରିର ବଡ଼ ପୁଅଟିର ଅବସ୍ଥା ଦେଖି ବିଶେଷ ଚିନ୍ତିତା ହୋଇ ପଡ଼ିଲେ ।

 

ଶେଷରେ ସତ୍ୟବତୀ, ଯାମିନୀବାବୁ ଏବଂ ଭଜହରି ପରସ୍ପରଠାରୁ କିଛି ଦୂରରେ ଯେତେବେଳେ ଏକ ସମୟରେ ଖାଇ ବସିଲେ ସତ୍ୟବତୀ ଭଜହରିକୁ ପ୍ରଶ୍ନ କଲେ–ତୁମେ ସେଦିନ ଆସିବ ବୋଲି କହି ଚାଲିଗଲ କିପରି ?

 

ଭଜହରି କହିଲେ–ନୂଆବୋହୂ, ମୁଁ ଯାଇଥିଲି ଯା’ ହାତରେ ଜିନିଷ ପହଁଚେଇ ଦେଇ ଆସିବାପାଇଁ, ସେତ ଅଳ୍ପଦିନ ହେଲା ଗାଁରୁ ଆସିଥିଲେ, ସେ ଦେଖି ଆସିଥିଲେ ଯେ–ସ୍ତ୍ରୀ ଏବଂ ବଡ଼ ପୁଅ ଭାରି ବେରାମ ଥିଲେ, ତାଙ୍କରି ମୁହଁରୁ ଯିମିତି ଏ କଥା ଶୁଣିଲି, ସେ ମଧ୍ୟ ମୋତେ ଗାଁକୁ ଯିବାପାଇଁ ବାଧ୍ୟ କଲେ, ସେଥିଯୋଗୁଁ ଗାଁକୁ ଚାଲିଗଲି ।

 

ସତ୍ୟବତୀ ଏ କଥା ଶୁଣି ବୁଝିଲେ–ଭଜର ପଳେଇ ଯିବାର ଉଦ୍ଦେଶ୍ୟ ନ ଥିଲା । ଇମିତି ଅବସ୍ଥାରେ ନ ପଡ଼ିଥିଲେ ଭଜ କଣ ଯାଇଥାନ୍ତା ? ଭଜ ଉପରୁ ସତ୍ୟବତୀଙ୍କ ସନ୍ଦେହ ଏବଂ କୁଧାରଣା ତୁଟିଗଲା ।

 

ଭଜହରି ପୁଣି କହିଲେ–ଗାଁରେ ଥିଲି, ଯାମିନୀ ଚିଠି ଯେମିତି କାଲି ପାଇଲି, ଆଜି ଚାଲି ଆସିଲି, ଏମାନଙ୍କୁ ଛାଡ଼ି ଆସି ପାରିଲି ନାହିଁ । କଣ କହିବି ଆଉ ସେ କଥାଗୁଡ଼ା ନୂଆବୋହୂ ? ଆଜିର ରାତି ଅନେକ ହେଲାଣି, ପରେ କହିବି । ଶୁଣିବ, କି ଘଟଣା ! କାନରେ ହାତଦବ । ଭଗବାନ ଯାମିନୀର ମଙ୍ଗଳ କରନ୍ତୁ । ଯାମିନୀ ମୋ ଲାଗି କେତେ ବଡ଼ କାମ କରିଛି ! ଚାକିରି ଖଣ୍ଡେ ଜଣକୁ କରେଇଦେବା ଆଜିକାଲି ସମୟରେ କମ୍‌ କଥା ନୁହେଁ ନୂଆବୋହୂ ।

 

ଏତିକିବେଳେ ସତ୍ୟବତୀ ପୁଅ ଯାମିନୀବାବୁଙ୍କ ମୁହଁକୁ ଚାହିଁଲେ । ଯାମିନୀବାବୁ ମା’ଙ୍କର ମୁହଁକୁ ଚାହିଁ କଥା ଆରମ୍ଭ କରି କହିଲେ–ଭଜଦା, ତୁମକୁ ଯେଉଁ ଚାକିରି ଯୁଟିଛି ବୋଲି ଲେଖିଥିଲି, ସେଥିରେ ଆଜି ଜଣେ ରହିଗଲା । ପୁଣି ଟିକିଏ ଅପେକ୍ଷା କରିବାକୁ ପଡ଼ିବ । ବୁଝୁନା, ଚାକିରି ଖାଲି ହେଲେ ଆଉ ରହୁଛି ? ତୁମେ ଚାଲିଯାଇ ବଡ଼ ଭୁଲକଲ, ଥିଲେ ଆଜି କାମରେ ଲାଗିଯାଇଥାନ୍ତ ।

 

ଭଜହରି ଭାତଗୁଣ୍ଡାଟା ପାଟିରେ ରଖି ଯାମିନୀବାବୁଙ୍କର ଏ କଥାଗୁଡ଼ାକ ଶୁଣୁଥିଲେ ଆଶ୍ଚର୍ଯ୍ୟ ହୋଇ । ଯାମିନୀବାବୁ କଥା ଶେଷ କଲାରୁ ଭାତଗୁଣ୍ଡାଟା ଗିଳିଦେଇ ଥକା ହୋଇ ବସିପଡ଼ି କାନ୍ଥକୁ ଆଉଜି ଯାଇ କହିଲେ–ଯାମିନୀ, ସେ ଚାକିରିରେ ଆଉ ଜଣେ ରହିଗଲା ! ! ! ଓଃ ମୁଁ କେତେ ଆଶା କରି ଦୌଡ଼ିଛି, ପୁଣି ଅପେକ୍ଷା କରିବାକୁ ପଡ଼ିବ ? କେତେ ଦିନ ପୁଣି ଲାଗିବ ?

 

ଯାମିନୀବାବୁ ଏତେବେଳେ ତଳମୁହାଁ, ହୋଇ ଭାତଗୁଣ୍ଡା ବଳୁବଳୁ କହିଲେ–ବେଶିଦିନ ନୁହେଁ, ତୁମେତ ମୋ କତିରେ ଅଛ, ପିଲାପିଲି ମଧ୍ୟ ତୁମର ଏଠି ରହିଲେ, ଏଥିରେ ଟିକିଏ ବିଳମ୍ବ ହେଲେ କ୍ଷତି କଣ ? ଆଉ ଗୋଟାଏ କଥା, ବର୍ତ୍ତମାନ ତୁମର ଚାକିରି କରିବା ଅପେକ୍ଷା ତୁମର ପୁଅ ଏବଂ ସ୍ତ୍ରୀ ଆଗେ କିମିତି ଭଲ ହେବେ, ସେ ଚିନ୍ତା କରିବା ଦରକାର ।

 

ଭଜହରି ଯାମିନୀବାବୁଙ୍କର ଏକଥା ଶୁଣି ଟିକିଏ କୂଳ ପାଇଲା ପରି କହିଲେ–ଦେଖ ଯାମିନୀ, ତୁମ୍ଭେ ଭରସା, ତୁମେ ଜାଣ । ସେଇଥିଲାଗିତ ଏତେ ଗାଁ ଲୋକ ଥାଉ ଥାଉ ତୁମ କତିକି କାହିଁକି ଆସିଲି ? ମୋ ଚାକିରି କଥା ତୁମେ ଜାଣ, ଆଉ ମୋ ପିଲାଛୁଆଙ୍କ କଥା ତୁମେ ଜାଣ । ମୁଁ ଖାଇବି ଆଉ ତୁମର କାମ କରିବି । ମୁଁ ତ ଆଉ କୁଆଡ଼େ ଯାଉନି । କିନ୍ତୁ ମୁଁ ବଡ଼ ଆଶା କରିଥିଲି ଯେ କାଲି ଚାକିରିରେ ଯୋଗ ଦେବି ।

 

ଆହାରାନ୍ତେ ଯେ ଯା’ର ବଖରାରେ ଯାଇ ଶୋଇଲେ । ଭଜହରିର ସ୍ତ୍ରୀ ଏବଂ ପିଲାଦୁଇଟି ଶୋଇଲେ ସତ୍ୟବତୀଙ୍କ ବଖରାରେ । ସତ୍ୟବତୀ ଖଟ ଉପରେ ଶୋଇଲେ, ଭଜହରିର ସ୍ତ୍ରୀ ଓ ପିଲାଦୁହିଁକୁ ନେଇ ସେଇଠି ତଳେ ଶୋଇଲେ ।

 

ଭଜହରି ଶୋଇଲେ–ସତ୍ୟବତୀଙ୍କ ବଖରାର ବାହାରକୁ ଥିବା ବାରନ୍ଦାରେ । କିନ୍ତୁ ଭଜହରି ଏଥିପୂର୍ବେ ଯେତେବେଳେ ଯାମିନୀବାବୁଙ୍କ ଘରେ ଏକା ରହୁଥିଲେ, ସେତେବେଳେ ତାଙ୍କର ଶୋଇବା ସ୍ଥାନ ଥିଲା–ଖଞ୍ଜା ବାହାରେ, ଦାଣ୍ଡଆଡ଼େ । ଭଜହରି ଶୋଇବାକୁ ବାହାରି ଗଲା ପରେ ଦାଣ୍ଡଦୁଆର ଭିତରୁ ବନ୍ଦକରି ଦିଆ ହେଉଥିଲା । ବର୍ତ୍ତମାନ ଭଜହରି ଶୋଇଲା ଖଞ୍ଜା ଭିତରେ ।

 

ଯେ ଯାର ବଖରାରେ ଶୋଇଲେ କଣ ହେବ ନିଦ୍ରାଦେବୀଙ୍କୁ ସେ ରାତିରେ କେବଳ ଭଜହରିଙ୍କ ଛଡ଼ା ଆଉ ସମସ୍ତଙ୍କ ନିକଟରୁ ଅପମାନ ପାଇ ଫେରିବାକୁ ହେଲା । ତା’ର କାରଣ–ଭଜହରିଙ୍କ ବଡ଼ ପୁଅର ଜ୍ୱରାଧିକ୍ୟ, ଚିତ୍କାର, କ୍ରନ୍ଦନ ଆଉ ନିଦ୍ରାମଗ୍ନ ଭଜହରିଙ୍କର ଏଣେ ନାସିକାର ଗୁରୁଗର୍ଜ୍ଜନ, ଘରର ସମସ୍ତେ ଆତଙ୍କିତ, ଜାଗ୍ରତ ଭଜହରିଙ୍କ ପୁଅର ଅବସ୍ଥା ଦେଖି ।

 

ରାତି ପାହିଲା । ଭଜହରିଙ୍କ ବଡ଼ପୁଅର ଜ୍ୱର ଉପଶମ ହେଲା । ସମସ୍ତେ ଉଠିଲେ, ସତ୍ୟବତୀ ପୁରେ ପୁରେ ଯାଇ ତାଙ୍କର ସମବୟସ୍କମାନଙ୍କୁ ଆମନ୍ତ୍ରଣ କରି ଆସିଲେ–ଦେଖିବ ଆସ, ମୋ ଘରେ ଯେଉଁ ଭଜ ବୋଲି ଲୋକଟି କିଛି ଦିନ ରହି ଚାଲିଯାଇଥିଲା, ସେ ପୁଣି କାଲି ଆସି ପହଞ୍ଚିଛି । ତା’ର ସ୍ତ୍ରୀ, ପିଲା ସମସ୍ତଙ୍କୁ ନେଇଆସିଛି । ତା’ର ସ୍ତ୍ରୀକୁ ଦେଖିବ ଆସ, କେଡ଼େ ସୁନ୍ଦରୀ ! ଯେମିତି ସାକ୍ଷାତ ଦେବୀ ପ୍ରତିମାଟିଏ ।

 

ଯାମିନୀବାବୁ ସକାଳୁ ଉଠି ଭଜହରିର ଦୁଇ ପୁଅକୁ ଦେଖି କହିଲେ–ଏ ବଡ଼ପୁଅ ନା ‘ପଫ’ ପରା ? ସାନ ପୁଅ ନା ତା’ ହେଲେ ‘ବଭ’ ରଖାଯାଉ ? ଯେମିତି ‘ପଫ’, ସେମିତି ‘ବଭ’, ଠିକ୍‌ ହେଇଛନ୍ତି ।

 

ଏ କଥା ଶୁଣି ସତ୍ୟବତୀ ହସି ହସି ବ୍ୟସ୍ତ ହୋଇଗଲେ । ତା’ପରେ ଯାମିନୀବାବୁଙ୍କ ଘରେ ବୟସ୍କା ଏବଂ ଅଳ୍ପବୟସ୍କା ମହିଳାମାନଙ୍କର ବେଶ ସମାଗମ ହେଲା । ଯେ ଭଜହରିର ସ୍ତ୍ରୀକୁ ଦେଖିଲେ ସେ ଜିଭ କାମୁଡ଼ି ଗାଲରେ ହାତଦେଇ ଫେରିଲେ । ସମସ୍ତେ ଫୁସ୍‌ଫାସ୍‌ ହୋଇ ଟିପାଟିପି ହୋଇ କୁହାକୁହି ହେଲେ–କୋଉ ପୁରୁଷକୁ କୋଉ ସ୍ତ୍ରୀ !!! ତା’ ବାପ କାହିଁକି ୟା କଲା-? ବର ଯଦି ମିଳୁ ନ ଥିଲା, ଝିଅର ତଣ୍ଟିଚିପି ଦେଲା ନାହିଁ । ଏ ମାଇକିନିଆ ବିଟପୀ ହେଲେ, ୟାର ଦୋଷ କଣ ? ଭରା ଯବାନ ବଖତ, ମରଦର ଓଖତ ହଟିଲାଣି । ଏଇଥିରେ ଏ ମରଦ ସନ୍ଦେହ କରୁଛି ନା ତା’ ଭାରିଯାକୁ ? ‘ଅଲାଜ ଲାଉ, ଟେକିଟାକି ଦେଲେ ପିଢ଼ାକୁ ଯାଉ’ । ମାଇପିଟାଏ ଦେଖିବାକୁ ଯେମିତି ସୁନାମୁଣ୍ଡାପରି ! କୋଉ ଜାଗା ତା’ର ବାଛିବ ? ଆହା, ପୁଅ ଦୋଟି ବି ସେମିତି ହେଇଛନ୍ତି ଲୋ ! ବଡ଼ ପୁଅଟିକି ଖାଲି ରୋଗ ମାଟି କରିଦେଇଛି । ନୋହିଲେ କି ସୁନ୍ଦର ପିଲାଟାଏ !

 

ଏଣେ ଭଜହରି ଲାଗି ସତ୍ୟବତୀ ଆଉ ସୁରମାଙ୍କୁ କାମରୁ ଅବ୍ୟାହତି ମିଳିଲା । କିନ୍ତୁ ତେଣେ ପାଣିକଢ଼ାରେ–କୂଅ, ମାଟିହଣାରେ–ବଗିଚା, ମଞ୍ଜାମଞ୍ଜିରେ–ନୋଟା, ଗରା, ହାଣ୍ଡି ଇତ୍ୟାଦି ରୋଷେଇରେ–ଚୂଲ୍ଲୀ, ଓଳାଓଳି ଆଉ ଧୂଆଧୋଇରେ–ଘର ଦୁଆର, ସମସ୍ତେ ଯିମିତି କ୍ଳାନ୍ତ ଏବଂ ଆତଙ୍କିତ ହୋଇପଡ଼ିଲେ ଭଜହରି ଲାଗି ।

 

ସୁରମା ରହିଲେ–ପିଲାଛୁଆଙ୍କୁ ନେଇ । ଆଉ ସତ୍ୟବତୀ ରହିଲେ–ପାନବଟା, ଭଜହରିର ସ୍ତ୍ରୀ, ପିଲା ଆଉ ସମବୟସ୍କାମାନଙ୍କ ସହିତ ମୁହୁର୍ମୁହୁଃ ଆଳାପ ଆଲୋଚନା ନେଇ ।

 

ଯାମିନୀବାବୁ ଭଜହରି ଏବଂ ତାଙ୍କର ସ୍ତ୍ରୀ ପରୋକ୍ଷରେ ସତ୍ୟବତୀ ଏବଂ ସୁରମାଙ୍କୁ ସ୍ୱାସ୍ଥ୍ୟରକ୍ଷାର ନିୟମ କେତୋଟି ବୁଝେଇ ଦେଲେ ଅର୍ଥାତ୍‌ ରୋଗୀ ନିକଟରେ କିମିତି ଭାବରେ ଚଳାଚଳ ହେବା ଉଚିତ୍‌ ।

 

ସତ୍ୟବତୀ ରୋଗୀ ନିକଟରେ ଚଳାଚଳ ଲାଗି ସ୍ୱାସ୍ଥ୍ୟରକ୍ଷା ନିୟମଗୁଡ଼ିକ ଶୁଣି ପ୍ରଥମେ କିମିତି ଟିକିଏ ଆତଙ୍କିତା ହୋଇ ପଡ଼ିଲେ କିନ୍ତୁ ପରେ ପୁଣି ମୁହଁ ମୋଡ଼ିଦେଇ ବେଖାତିର ଭାବରେ କହିଲେ–ହଁ ସେଗୁଡ଼ା କହିବା କଥା, ରୋଗୀ ନିକଟକୁ ଗଲେ ଖାଲି ରୋଗ ଧରି ପକେଇବ ? ମଣିଷ ମରିଯିବ ? ଆରେ, ‘କର୍ମ, କପାଳ, କୋଷ୍ଠି, ଯା’ ଲେଖିଥିବେ ଷଷ୍ଠୀ’’ । ଯୋଉ ସେରକ ଯେ ଆଣିଛି, ସେ ସେରକ ନ ପୂରିଲେ କି ସେ ଯାଏ ? ତୁମରି ଅମଳକୁ ସ୍ୱାସ୍ଥ୍ୟରକ୍ଷା ବାହାରିଛି । ଆମେ ଆଉ ମଣିଷ ହେଇ ନ ଥିଲୁ ? ଆମ ଅମଳରେ କୋଉଠି ସ୍ୱାସ୍ଥ୍ୟରକ୍ଷା ଥିଲା ? ତୁମରି ହୀନକପାଳ ଯେମିତି, ହୀନବୁଦ୍ଧି ସେମିତି । ଲୋକ ଗୋଟାଏ ବେରାମ ଆରାମରେ ଆସି ଆଶ୍ରା ନବ, ତାକୁ ଛୁଁଇବ ନାହିଁ, ତା’ କତିକି ଯିବ ନାହିଁ । ହେଲେ ହବ, ମଲେ ମରିବ, ମୁଁ ସେସବୁ ବାରି ଚଳିପାରିବି ନାହିଁ ।

 

-୧୦-

 

ଭଜହରିର ଯାମିନୀବାବୁଙ୍କ ଘରେ ସସ୍ତ୍ରୀକ ପଦାର୍ପଣ କରିବାର ଆଜି ମୋଟେ ତିନିଦିନ, ଏଥିମଧ୍ୟରେ ଭଜହରିର ସ୍ତ୍ରୀ ଯାମିନୀବାବୁଙ୍କ ଘରେ ସମସ୍ତଙ୍କ ସହିତରେ ଏବଂ ପଡ଼ିଶା ଘରର ଯେଉଁମାନେ ଯାମିନୀବାବୁଙ୍କ ଘରକୁ ଯା’ ଆସ କରନ୍ତି, ସେମାନଙ୍କ ମଧ୍ୟରୁ କେତେକ ବୋହୂ, ଝିଅଙ୍କ ସହିତରେ ବେଶ୍‌ ଭଲ ଭାବରେ ମିଶିଗଲେଣି । ବିଶେଷତଃ ଯାମିନୀବାବୁଙ୍କ ସ୍ତ୍ରୀ ସୁରମାଙ୍କ ସହିତରେ । କେବଳ ଯାମିନୀବାବୁଙ୍କୁ ଆଡ଼ ଆଡ଼ ହୋଇ ଚଳନ୍ତି । ଯାମିନୀବାବୁଙ୍କ ସହିତରେ କଥା କହିବା କିମ୍ବା ତାଙ୍କ ସାମନା ଦେଇ ଚାଲିଯିବା ଏସବୁକୁ ବେଶ୍‌ ସାବଧାନରେ ଜଗି ଚଳନ୍ତି ।

 

ସେଦିନ ରାତି ନିଃଶବ୍ଦ ହେଲାଣି, ନିଶାଗର୍ଜ୍ଜୁଛି, ଯାମିନୀବାବୁଙ୍କ ଘରେ ଯେ ଯାର ଶୋଇ ପଡ଼ିଲେଣି । ସେଦିନ ଭଜହରିର ପୁଅ ‘ପଫ’ ର ଜ୍ୱର ନ ଥିବା ହେତୁ ସେ ମଧ୍ୟ ଶୋଇପଡ଼ିଛି ।

 

ଯାମିନୀବାବୁଙ୍କ ବଖରାରେ ଯାମିନୀବାବୁ ଶୋଇ ପଡ଼ିଛନ୍ତି । କେବଳ ଜଗିଛନ୍ତି ସୁରମା-। ସେ ଝିଅଟିକି ଦୁଧ ପେଉଥିଲେ, ଝିଅକୁ ଦୁଧ ପେଇ ସାରି ସେ ଶୋଇବେ ।

 

ଇମିତି ସମୟରେ ଶାଶୁ ସତ୍ୟବତୀଙ୍କ ବଖରାରୁ ଉଚ୍ଚସ୍ୱରରେ ଶୁଣାଗଲା–ମୋତେ ମାରି ପକେଇଲା ଲୋ; ମରିଗଲି ଲୋ; ତୋ ହାତ ଛିଡ଼ିପଡ଼ୁ; ତୁ କୋଢ଼ି ହେଇଯା; ତୋତେ ମରଣ ହଉନି.....

 

ପୁଣି ଶୁଣାଗଲା–କଣ ସ୍ୱାମୀକୁ ଇମିତି କୁହାଯାଏ ?

 

–କି ସୁ–ଆ–ମୀ ମୋର ? ମୋର ଏମିତି ସୁ-ଆ-ମୀ ଦରକାର ନାହିଁ । ମୁଁ ଅଭିକା ଚାଲିଯିବି; ମୋତେ ଛାଡ଼ିଦେ; କି ସୁ-ଆ-ମୀ ମୋର ?

 

ନୀରବ ନିଶୀଥରେ ଏକାକିନୀ ସୁରମା ଭଜହରି ସ୍ତ୍ରୀର ଏବଂ ଭଜହରିର ଇମିତି କଳହ, ଚିତ୍କାର ଶୁଣି ଆତଙ୍କିତ ହୋଇ ଯାମିନୀବାବୁଙ୍କୁ ଡାକିବାକୁ ଭାବିଲେ । ପୁଣି ଭାବିଲେ, ହୁଏତ ସ୍ୱାମୀ ବିରକ୍ତ ହୋଇପାରନ୍ତି । ଇମିତି ଇତସ୍ତତଃ କରୁଛନ୍ତି, ଏହି ସମୟରେ ପାଗଳିନୀ ପରି ବାଳ ମୁକୁଳା କରି ଦିହ ମୁଣ୍ଡରେ ଲୁଗା ନାହିଁ, ଦିହ ମୁହଁରୁ ଜାଗାଜାଗା ରକ୍ତ ବୋହିଯାଉଛି । ଭଜହରିର ସ୍ତ୍ରୀ ଆସି ସୁରମାଙ୍କ ସାମନାରେ ବସି କାନ୍ଦି କାନ୍ଦି କହିବାକୁ ଲାଗିଲେ–ଦେଖ; ସେ ଘରେ ତମର ଶାଶୁ ଶୋଇଛନ୍ତି ଖଟ ଉପରେ, ମୁଁ ତଳେ ଶୋଇଛି, ୟାକୁ (ଅର୍ଥାତ୍‌ ସ୍ୱାମୀ ଭଜହରିକୁ) ସରମ ନାହିଁ, ଏ ଯାଇ ମୋ କତିରେ, ମୋ ବିଛଣା ଉପରେ.....ମୁଁ ବାଧା ଦେଲାରୁ ମୋତେ ମାରୁଛି । ଦେଖ, ମୋର ଦିହ ମୁହଁକୁ, ନଖରେ ଆମ୍ପୁଡ଼ି କିମିତି ରକ୍ତ କାଢ଼ିଛି । ଡାକ ବୋହୂ ତୁମେ, ଡାକ ଯାମିନୀବାବୁଙ୍କୁ । ସେ ଉଠନ୍ତୁ, ଏ କଥା ବୁଝନ୍ତୁ, ସେ ମୋତେ ଇମିତି କେତେ ଥର ମାଇଲାଣି, ଆଉ ମୁଁ ସହି ପାରୁ ନାହିଁ । ମୋର ରୋଗା ଦିହ; ମୁଁ କେତେ ମାଡ଼ ଖାଇବି ? ଏ କଥା ଆଜି ଯାମିନୀବାବୁଙ୍କୁ ବୁଝିବାକୁ ହବ । ମୁଁ ଆଉ ଇମିତିଆ ଲୋକ କତିରେ ରହିବି ନାହିଁ......

 

ସୁରମା ନୀରବ ନିଶୀଥରେ ହଠାତ୍‌ ତାଙ୍କ ସାମନାରେ ଇମିତି ଜଣେ ଆଲୁଳାୟିତ କୁନ୍ତଳା, ରକ୍ତାକ୍ତ ବଦନା, କ୍ଷତ କଳେବରା, ବିଭୀଷିକାମୟୀ ନାରୀମୂର୍ତ୍ତି ଦେଖି ପ୍ରଥମେ ଯେତେ ଭୀତତ୍ରସ୍ତ ହୋଇ ପଡ଼ିଲେ । କିନ୍ତୁ ନାରୀମୂର୍ତ୍ତି ପରିଚିତା ଭଜହରିର ସ୍ତ୍ରୀ ବୋଲି ମୂର୍ଚ୍ଛିତା ହୋଇ ପାରିଲେ ନାହିଁ ।

 

ପରେ ଭଜହରିର ସ୍ତ୍ରୀ ନିକଟରୁ ସମସ୍ତ ବୃତ୍ତାନ୍ତ ଶୁଣି ଟିକିଏ ଆଶ୍ୱସ୍ତ ହୋଇ କହିଲେ–ଦେଖ, ତୁମେ ବର୍ତ୍ତମାନ ଯାଇ ଶୋଇପଡ଼, ବର୍ତ୍ତମାନ ତ ବାବୁ ଶୋଇଛନ୍ତି, ଉଠେଇଲେ ହୁଏତ ବିରକ୍ତ ହେବେ । କାଲି ସକାଳେ ଯେମିତି ହେଲେ ଏ କଥା ବୁଝାଯିବ । ଏକି ଅନ୍ୟାୟ କଥା ! ଯାଅ ତୁମେ ଶୋଇପଡ଼, ଭାଗ୍ୟେ ସେଠି ମା’ଙ୍କର (ସତ୍ୟବତୀ) ନିଦ ଭାଙ୍ଗି ନାହିଁ, ନଚେତ୍‌ ବର୍ତ୍ତମାନ ଯେ କଣ ହେଇଥାନ୍ତା !

 

ସେ ଯଦି ଏ ଘଟଣା ସବୁ ଶୁଣିଥାନ୍ତେ କି ଦେଖିଥାନ୍ତେ, ଯାଅ ମୋର କଥା ମାନ, ଶୋଇପଡ଼ ।

 

ଭଜହରିର ସ୍ତ୍ରୀ ସୁରମାଙ୍କ କଥା ମାନି ଦିହ, ମୁହଁରୁ ରକ୍ତଗୁଡ଼ା ସବୁ ପୋଛିପାଛି ଶୋଇବାକୁ ଚାଲିଗଲେ ଏବଂ ସତ୍ୟବତୀଙ୍କ ଘରେ ପଶି କବାଟ କିଳିଦେଲେ ।

 

ଭଜହରି ଲଜ୍ଜାରେ ଏବଂ ରାଗରେ ଦ୍ୱାର ଏପାଖ ବାରଣ୍ଡାରେ ଜଗିରହି ଗୋଟାଏ ଜଡ଼ ପଦାର୍ଥପରି ପଡ଼ିରହିଥାନ୍ତି ।

 

ଏଣେ ଏ ଅଶ୍ରୁତପୂର୍ବ ଘଟଣା ଏବଂ ଅଦୃଷ୍ଟପୂର୍ବ ଭଜହରିର ସ୍ତ୍ରୀର ରୂପର କଥା ଭାବି ଭାବି ସୁରମାଙ୍କୁ ଆଉ ନିଦ ହେଲା ନାହିଁ । ଖାଲି ଅପେକ୍ଷା କଲେ–ସ୍ୱାମୀ କେତେବେଳେ ଉଠିବେ, ଉଠିଲେ, ସେ ସବୁ କଥା କହିବେ । ତାଙ୍କର ଦେହଟା ମଧ୍ୟ ଭଜହରିର ସ୍ତ୍ରୀ ଅବସ୍ଥା ଦେଖି ଯିମିତି ରାଗରେ ଥରିବାକୁ ଲାଗିଲା । ଖାଲି ଭାବିଲେ କି ସୁନ୍ଦରୀ ସେ ! କି ଅପଦାର୍ଥ ହାତରେ ପଡ଼ି କି ଅବସ୍ଥା ଭୋଗୁଛି !

 

ରାତି ପାହିବାକୁ ଅଳ୍ପ ସମୟ ବାକି ଅଛି । ଯାମିନୀବାବୁଙ୍କ ନିଦ ଭାଙ୍ଗିଲା । ସୁରମା ସ୍ୱାମୀଙ୍କର ନିଦ୍ରାଭଙ୍ଗ ହବାର ଦେଖି କହି ଉଠିଲେ–ଶୁଣିଛ ରାତିର ଘଟଣା ?

 

ଯାମିନୀବାବୁ ସୁରମାର ମୁହଁରୁ ଏ କଥା ଶୁଣି ଟିକିଏ ଚକିତ ଭାବରେ ପଚାରିଲେ–କି ଘଟଣା ?

 

ସୁରମା ଏଥର ଉଠିବସି ସ୍ୱାମୀଙ୍କୁ ଅନୁଚ୍ଚ ସ୍ୱରରେ ସମସ୍ତ ବୃତ୍ତାନ୍ତ ଏକ ନିଶ୍ୱାସରେ ବର୍ଣ୍ଣନା କରି ଶୁଣେଇ ଦେଲେ; ସ୍ୱାମୀ ସବୁ କଥା ଶୁଣି ତାଙ୍କ ମନରେ ଭଜହରି ପ୍ରତି ଗୋଟାଏ ତିକ୍ତଭାବ ଏବଂ ଘୃଣା ଜାଗିଉଠିଲା ।

 

ସୁରମା କଥା ଶେଷକରି ପୁଣି ଅଭିମତ ଦେଲେ–ଯେ; ସେମାନଙ୍କୁ ଏଠି ରଖିବା ଉଚିତ୍‌ ନୁହେଁ । କାଲି ସକାଳେ ତାଙ୍କୁ ବିଦାୟ କର । ଆମର ଦରକାର ନାହିଁ । ସେମିତିଆ ଲୋକକୁ କତିରେ ରଖିବା ଅନୁଚିତ୍‌ । କି କଦର୍ଯ୍ୟ ପ୍ରକୃତିର ଲୋକ ! ସ୍ତ୍ରୀକୁ ମାରିଛନ୍ତି ଯେ ଏକବାରେ ତା’ଦିହ, ମୁହଁରୁ ରକ୍ତ ବାହାର କରିଦେଇଛନ୍ତି । କୋଉ ଭାଗ୍ୟକୁ ସେମିତିଆ ସ୍ତ୍ରୀଟିଏ ପାଇଛନ୍ତି । ତାକୁ ପୁଣି ମାଡ଼ ହେଉଛି ପରଘରେ ଆସି, ଅଭଦ୍ର, ଅସଭ୍ୟ, କାଲି ସକାଳେ ତାଙ୍କୁ ବିଦାୟ କରିବାର କଥା ।

 

ଯାମିନୀବାବୁ ସବୁ କଥା ମନରେ ରଖିଲେ । ସକାଳ ହେଲା । ପଫକୁ ପୁଣି ଜ୍ୱର ହେଲା-। ଭଜହରି ଉଠି ଗୃହକର୍ମରେ ପୂର୍ବପରି ଲାଗିଗଲେ, କିନ୍ତୁ ଟିକିଏ ଶଙ୍କିତ ଭାବ–କାଳେ ଯାମିନୀ ଏ ସବୁ କଥା ଉତ୍‌ଥାପନ କରେ । ଯଦି କରେତ କିମିତି ସେ ଏ ଘରେ କା’କୁ ମୁହଁ ଦେଖେଇବେ-। କିମିତି ଚଳିବେ ? କେଉଁଠିକି ଯିବେ ?

 

ସ୍ତ୍ରୀର ଭାବନା–କାହିଁ ସକାଳତ ହେଲା; ଯାମିନୀବାବୁତ କିଛି ବୁଝିଲେ ନାହିଁ । ତାଙ୍କର ସ୍ତ୍ରୀ କଣ ତାଙ୍କୁ ଏ କଥା କିଛି କହିଲେ ନାହିଁ ? ଲାଜର କଥା; କିମିତି କହିବେ ! ଏ ଗୁଡ଼ା କଣ ଭଦ୍ରଲୋକ ଆଗରେ କହନ୍ତି ? ଛି; ଛି ମୁଁ ଯାଇ କଣଗୁଡ଼ାଏ କହିଲି ଯାମିନୀବାବୁଙ୍କ ସ୍ତ୍ରୀ ଆଗରେ । ଯଦି ଯାମିନୀବାବୁଙ୍କୁ ତାଙ୍କର ସ୍ତ୍ରୀ କିଛି କହି ନଥାନ୍ତି, ତା’ହେଲେ ଭଲ କଥା ।

 

ଯାମିନୀବାବୁଙ୍କ ସ୍ତ୍ରୀ ସୁରମା ସ୍ୱାମୀଙ୍କୁ ପଚାରିଲେ–କଣ ସେ କଥା ପକେଇବ, ପଚାରିବ-?

 

ଯାମିନୀବାବୁ କହିଲେ–ଦେଖ, ସୁରମା ଭଜଦାଙ୍କୁ ଏ କଥାଗୁଡ଼ାକ ପଚାରିବାକୁ ମୋର ମୁହଁ ଉଠୁ ନାହିଁ । କିମିତି ପଚାରିବି ? ତେବେ ଆଜି ଭଜଦାଙ୍କ ଚାଲି ଚଲଣରୁ ଯା’ ବୁଝିପାରୁଛି, ସେ ଯେମିତି ଭୟ ଭୟରେ ଅଛନ୍ତି । ସେମିତି ରହିବାହିଁ ଭଲ । କଥାଟା ପଚାରି ବୁଝିବାକୁ ଗଲେ, ତାଙ୍କର ଲଜ୍ଜା ଏବଂ ଭୟ ତୁଟିଯିବ । କିମ୍ବା ବିଶେଷ ଲଜ୍ଜା ଯୋଗୁଁ ହୁଏତ କୁଆଡ଼େ ପଳାଇ ଯାଇପାରନ୍ତି । ମୁଁ ଭାବୁଛି; ତାଙ୍କର ସ୍ତ୍ରୀ ଏବଂ ପୁଅକୁ ନେଇ ଆଜି ମେଡ଼ିକଲରେ ରଖେଇ ଦେବି । ସେଠି ସେମାନେ ରହିବେ । ତାଙ୍କର ବିନା ପଇସାରେ ସେଠି ଚିକିତ୍ସା ହୋଇ ପାରିବ । ଆଉ ଭଜଦା ସେଠିକି ଯାଇ ଦେଖି ଆସୁଥିବେ । ଆମ୍ଭେମାନେ ମଧ୍ୟ ଯାଇ ଦେଖି ଆସୁଥିବା । ଏଠୁ ଜଞ୍ଜାଳ ତୁଟିବ । ରୋଗ ବ୍ୟାପିବାର ଆଶଙ୍କାରୁ ମଧ୍ୟ ଟିକିଏ ରକ୍ଷା ପାଇବି । କଣ କହୁଛ, ଭଲ ହେବ ନାହିଁ ?

 

ସୁରମା କହିଲେ–ଯଦି ମେଡ଼ିକଲରେ ନେଇ ଛାଡ଼ି ଆସି ପାରନ୍ତ, ତା’ହେଲେ ଅତି ଉତ୍ତମ । ଗରିବର ଉପକାର ହୁଅନ୍ତା । ଆମେ ମଧ୍ୟ ଏ ଜଞ୍ଜାଳରୁ ରକ୍ଷା ପାଆନ୍ତୁ । ଲୋକ ଯେତେବେଳେ ଆସି ଆଶ୍ରୟ ନେଇଛି, କଣ ଆଉ କରିବା ? ତେବେ କେଡ଼େ ବଡ଼ ଅନ୍ୟାୟ କଥା-। ରାତି ଅଧରେ ସ୍ତ୍ରୀଟାକୁ କିମିତିଭାବରେ ମାଇଲେ !

 

ସତ୍ୟବତୀ ସକାଳେ ଉଠି ଦେଖିଲେ–ଭଜହରିର ସ୍ତ୍ରୀର ଦେହ, ମୁହଁ କ୍ଷତବିକ୍ଷତ । ପଚାରିଲେ–ଏସବୁ କଣ ?

 

ସ୍ତ୍ରୀ ଲାଜ ଲାଜ ହୋଇ କହିଲେ–ତାଙ୍କର ସ୍ୱାମୀ ତାଙ୍କୁ କାଲି ରାତିରେ ମାରିଛନ୍ତି ।

 

ସତ୍ୟବତୀ ଆଶ୍ଚର୍ଯ୍ୟ ହୋଇଗଲେ–କଣ କିମିତି କରି ମାରିଲା ? କାହିଁକି ମାରିଛି ? କାରଣ କଣ ?

 

ଭଜହରିର ସ୍ତ୍ରୀ ଅସଲ କଥା କହିଲେ ନାହିଁ ସରମରେ; ଖାଲି କାନ୍ଦିଲେ ।

 

ସତ୍ୟବତୀ ରାଗରେ ଥରିଗଲେ । କହିଲେ–କୁଆଡ଼େ ଗଲା ଭଜ ? ନିଜେ ଖୋଜି ପକେଇଲେ; ଦେଖିଲେ–ଭଜ ବାରିଆଡ଼େ କୂଅରୁ ପାଣି କାଢ଼ୁଛନ୍ତି । ସତ୍ୟବତୀ ପାଟିକରି ପ୍ରଶ୍ନ କଲେ ହଇହୋ ଭଜ, ତୁମେ କାଲି ରାତିରେ ତୁମର ସ୍ତ୍ରୀଟାକୁ ଇମିତି କରି ମାରିଛ ! କାହିଁକି ମାଇଲ-? କ’ଣ କଥା କଣ ?

 

ଭଜହରି ସତ୍ୟବତୀଙ୍କ ଏପରି ଭାବ ଦେଖି ଏବଂ ଏପରି ପ୍ରଶ୍ନ ଶୁଣି ମନେ ମନେ ଭୟ ଏବଂ ଲଜ୍ଜାରେ ଭାବିଲେ–କୂଅକୁ ଡେଇଁ ପଡ଼ିବେ, କିନ୍ତୁ ପାରିଲେ ନାହିଁ ।

 

ଭଜହରି କିଛି ନ କହି ତଳମୁହାଁ ହୋଇ ପାଣି କାଢ଼ୁଥାନ୍ତି । ଆଉ ସତ୍ୟବତୀ ସ୍ତ୍ରୀ ମହାତ୍ମ୍ୟ ବର୍ଣ୍ଣନା କରିବାରେ ଲାଗିଥାନ୍ତି । ଯଥା–ତୁମେ ସ୍ତ୍ରୀକୁ ମାରୁଛ । ସ୍ତ୍ରୀକୁ ଯେ ମାରେ, ତାକୁ ଲକ୍ଷ୍ମୀ ଛାଡ଼ିଯାଏ । ତାକୁ ରୋଜଗାର ଯୁଟେନା ଇତ୍ୟାଦି; ଇତ୍ୟାଦି । ଶେଷରେ ପୁଣି କହିଲେ–ତୁମେ ଯୋଉଠି ମାରୁଥିଲ, ମାରୁଥିଲ । ମୋ ଘରେ ଆଣି ମାରୁଛ ? ସେମିତି ଯଦି ପୁଣି କେବେ ମାରିବାର ଦେଖିବି, ତା’ହେଲେ ଆଉ ଏଠି ରହିବାକୁ ଦେବି ନାହିଁ । ତୁମେ ଅନ୍ୟ କେଉଁଠି ରୁହ । ତୁମକୁ ଚାକିରି ଯୁଟିବ ଆଗେ ? ସ୍ତ୍ରୀକୁ ମାରୁଛ ? ପୁଣି ତା’ଦିହ, ମୁହଁ ଖଣ୍ଡିଆ କରିଦେଇଛ । କାଲି ରାତିରେ କେତେବେଳେ ମାଇଲ ? ମୁଁ ଜାଣି ପାରି ନାହିଁ । ଦେଖିଥିଲେ ମୁଁ ତମକୁ ସେଇ ସ୍ତ୍ରୀ ହାତରେ ଚାପୁଡ଼ା ଖୋଇଥାନ୍ତି । ସ୍ୱାମୀ ସ୍ତ୍ରୀକୁ ନ ମାଇଲେ ପୁରୁଷପଣିଆ ଜଣାଯିବ କିମିତି ? ଖାଇବାକୁ ମୁଠାଏ ଭଲକରି ଦେଇ ପାରୁନା; ଆଉ ଏତେ ମାଡ଼ ହେଉଛି କାହିଁରେ ?

 

ଯାମିନୀବାବୁ, ସୁରମା ଏଣେ ଘର ଭିତରେ ଥାଇ ବାରିଆଡ଼େ ମା’ ରାଗରେ ଭଜହରିକୁ ଗାଳିଗୁଲଜ କରିବାର ଦେଖି ଭାବିଲେ–ସର୍ବନାଶ ! ମା’ କିମିତି ଜାଣିଲେ ଏସବୁ ଘଟଣା । ଆଉ ରକ୍ଷା ନାହିଁ ।

 

ସତ୍ୟବତୀଙ୍କଦ୍ୱାରା ଭଜହରି ଲାଞ୍ଛିତ ହବାର ଶୁଣି ଏପରିକି ସତ୍ୟବତୀ ଯେ କହିଲେ–ସେ ଯଦି ଦେଖିଥାନ୍ତେ, ସ୍ତ୍ରୀ ହାତରେ ଭଜହରିକୁ ଚାପୁଡ଼ା ଖୋଇଥାନ୍ତେ, ଏଥିରେ ଯେପରି ଭଜହରିର ସ୍ତ୍ରୀର ଗତରାତ୍ରିର ଦେହ, ମୁହଁର କ୍ଷତବିକ୍ଷତ, ଜ୍ୱାଳା ଯନ୍ତ୍ରଣା କିଛି ଉପଶମ ହୋଇଗଲା-। ସ୍ତ୍ରୀ ମନେମନେ ଯିମିତି ଏଥର ଗୋଟାଏ ସାହସ ପାଇଲେ–ଏବେ ମାଇଲେ ସତ୍ୟବତୀଙ୍କ ଆଗରେ କହିଦେବି, ଆଉ ଯିବ କୁଆଡ଼େ ଏଥର ? କାଲି ରାତିର ଅସଲ କଥାତ କହିଲି ନାହିଁ, ତେବେ ଦେଖିଥାନ୍ତା କିମିତି ମରଦ ସେ, ଭଲ ଜାଗାକୁ ମୋତେ ଆଣିଛି, ଏଠି ଆଉ ବାଟ ନାହିଁ । ମାରିବ, ଏଡ଼େ ମାଇଲାବାଲା ।

 

ସତ୍ୟବତୀ ଫେରିଲେ, ବାରିଆଡ଼ୁ ଜ୍ୱଳନ୍ତା ନିଆଁ ଆସ୍ତେ ଆସ୍ତେ ଲିଭି ଆସିଲା ପରି । ଅଗଣା ଭିତରକୁ ଆସି ଯାମିନୀବାବୁଙ୍କୁ ଡାକି କହିଲେ–ଦେବୁଟି ଟିକିଏ କଣ ଔଷଧ, ତା’ର ସେ ଦିହ ମୁହଁ ଯୋଉଠି ସବୁ ଖଣ୍ଡିଆ ହେଇଛି, ଲଗଉ । ପୁଣିତ ସେ ଭଜର ବଡ଼ ପୁଅର ଜ୍ୱର ହେଲାଣି-। କ’ଣ କରିବି ଏଥିରେ ? ସ୍ତ୍ରୀଟା ରୋଗରେ ମରୁଛି, ସେଥିରେ ପୁଣି ତାକୁ ମାରି ଖଣ୍ଡିଆ କରିଦେଇଛି ।

 

ମା’ଙ୍କର ବିରକ୍ତି ଦେଖି ଏଇ ସୁଯୋଗରେ ଯାମିନୀବାବୁ ମା’ଙ୍କୁ ଔଷଧ ଦଉଦଉ ଗୋପନ ଭାବରେ କହିଲେ–ମା’ ମୁଁ ଗୋଟାଏ କଥା ଭାବିଛି । ଭଜଦାର ସ୍ତ୍ରୀଙ୍କୁ ଏବଂ ପୁଅକୁ ଦେଇ ମେଡ଼ିକେଲ୍‌ରେ ରଖେଇ ଦେଲେ ଭଲ ହବ । ସେଠି ସବୁ ରକମ ସାହାଯ୍ୟ ପାଇବେ । ତାଙ୍କ ପିଛାରେ ତ ଅଭିକା କେତେ ଔଷଧ ପାଣି ଲାଗିବ, ତାକୁ ମୁଁ କି ସବୁ ଚଳେଇପାରେ ? ମୋର ତ ନୂଆ ଦୋକାନ, ଏଥିରେ ସେମାନଙ୍କୁ କିମିତି ବିନା ପଇସାରେ ଏତେ ଔଷଧ ଦେଇ ଚଳେଇବି, କ’ଣ କହୁଛୁ ?

 

ସତ୍ୟବତୀ ପୁଅର କଥାର ଉତ୍ତର ଦବାକୁ ଯାଇ କହିଲେ–ଭଲକଥା, ତା’ ଯଦି କରିପାରୁ, ବେଶ୍‍ ଭଲହବ । ସେମାନେ ସେଠି ରହନ୍ତେ, ମୁଁ ମଧ୍ୟ ବେଳେ ବେଳେ ଯାଇ ଦେଖି ଆସନ୍ତି । ଭଲ କଥା, ତେବେ ଆଜି ସେମାନଙ୍କୁ ନେଇ ଛାଡ଼ି ଆ । ଏଠି ତଳେ ଶୋଉଛନ୍ତି ବେମାରିଆ ମଣିଷ । ସେଠି ଖଟ ମଶାରି ପାଇବେ, ପଥି, ଔଷଧ ପାଣି ସବୁପାଇ ତା’ରତମରେ ରହିବେ, ଭଜ ମଧ୍ୟ ନିତିଯାଇ ଦେଖି ଆସିବ ।

 

ଭଜହରିକୁ ଏକଥା ମଧ୍ୟ ସତ୍ୟବତୀ ପ୍ରକାଶ୍ୟଭାବରେ ପଚାରିଲେ–ଶୁଣ ଭଜ, ତମର ସ୍ତ୍ରୀ ଆଉ ପୁଅକୁ ମେଡ଼ିକେଲ୍‌ରେ ନେଇ ରଖେଇବାର କଥା ଭାବୁଛି । ତୁମର ମତ କଣ ? ମୋ ମତରେ ବେଶ୍‍ ଭଲ ହେବ । ସେମାନେ ଭଲ ହୋଇଗଲେ ଏଠିକି ଚାଲିଆସିବେ । ରୋଗ ସ୍ତ୍ରୀର ଦିହରେ ତ ମାଡ଼ ବନ୍ଦ ନାହିଁ । ଚିକିତ୍ସାର ତ୍ରୁଟି କାହିଁକି ? ମେଡ଼ିକଲ୍‌ରେ ଅନେକ ସୁବିଧା ହବ । ହେଇତ ପୁଅଟିର ଜ୍ୱର ଛାଡ଼ିଥିଲା, ପୁଣି ହେଲା । ଏ କେବଳ ତଳେ ଶୋଇ ଥଣ୍ଡା ଲାଗି ଜର ନେଉଟିଲା ।

 

ଭଜହରି ମତ କଣ ଦେବେ, ମନେମନେ ଭାବିଲେ–ମେଡ଼ିକଲ ଯୋଉ ଜାଗା ! ଏ ଯେଉଁ ସ୍ତ୍ରୀ ! ଖାଲି ଝୋଟକୁ ନିଆଁ । ଏ’ତ ଏଇଥିରେ ମୋତେ ଖାତିରି କରୁ ନାହିଁ । ଆଉ ମେଡ଼ିକଲକୁ ଗଲେ, ସେ କିଏ ? ମୁଁ କିଏ ? ଦ୍ୱିତୀୟରେ ସେ ଟିକିଏ ଯା ସ୍ତ୍ରୀର ଅଳ୍ପ ଦୂରରେ ରହି ନିଶାଯାପନ କରୁଛନ୍ତି, ସେତକ ମଧ୍ୟ ବନ୍ଦ ହେବ ।

 

ଏଇ ସବୁ ଭାବନା ଭିତରେ ଭଜହରିର ମନର ଅବସ୍ଥା ଇମିତି କାଉଳି ହୋଇ ଉଠିଲା, ସତେକି ତାଙ୍କ ଅନ୍ତର ଭିତରୁ ବାହାରି ପଡ଼ିବ–କି ହେଲାରେ, କହିତ ନୁହଇ ଭାରତୀରେ.........

 

ସତ୍ୟବତୀ ଭଜହରିକୁ ନୀରବ ଦେଖି ପୁଣି ପ୍ରଶ୍ନ କଲେ–କଣ ମନ ହେଉ ନାହିଁ, ମେଡ଼ିକଲରେ ଛାଡ଼ିବା ପାଇଁ ? ସେଠି କିଛି ଭୟ ନାହିଁ । ମାଇପି ଲୋକ ଯେଉଁ ଓ୍ୱାର୍ଡରେ ରହନ୍ତି, ସେଇଠି ରହିବ । ସେଠିତ ଆଉ କୌଣସି ଭୟ ନାହିଁ । ସେଠି କେତେ କାଇଦା କଟକଣା, କ’ଣ କହୁଛ ? ଭଲ ହେଲେ ପୁଣି ନେଇ ଆସିବ.........

 

ଭଜହରି ଏତେବେଳେ ଭାବିଲେ–ସତେତ, ସେଠି ଫିମେଲ ଓ୍ୱାର୍ଡରେ ରହିବ । ସେଠିତ ଡାକ୍ତରାଣୀ, ନର୍ସ ପୁରୁଷଙ୍କର କିଛି ଜୁଲୁମ ନାହିଁ । ତେବେ ଡାକ୍ତର ତ ଆସେ, ନିତି ଥରେ ବୁଲିଯାଏ-। ରାତିରେ କଣ ହୁଏ, କିଏ ଜାଣିଛି ?

 

ଭଜହରି ଦେଖିଲେ, ସତ୍ୟବତୀ ଯେତେବେଳେ କହୁଛନ୍ତି ଡାକ୍ତରଖାନାରେ ନେଇ ଛାଡ଼ିବା ପାଇଁ ଏଥିରେ ସେ ଆଉ କଣ କହିବେ ? ଯଦି ପ୍ରତିବାଦ କରି ନାହିଁ କହନ୍ତି, ତା’ହେଲେ ବୋଧହୁଏ ସତ୍ୟବତୀ କାଲି ରାତିର ଘଟଣା କହି ପୁଣି ବକିବେ । ସେ କ’ଣ ନାହାନ୍ତି ? ସବୁ ଜାଣି ପାରିଛନ୍ତି । ତାଙ୍କର ସ୍ତ୍ରୀ ତାଙ୍କୁ ସବୁ କଥା କହି ସାରିଛି । ଆଉ ଉପାୟ କଣ ?

 

ଭଜହରି ରାଜି ହେଲେ । ସତ୍ୟବତୀ ଖୁସି ହୋଇ ଉଠିଲେ । ଏତିକିବେଳେ ଭଜହରିର ସ୍ତ୍ରୀ ମଧ୍ୟ କହି ପକାଇଲେ–ହଁ, ମୁଁ ମେଡ଼ିକଲକୁ ଗଲେ, ଭଲ ହୋଇଯିବି । ଆମର ସେଠି ଜଣେ ଗାଁର ଲୋକ ଡାକ୍ତର ହେଇଛନ୍ତି । ତାଙ୍କ ସହିତରେ ଯଦି ଦେଖା ହୁଏ, ସେ ମୋର କେତେ ଯତ୍ନ ନେବେ.......

 

ଭଜହରି ସ୍ତ୍ରୀର ଏକଥା ଶୁଣି ତାଙ୍କୁ ଜଣାଗଲା–ସେ ଯେମିତି ଅକସ୍ମାତ ଗୋଟାଏ ଗାତରେ ଗଳି ପଡ଼ିଲେ । ଖାଲି ଦାନ୍ତ ଚାପି ରହିଗଲେ । କାଲି ରାତିରେ ତ ଗୋଟାଏ ଭୁଲ କାମ କରି ପକେଇଛନ୍ତି । ନୋହିଲେ ଅଭିକା ଦେଖନ୍ତେ ହାତେ ।

 

ଯାମିନୀବାବୁ ସ୍ଥିର କଲେ, ରାତି ୯ଟା ପରେ ମେଡ଼ିକଲକୁ ନେଇ ଗଲେ ସେଠି ଜାଗା ପାଇବାର ସୁବିଧା କରେଇ ଦେଇପାରିବେ । ତା’ପରେ ଦିନବେଳେ ସେଠି ଅନେକ ରୋଗୀର ସମାଗମ ହୁଏ । ଯଦି ନାହିଁ କରିଦେଲେ–ନା ଅଭିକା ଜାଗା ନାହିଁ । ଆଉ ମିଳିବା ମୁସ୍କିଲ । ସେଇ ରାତିବେଳେ ଗଲେ ସୁବିଧା ହବ । ନିରୋଳାରେ ଯେଉଁ ଡାକ୍ତର ଥିଲେ ତାଙ୍କୁ ଧରା ଧରି କଲେ ଜାଗା ନ ଥିଲେ ମଧ୍ୟ ଜାଗା ମିଳିପାରେ । ଗରିବ ଲୋକର କଥା, ଯେ କୌଣସି ଅପରିଚିତ ଲୋକ ଥିଲେ ମଧ୍ୟ ସେ ଜାଗାର ସୁବିଧା କରିଦେବେ ।

 

ଯାମିନୀବାବୁଙ୍କ ପ୍ରସ୍ତାବରେ ସତ୍ୟବତୀ ମଧ୍ୟ କହିଲେ–ହଁ, ଭୁଆସୁଣୀଟା, ଦିନବେଳେ କୁଆଡ଼େ ଯିବ ? ସେଇ ରାତିବେଳେ ସୁବିଧା ହବ ।

 

ଜହ୍ନରାତି, ପୁଣି ଶରତକାଳ । ଗାଁ ଗହଳିରେ ଜହ୍ନର ସୌନ୍ଦର୍ଯ୍ୟ ଯିମିତି, ଫାଙ୍କା ଜାଗାରେ ମଧ୍ୟ ସିମିତି । ଅଗଣା ଭିତରେ ଜହ୍ନ ପଡ଼ିଲେ ଯେମିତି ସୁନ୍ଦର ରାସ୍ତା ଉପରେ ମଧ୍ୟ ସେମିତି ।

 

ଯାମିନୀବାବୁ ରାତି ୯ଟା ପରେ ସସ୍ତ୍ରୀକ ଭଜହରିକୁ ମେଡ଼ିକଲ୍‌କୁ ନେଇ ବାହାରିଲେ । ଭଜହରି ପଫକୁ କାଖେଇଲେ, ତାଙ୍କର ସ୍ତ୍ରୀ ବଭକୁ କାଖେଇ ଧୀରେ ଧୀରେ ଚାଲିବାକୁ ଲାଗିଲେ ।

 

ଘରୁ ଯେତେବଳେ ଭଜହରି ତାଙ୍କର ସ୍ତ୍ରୀକୁ ନେଇ ବାହାରିଲେ, ସତ୍ୟବତୀ ମନେମନେ ବ୍ୟଥିତା ହୋଇ ପଡ଼ିଲେ । କାରଣ–ଲୋକଗୁଡ଼ା ଥିବାଦ୍ୱାରା ଘରେ ଗୋଟାଏ ଗହଳ ଚହଳ ଲାଗିଥିଲା, ପୁଣି ଭଜହରି ତା’ର ସ୍ତ୍ରୀକୁ ମାରିବାର କଥା ଯେମିତି ତାଙ୍କର ମନେ ପଡ଼ିଗଲା, ଭାବିଲେ–ଯାଇଛି ଭଲ ହେଇଛି, କେମିତି ସେମାନେ ଭଲ ହୁଅନ୍ତୁ, ରୋଗା ଦିହରେ ପୁଣି ମାଡ଼ !

 

ବଧୂ ସୁରମା କହିଲେ–ମା, ସେମାନେ ମେଡ଼ିକଲକୁ ଯାଇଛନ୍ତି; ଭଲ ହୋଇଛି, କି ଜଞ୍ଜାଳ ! ଭଗବାନଙ୍କ ଦୟାରେ ସେମାନେ ଭଲ ହୋଇ ଆସନ୍ତୁ ।

 

ରାତି ୧୧ ଟା । ଯାମିନୀବାବୁ ଫେରି ଆସି ଡାକିଲେ–ମା ।

 

ସତ୍ୟବତୀ ଦୁଆର ଖୋଲି ଦେଇ ପଚାରିଲେ–କଣ ସେମାନେ ରହିଲେ ସେଠି ? ଯା’ହଉ ଭଲ ହେଲା । ମୁଁ କାଲି ଯାଇ ଦେଖି ଆସିବି, ଭଜହରି କଣ ସେଇଠି ରହିଲା ? ସେ କେମିତି ମାଇପିଙ୍କ ଓ୍ୱାର୍ଡରେ ରହିଲା ?

 

ଯାମିନୀବାବୁ ଏତେବେଳେ ଉତ୍ତର ଦବାକୁ ଯାଇ କହିଲେ–ମା, ଭଜଦାର କପାଳଟା ଇମିତି ଖରାପ ! କ’ଣ ଆଉ କହିବି ?

 

ସତ୍ୟବତୀ ଏତେବେଳେ ହଠାତ୍‌ ଚମକି ଉଠିଲା ପରି କହି ଉଠିଲେ–କିରେ କ’ଣ ହେଲା କି ?

 

ସତ୍ୟବତୀ ଯା ଭାବିଥିଲେ, କ’ଣ ସେଇଆ ହେଲା । ସତ୍ୟବତୀ ଭୟ କରୁଥିଲେ–ଭଜହରିର ସ୍ତ୍ରୀତ ଦୁର୍ବଳ ଅଛି । ଏତେ ବାଟ ଚାଲିଯିବ କିମିତି ? କାଳେ ଯଦି ବାଟରେ ଛାତି କଣ ହେଇ ରାସ୍ତାରେ ପଡ଼ି ପ୍ରାଣ ଛାଡ଼ିଯାଏ ! ବଡ଼ ପୁଅଟିତ କୁନ୍ଥଉଥିଲା.....

 

ସତ୍ୟବତୀ ଯାମିନୀବାବୁଙ୍କୁ ଦୁଃଖରେ ଥକାହୋଇ ବସିବାର ଦେଖି ବିକଳ ହୋଇ ପୁଣି ପଚାରିଲେ–କ’ଣ ହେଲା କହୁ ନାହୁଁ ? ଇମିତି ହେଇ ଆସି ବସିଲୁ କାହିଁକି ?

 

ଯାମିନୀବାବୁ ଏତେବେଳେ କହିଲେ–ଭଜଦା ଏବଂ ତାଙ୍କ ସ୍ତ୍ରୀ ଫେରି ଆସୁଛନ୍ତି । ମେଡ଼ିକେଲ୍‌ରେ ଜାଗା ମିଳିଲା ନାହିଁ ।

 

ସତ୍ୟବତୀ ଏତେବେଳେ ଗୋଟାଏ ଦୀର୍ଘ ନିଶ୍ୱାସ ଛାଡ଼ି କହିଲେ–ଓଃ, ପାପ ମନ, କ’ଣ ଗୁଡ଼ାଏ ଭାବିଗଲି, ମୋ ଦିହଟା କ’ଣ ହେଇଗଲା, ଆଗେ ତୋ’ କଥା ଶୁଣି । ହଇରେ ଜାଗା ମିଳିଲା ନାହିଁ ?

 

ଏଇ ସମୟରେ ଭଜହରି ସସ୍ତ୍ରୀକ ଫେରି ଆସି ଖୁସି ମନରେ ହସିହସି ସତ୍ୟବତୀଙ୍କୁ କହିଲେ–ନୂଆବୋହୁ, ‘କେଉଟ, ଯୋଉ ବାଟେ ଯାଇଥିଲ, ସେଇବାଟେ ନେଉଟ ।’ ମେଡ଼ିକଲରେ ଜାଗା ଟିକିଏ ନାହିଁ । ଯାମିନୀ ମୋ’ଲାଗି କମ ଚେଷ୍ଟାକଲା । କେତେଗୁଡ଼ା ବାଟ ମିଛେ ମିଛେ ଗଲୁ ଆସିଲୁ, ଅକାରଣ । ଜାଗା ମିଳିଥିଲେ କେତେ ସୁବିଧା ହୋଇଥାନ୍ତା ।

 

ଭଜହରିର ସ୍ତ୍ରୀର ମନ ବିମର୍ଷ ଦେଖି ଭଜହରି ମନେମନେ ଭାବିଲେ–ମନ ଦୁଃଖ ହେଇଗଲା ! ପ୍ରଭୁ, ମୋତେ ବଞ୍ଚେଇ ଦେଇଛନ୍ତି । ଏମିତିଆ ସ୍ତ୍ରୀର ମରିବା ଦରକାର । ପ୍ରଭୁ, ତୁମେ ଭରସା, ଜାଗା କେଭେ ନ ମିଳୁ, ଇମିତି ଡାକ୍ତରଖାନାରେ ସଦାବେଳେ ରୋଗୀ ଭର୍ତ୍ତି ହୋଇଥାନ୍ତୁ । ଓଃ, ଡାକ୍ତରଖାନାରେ ରହିଥିଲେ କେତେ ଗରାଖ ଯୁଟି ଯାଇଥାନ୍ତେ !

 

ଭଜହରି ମନେମନେ କହିଲେ–କାନ୍ଦିଲେ କି ହେବ କରୀନ୍ଦ୍ରଗମନା, ଇନ୍ଦ୍ର କି ସହଜେ ଛାଡ଼ିବ–

 

-୧୧-

 

ଭଜହରିର ଚାକିରି ଉଦ୍ଦେଶ୍ୟରେ ଯାମିନୀବାବୁ ପୁଣି ଦିନେ ବଜାରକୁ ବାହାରି ବନ୍ଧୁ ବିନୟଙ୍କ ସହିତ ଦେଖା କଲେ ।

 

ବିନୟ ବାବୁ କାର୍ଯ୍ୟବ୍ୟସ୍ତଥିବାରୁ ଯାମିନୀବାବୁ ତାଙ୍କର ଅଳ୍ପ ଦୂରରେ ଗୋଟିଏ ଚୌକି ଉପରେ ବସିଲେ ନୀରବ ହୋଇ । ମନେ ମନେ ଭବୁଥାନ୍ତି–ସତେ ଆଜି ଚାକିରି ଯୁଟିବ ? ପ୍ରଭୁ ତୁମେହିଁ ଭରସା । ବିନୟବାବୁ କାର୍ଯ୍ୟ ଶେଷ କରି ହସି ହସି ପଚାରିଲେ–କି ଯାମିନୀ, ଖବର କଣ-? ଗୀତ ପଢ଼ୁଛ ? କିମିତି ଲାଗୁଛି ?

 

ଯାମିନୀବାବୁ ଉତ୍ତର ଦେଲେ–ହଁ ପଢ଼ୁଛି, ଲାଗିବ ଆଉ କିମିତି ? ବର୍ତ୍ତମାନ ତ ଆରମ୍ଭ କରିଛି । କେତେଗୁଡ଼ାଏ ପଢ଼ିଗଲେ ତା’ ପରେ ଭଲ ମନ୍ଦ କହି ପାରିବି, କିନ୍ତୁ ଗୀତା ପାଠ ଆରମ୍ଭ କରିତ ପୁଣି ବିପଦରେ ପଡ଼ିଛି ।

 

ବିନୟବାବୁ ଟିକିଏ ଚକିତ ହୋଇ ପ୍ରଶ୍ନ କଲେ–କି ବିପଦରେ ପଡ଼ିଛ ।

 

ଯାମିନୀବାବୁ ଉତ୍ତର ଦେଲେ–ବିପଦ ଏଇଯେ-ଯେଉଁ ଲୋକଟିର ଚାକିରି ଲାଗି ତୁମକୁ ଅନୁରୋଧ କରୁଥିଲି, ସେ’ତ ମୋ କତିରେ ଥିଲା, ମଝିରେ କେତେଦିନ ଗାଁକୁ ପଳେଇଲା, ପୁଣି ବର୍ତ୍ତମାନ ସପରିବାରେ ଆସି ମୋ ଘରେ ଉପସ୍ଥିତ । ସେଥିରେ ତା’ର ସ୍ତ୍ରୀ ଏବଂ ବଡ଼ ପୁଅଟି ବିଶେଷ ଅସୁସ୍ଥ । ଆହୁରି କୋଳରେ ମାସକରୁ କମ ହେବ ଗୋଟିଏ ପିଲା । ଏ ସମସ୍ତଙ୍କର ଖାଦ୍ୟ ପେୟ, ଔଷଧପତ୍ର ଇତ୍ୟାଦି ସବୁ ମୋରି ଉପରେ ବର୍ତ୍ତମାନ ଚାଲିଛି । ଆଜି କାଲିତ ସମୟ ବୁଝୁଥିବ, କିମିତି ଖରଚ । ସେ ଖରଚପତ୍ର ଯା’ ହେଉ ଘରେ ବେରାମିଆ ଲୋକ ରଖିବାର ମୋର ଆଦୌ ଇଚ୍ଛା ନୁହେଁ । କାରଣ କେତେ ଜଗିରହି ଚଳିବ ? ପିଲାଛୁଆ, କା’କୁ ଯଦି ରୋଗ ଧରିବ ତ ପୁଣି ସେ ଏକ ବିପଦ ! ଏଇ ସବୁ ଭାବନା ଚିନ୍ତାରେ ମୋର ମନ ଆଦୌ ଭଲ ନାହିଁ । ଏଥିମଧ୍ୟରେ ମେଡ଼ିକଲକୁ ନେଇ ଯାଇଥିଲି, ତା’ର ସ୍ତ୍ରୀ ଏବଂ ପୁଅକୁ ସେଠି ରଖେଇ ଦବାପାଇଁ, ସେଠି ରହିଲେ ଭଲ ହୋଇଥାନ୍ତା । କିନ୍ତୁ ଜାଗା ମିଳିଲା ନାହିଁ, ଏପରିକି ତଳେ ରହିବାକୁ ସୁଦ୍ଧା ଜାଗା ନାହିଁ । କ’ଣ କରେ, ଏଥିରେ ସେ ଲୋକକୁ ଯଦି ଖଣ୍ଡେ ଚାକିରି ଯୁଟିଯାନ୍ତା, ତା’ହେଲେ ଜାଣି ପାରିଲି ଲୋକଟାକୁ ମୁଁ କିଛି ସାହାଯ୍ୟ କରିଛି । ଆଉ ଅନ୍ୟ ଜାଗାରେ ଗୋଟିଏ ବସାଘର ଠିକ୍‌ କରିଦେଲେ ତାଙ୍କର ସେମାନେ ଅଲଗା ହୋଇ ରହନ୍ତେ । ସେ ଲୋକ ଯାହା ପାଆନ୍ତା, ସେଥିରେ ମଧ୍ୟ ସେମାନେ ଚଳିଯାନ୍ତେ ।

 

ବିନୟବାବୁ ଏତେବେଳେ ହସି ହସି କହିଲେ–ଏଇ ବିପଦ, ଏଥିରେ ଏତେ କାତର ହୋଇ ପଡ଼ୁଛ କାହିଁକି ? ଭଗବାନ ଚଳେଇବାର ଲୋକ, ସେ ଚଳେଇ ନେବେ, ତୁମେ କେବଳ ନିମିତ୍ତ ହୋଇପାର । ଦୁନିଆରେ କେହି କାହାରି କିଛି କରେ ନା ଯାମିନୀ, ଭଗବାନ ହିଁ ସବୁ କରନ୍ତି-। ପଢ଼ ପଢ଼ ଗୀତା ପଢ଼, ସବୁ ଜାଣି ପାରିବ । ଶୁଣିବ, ଗୀତା ପଢ଼ି ଶୁଣେଇବି ?

 

ଯାମିନୀବାବୁ ବିନୟବାବୁଙ୍କର ଏକଥାରେ ମନେମନେ ଟିକିଏ ବିରକ୍ତ ହେଲେ, କିନ୍ତୁ ବିରକ୍ତିକୁ ବାହାରେ ପ୍ରକାଶ ନ କରି କହିଲେ–ଦେଖ ବିନୟ, ଆଜି ମୋତେ ଆଉ ସମୟ ନାହିଁ ବସିବା ପାଇଁ । ମୁଁ କ’ଣ କରିବି କହିଲ ? ତାକୁ ଚାକିରି ଖଣ୍ଡେ ଦେଇ ପାରିବ ? ଗରିବର ଉପକାର ହୁଅନ୍ତା ଏବଂ ମୋର ମଧ୍ୟ ଉପକାର ହୁଅନ୍ତା । ମୋତେ ବିଶେଷ ଖରାପ ଲାଗୁଛି ଆଜି ।

 

ବିନୟବାବୁ ଯାମିନୀବାବୁଙ୍କ କଥା ଶୁଣି ଆଖିରେ ଭକ୍ତିର ସୂଚନା ଦେଖେଇ ସ୍ମିତମୁଖରେ କହିଲେ–ଯାମିନୀ, ବ୍ୟସ୍ତ ହୁଅନା । ମୁଁ ତା’କୁ ଚାକିରି ଦେଇପାରେ ? କା’ର ଉପକାର କରିପାରେ ? ଯଦି ତାକୁ ଚାକିରି ଯୁଟେ, ସେ ତୁମରି ଗୀତା ପାଠର ଫଳ, ସେ ଭଗବାନଙ୍କର ଦାନ-। ସେଥିରେ କାହାରି ହାତ ନାହିଁ । ମୁଁ କେବଳ ନିମିତ୍ତ ହୋଇପାରେ ।

 

ଯାମିନୀବାବୁ ବିନୟବାବୁଙ୍କ କଥାରେ ଆହୁରି ଟିକିଏ ବିରକ୍ତ ହୋଇ ମନେମନେ ଭାବିଲେ–ବୁଝିଲି ଭଗବାନ ଲୋକଙ୍କୁ ଚାକିରି ଦିଅନ୍ତି, ପୁଣି ବେକାର ମଧ୍ୟ କରନ୍ତି । କାହିଁକି ? କି ରହସ୍ୟ ୟା ଭିତରେ ? ଲୋକ ଯେ ଖାଇବା ବିନା ମରୁଛି, ତା’ର ଭଗବାନଙ୍କ ଉପରେ ବିଶ୍ୱାସ ରହୁଛି କାହିଁ ? ସେ ବିଶ୍ୱାସ ରଖି ପାରୁଛି କାହିଁ ? ଭଗବାନ କଣ ଗରିବ ଲୋକର ବିଶ୍ୱାସର ସୀମା ମଧ୍ୟରେ ରହିବାକୁ ବୋଧହୁଏ କୁଣ୍ଠାବୋଧ କରନ୍ତି ? ତା’ନ ହେଲେ ଦୁଃଷ୍ଟ ଲୋକ ଭଗବାନଙ୍କ ଉପରେ ବିଶ୍ୱାସ ରଖି ପାରେନା କାହିଁକି ? ଭଗବାନ କଣ ଦୁସ୍ଥ ଲୋକକୁ ମଧ୍ୟ ପରୀକ୍ଷା କରନ୍ତି–ସେ ତାଙ୍କୁ ବିଶ୍ୱାସ କରୁଛି କି ନା ? ତାଙ୍କ ଉପରେ ନିର୍ଭର କରୁଛି କି ନା ? ଏ କଣ ସମ୍ଭବ ଦୟାମୟଙ୍କ ପକ୍ଷରେ.....

 

ଯାମିନୀବାବୁ ଏଇ ସବୁ ବିକ୍ଷିପ୍ତ ଚିନ୍ତାରେ ଜାଲ ମଧ୍ୟରୁ ଅସଲ କଥା କଣ କିଛି ଠିକ୍‌ କରି ନ ପାରି ଶେଷରେ ଆଉ ଥରେ ପଚାରିଲେ–ବିନୟ, ଦେଇ ପାରିବ ଚାକିରି ଖଣ୍ଡେ ଗରିବକୁ-?

 

ବିନୟ ବାବୁ ଏତେବେଳେ ହସି ହସି କହିଲେ–ଆଛା ଯାମିନି, କାଲି ତାକୁ ପଠେଇ ଦିଅ ମୋ କତିକି ।

 

ଯାମିନୀ ବାବୁ ପୁଣି ପ୍ରଶ୍ନ କଲେ–କଣ କାଲି ସେ ଚାକିରିରେ ରହିପାରିବ ?

 

ବିନୟ ବାବୁ ସହାସ୍ୟେ–ହଁ ।

 

ଯାମିନୀବାବୁ–କଣ ଏ ନିଶ୍ଚୟ କଥା ?

 

ବିନୟ ବାବୁ–ନିଶ୍ଚୟ, କିନ୍ତୁ ତା’ ଭାଗ୍ୟକୁ ଯା’ଯୁଟିବ, ଚପରାସି ହେଇପାରେ, କୁଲି ମଧ୍ୟ ହେଇପାରେ । କୁଲି ହେଲେ ସପ୍ତାହ ଶେଷରେ ତା’ର ମଜୁରି ପାଇବ । ଆଉ ଚପରାସି ହେଲେ ମାସ ଶେଷପରେ ତା’ର ଦରମା ପାଇବ । ତେବେ କୁଲି କାମହିଁ ବେଶି ସମ୍ଭବ । ମୋର ଯେପରି ବିଶ୍ୱାସ ଦଳେ କୁଲି ଆମର କିଛି ଦିନ ପାଇଁ ରହିବାର ପ୍ରସ୍ତାବ ହେଇଛି । ଯେତେଦିନ ରହିବେ, ତୁମର ଲୋକଟି ସେତେ ଦିନ ଯାଏ ରହିଥିବ । ୟା ମଧ୍ୟରେ ଆଉ ଯଦି କିଛି କାମ ଯୁଟେ, ପୁଣି ସେଥିରେ ରଖେଇ ଦେଇପାରେ । ମୁଁ ପାରେ ବୋଲି ଯେ କହୁଛି, ମୁଁ ନୁହେଁ, ମୋ ଉପରେ ସେ ଭଗବାନ ବୋଲି ଜଣେ ଅଛନ୍ତି, ସେହି ପାରିବେ ।

 

ଯାମିନୀବାବୁ ଏତେବେଳେ ହସି ହସି କହିଲେ–ଧନ୍ୟ ବଡ଼ବାବୁ ତୁମେ, ତୁମରି ଉପରେ ଭଗବାନ ଅଛନ୍ତି, ଆଉ ପ୍ରେସ୍‍ର ମାଲିକ ଅଛନ୍ତି, ଆଉ ତୁମ ସାମନାରେ ମୋର ସେ ଲୋକଟି ପରି, କେତେଗୁଡ଼ିଏ ଲୋକ ହାତଯୋଡ଼ି ରହିଛନ୍ତି, ତୁମ ତଳକୁ ପ୍ରେସ୍‍ର ଅନ୍ୟାନ୍ୟ କର୍ମଚାରୀ ରହିଛନ୍ତି, ଆଉ ପଛଆଡ଼େ ରହିଛି–ଯନ୍ତ୍ରଦାନବ-ମୁଦ୍ରାଯନ୍ତ୍ର-ପ୍ରେସ୍‍ । ବେଶ well guarded ହୋଇ ରହିଛି । ତୁମର (boundary) ତ ମନ୍ଦ ନୁହେଁ ! ଆଉ ଗରିବର ପରିସ୍ଥିତି ଶୁଣିବ ବିନୟ;–ତା’ର ହାଡ଼ଚମର ଆବରଣର ତଳେ ମାଟି, ଉପରେ– ଆକାଶ, ସାମନାରେ–ହା’–ହୁତାଶର ଚଳଚିତ୍ର, ଆଉ ପଛ ପଟେ–ଧନୀ ହାତରେ ଅର୍ଦ୍ଧଚନ୍ଦ୍ର, ମୁଷ୍ଟି, ବିଧା, ବେତ୍ରାଘାତ.......

 

ଯାମିନୀବାବୁ ଏତେବେଳେ ଟିକିଏ ନିଜକୁ ସଂଯତ କରି କହିଲେ–କ୍ଷମାକର ବିନୟ, କଣ ଗୁଡ଼ାଏ କହିଗଲି ।

 

ବିନୟବାବୁ ବନ୍ଧୁ ଯାମିନୀର କଥା ଶୁଣି ଶୁଣି ଏତେବେଳେ ଟିକିଏ ଅଧୈର୍ଯ୍ୟ ହେଲାପରି କହି ଉଠିଲେ–ପ୍ରକୃତ କଥା କହିଛ ଯାମିନୀ । ଏଥିରେ ମୋଠାରେ ତୁମର କ୍ଷମାଭିକ୍ଷା କରିବାର କିଛିନାହିଁ । ମୁଁ ବଡ଼ବାବୁ ହୋଇଛି ସତ, କିନ୍ତୁ ମୁଁ ଯେ ସଟ୍ ହ୍ୟାଣ୍ଡବାଲା । ମୋର ହାତ ଦୁଇଟି ବଡ଼ ନୁହେଁ । ମୁଁ ସବୁ ବୁଝେ କିନ୍ତୁ ମୋର ହାତରେ ଆଇନର ଶୃଙ୍ଖଳ, ଆଉ ମୋ’ ସାମନାରେ ଯୁଦ୍ଧଫେରନ୍ତାଙ୍କ ଅର୍ଗଳ । କ’ଣ କରିବି ? ଖାଲି ମରମେ ମରୁଛି ।

 

ଯାମିନୀବାବୁ ବନ୍ଧୁ ବିନୟର କଥାର ଶେଷରେ କହିଲେ ଆଚ୍ଛା ମୁଁ ଆଜି ଯାଉଛି, କାଲି ତାକୁ ପଠେଇ ଦେବି, ଯିମିତି ସେ ଆଉ ଫେରି ଯାଏନା ।

 

ବିନୟବାବୁଙ୍କ କତିରୁ ବିଦାୟ ନେଇ ଯେତେବେଳେ ଯାମିନୀବାବୁ ପ୍ରେସ୍‍ର ହତା ଟପି ରାସ୍ତା ଉପରକୁ ଆସିଲେ– ମନରେ ଆନନ୍ଦ ଭରପୂର । ଠିକ୍‍ ନିଜର ଚାକିରି ଯୁଟିଲା ପରି, ମନେମନେ ବନ୍ଧୁ ବିନୟର ଭୂରି ଭୂରି ପ୍ରଶଂସା କରିବାକୁ ଲାଗିଲେ ।

 

ଯାମିନୀବାବୁ ଯେତେବେଳେ ଘରେ ଆସି ପହଁଚି ମା’ ସତ୍ୟବତୀଙ୍କୁ ଭଜଦାଙ୍କର ଚାକିରିର ସୁସଂବାଦ ଦବାକୁ ଗଲେ, ଏଇ ସମୟରେ ସତ୍ୟବତୀ ଆଗେ ଭୀତ ଚକିତ ହୋଇ ପୁଅ ଯାମିନୀକୁ ଦେଖି କହିବାକୁ ଲାଗିଲେ–ଯାମିନୀ, ତୁ’ତ ନଥିଲୁ କିଏ ଜଣେ କ’ଣ ଗୋଟାଏ କାଗଜ ଆଣିଥିଲା । ଭଜ ଆମ ଦୁଆରେ ଠିଆ ହୋଇଥିଲା, ଭଜକୁ ସେ ଲୋକଟା କହିଲା, ତା’ କାଗଜରେ ଗୋଟାଏ ଦସ୍ତଖତ ଦବାପାଇଁ । ଭଜକୁ ମୁଁ ମନା କରୁଛି, ଭଜ ସେଥିରେ ଗୋଟାଏ ଦସ୍ତଖତ କରିଦେଲା, କିଛି ବୁଝିଲା ନାହିଁ, ହଠାତ୍ ଦସ୍ତଖତଟାଏ କରିଦେଲା । ମୁଁ କହିଲାରୁ କହୁଛି–କ’ଣ ହେଇଗଲା ? ଦସ୍ତଖତ କଣ ଇମିତି କରନ୍ତି ନାହିଁ ? ଯେ ଲୋକଟା କାଗଜ ଆଣିଥିଲା, ସେ ଗୋଟାଏ ଚପରାସି ପରି ଦିଶୁଥିଲା । ତୁ ବୁଝତ ଟିକିଏ କଣ ଏ କଥା ! ବାବୁ କେତେ ରକମର କାଗଜପତ୍ର ଆସୁଛି, ବୁଝିସୁଝି ସିନା ଦସ୍ତଖତ କରିବାକୁ ହୁଏ । କି ବିପଦ ଏ ! ତୁ ବୁଝିଲୁ ।

 

ଯାମିନୀବାବୁ ଆଉ ସୁସମ୍ୱାଦ ଦେବେ କଣ, ଥକ୍କା ହେଇ ବସି ପଡ଼ିଲେ । ଅଦୂରରେ ଭଜହରି ବସିଥାନ୍ତି ଗୋଟାଏ ବାହାଦୁରି କାମ କରିଥିବାର ଭଙ୍ଗୀରେ ।

 

ଯାମିନୀବାବୁ ଭଜହରିକୁ ପ୍ରଶ୍ନ କଲେ–ଭଜଦା, କାହିଁରେ ଦସ୍ତଖତ କଲ ? କି କାଗଜ ସେ, କିଏ ଆଣିଥିଲା ?

 

ଭଜହରି ଏତେବେଳେ ଫୁର୍ତ୍ତିର ସହିତ କହିବାକୁ ଆରମ୍ଭ କଲେ–ଜଣେ ଚପରାସି ଆଣିଥିଲା ଗୋଟାଏ ନୋଟିସ୍’ ଏ ସାହିରେ ଜଣକ ଉପରେ ଜାରି କରିବା ପାଇଁ । ସେ ନୋଟିସ ନ ନେବାରୁ ତା’ ଦୁଆର ମୁହଁରେ ଟାଙ୍ଗିଦେଇ ଦୁଇଜଣ ସାକ୍ଷୀ ଖୋଜିଲା, ଜଣେ ସାକ୍ଷୀ ପାଇଲା, ଆଉ ଜଣେ ମିଳୁ ନଥିଲା, ସେଇଥିଲାଗି ମୋତେ କହିଲାରୁ ମୁଁ ଗୋଟାଏ ସାକ୍ଷୀହେଇ ଦସ୍ତଖତ କରିଦେଲି । ଏଥିରେ କ’ଣ ଇମିତି କ୍ଷତି ହୋଇଗଲା ? ସେ ଲୋକତ ମୋର ଦସ୍ତଖତ ଦେଖି ଭାରି ଖୁସି ହେଲା । ଇଂରାଜୀରେ ଦସ୍ତଖତ କରିବାର ଦେଖି ଯୋଉ ଖୁସି ହୋଇ ଯାଇଛି ! ଆଉ କଣ କହିବି ?

 

ଯାମିନୀବାବୁ ଭଜହରିର କଥାର ଶେଷରେ ପଚାରିଲେ–ଭଜଦା, ଆମର ସାହିର ଜଣେ ଲୋକ ଉପରେ ସେ ନୋଟିସ ଜାରି କରିବାକୁ ଆସି ଯଦି ସାକ୍ଷୀ ପାଉ ନ ଥିଲା, ତୁମେ କାହିଁକି ସେ ଜାଗାରେ ସାକ୍ଷୀ ହବାକୁ ଗଲ ? ଆମର ସାହିର ଲୋକ, ଆମେ ସାହି ପଡ଼ିଶା ହେଇ ଚଳୁଛୁ, ଆମର ସାହିର ଲୋକକୁ ସାହାଯ୍ୟ କରିବା ଦରକାର, ଆମେ କାହିଁକି ସାକ୍ଷୀ ହବାକୁ ଯିବୁ ? ତୁମେ କିଛି ନବୁଝି ନଶୁଝି ହଠାତ୍ ସାକ୍ଷୀ ହେଇ ଦସ୍ତଖତଟିଏ କରିଦେଲ ? ମା’ ତ ତୁମକୁ ମନା କରୁଥିଲେ, ତୁମେ ମା’ଙ୍କ କଥା ମାନିଲ ନାହିଁ କାହିଁକି ? ତୁମେ ଏଠି ବିଦେଶୀ ଲୋକ ।

 

ଭଜହରି ଏତେବେଳେ ଆଉ ଟିକିଏ ଜୋର ଗଳାରେ–ଏଠି କି ବିଦେଶ ? କଲିକତାରେତ ଯେତେବେଳେ ଥିଲି, କେତେ ଇମିତି ସାକ୍ଷୀ ହେଇଛି । ହଜାର ହଜାର ଦସ୍ତଖତ କରିଛି । ଦସ୍ତଖତ କରିବାରେ ମାଇପି ଲୋକଙ୍କ କଥା କଣ ଗୋଟାଏ ମାନିବି ? ତୁମେ ଦିଅ କଗଜ, ଦେଖ ଦସ୍ତଖତ କରୁଛି କି ନା ?

 

ଚପରାସିଟା ଆସି ହଇରାଣ ହେଉଥିଲା । ଗୋଟାଏ ଲୋକ ପାଉ ନଥିଲା । ତୁମ ସାହି ଇମିତି ! କେହି ଗୋଟାଏ ସାକ୍ଷୀ ହବାକୁ ବାହାରୁ ନାହାନ୍ତି । ଚପରାସିଟା କେତେ ହଇରାଣ ହେଲା-! ବୁଝିଲ ଯାମିନୀ, ତୁମେ ଯେମିତି ତୁମର ସାହିର ଲୋକକୁ ସାହାଯ୍ୟ କରିବାକୁ ଇଚ୍ଛା କରୁଛ, ସେମିତି ସେ ଚପରାସିକୁ ମୁଁ ସାହାଯ୍ୟ କରିବାପାଇଁ ଇଚ୍ଛା କରି ଦସ୍ତଖତ କରିଛି । କାରଣ, ଅଭିକା ସିନା ମୋର ଚାକିରି ଯୁଟି ନାହିଁ, ଚାକିରି ଯଦି ଯୁଟେ, କାଲି ସକାଳେ ହୁଏତ ମୁଁ ମଧ୍ୟ ଇମିତି ଜଣେ ଚପରାସି ହେଇପାରେ । ସେତେବେଳେ ମୁଁ ତ ଇମିତି ନୋଟିସ ଜାରି କରିବାକୁ ଯାଇ ସାକ୍ଷୀ ଖୋଜି ହଇରାଣ ହେଉଥିବି । ମୁଁ ଯଦି ପରକୁ ସାହାଯ୍ୟ କରିଥିବି ତ କାଲି ସକାଳେ ମୋତେ ଇମିତି କେହି ସାହାଯ୍ୟ ନିଶ୍ଚେ କରିବ । ଧର୍ମ କେଭେ ହଜିବ ନାହିଁ ଯାମିନୀ, ଧର୍ମ କେଭେ ହଜିବ ନାହିଁ । ସେଥିଲାଗି ଯେ ଯେତେବେଳେ ଦସ୍ତଖତ ମାଗେ, ସାକ୍ଷୀ ହବାକୁ ଡାକେ, ମୁଁ ଆଗେ ବାହାରି ପଡ଼େ । ଏଠି କଣ, ଦେଖିବ କଲିକତାରେ । ଯାନିମୀବାବୁ ଭଜହରିର ଏପରି କଥା ଶୁଣି ମନେମନେ ଲଜ୍ଜିତ ହୋଇ ନମ୍ରସ୍ୱରରେ କହିଲେ–ହଉ ଭଲ କରିଛ ଭଜଦା, ସାକ୍ଷୀ ହେଇ ଦସ୍ତଖତ କରିଛ । କିନ୍ତୁ ତୁମରି ଲାଗି ମୋର ସାହିଲୋକ କାଲି ସକାଳେ ମୋର ବିରୋଧୀ ହେଇପାରେ, କାରଣ ସେ ଶୁଣିବ ଯେ– ଯାମିନୀବାବୁଙ୍କ ଘରେ ଯେଉଁ ଲୋକଟି ନୂଆ ଏବେ ଆସି ରହିଅଛନ୍ତି, ସେ ଜଣେ ସାକ୍ଷୀ ହୋଇଛନ୍ତି । ସେ ତ ଭାବିପାରେ–ଯାମିନୀବାବୁ ତାକୁ ସାକ୍ଷୀହବାକୁ ମନା କଲେ ନାହିଁ କିମିତି ? ମୋର ଏ ପର୍ଯ୍ୟନ୍ତ ସାହିରେ କାହାରି ସହିତରେ ଅମେଳ ନାହିଁ । ଏଇଥର ଆରମ୍ଭ ହୋଇପାରେ । ଛାଡ଼, ତେବେ ତୁମର ଖଣ୍ଡେ କାମ ଯୁଟିଛି, କାଲି ତୁମେ ଯାଇ କାମରେ ଯୋଗ ଦେବ । ଛପାଖାନାର କାମ । ମୁଁ କାଲି ତମ ହାତରେ ଖଣ୍ଡେ ଚିଠି ଲେଖିଦେବି, ସେଠି ଜଣେ ମୋର ବନ୍ଧୁ ବଡ଼ ହାକିମ ହେଇଛନ୍ତି, ତାଙ୍କ ସହିତରେ ଯାଇ ଦେଖା କରିବାକୁ ହେବ । ସେ ତୁମକୁ ଯେଉଁଠି କାମ କରିବାକୁ ହୁକୁମ ଦେବେ । ସେଠି କରିବ ।

 

ଏତେବେଳେ ସତ୍ୟବତୀ ଏବଂ ଭଜହରି ଉଭୟେ ପଚାରି ଉଠିଲେ–କି କାମ ? ସତ୍ୟବତୀ କହିଲେ–ଯା ହଉ ପ୍ରଭୁ ତୁମେ ଭରସା । କଣ କହୁଥିଲି ଯାମିନୀ, ଚେଷ୍ଟାକଲେ ଚାକିରି ଖଣ୍ଡେ ଯୁଟିବ ନାହିଁ ? ଦେଶରେ କଣ ସବୁ ଲୋକ ସମାନ ଅଛନ୍ତି ? କାହାରି କଣ୍ଠରେ ଦୟାହବ ନାହିଁ । ଖାଲି ବଡ଼ ବଡ଼ ଲୋକେ କଣ ଗରିବକୁ ସାହାଯ୍ୟ କରନ୍ତି ? ଆଉ କେହି ଗରିବ ଲୋକକୁ ସାହାଯ୍ୟ କରେନା ? ବଡ଼ ବଡ଼ ଗଛର ଗୁଣ ବି ଅଛି, ପୁଣି ଦୁବଘାସର ବି ଗୁଣ ଅଛି । ଗରିବ ଚିହ୍ନେରେ ଗରିବକୁ, ଆଉ କିଏ ଚିହ୍ନିବ । ବଡ଼ ଲୋକ ଯଦି ଗରିବ କଥା ବୁଝୁଥାନ୍ତେ, ତା’ ହେଲେ କଣ ଆମ ଦେଶ ଇମିତି ହେଇଥାନ୍ତା ?

 

ସତ୍ୟବତୀ ପୁଣି କହିଲେ–କି କାମ ଭଜ କରିବ କହିଲୁ ନାହିଁତ ? ଯାମିନୀବାବୁ ଟିକିଏ ମନେମନେ ଇତସ୍ତତଃ ହେଲେ କାରଣ ଭଜଦାଙ୍କର କୁଲି କାମର କଥାଟା କିମିତି ମା’ଙ୍କ ଆଗରେ କହିବେ ? ତେବେ ସୁଦ୍ଧା କହିଲେ–ବର୍ତ୍ତମାନ କହିହେବ ନାହିଁ, କି କାମ ଯୁଟିବ । କୁଲି କାମର ବେଶି ସମ୍ଭାବନା, ଚପରାସି କାମର ଆଶା କମ୍ ।

 

ସତ୍ୟବତୀ ଭଜହରିର କୁଲିକାମ ଯୁଟିବା କଥା ଶୁଣି ଗୋଟିଏ ଦୀର୍ଘ ନିଶ୍ୱାସ ପକେଇ କାନ୍ଥକୁ ଆଉଜି ବସିପଡ଼ିଲେ । କହିଲେ– ହଁ, ନଳ ରାଜାତ ପୁଣି ଘୋଡ଼ା ଘାସ କାଟିଥିଲେ । କପାଳ ପଡ଼ିଲେ ଇମିତି ହେଇଥାଏ । କ’ଣ ଆଉ କରିବ !

 

ଭଜହରି ମଧ୍ୟ ଟିକିଏ ମନେ ମନେ ଭାଙ୍ଗିପଡ଼ିଲା ପରି ହୋଇ ପଚାରିଲେ–ଆଉ କିଛି କାମ ନାହିଁ ?

 

ସତ୍ୟବତୀଙ୍କୁ ଉଦ୍ଦେଶ୍ୟ କରି ଭଜହରି କହିଲେ–ହଉ ନୂଆବୋହୂ, କୁଲି କାମ ହଉ ପଛେ, ଆଗେ ଟିକିଏ ପଶେ, ତା’ ପରେ କାମ ଦେଖେଇଲେ ବଳେ ‘ପ୍ରମୋସନ୍’ ତେଣିକି ଆପେ ଆପେ ହୋଇଯିବ ।

 

ସତ୍ୟବତୀ ଭଜହରିର କଥାରେ ‘ପ୍ରମୋସନ୍’ର ଅର୍ଥ ଠିକ୍ ଧରି ପାରିଲେ ନାହିଁ । ତେବେ ବୁଝିଲେ ଯେ ଭବିଷ୍ୟତରେ ଭଜର କାମରେ ଉନ୍ନତି ଅଛି ।

 

-୧୨-

 

ସତ୍ୟବତୀଙ୍କର ନିତି ଯେମିତି ସନ୍ଧ୍ୟାପରେ ପଡ଼ିଶାଘରର ଦୋ’ଟି ତିନୋଟି ମାଇପିଙ୍କୁ ନେଇ ଗୋଟିଏ ସଭା ବସେ ନାନା ବିଷୟର ଆଲୋଚନା ଚାଲେ, ସେମିତି ରାତି ହେଲେ ଯାମିନୀବାବୁଙ୍କ ଡାକ୍ତରୀ ଦୋକାନରେ ଜଣେ ଦୁଇଜଣ ସାଙ୍ଗ ସାଥିଙ୍କୁ ନେଇ ଅନେକ ବିଷୟର ଆଲୋଚନା ଚାଲେ ।

 

ସାଙ୍ଗସାଥି କହିଲେ, ବନ୍ଧାଧରା ଦୁଇଜଣ, ଜଣେ ହଉଛି–ଇଂରେଜୀ ପାଠପଢ଼ା, ଚାକିରିଜୀବୀ ନାମ ନଟବର, ଆଉ ଜଣେ ହେଉଛି ସାମାନ୍ୟ ଓଡ଼ିଆ ପାଠପଢ଼ା, ଶ୍ରମଜୀବୀ ନାମ–ନବଘନ, ଓରଫ ନବ ।

 

ନବ ଯାମିନୀବାବୁଙ୍କର ପିଲାଦିନର ସାଙ୍ଗ । ଦରକାର ହେଲେ ଯାମିନୀବାବୁଙ୍କ ବୋଝ ମୁଣ୍ଡାଏ ପୁଣି ବେଳ ପଡ଼ିଲେ, ଯାମିନୀବାବୁଙ୍କ ସାଙ୍ଗରେ ବାବୁ ସାଜି, ବସି ସିନେମା ଦେଖେ । ନବ ଭାଗବତ ବୋଲିପାରେ, ସୁଆଙ୍ଗ ବହି ପଢ଼ିପାରେ, ପୁଣି କୀର୍ତ୍ତନ କରି ପାରେ, କାରିଗରୀ ଜାଣେ, ମୂଲ ଲାଗିପାରେ, ନାଚିପାରେ, ଗାଇପାରେ ।

 

ନଟବର, ନବଘନ ଦୁହିଁକୁ ନେଇ ଯାମିନୀବାବୁଙ୍କ ଯେତେ ମନ ଖୋଲି ଆଳାପ ଆଲୋଚନା ଚାଲେ, ଆଉ କାହାରି ସହିତରେ ଯାମିନୀବାବୁଙ୍କୁ ଏତେ ଭଲ ଲାଗେନା ।

 

ନବ, ନଟ ମଧ୍ୟରୁ କେହି ଆଗେ କେହି ପଛେ ଯେମିତି ହେଲେ ପ୍ରତିଦିନ ଆସି ଯାମିନୀବାବୁଙ୍କ ଦୋକାନରେ ଯୁଟନ୍ତି । ନବ ଆସିଲେ ଦୋକାନ ଘର ବେଁଚରେ ବସେ, ଆଉ ନଟବର ଆସି ଚୌକିରେ ବସନ୍ତି । କେଉଁ କେଉଁ ଦିନ ଯଦି ଯାମିନୀବାବୁ ଅଳ୍ପ ସମୟ ଲାଗି ଘର ଭିତରକୁ କିମ୍ବା ବାହାରକୁ କୁଆଡ଼େ ଯାଇଥାନ୍ତି, ନବ, ନଟବର ଆସି ଯାମିନୀବାବୁଙ୍କ ଅପେକ୍ଷାରେ ବସିରହନ୍ତି । ଯାମିନୀବାବୁଙ୍କ ଦୋକାନଟି ଘର ସହିତରେ ଲାଗିଥିବାରୁ ଯାମିନୀବାବୁ ନ ଥିଲେ ମଧ୍ୟ ଦୋକାନଟି ବେଳେବେଳେ ଖୋଲାଥାଏ । କେହି ନ ଥିବା ବେଳେ ଯଦି ରୋଗୀ ଆସି ପହଞ୍ଚନ୍ତି, ସେ ମଧ୍ୟ ଅପେକ୍ଷା କରି ବସିରହନ୍ତି ।

 

ଦିନେ ଦିନେ ନବ ଆସି ଦୋକାନ ଘର ବେଞ୍ଚ ଉପରେ ନ ବସି ତଳେ ଶୋଇଯାଏ, କିନ୍ତୁ ନଟବର କେଭେ ଚୌକି ଛଡ଼ା କେଉଁଠି ବସି ପାରନ୍ତି ନାହିଁ ।

 

ନଟ ଆଉ ନବ ସହିତରେ ଯାମିନୀବାବୁଙ୍କ ଆଳାପ ଆଲୋଚନା ଚାଲେ, ଦୋକାନ ଖୋଲାଥିବା ସମୟରେ । ପୁଣି କେବେ କେବେ ଦୋକାନର କାମ ଶେଷ ହେଲେ, କବାଟ ବନ୍ଦ କରି ଦୋକାନ ଭିତରେ ବସି ଆଲୁଅ ଜାଳି ନିଭୃତିର ମଧ୍ୟ ଗପ ହୁଏ ।

 

ଦିନେ ଦିନେ ଦୋକାନ ଦୁଆର କବାଟ ବନ୍ଦକରି ଯାମିନୀବାବୁ ନଟ, ନବକୁ ଆଳାପ କରୁଥିବା ସମୟରେ ସତ୍ୟବତୀ ଆସି ଦୋକାନ ଘରେ ପ୍ରବେଶ କରନ୍ତି, ଠିଆହୋଇ କେତେବେଳଯାଏ ମଧ୍ୟ ଗପ କରି ଫେରିଯାନ୍ତି ।

 

ନବ, ନଟ ଉଭୟେ ସତ୍ୟବତୀଙ୍କୁ ସମ୍ମାନ କରନ୍ତି । ସତ୍ୟବତୀ ମଧ୍ୟ ସେମାନଙ୍କୁ ନିଜର ପୁଅ ଯାମିନୀ ପରି ଭଲ ପା’ନ୍ତି । ବିଶେଷତଃ ନବକୁ, କାରଣ, ନବ ନିଜ ସାହିର ଲୋକ, ସତ୍ୟବତୀଙ୍କ କତିରେ ଜନ୍ମ । ଯେତେବେଳେ ସେତେବେଳେ ଆସି ସତ୍ୟବତୀଙ୍କ ବୋଲହାକ ମଧ୍ୟ କରେ । ଯଥା–କୂଅରେ ନୋଟା ପଡ଼ିଲେ, ନୋଟା କାଢ଼ିବା, ପୋଖରୀରେ ତେଣ୍ଡା ବାନ୍ଧିବା, ବଗିଚାର ଫାଟକ ତିଆରି କରିବା, ପୁରାଣ ଭାଗବତ ବୋଲି ସତ୍ୟବତୀଙ୍କୁ ଶୁଣେଇବା ଇତ୍ୟାଦି ଇତ୍ୟାଦି ।

 

ଆଉ ନଟବର ଅପର ସାହିର ଲୋକ । ତେବେ ପରିଚିତ କିନ୍ତୁ ନବପରି ସତ୍ୟବତୀଙ୍କୁ ଏତେ ଭଲ ଲାଗେନା । କାରଣ, ସତ୍ୟବତୀଙ୍କ ମତରେ ନଟବର କୋଉ କାମକୁ ଯୋଗ୍ୟ ନୁହେଁ । ଖାଲି ଗପ କରିବା, ହେଁ ହେଁ ହବା ଛଡ଼ା ତାକୁ ଆଉ କିଛି ଜଣା ନାହିଁ । କେବଳ ଚାକିରି ଛଡ଼ା ଆଉ କିଛି କରି ପାରେନା; ଭାରି ଅଳସୁଆ । ଚାକିରି ଛଡ଼ା ଅନ୍ୟ ଯେ କୌଣସି କାମ ପଡ଼ିଲେ କାତର ହୋଇ ପଡ଼େ, ଇତ୍ୟାଦି ଇତ୍ୟାଦି ।

 

ନବ ଯାମିନୀବାବୁଙ୍କୁ ଡାକେ ‘ବାବୁ’ । ଆଉ ନଟବର ଯାମିନୀବାବୁଙ୍କୁ ଡାକନ୍ତି ‘ସାର’ । ନଟବର ଯାମିନୀବାବୁଙ୍କୁ ‘ସାର’ ଡାକିବା କେବଳ ସୁବିଧା ପାଇଁ, ତା’ଛଡ଼ା ଅନ୍ୟ କିଛି ଉଦ୍ଦେଶ୍ୟରେ ନୁହେ । ତେବେ ନଟ ଯାମିନୀବାବୁଙ୍କଠାରୁ ବୟସରେ ସାନ ।

 

ଯାମିନୀବାବୁ ନବକୁ ଯେତେ ଭଲ ପା’ନ୍ତି, ନଟବର କିନ୍ତୁ ମନେ ମନେ ନବକୁ ସେତେ ଭଲ ପା’ନ୍ତି ନାହିଁ । ଏମିତିକି ନଟବର ନବର ଅନୁପସ୍ଥିତିରେ ଯାମିନୀବାବୁଙ୍କୁ କେତେଥର ପଚାରିଛନ୍ତି ଯେ–ଆପଣ ଏ ଲୋକଟା ସାଙ୍ଗରେ ଏତେ କିମିତି ମିଶନ୍ତି ? କତିରେ ବସିବାକୁ ଦିଅନ୍ତି-? ଅଶିକ୍ଷିତ ଲୋକଟାଏ, ମୂଲିଆ କାମ କରେ....

 

ଯାମିନୀବାବୁ ନଟବରର କଥାର ଉତ୍ତର ଦବାକୁ ଯାଇ କହନ୍ତି–ଦେଖ ନଟ, ତୁମ ସାଙ୍ଗରେ ତ ଏ ଅଳ୍ପଦିନ ହେଲା ଆଳାପ, କିନ୍ତୁ ନବ ହଉଛି ମୋର ପିଲାଦିନର ସାଙ୍ଗ । ଆଜି ମୁଁ ଡାକ୍ତର ହେଇଛି, ସେ ମୂଲିଆ ହେଇଛି । ସେ ମୋ କତିରେ ବସିଲେ କ’ଣ ଦୋଷ ହେଲା ? ପାଠଶାଠ ପଢ଼ା ଧୋବ ଧାଉଳିଆ ଲୋକଙ୍କ ସହିତରେ ମିଶିବା ଅପେକ୍ଷା ମୋତେ ସେଇ ରକମ ଲୋକଙ୍କ ସହିତରେ ମିଶିବାକୁ ବେଶି ଭଲ ଲାଗେ । ନଟବର, ବିପଦ ଆପଦରେ ସେହିପରି ଲୋକ ବେଶି ସାହାଯ୍ୟ କରନ୍ତି । ଧୋବ ଧାଉଳିଆ ପାଖେଇ ଯିବେ, କେବଳ ସୁଖର ସାଥୀ, ନଟବର ସୁଖର ସାଥୀ, ଏମାନଙ୍କ ସାଙ୍ଗରେ ମିଶିଲେ ବେଶି ଆମୋଦ ମିଳେ, ତୁମେ ଜାଣିନା ନଟବର । ସେମାନଙ୍କ ମୁହଁରେ କୃତ୍ରିମ ହସ ନାହିଁ । ନବ ମୋର ପିଲାଦିନର ସାଥୀ ବୋଲି ଯେ ମୁଁ ତା’ ସହିତରେ ମିଶୁଛି, ତା’ ନୁହେଁ, ମୁଁ ତା’ରି ପରି ଯେ କୌଣସି ଲୋକ ସହିତରେ ମିଶିବାକୁ ଭଲପାଏ । ସେମାନେ ଅଳ୍ପ କଥାରେ ପୋଷ ମାନନ୍ତି । ଆଉ ଧୋବ ଧାଉଳିଆ–ଶୁଆ ପୋଷିଲା ପରି, ଟିକିଏ ଫାଙ୍କ ପାଇଲେ ଉଡ଼ି ଚାଲିଲେ, ଆଉ ଧରା ଦେବେ ନାହିଁ । ଆଉ ନବ ପରି ଲୋକଙ୍କ ପାଇଁ ପିଞ୍ଜରାର ମଧ୍ୟ ଦରକାର ହୁଏନା । ସେମାନେ ଟିକିଏ ଆଶ୍ୱାସନା ପାଇଲେ, ଆଦର ପାଇଲେ, ସୁବିଧା ପାଇଲେ ଆପେ କୁଟାକାଠି ଗୋଟେଇ ଆଣି କତି ପାଖରେ ନୀଡ଼ ରଚନା କରନ୍ତି, ନିଜର ଖାଦ୍ୟପେୟ ଯୋଗାଡ଼ କରିବାକୁ ନିଜେ ଉଡ଼ିଯାନ୍ତି, ପୁଣି ନିଜର ସ୍ୱଇଚ୍ଛାରେ ଫେରି ଆସନ୍ତି । ସେମାନଙ୍କୁ ଦୈନିକ ଆହାର ଯୋଗାଇ କତି ପାଖରେ ରଖି ତାଙ୍କର ବୋଲି ଶୁଣିବାକୁ ହୁଏନା, ରୂପ ଦେଖିବାକୁ ହୁଏନା । ସେମାନେ ଫାଙ୍କ ପାଇଲେ ଉଡ଼ିଯିବେ ନାହିଁ, ଦୁର୍ବ୍ୟବହାର ପାଇଲେ, ଅସାଧୁ ଆଚରଣ ଦେଖିଲେ ଉଡ଼ିଯା’ନ୍ତି ।

 

ଯେଉଁ ଦିନଠୁଁ ଭଜହରି ସସ୍ତ୍ରୀକ ଆସି ଯାମିନୀବାବୁଙ୍କ ଘରେ ପଦାର୍ପଣ କରିଲେଣି, ସେଇ ଦିନଠୁଁ ଯାମିନୀବାବୁ ନଟ ଆଉ ନବ ମଧ୍ୟରେ କେବଳ ଭଜହରି ସମ୍ୱନ୍ଧରେ ଆଲୋଚନା ପଡ଼େ ।

 

ଭଜହରି ଚାକିରିରେ ଅଳ୍ପଦିନ ଯୋଗଦେବା ପରେ ଦିନେ ନଟ, ନବକୁ ନେଇ ଯାମିନୀବାବୁଙ୍କ ଦୋକାନ ଘରେ ସନ୍ଧ୍ୟାରେ ଆସର ଜମିଲାରୁ ପ୍ରଥମେ ନବ ଯାମିନୀବାବୁଙ୍କୁ ଲକ୍ଷ୍ୟ କରି ଆରମ୍ଭ କଲା–ବାବୁ, ଆଜିତ କଣ ଦେଖିଲି ବାଟରେ ଭଜହରି ଆପଣଙ୍କ ଘରକୁ ଛାପାଖାନାରୁ ଫେରିବାବେଳେ ବେଶ୍ ଗୀତ ବୋଲିବୋଲି ଚାଲିଥାନ୍ତି–ଚଲ୍ ଚଲ୍‍ରେ ନଉ ଯବାନ୍.....

 

ମୁଁ ତ କେଭେ ତାଙ୍କର ଗୀତ ବୋଲିବା ଆଜିଯାଏ ଶୁଣି ନ ଥିଲି । ମୋତେ ଭଜହରି ଦେଖି ନାହାନ୍ତି, ମୁଁ ତାଙ୍କୁ ଦେଖିଛି । ମୁଁ କାମରୁ ଫେରୁଥିଲି, ଭାବିଲି ଆଜି ବାବୁଙ୍କ କତିରେ ଏ କଥା ପଡ଼ିବ ।

 

ଯାମିନୀବାବୁ ନଟ ଉଭୟେ ନବର ଏ କଥା ଶୁଣି ହସି ଉଠିଲେ । ଯାମିନୀବାବୁ କହିଲେ–ସତେ ! ହଉ ହଉ ଗରିବ ବିଚାରା ଚାକିରି ପାଇଛି, ମନ ଖୁସି ଅଛି ।

 

ନବ କହିଲା–ଚାକିରି ହେଇ ନ ଥିଲେ ଆଉ ଗୀତ ବାହାରନ୍ତା ? ମୁଁ ତ ଜାଣେ ଚାକିରି ହେଇଛି । କିନ୍ତୁ କି ଚାକିରି ମୁଁ ଜାଣି ନାହିଁ । ଭାରି ମନଫୁଲାଣିଆ ! କି ତରଙ୍ଗ ତରଙ୍ଗ ଚାଲି ବାବୁ ! ମୁଁ ଭାବିଲି, ବାବୁ ଥରେ ଦେଖିଥାନ୍ତେ କି ?

 

ଯାମିନୀବାବୁ କହିଲେ–ମୁଁ ଦେଖିବି ଆଉ କଣ ? ଗରିବ ବିଚାରା, ଦି’ଦିନ ମନଫୁଲାଣିଆ ହଉ, କ୍ଷତି କଣ ?

 

ନବ ପୁଣି ପଚାରିଲା–ବାବୁ, ସେ କି କାମ କରୁଛି ?

 

ଯାମିନୀବାବୁ ଗୋଡ଼ ଦୁଇଟିକି ଟେବୁଲ୍ ଉପରେ ରଖିଦେଇ କହିଲେ–କାମ ? କୁଲି କାମ, ଦୈନିକ ବାରଅଣା ମଜୁରି ।

 

ନବ ଆଶ୍ଚର୍ଯ୍ୟ ହୋଇ କହିଲା–କୁଲି କାମରେ ଦୈନିକ ବାରଅଣା ମଜୁରି ? ମୁଁ ତ ଟଙ୍କାଏ, ଦେଢ଼ଟଙ୍କା ବେଳେବେଳେ ଦୁଇଟଙ୍କା ବି ମାରିଆଣୁଛି ।

 

ଯାମିନୀବାବୁ କହିଲେ–ଯେମିତି ଟଙ୍କାଏ, ଦି’ଟଙ୍କା ପାଉଛୁ, ସେମିତି ଖରା ତରାରେ ଖଟୁଛୁ, ପୁଣି କେବେ ଟଙ୍କାଏ, ଦି’ଟଙ୍କା ପାଇଲେ ବି କେବେ ଖାଲି ଖାଲି କେତେ ଦିନ ବସିଯାଉଛୁ-। ଭଜଦାର ତ ଛାପାଖାନାର କୁଲିକାମ, ଛାଇତଳେ, କେବଳ ସେଇ ଛାପାଖାନା ହତା ଭିତରେ, ଏ ପାଖ ସେ ପାଖ ହବା କଥା । ପୁଣି ଯେମିତି ଦିନକୁ ବାରଅଣା କରି ମିଳିବ ସେମିତି କାମଟା ଧରାବନ୍ଧା ରହିଲା । କେବେ ତ ବସିବାକୁ ହବ ନାହିଁ କାମ ଲାଗିଥିବ । ଅଭିକା ଯୋଉ କାମ ଅଛି, ସେ କାମ ସରିଗଲେ ଆଉ ଗୋଟାଏ କୋଉ କାମ ଲାଗିଯିବ, ଏ ପରା ଚାକିରି ।

 

ନବ କହିଲା–ହଁ ବାବୁ ଚାକିରିରେ ସେତିକି ମଜା, ଟଙ୍କାଟା ମାସ ଶେଷକୁ ବନ୍ଧା ରହିଲା-। କୋଉ ଦିନ ଖାଲି ବସି ବସି ଆସିଲେ ବି, ତେଣେ ମଜୁରିଟା ଠିକ୍ ରହିଛି । ଆଉ ବାବୁ, ଯୋଉ କଷଣ ଚାକିରିରେ ! ଯା’ ହବ ସେ ହତା ଭିତରେ, ବାହାରକୁ ବାହାରି ପଡ଼ିଲେ ବାବୁ । ଆମ ପରିତ ଖରାତରାରେ ହାଡ଼ଭଙ୍ଗା ମେହନ୍ତ କରିବାକୁ ପଡ଼େନା । ଚାକିରିଆଙ୍କୁ ହାଡ଼ଭଙ୍ଗା ମେହନ୍ତ ପଇଲେ କଣ, ସେଇ ଘର ଭିତରେ, ହତା ଭିତରେ । ଖରା ବର୍ଷା ଖାଇବାକୁ ତ ହଉ ନାହିଁ । ତେବେ ବାବୁ, ଚାକିରିଆ ବାହାରକୁ ବାହାରି ପଡ଼ିଲେ ଯେତେ ବାବୁ ବୋଲାନ୍ତୁ, ତାଙ୍କ ହାଲ ଦେଖିବ ପହିଲା ଦିନ-। ଯେତେବେଳେ ବାବୁ ମୁଁ ଟାଟା ପଳେଇଥିଲି, ଦେଖିଛି ବାବୁ ସେଠି ପହିଲା ଦିନ ବାବୁଠୁଁ ଆରମ୍ଭ କରି କୁଲି ମଜୁରିଆ ପର୍ଯ୍ୟନ୍ତ ଫାଟକରୁ ବାହାରିଲା ବେଳକୁ ଏଣେ ଜଗିଥିବେ ଫାଟକ କତିରେ କାବୁଲି, କୋଇଲା ବାଲା, ଦୁଧବାଲା ପ୍ରଭୃତି । ଦେଖିବ ସେଠି କି ହାଲ ! କୁଲି, ମଜୁରିଆତ ଅପମାନ ପା’ନ୍ତି, ସହିଯା’ନ୍ତି । ଦେଖିବ–‘ଧୋତି ଚକଚକ, ଫିରେଇ ସଳଖ’ ବାଲାଙ୍କୁ-। ଆମେମାନେ ବାବୁ ଯେମିତି ଖଟିଲୁ, ଯା’ ପାଇଲୁ ସେଇଥିରେ ଚଳିଲୁ, ଆଉ ଏ ମାସିକିଆ ଦରମାବାଲାଙ୍କ ପରିତ ଫାଟକ ଦୁଆରେ କେହି ଆମକୁ ଧରିବାକୁ ନାହାନ୍ତି । ଯେଉଁଦିନ ଭଗବାନ ଚଳେଇ ନେଲେ, ଆମେ ଚଳିଗଲୁ, ଯେଉଁଦିନ ଭଗବାନ ନ ଚଳେଇଲେ, ଆମେ ଗଳେଇ ଦଉ-। ଯାମିନୀବାବୁ ନବର କଥା ଶୁଣି ଆଶ୍ଚର୍ଯ୍ୟ ହୋଇ କହିଲେ–କିରେ, ଭଗବାନ ଯେଉଁଦିନ ନ ଚଳାନ୍ତି, ତୁମେ ଚଳେଇ ଦିଅ କିମିତି ?

 

ନବ କହିଲା–ଆମେ ଚଳେଇ ଦଉ କଣ–ପଇସା ଯୋଉଦିନ କିଛି ନ ମିଳିଲା ତ ଆମେ ଉପାସ ରହିଯାଉ । ଉପାସ ରହିବାଟା କଣ, ଆମେ ଚଳେଇଲୁ ନାହିଁ ? ସେ ଦିନ ଆମର ଖାଇବା ଲାଗି ଭଗବାନ ଆମକୁ କ’ଣ ଦେଲେ ? ଚାକିରିଆଙ୍କ ପରି ଆମେ ନୁହଁ ।

 

ନବ କଥା କହୁ କହୁ ଏତେବେଳେ ନଟବରକୁ ଲକ୍ଷ୍ୟ କରି କହିଲା–ବାବୁ, ତମେ ଚିଡ଼ୁଛ କି ? ମୁଁ ତମକୁ କହୁନାହିଁ ଦୁନିଆ କଥା କହୁଛି......

 

ନଟବର ନବର ଏ କଥାରେ ଅନ୍ତରର ଆଘାତକୁ ଗୋପନ କରି ମୁହଁରେ ଟିକିଏ ଫିକା ହସ ଫୁଟେଇ କହିଲେ–ଏ କଣ ମିଛ କଥା ଯେ, ଏଥିରେ ମୁଁ ଚିଡ଼ିବି କାହିଁକି ?

 

ଯାମିନୀ ଏତେବେଳେ ଆରମ୍ଭ କଲେ–ଭଜଦା କଣ କରୁଚନ୍ତି କେଜାଣି ? ଭଜଦାଙ୍କ ଚାକିରି ହେଲା ପରେ ମା’ ତ ଜିଦ୍ ଧଇଲେ–ଯେ ତା’ର ତ ଚାକିରି ହେଲା; ସେ ସମସ୍ତେ ଆମ ଉପରେ ଆଉ କାହିଁକି ବସି ଚଳିବେ ? ଏଣିକି ତାଙ୍କର ସେ ଅଲଗା ହାଣ୍ଡି କରି ରାନ୍ଧି ଖା’ନ୍ତୁ । ଭଜଦା ତ ପ୍ରଥମେ ରାଜି ହଉ ନ ଥିଲେ–ଯେ ମୋ ହାତରେ ତ କିଛି ନାହିଁ, ମୁଁ କିମିତି ଜିନିଷପତ୍ର କୋଉଠୁଁ କିଣିବି ? ଅଲଗା ହାଣ୍ଡି କରିବି ? ମୁଁ ମଧ୍ୟ ମା’ଙ୍କୁ କହିଲି–ଭଜଦା ଏ ମାସ ଶେଷରେ ଦରମା ପାଇଲେ ଅଲଗା ହାଣ୍ଡି କରି ରାନ୍ଧି ଖାଇବେ । ମା’ କହିଲେ–ଆମେ ଭଜକୁ ଖାଇବାକୁ ଦବୁ, ସେ ଆମର କାମ କରିବ, ଆମ ଉପରେ ଖାଇବ । ଆଉ କଣ ତା’ର ସମସ୍ତେ ଆମ ଉପରେ ଚଳୁଥିବେ ? ସେ ସଉଦାପତ୍ର ଉଧାର ଆଣି ଚଳୁ । ମୁଁ କହିଲି–ତାଙ୍କୁ କିଏ ସଉଦା ଉଧାର ଦବ ଅଭିକା ? ମା’ କହିଲେ–କାହିଁକି ତୁ ଗୋଟାଏ ଦୋକାନୀକୁ କହିଲେ, ମାନି ହେଲେ, ଦୋକାନୀ କ’ଣ ତାକୁ ସଉଦା ଦବ ନାହିଁ ?

 

ମୁଁ ତ ମା’ଙ୍କ କଥାରେ ଭଜଦାଙ୍କ ଲାଗି ଗୋଟିଏ ଦୋକାନୀକୁ କହି ମାନି ହେଇଛି । ଭଜଦା ତ ସେ ଦୋକାନୀଠୁଁ ସଉଦାପତ୍ର ଆଣୁଛନ୍ତି । ଭଜଦାଙ୍କ ସ୍ତ୍ରୀତ ଏବେ ଅଲଗା ହାଣ୍ଡି କରି ରାନ୍ଧି ଖାଉଛନ୍ତି ।

 

ନବ ଏ କଥା ଶୁଣି କହିଲା–ମା’ ଭଲ କରିଛନ୍ତି । ଭଜହରି ସିନା ଆପଣଙ୍କର କାମ କରିବ ଆପଣଙ୍କ ଉପରେ ଖାଇବ, ଆଉ କଣ ଆପଣ ସମସ୍ତଙ୍କର ଲଗା ? ତେବେତ ଏତେଦିନ ଚଳେଇଲେ, ଆଉ କେତେଦିନ ଇମିତି ଚଳେଇବେ ?

 

ଯାମିନୀବାବୁ କହିଲେ–ଦୋକାନୀ କତିରେତ ମାନି ହେଇଛି, ଶୁଣିଛୁ, ଭଜଦା ସଉଦା ଭିତରେ କଣ କଣ ଆଣୁଛନ୍ତି ?

 

ନବ ପଚାରିଲା–କ’ଣ ଆଣୁଛି ?

 

ଯାମିନୀବାବୁ କହିଲେ–ଚାଉଳ, ଡାଲି, ବାର୍ଲି, ଚିନି, ପାନ, ଗୁଆ, କାଠ ଏ’ତ ଆସୁଛି, ତା’ ସାଙ୍ଗରେ ପୁଣି ଆସୁଛି କଣ ଜାଣୁ ? –ଗୁଜରାତି, ଅଳେଇଚ, ଘିଅ, ଜରଦା, ଲକ୍‍ସ ସାବୁନ ଇତ୍ୟାଦି । ସେଦିନ ଦୋକାନରେ ଯାଇ ଦେଖିଲି ସଉଦା ଭିତରେ ଭଜଦା ଏସବୁ ମଧ୍ୟ ଆଣୁଛନ୍ତି ।

 

ନଟବର ଭଜହରିଙ୍କ ଏସବୁ ସଉଦା ଆଣିବା କଥା ଯାମିନୀବାବୁଙ୍କ ମୁହଁରୁ ଶୁଣି ହସି ହସି କହିଲେ–ସାର୍, ଏ ‘ଓମର’ ଆସି ଆପଣଙ୍କ କପାଳକୁ ଯୁଟିଛନ୍ତି । କେବଳ ‘ସୁରା’ ଆଉ ‘ସାକୀ’ ୟାଙ୍କର ଦରକାର ।

 

ନବ ଯାମିନୀବାବୁଙ୍କ କଥା ଶୁଣି କହିଲା–ବାବୁ; ଆପଣ କ’ଣ ଭାବିଛନ୍ତି ? ସେ ଗୁଜରାତି, ଅଳେଇଚ; ଜରଦା ଦେଇ ପାନ ଖାଉଛି ? ନା ଲକସ୍ ସାବୁନ ଲଗଉଛି ? ତା’ ସ୍ତ୍ରୀ ଲାଗି ଖାଲି ଆଣୁଛି; ସ୍ତ୍ରୀ ମନ ଯୋଗାଉଛି ।

 

ଯାମିନୀବାବୁ କହିଲେ–ସେ ଯା’ ମନ ଯୋଗାନ୍ତୁ, ମୁଁ କଣ ମାନି ହେଇଛି ବୋଲି ମୁଁ ଏ ସବୁ ପୁଣି ଦେବି ? ନିଜର ଅବସ୍ଥାକୁ ଚାହିଁ ଚଳିଲେ ହବନା ? ଭଜଦା ଟଙ୍କା କେଇଟା ପାଇବେ, ସେତ ଚାଉଳ ଡାଲି ଇତ୍ୟାଦିକୁ ନିଅଣ୍ଟ ।

 

ଦୋକାନୀ କତିରୁ ଏ ସବୁ ଜିନିଷ ଆଣିବା କଥା ଜାଣିଛି ବୋଲି, ଭଜଦାତ ଜାଣନ୍ତି ନାହିଁ-। ଦିନେ କିଛି ନ ଜାଣିଲା ପରି ଭଜଦାଙ୍କୁ କହିଲି–ଭଜଦା, ସଉଦା ପତ୍ର ଦେଖି ଶୁଣି ଆଣିବ, ନିଜର ଟଙ୍କାକୁ ଦେଖି ଚଳିବତ ପୁଣି !

 

ଭଜଦା ମୋର କଥାର ଉତ୍ତର ଦବାକୁ ଯାଇ କହିଲେ–‘ଯାବତ୍ ଜୀବେତ୍ ସୁଖଂ ଜୀବେତ୍, ୠଣଂ କୃତ୍ୱା ଘୃତଂ ପିବେତ୍’, ଟଙ୍କାକୁ ଚାହିଁ କଣ ଚଳିବି ? ମୋର ଚଳିବା ଦେଖି ଭଗବାନ କୁଆଡ଼ୁ ଟଙ୍କା ଦେବେ । ତୁମେ ଜାଣ ଯାମିନୀ, ଯେ ନିତି ମାଂସ, ପଲାଉ ଖାଉଛି, ତା’ର ମଧ୍ୟ ଅଭାବ, ଯେ ଜଗି ରଖି ପେଜ ପାଣି ପଲାଉ ଖାଉଛି, ତା’ର ମଧ୍ୟ ଅଭାବ । ଅଭାବ କାହାକୁ ଛାଡ଼ିଛି ? ମରିଗଲେ ଆଉ ଭଲ ମନ୍ଦର ସ୍ୱାଦ ପାଇବି କି ? ବଞ୍ଚିଥିବା ଯାଏ ଯା ଚାଖିଥିବି । କେବଳ ମୋ କପାଳ ମନ୍ଦ, ମୋ କପାଳକୁ ଇମିତିଆ ଭାରିଯାଟାଏ ଯୁଟିଲା ଏ ଅଲକ୍ଷଣୀ ଯୋଗୁଁ ମୋର ଏତେ ଦୁର୍ଦ୍ଦଶା ! ଦେଖୁନା, ମୁଁ ସ୍ୱାମୀ ବସିଛି, ସେ ଟିକିଏ ମୁଣ୍ଡ କୁଣ୍ଡଉ ନାହିଁ କି ସିନ୍ଦୂର ଟିକିଏ ପିନ୍ଧୁନାହିଁ, ଆଉ ଗାଁରେ ଥିଲାବେଳେ ବାସନା ତେଲ କିଣା ହଉଥିଲା, କାହିଁକି ? ସେଠି ଯେ ନାଗରମାନେ ଥିଲେ । ମୁଁ ତ ହଡ଼ାଟାଏ, ମୋତେ କଣ ପସନ୍ଦ ହଉଛି ?

 

ଯାମିନୀବାବୁଙ୍କ ଆଗରେ ଭଜହରି ଇମିତିଆ କଥା କହିଥିବା ଶୁଣି ନଟ, ନବ ଉଭୟେ ହସିହସି ଗଡ଼ିଗଲେ ।

 

ହସ ବନ୍ଦ କରି ନବ କହିଲା–ମୁଁ କଣ କହୁଥିଲି ? ବାବୁ ସେ ତା’ର ସ୍ତ୍ରୀର ମନ ଯୋଗାଉ ନାହିଁତ ଆଉ କଣ ? କେବଳ ସ୍ତ୍ରୀ ଲାଗି ତା’ର ମୁଣ୍ଡ ଖରାପ, ସ୍ତ୍ରୀକୁ ଯେତେ ଭଲ ପାଏ, ସ୍ତ୍ରୀଟା ତାକୁ ସେତିକି ଘୃଣା କରେ ।

 

ଯାମିନୀବାବୁ ପୁଣି ଆରମ୍ଭ କଲେ–ମୁଁ ଦେଖୁଛି, ଭଜଦାର ତାଙ୍କର ପିଲାଙ୍କ ଉପରେ ମନ ନାହିଁ, କେବଳ ସ୍ତ୍ରୀ ଉପରେ ମନ । ଆଉ ସ୍ତ୍ରୀର ପିଲାଙ୍କ ଉପରେ ମନ ନାହିଁ, କି ଭଜଦାଙ୍କ ଉପରେ ମନ ନାହିଁ, ସେ ଯେମିତି ଚାହିଁ ବସିଛନ୍ତି–ଯେ ପିଲା ଦି’ଟା ମରିଗଲେ, ଆଉ ଭଜଦା ତାଙ୍କୁ ଛାଡ଼ିଦେଲେ, ସେ ଖୁସିରେ ଚାଲିଯିବେ । ପିଲା ଦି’ଟା ତାଙ୍କୁ ଯେମିତି ଅଡ଼ୁଆ ହେଇଛି । ଭଜଦାର ସ୍ତ୍ରୀଙ୍କ ମନ ଭଜଦାଙ୍କଠି ଟିକିଏ ହେଲେ ନାହିଁ ।

 

ଏଥିମଧ୍ୟରେ ଦିନେ ମୋ ସ୍ତ୍ରୀଙ୍କ କତିରେ କୁଆଡ଼େ କହିଥିଲେ–ଯେ ମୋତେ ସେ ଛାଡ଼ିଦଉ, ମୋର ଯା’ ଅଛି, ମୋତେ ଭଗବାନ ଯା’ ଦେଇଛନ୍ତି, ମୁଁ ସେଥିରେ ଖୁସିରେ ଚଳିଯିବି । ୟା କତିରେ ଏତେ ମାଡ଼, ଏତେ ପେଟ କଷ୍ଟ ସହିବି କାହିଁକି ? ମୋର ଯା’ ଅଛି, ମୋରତ ପାଦପୂଜା ହବ, ମୁଁ ତ ପାଞ୍ଚଜଣକୁ ପୋଷିବି । କେବଳ ଗୋଟାଏ କଥାହବ–କୁଳରୁ ବାହାରିଯିବି । କ’ଣ ହବ ଏବେ କୁଳରୁ ବାହାରିଗଲେ ? କୁଳରେ ଥାଇ ଏବେ କୋଉ ସୁଖ ଭୋଗ କରୁଛି ? ମଣିଷ ଜନ୍ମ ପାଇ ଦି’ ଦିନ ଯଦି ସୁଖ ଭୋଗ ନ କଲି, ତାହାହେଲେ ଇମିତି ମଣିଷ ଜନ୍ମ ହୋଇ କୋଉ ଲାଭ ? ଇମିତିଆ କୁଳରେ ରହି କୋଉ ଲାଭ ? କୁଳରୁ ବାହାରିଗଲେ ସମାଜରେ ଗୋଟାଏ ନିନ୍ଦା ହବ । ଯେ ସୁଖରେ ଅଛି, ତା’ ପଛରେ ସମାଜ ଗୋଡ଼େଇବ । ସମାଜ ତାକୁ ମାନି ଚଳିବ, ସେ ସମାଜକୁ ମାନି ଚଳିବ । ଯେ ଦୁଃଖୀ, ସମାଜ ତା’ର କେବେ ଖବର ନିଏ ? ତେବେ ଦୁଃଖୀ କାହିଁକି ସମାଜକୁ ମାନି ଚଳିବ ? ସମାଜରୁ ବାହାରିଗଲେ ତା’ର ଗୋଟାଏ ନିନ୍ଦା କଣ ? ସମାଜ ଯଦି ଦୁଃଖୀର ନୁହେଁ, ଦୁଃଖୀ କାହିଁକି ସମାଜର ହବ ? ଯେ ପଥର ଭିକାରି, ତା’ ଲାଗି ସମାଜ କଣ କରୁଛି ? ଯେ ଛିଣ୍ଡାକନା ଖଣ୍ଡକ ଅଭାବରେ ଲଙ୍ଗଳା ହେଇ ବୁଲୁଛି, ସମାଜ ତା’ର କଣ କରୁଛି ? ଯାର ପାଞ୍ଚଖଣ୍ଡ ଅଛି, ତା’ର ଦିହ ମୁଣ୍ଡରୁ ଲୁଗା ଖସିଗଲେ, ସମାଜର ଆଖି ପଡ଼େ ସେଇଠି.....କହିଲ ବୋହୂ, ବାପା ମୋର ଯେତେବେଳେ ଟଙ୍କାର ଅଭାବରେ ଏ ହଡ଼ା ବେକରେ ମୋତେ ଛନ୍ଦି ଦେଲେ, ସମାଜ ସେତେବେଳେ କଣ କରୁଥିଲା ? ଆଜି ମୁଁ କି କଷ୍ଟ ଭୋଗ କରୁଛି.....

 

ଯାମିନୀବାବୁଙ୍କ କଥା ଶେଷ ନ ହେଉଣୁ ନବ କହି ଉଠିଲା–ଠିକ୍, ଠିକ୍ ବାବୁ, ଠିକ୍ କଥା ସେ କହିଛି, ମାଇପିଟାର ରୂପ ଯେମିତି, ଅକଲ ମଧ୍ୟ ସେମିତି । ଗରିବର ଝିଅ ବୋଲି ତ ତା’ର ଆଜି ଏ ଦଶା ! ବଡ଼ଲୋକର ଝିଅ ହୋଇଥିଲେ କଣ ସେ ଭଜହରିକୁ ବାହାଦେଇଥାନ୍ତା ? ସେ ଯାଇ କୋଉ ଦୋ’ତାଲାରେ ବସି ହାଓଆ ଖାଉଥାନ୍ତା । ତା’ର କଣ ନାହିଁ, ଆଜି ଯଦି ସେ ଦାଣ୍ଡକୁ ବାହାରିପଡ଼େ, ଭଜହରି ପରି କେତେ ଚାକର ତା’କତିରେ ଖଟିବେ । କି କୁଳ, କି ସମାଜ ? ସେ ସବୁ ବଡ଼ ଲୋକକୁ ପୋଷାଏ ।

 

ଯାମିନୀବାବୁ ପୁଣି ଆରମ୍ଭ କଲେ–ଭଜଦାର ଯୋଉ ମାଡ଼ ! କେବଳ ମୋର ମା’ଙ୍କ ସାମନାରେ କି ମୋ ସାମନାରେ ହେଇ ପାରୁନି । ଥରେ ଭଜଦା ଏଠିକି ଆସିଲା ପରେ ମାରିଥିଲେ-। ମା’ ଭାରି ଗାଳିଗୁଲଜ କରିବାରୁ ସେଇ ଦିନଠୁଁ ଆଉ ମାଡ଼ ନାହିଁ । ସ୍ୱାମୀ, ସ୍ତ୍ରୀର ଦଣ୍ଡେ ପଡ଼ୁନାହିଁ, କଥାଏ କଥାଏ ସବୁବେଳେ ଖଟ୍ ଖଟ୍ ଲାଗିଛି । ତେବେ କେତେଦିନତ ମା’ଙ୍କ ଆଖିରେ ଭଜଦା ମନ୍ଦ ଆଉ ତାଙ୍କର ସ୍ତ୍ରୀ ଭଲ ବୋଲି ସାବ୍ୟସ୍ତ ହେଲେ । ଭଜଦା କେତେ ଦିନ ଦୋଷୀ ପରି ମା’ଙ୍କ ସାମନାରେ ଚଳାଚଳ ହେଲେ । ସ୍ତ୍ରୀର ଗୌରବ ବଢ଼ି ଯାଇଥିଲା । କିନ୍ତୁ ଆଜିକାଲି ଦେଖୁଛି ଭଜଦା ମା’ଙ୍କ ଆଖିରେ ଭଲ, ଆଉ ସ୍ତ୍ରୀ ମନ୍ଦ ବୋଲି ସାବ୍ୟସ୍ତ ହେଇଛନ୍ତି । ତା’ର କାରଣ, ଭଜଦା ସବୁ ଜିନିଷ ଆଣି ଯୋଗାଇ ଦେଲେ ସୁଦ୍ଧା ସ୍ତ୍ରୀର କୋଉ ଜିନିଷ ପ୍ରତି ଖାତିରି ନାହିଁ । କେତେ ଜିନିଷ କୋଉଠି ପଡ଼ିଛିତ ପଡ଼ିଛି, ଢାଳି ଯାଉଛି, ବୁଣି ଯାଉଛି, ସେ କେବଳ ଶୋଇଛନ୍ତି । ମା’ଙ୍କର ଆପତ୍ତି ଯେ ସେ ସାନ ପୁଅଟାର ଯତ୍ନ ଆଦୌ ନେଉ ନାହିଁ । ବଡ଼ପୁଅ ତ ବେରାମ, ମରିବ କି ବଞ୍ଚିବ ଠିକ୍ ନାହିଁ । ଆଉ ସାନ ପୁଅ ଖାଲି ଅଯତ୍ନରେ ମରିଯିବ ।

 

ମା’ କେତେଥର ସେ ସାନପିଲାର ଦେହରେ ତେଲ ମାଲିସ କରି ଦେଖେଇ ଦେଲେଣି ବତେଇ ଦେଲେଣି–କିମିତି ତେଲ ମାଲିସ କରିବାକୁ ହୁଏ ? ପିଲାଙ୍କ ଦେହରେ ତେଲ ମାଲିସ କଲେ ପିଲାଙ୍କ ଦେହ ପକ୍ଷରେ କେତେ ଉପକାର, ସବୁ କଥା ବୁଝେଇ ଦେଲେ, ଦେଖେଇ ଦେଲେ ସୁଦ୍ଧା ଭଜଦାର ସ୍ତ୍ରୀଙ୍କର ଆଦୌ ମନ ନାହିଁ । ସବୁବେଳେ ହେଳା, କେବଳ ଖାଇବା, ବିଷୟରେ ତତ୍ପର ।

 

ଏଥିମଧ୍ୟରେ ଦିନେ ଭଜଦା ଗିନାଏ ନଡ଼ିଆ ତେଲ ଆଣି ସ୍ତ୍ରୀକୁ ଦେଇଥିଲେ ଲଗେଇବା ପାଇଁ । ସ୍ତ୍ରୀ ତାକୁ ମୁଣ୍ଡରେ ନ ଲଗେଇ ସେମିତି ରଖି ଦେଇଥିଲେ । ଆଉ ଦିନେ ଦେଖିବା ବେଳକୁ ସେ ଗିନା ସେମିତି ପଡ଼ିଛି, ତେଲ ନାହିଁ, ଅନେକ ଖୋଜା ଖୋଜି ହେଲା, ନଡ଼ିଆତେଲ କଣ ହେଲା ? ଢାଳି ଯାଇ ନାହିଁ ଅଥଚ ଗିନାରୁ ତେଲ ଗଲା କୁଆଡ଼େ ? ଭଜଦାଙ୍କ ସ୍ତ୍ରୀ ମା’ଙ୍କଠାରୁ ଅନେକ ଗାଳି ଖାଇଲେ, ଶେଷରେ ସ୍ଥିର ହେଲା ଯେ–ବିଲେଇ ବୋଧହୁଏ ପିଇ ଯାଇଛି ।

 

ଏଇ ସମୟରେ ଯାମିନୀବାବୁଙ୍କ ଘରଭିତରୁ ହଠାତ୍ ଶୁଣାଗଲା ଭଜହରିର ସ୍ତ୍ରୀ ବଡ଼ପୁଅର ନାଁ ଧରି ବାହୁନି କାନ୍ଦି ଉଠିବାର ଶବ୍ଦ ।

 

ଯାମିନୀବାବୁ ଟେବୁଲ୍ ଉପରୁ ଗୋଡ଼ ଦି’ଟା ଖସେଇ ନେଇ ଦୁଃଖଭରା କଣ୍ଠରେ ନବ, ନଟ ଦୁହିଁଙ୍କୁ କହିଲେ–ଭଜଦାଙ୍କ ବଡ଼ପୁଅ ବୋଧେ ଚାଲିଗଲା । ଆହା ! ମୋରି ଘରେ ଏ ଘଟଣା ହେବାର ଥିଲା ! କେଡ଼େ ବଡ଼ ପିଲାଟାଏ ! ଦୁଃଖୀ କପାଳରେ ସୁଖ ନାହିଁ । ଚାକିରି ଖଣ୍ଡିଏ ଯୁଟିଲାତ, ଏଣେ ବଡ଼ ପୁଅଟି ମାରା ଗଲା !!!

 

ଯାମିନୀବାବୁ ଅବିଳମ୍ବେ ଅସ୍ଥିର ହୋଇ ଦୋକାନ ଛାଡ଼ି ଘର ଭିତରକୁ ଚାଲିଗଲେ ।

 

ନବ, ନଟ ଉଭୟ ତତ୍‍କର୍ଣ୍ଣ, ଉଦ୍‍ଗ୍ରୀବ, ଉତ୍‍କଣ୍ଠିତ ହୋଇ ବସିରହିଲେ ।

 

-୧୩-

 

ଯାମିନୀବାବୁ ଖବର ନେଲେ–ତିନି ଭାଇର ଘର, ଘରଣୀ କିନ୍ତୁ ଜଣେ । ଘରଣୀ ହେଉଛି–ମଝିଆ ଭାଇର ସ୍ତ୍ରୀ । ବଡ଼ ଭାଇର ସ୍ତ୍ରୀ ମରିଛି । ସାନ ଭାଇକୁ ସ୍ତ୍ରୀ ଛାଡ଼ି ଚାଲିଯାଇଛି । ସମସ୍ତେ ବ୍ୟବସାୟୀ, ସକାଳ ହେଲେ କିଏ କୁଆଡ଼େ ଆପଣା ଆପଣା ବ୍ୟବସାୟରେ ବାହାରିଯା’ନ୍ତି । କେବଳ ଦିନବେଳେ ଖାଇଲା ବେଳକୁ ଆସନ୍ତି, ଖାଇସାରି ଯେ ଯା’ର ବାହାରିଯା’ନ୍ତି । ରାତିରେ ପୁଣି ଖାଇଲା ବେଳକୁ ଫେରନ୍ତି, ଖାଇସାରି ଶୋଇଯା’ନ୍ତି । ଶୋଇବା ଯେମିତି କେବଳ ସକାଳର ଆଗମନୀର ଅପେକ୍ଷାରେ ।

 

ବୋହୂଟି ଏକା ଘରେ ଧନ୍ଧା କରେ । ଗୋଟିଏ ବୋହୂ ହାତରେ ଖଞ୍ଜା ଖଣ୍ଡିକ ଯେମିତି ହସୁଥାଏ । ପାଣି, ଧୂଳି, ଛେପ, ଖଙ୍କାର କୋଉଠି ଆଖିରେ ପଡ଼ିବ ନାହିଁ ।

 

ବୋହୂଟି ହାତରେ ତିନି ଭାଇ ଯାକ ଖାଇପିଇ ବେଶ୍ ସନ୍ତୁଷ୍ଟ ହୋଇ ଚଳାଚଳ ହୁଅନ୍ତି । ଭାଇଭାଇରେ ଦରକାର ହେଲେ କେବେ କେମିତି କଥାବାର୍ତ୍ତା ହୁଅନ୍ତି । ନଚେତ୍ ସମସ୍ତେ ସବୁବେଳେ ନୀରବ । ବେଶି କଥାବାର୍ତ୍ତା କରିବାକୁ ଭଲ ପାଆନ୍ତି ନାହିଁ । ସମସ୍ତଙ୍କର ପ୍ରାୟ ଊଣା ଅଧିକେ ଅଳ୍ପ ଅଳ୍ପ ପାଗଳାମୀ ଅଛି । ପାଗଳାମୀ ନ ଥିଲା ବେଳେ ସବୁ ଭାଇଗୁଡ଼ିକ ଭଲ ମଣିଷ ବୋଲି ବେଶ୍ ସୁନାମ ଅଛି ।

 

ଦୁଇ ଭାଇଙ୍କ ରୂପ ଦେଖିବାକୁ ପ୍ରାୟ ଜୀର୍ଣ୍ଣଶୀର୍ଣ୍ଣ, କେବଳ ତୃତୀୟ ଭାଇର ଅର୍ଥାତ୍ ସାନ ଭାଇର ଶରୀର ଯେମିତି ପୃଥୁଳ, ସେମିତି ବିକୃତ । ସମସ୍ତେ ତାକୁ ଅଷ୍ଟବକ୍ର ବୋଲି ଥଟ୍ଟା କରନ୍ତି । କାରଣ, ହାତ ଗୋଟିଏ କେମ୍ପା, ଆଖି ଦୋ’ଟିକୁ–‘ଖେଳା ଡୋଳା ଖଞ୍ଜନାଷୀ’ କହିଲେ ମନରେ ଯେମିତି ଗୋଟାଏ ଧାରଣା ଜନ୍ମେ, ତା’ର ଏକ ଚତୁର୍ଥାଂଶ ହେଇପାରେ, କାରଣ ଆଖିର କଳାଡୋଳା ଦି’ଟା ଘଡ଼ିର ପେଣ୍ଡୁଲମ୍ ପରି ସର୍ବଦା ସଚଳ । ପୁଣି ଆଖିର ଧଳା ଅଂଶତକ ସେତେ ପରିଷ୍କାର ନୁହେଁ । ଓଠର ଦୁଇ ପାଖର କୋଣ ଦୋ’ଟି ପ୍ରାୟ ବର୍ଷ ତମାମ ଫାଟିଥାଏ ।

 

କଣ୍ଠସ୍ୱର ଠିକ୍ ସରଦ ହୋଇ ତଣ୍ଟି ବସିଗଲେ ଲୋକର ଯେମିତି ଗଳାର ଶବ୍ଦ ଶୁଣାଯାଏ, ଠିକ୍ ସେହିପରି । ନାମ–‘ମୋହନ’, ଡାକ ନାମ–‘ମହନା’ । ମହନାର ହାସ୍ୟ–ଭୀତିପ୍ରଦ, କାରଣ ଦାନ୍ତଗୁଡ଼ିକର ଅବସ୍ଥା ଠିକ୍ ଗୋଟିଏ ଶ୍ରେଣୀବଦ୍ଧ ସୈନ୍ୟଦଳର ଛତ୍ରଭଙ୍ଗ ଦେଲାପରି । ମହନାର ପଚିଶ ବର୍ଷ ବୟସର ମୁଣ୍ଡର ବାଳଗୁଡ଼ିକ ଦେଖିଲେ ମନେ ହୁଏ ଯେମିତି ପଚାଶ ବର୍ଷ ବେଳକୁ ସେମାନଙ୍କ କାମ ଆଉ ବେଶି ବାକି ରଖି ନାହାନ୍ତି । ଅର୍ଥାତ୍ ଅକାଳ ବାର୍ଦ୍ଧକ୍ୟରେ ବାଳଗୁଡ଼ିକ ଅଧେ ପାଚିଗଲାଣି । ମହନା କେତେବେଳେ କୋଉ ବ୍ୟବସାୟ କରେ ତା’ ଠିକ୍ ନାହିଁ ।

 

ଆଉ ମଝିଆ ଭାଇର ବୋହୂଟି, ଯେମିତି ଗୋଟିଏ ଲକ୍ଷ୍ମୀ ପ୍ରତିମା । କାହାରି ଭଲ ମନ୍ଦରେ ନାହିଁ । ସେ ଜାଣେ ତା’ର ସେହି ଖଞ୍ଜା ଖଣ୍ଡିକ ତା’ର ଦୁନିଆଁ । ଦିଅର, ଦେଢ଼ଶୁର, ସ୍ୱାମୀ, ପୁତ୍ର, ହାଣ୍ଡିକୁଣ୍ଡି, ଢେଙ୍କି, ଚକି, କୁଲା, ବାଉଁଶିଆ, ବାର ବରତ । ଏଇସବୁ ନେଇ ସେ ବ୍ୟସ୍ତ । କେତେବେଳେ କେହି ସାହି ମାଇପେ ଖଞ୍ଜା ଭିତରକୁ ପଶି ଆସିଲେ, ତାଙ୍କ ସହିତରେ ଗପ କରେ, ନୋହିଲେ ସେହି ଖଞ୍ଜା ଭିତରେ ସେ ଥାଏ । ସବୁବେଳେ ନୀରବ, ମୁହଁରେ ଓଢ଼ଣା । ଘରେ ଜଣେ ମଣିଷ କାରବାର କରୁଛି ବୋଲି କେହି ଜାଣିବେ ନାହିଁ । କେବଳ ଖଞ୍ଜା ଭିତରଟିରେ ପୁଅଟି ଯା’ ଗୋଳମାଳ କରେ; ନଚେତ୍ ଆଉ କାହାରି ଉଁ ଚୁଁ ଶବ୍ଦ ନାହିଁ । ପୁଅଟି ନାଁ–ରସିକ; ସେଇଥିଲାଗି ବୋହୂଟିକି ସମସ୍ତେ ଡାକନ୍ତି–ରସମା’ । ଘର ସମ୍ବନ୍ଧରେ ଭାଇମାନଙ୍କର ନାଁ ପଡ଼େ ନାହିଁ । ସମସ୍ତେ କହନ୍ତି–ରସମା’ ଘର ।

 

ଦଶହରାରେ ବଜାର ଭିତରେ କୋଉ ମେଢ଼ ସବୁଠୁଁ ସରସ ହୋଇଥିଲା, ଦେବାଲୀକି କୋଉ ବଜାରରେ ଆଲୁଅର ବେଶି ସାଜସଜ୍ଜା ହେଇଥିଲା; ବାଲିଯାତ୍ରାକୁ କୋଉ ଗୁଡ଼ିଆ ଦୋକାନୀ ସବୁଠୁଁ ବଡ଼ ପାନତୁଆ କରିଥିଲା; ଚନ୍ଦନ ଯାତ୍ରାରେ କେଉଁଠିକି ସବୁଠୁଁ ଭଲ ଯାତ୍ରାବାଲା ଆସିଥିଲେ; ଟଙ୍କା କିଏ ତିଆରି କରେ; ନୋଟ କିଏ ଛାପେ; ଡାକବାଲା କେମିତି ଆଣି ଚିଠି ଦେଇଯାଏ, ଭାରତବର୍ଷ କେତେ ବଡ଼; କାହିଁକି ସେ ଭାଗ ଭାଗ ହେଲା; ହିନ୍ଦୁସ୍ଥାନ; ପକିସ୍ଥାନ ଦି’ଟା ଜାଗାର ନାମ କି ଦି’ଟା ମଣିଷର ନାମ; ରସମା’ କିଛି ଜାଣେନା । ରସମା’ ଜାଣେ ଏଇଟା ଜଗନ୍ନାଥ ଦେଶ; ପୁରୀ କତିରୁ ସିଆଡ଼ିକି ଆଉ କିଛି ନାହିଁ । ଖାଲି ସମୁଦ୍ର; କଳାପାଣି । ରସମା’ ଏତକ ଭୌଗୋଳିକ ଜ୍ଞାନ ଅର୍ଜନର ସୁବିଧା ପାଇଲା–ସେ କେବେ ଥରେ ରଥଯାତ୍ରାରେ ପୁରୀକି ଯାଇଥିଲା । ପୁରୀ ସମୁଦ୍ର କୂଳରେ ଠିଆହୋଇ ଦେଖିଲା–ଦୂରରେ ବହୁତ ଦୂରରେ ଆକାଶ ଆଉ ପାଣି ମିଶିଯାଇଛି; ତେଣିକି ଆଉ କିଛି ଦିଶୁ ନାହିଁ । ସ୍ୱାମୀକି ପଚାରିଲା–ତେଣିକି ଆଉ କଣ କିଛି ନାହିଁ ? ସ୍ୱାମୀ ବୁଝେଇ ଦେଲା–ତେଣିକି ଆଉ କିଛି ନାହିଁ, ଖାଲି ପାଣି । ଦେଶ, ମଣିଷ, ଗଛ, ବୃକ୍ଷ, ଗାଁ, ଗଣ୍ଡା ତେଣିକି ଆଉ କିଛି ନାହିଁ । ତୁ, ମୁଁ ଏ ଯେଉଁ ମାଟି ଉପରେ ଠିଆ ହେଇଛୁ, ଏ ଆମର ଜଗନ୍ନାଥ ଦେଶ; ଆଉ ଏ ଯେଉଁ ସମୁଦ୍ର ଦେଖୁଛୁ, ଏ ହେଲା ଲକ୍ଷ୍ମୀଙ୍କ ବାପ ଘର; ଲକ୍ଷ୍ମୀ ପୁରାଣରେ ଶୁଣିନାହୁଁ ? ଜଗନ୍ନାଥେ ଲକ୍ଷ୍ମୀଙ୍କୁ ଥଟ୍ଟା କରି କହିଛନ୍ତି–‘ବାପତ ଲୁଣିଆ ପଣ୍ଡା; ଗରଜି ମରୁଥାଇ......ଆଉ ଦେଶ କୋଉଠୁଁ ଆସିଲା ? ସମୁଦ୍ରପାଣି ଚାଖ ବୁଝିବୁ କେମିତି ଲୁଣିଆ ଲାଗେ ।

 

ରସମା’ ପାଣି ଚାଖି କହିଲା–ଏମିତିଆ ପାଣି ଆମ ଘର କତିରେ ଥିଲେ; ଆଉ ଲୁଣ କିଣିବାକୁ ପଡ଼ନ୍ତା ନାହିଁ । ପୁଣି ଭାବିଲା–ଦୁନିଆରେ ଏତେ ପାଣି ! ! ! ବଇଶାଖ ମାସଟାରେ କୁଅ ପୋଖରୀ ଶୁଖିଗଲେ ଆମେ କେତେ ହଇରାଣ ହଉ ।

 

ହୁଳହୁଳି ଦେଇ ସମୁଦ୍ରକୁ ନଡ଼ିଆ; ପଇସା ପକେଇ ଓଳକି ହେଇ ରସମା’ ପୁରୀରୁ ବିଦାୟ ନେଇ ଆସିଲା ପରେ ଆଉ କେବେ କୁଆଡ଼େ ଯାଏ ନାହିଁ ।

 

ଏତ ଗଲା ରସମା’ ଘର ଘଟଣା । ଦିନେ ସନ୍ଧ୍ୟା ପରେ ଯାମିନୀବାବୁ ହଠାତ୍ ଅଗଣା ଭିତରେ ମା’ଙ୍କର ପାଟି ଶୁଣି ଦୋକାନ ଛାଡ଼ି ଘର ଭିତରକୁ ପଶି ଆସନ୍ତେ; ଶୁଣିଲେ ମା ଭଜଦା ସ୍ତ୍ରୀକୁ ରୋଷକଷାୟିତ କଣ୍ଠରେ–ଏ ମାଇକିନିଆ କୋଉ କୁଳରେ ରହିବ ନାହିଁ । ଏଡ଼େ ମୁହଁ ! ଗେରସ୍ତଟାକୁ ମୋ ସାମନାରେ ଯାହା ତାହା ବକୁଛି ।

 

ଭଜଦାର ସ୍ତ୍ରୀ ଉତ୍ତରରେ–କହିବି ନାହିଁ; ଗୁଣ କିମିତି ? କୁଳରେ ନ ରହିଲେ ନାହିଁ । କଣ ହେଇଯିବ ? କୁଳ ଦେଖଉଛ ?

 

ସତ୍ୟବତୀ–ମୁଁ ଭାବିଥିଲି ମାଇପିଟା ଭଲ, ଏଡ଼େ ମୁଁହଖୋର !

 

ଏଡ଼େ ତୁଣ୍ଡେଇ !

 

ଭଜହରିର ସ୍ତ୍ରୀ–କଣ ତୁମକୁ କହିଲି କି ? ମନ୍ଦ ହେଇଗଲି ?

 

ସତ୍ୟବତୀ ପୁଣି କହିଲେ–ଏଇମିତିଆ ମାଇପିକୁ ଘରେ ପୂରେଇବାର ନୁହେଁ, ବୋହୂ ଝିଅ ଖରାପ ହେଇଯିବେ ।

 

ଭଜହରିର ସ୍ତ୍ରୀ ଉତ୍ତର ଦେଲେ–ମୁଁ କଣ ତମ ଘରକୁ ଆସୁଥିଲି କି ? ଯେ ଆଣି ପୂରେଇଛି, ତାକୁ କହୁନା ?

 

ଭଜହରି ଏତେବେଳେ ସତ୍ୟବତୀକୁ କହିଲେ–ଦେଖ, ଦେଖ, ମୁଁ ତ ସେଦିନ ମାଇଲି ବୋଲି ମୋତେ ଗାଳି ଦଉଥିଲ; ଗୁଣ ଦେଖ । ଇମିତିଆ ସ୍ତ୍ରୀକୁ ଖାଲି ଜୀଅନ୍ତା ପୋଡ଼ିଦେଲେ ବି ଟିକିଏ ପାପନାହିଁ । ସେଦିନ ମୋ ପୁଅଟାକୁ କେମିତି ମାଇଲା କେଜାଣି ପୁଅ ମୋର ବେହୋସ ହେଇଗଲା ! ଯାମିନୀ ନ ଥିଲେ, ମୋ ପୁଅ ମରିଯାଇଥାନ୍ତା । ପୁଅକୁ ମୋର ମାରି ପୁଣି ବାହୁନୁଛି ! ଖାଲି ତମରି ସକାଶେ ନୁଆବୋହୂ; ନାହିଁତ ସେଇଦିନ ମୁଁ ତାକୁ ଦେଖିଲା କାମ କରିଥାନ୍ତି ।

 

ଭଜହରିର ସ୍ତ୍ରୀ ଏତେବେଳେ ଟିକିଏ ଚପିଗଲେ ।

 

ସତ୍ୟବତୀ କହିଲେ–ସତେ ମ, ରୋଗଣା ପିଲା ! ତାକୁ କି ମାଡ଼ ଦଉଛି ! ସେଦିନତ ମରିଗଲା ବୋଲି ମୁଁ ଭାବିଲି, ତିନି ଘର ଉଚ୍ଛନ୍ନ କରିଦେଲା !

 

ଏଣେ ଯାମିନୀବାବୁ ଯେ ଆସି ଅଗଣା ଭିତରେ ଗୋଟାଏ ପାଖକୁ ଠିଆ ହୋଇଛନ୍ତି, କାହାରି ଲକ୍ଷ୍ୟ ନାହିଁ । ଯେତେବେଳେ ଯାମିନୀବାବୁଙ୍କ ଉପରେ ଭଜହରି ସ୍ତ୍ରୀର ନଜର ପଡ଼ିଗଲା ଜୋକ ମୁହଁରେ ଲୁଣ ପଡ଼ିଲା ପରି ସେ ଆହୁରି ଚପିଗଲେ ।

 

ସତ୍ୟବତୀ ପୁଅ ଯାମିନୀକୁ ଦେଖି କହିବାକୁ ଲାଗିଲେ–‘ଶୁଣିଲୁତ ମାଇକିନିଆର ମୁହଁ କେଡ଼େ ତେଜ ! ମୋତେ କିମିତି ଯବାବ ଦଉଛି ! ଏଟା କୋଉଠି ବଢ଼ିଥିଲା କେଜାଣି ? ଆମେ ଭଜର ସିନା ଦୋଷ ଦଉଥିଲୁ, କିନ୍ତୁ ଏ ମାଇକିନିଆର ପୂରା ଦୋଷ । ଭଜତ ସବୁ ଜିନିଷ ଆଣି ଯୋଗାଉଛି, ସେ ଆଉ କଣ କରିବ ? ନିଜ ଆୟକୁ ଦେଖିତ ବ୍ୟୟ କରିବ । ୟାର କିଛି ମନକୁ ଆସୁ ନାହିଁ । ଇମିତି ଯଦି ବଡ଼ ଲୋକର ଝିଅ, ବାପକୁ କହିଲୁ ନାହିଁ, ଗୋଟାଏ ପାଠୁଆ ବରକୁ ଦେଇଥାନ୍ତା, ଖାଲି ଦାସ, ଦାସୀ ଲାଗିଥାନ୍ତେ, ସବୁବେଳେ ଗୋଡ଼ ଘଷୁଥାନ୍ତେ, କୁଟା ଖଣ୍ଡକ ଦି’ଖଣ୍ଡ କରିବାକୁ ପଡ଼ନ୍ତା ନାହିଁ ।’

 

ଭଜହରିର ସ୍ତ୍ରୀ ସତ୍ୟବତୀଙ୍କ ଇମିତିଆ କୁରାଢ଼ିଆ କଥା ଶୁଣି ମନେ ମନେ ଖାଲି ଭାବୁଥାନ୍ତି–ଶୁଣାନ୍ତେ ଦି’ କଥା, ଖାଲି ଯାମିନୀବାବୁ ଥାଇ ଅଡ଼ୁଆ ହେଇଗଲା ।

 

ସତ୍ୟବତୀ ପୁଣି ଆରମ୍ଭ କଲେ–ମୁଁ ଯୋଉ କଥା କହିଥିଲି କଣ ବୁଝିଲୁ ? ବୁଝିଛୁ କିଛି-?

 

ଯାମିନୀବାବୁ କହିଲେ–ହଁ ସବୁ ବୁଝିଛି, କିନ୍ତୁ ଗୋଟାଏ ଅସୁବିଧା ଅଛି । ସତ୍ୟବତୀ କହିଲେ–ଆଉ ସବୁ ସୁବିଧା କୋଉଠି ମିଳିବ ? ଚାଲ, ମୁଁ ପାଉଛି, ତୋର ଦୋକାନଘରକୁ, କଣ ବୁଝିଛୁ, କଣ ଅସୁବିଧା ଅଛି, ସବୁ ଶୁଣିବି, ଚାଲ ।

 

ଯାମିନୀବାବୁ ମା’ଙ୍କର କଥାର ଶେଷରେ ଯେତେବେଳେ ଆସି ପୁଣି ଦୋକାନଘରେ ପ୍ରବେଶ କରନ୍ତି, ଦେଖିଲେ–ନବ ଆସି ଦୋକାନ ଘରର ତଳେ ଲମ୍ବହେଇ ଶୋଇ ଗୁଣୁଗୁଣୁ ହେଇ ବୋଲୁଛି–ଏ ଦେହ ରେଳଗାଡ଼ି, ଜୀବ ଇଞ୍ଜିନ......ନଟବର ଆସିନାହାନ୍ତି ।

 

ଯାମିନୀବାବୁ ନବକୁ ଦେଖି ଆଦେଶ ଦେଲେ, ଦୋକାନ ଦୁଆର କବାଟ କିଳି ଦବାପାଇଁ, କାରଣ, ମା ଆସିବେ ।

 

ନବ ଯାମିନୀବାବୁଙ୍କ ମା’ଙ୍କର ଦୋକାନ ଘରକୁ ଆସିବାର କଥା ଶୁଣି ଉଠିଯାଇ ସାଙ୍ଗେ ସାଙ୍ଗେ କବାଟ ବନ୍ଦ କରିଦେଇ ତଳେ ଶୋଇବା ପରିବର୍ତ୍ତେ ଜାକିଜୁକି ହେଇ ବସି ରହିଲା ।

 

ଯାମିନୀବାବୁ ନବକୁ କହିଲେ–ମା’ ଗୋଟାଏ ଜିଦ୍ ଧରିଛନ୍ତି ଭଜଦାଙ୍କ ସ୍ତ୍ରୀ ତାଙ୍କର ପିଲା ଦୋ’ଟି କି ନେଇ ଗୋଟାଏ ଭଡ଼ାଘର କରି ରହିବେ । ଭଜଦା ଆମ ଘରେ ଚଳାଚଳ ହେବେ; ସେଠି ମଧ୍ୟ ଚଳାଚଳ ହେବେ, ଆଉ ରାତିରେ ଯାଇ ସେଠି ଶୋଇବେ । ଭଜଦାତ ଆମ ଉପରେ ଖାଇବେ, କେବଳ ତାଙ୍କର ସ୍ତ୍ରୀ ସେଠି ରାନ୍ଧି ଖାଇବେ, ପିଲାମାନଙ୍କର ଦୁଧ ଇତ୍ୟାଦି ଏଇଠୁ ଯିବ, ଆଉ ଆମେମାନେ ଯେତେବେଳେ ଯା’ ଯେମିତି ସାହାଯ୍ୟ କରିବାକୁ ଦରକାର ପଡ଼ିବ, ସାହାଯ୍ୟ କରୁଥିବୁ ।

 

ନବ ଏ ସବୁ କଥା ଶୁଣି କହିଲା–ଭଲ କଥା ମା କହୁଛନ୍ତି, ଭଡ଼ାଘର କରି ରହିଲେ କ୍ଷତି କଣ ? କେତେ ଦିନ ଆଉ ସେ ରୋଗଣା ପିଲାଟାକୁ ଘରେ ପୂରେଇ ଆପଣ ଘାଣ୍ଟି ହଉଥିବେ ? ତେବେ ଭଡ଼ାଘର କୋଉଠି ଠିକ୍ ହେଲାଣି ?

 

ଯାମିନୀବାବୁ କହିଲେ–ହଁ, ରସ ମା’ ଘର । ତୁ ତ ଜାଣିଥିବୁ, ତାଙ୍କ ଘର କଥା । ମୁଁ ତ ଯା ବୁଝିଛି, ଭଲହବ । ତାଙ୍କର ବାହାରଆଡ଼କୁ ଗୋଟିଏ ବଖରା ଘର ଅଛି, ସେଇ ବଖରାଟିରେ ରହିବାର କଥା । ରସ ମା’ ଘର କଥା ମା’ ମୋତେ କହିଥିଲେ ବୁଝିବାକୁ । ଆମ ଘରକୁ ମଧ୍ୟ ଖୁବ୍ ନିକଟ । ଆମେମାନେ ସବୁବେଳେ ଯାଇ ଦେଖା, ଚାହାଁ କରି ପାରିବୁ । ତେବେ ଗୋଟାଏ ଅସୁବିଧା......

 

ନବ ପଚାରିଲା–କ’ଣ ଅସୁବିଧା ?

 

ଯାମିନୀବାବୁ କହିଲେ–ଅସୁବିଧା କଣ ତୋତେ ମାଲୁମ ନାହିଁ ?

 

ନବ କହିଲା–ମୁଁ ତ କିଛି ଅସୁବିଧା ସେଠି ଦେଖୁ ନାହିଁ ।

 

ଯାମିନୀବାବୁ ଆରମ୍ଭ କଲେ–ଅସୁବିଧା ହଉଛି, ରସ ମା ଘର ସାମନାରେ ରାସ୍ତା କଡ଼କୁ ଯେଉଁ ଚଉତୁରା ଅଛି, ତା’ଉପରେ ସବୁବେଳେ ଟୋକାଗୁଡ଼ାଙ୍କର ଆଡ୍‍ଡ଼ା, ସବୁବେଳେ ବସି ତାସ୍, ପଶା ଖେଳନ୍ତି । ସେତିକି ନ ଥିଲେ......

 

ନବ ଏତେବେଳେ କହିଲା–ଟୋକାଙ୍କ ଆଡ଼ା କଥା କହୁଛ, ସେଠିତ ପୁଣି ରସମା’ ଚଳାଚଳ ହଉଛି । କୋଉ ଦିନ ରସମା’ର ନାଁ ପଡ଼ିଛି ? ରସମା’ ତ ପୁଣି ଭୁଆସୁଣୀଟାଏ, ଆସୁ ‘ମନ ଦୃଢ଼ ଥିଲେ ଗାଡ଼ିଆ ଗଙ୍ଗା’ । ଆପେ ଭଲ ଥିଲେ ବାବୁ, କିଏ କଣ କରିବ ? ଯଦି ଆପେ ଭଲ ନ ଥିବ, ତାକୁ ଘର କୋଣରେ କବାଟ କିଳି ରଖିଲେ ମଧ୍ୟ ସେ ଯେମିତି ହେଲେ ଦିନେ ପଦାକୁ ଫୁଟି ବାହାରିବ ।

 

ଏତେବେଳେ ଯାମିନୀବାବୁ କହିଲେ–ହଁ, ସେ ବି ଗୋଟାଏ କଥା ।

 

ସତ୍ୟବତୀ ଆସି ଦୋକାନଘରେ ପ୍ରବେଶ କରି ଯାମିନୀବାବୁଙ୍କ କତିରେ ଠିଆ ହେଇ, ପଚାରିଲେ–କ’ଣ ବୁଝିଲୁ କହିଲୁ ?

 

ଯାମିନୀବାବୁ ମା’ଙ୍କ ପ୍ରଶ୍ନ ଶୁଣି ନବକୁ ଲକ୍ଷ୍ୟ କରି କହିଲେ–ନବ, ଅଭିକା ଯେଉଁ ରସମା’ ଘରକଥା ପଡ଼ିଥିଲା, ସେଇ କଥା ମା’ ପଚାରୁଛନ୍ତି ।

 

ସତ୍ୟବତୀ ନବକୁ ଲକ୍ଷ୍ୟ କରି କହିଲେ–ନବ, ମୁଁ କହୁଛି ଭଜର ଭାରିଯା ପିଲା ରସମା’ ଘରେ ଭଡ଼ା ନେଇ ରହିଲେ କଣ ମନ୍ଦ ହେବ ? ଏକେ ରୋଗ, ତା’ ପରେ ବାପ, ମା’ ଦିହେଁ ଯେ ଯେତେବେଳେ ପାଇଲେ, ସେ ପୁଅଟାକୁ ମାଇଲେ । ସେଦିନତ ଦେଖିଲୁ ପୁଅଟା ମରୁମରୁ ବଞ୍ଚିଲା-। କି ମାଡ଼ ! ଦୋଷ ଭିତରେ ଭଜ ସ୍ତ୍ରୀ ନଡ଼ିଆତେଲ ଛଟାଙ୍କେ ରଖିଥିଲା ଗୋଟାଏ ଗିନାରେ, ଆଉ ଥରେ ଦେଖିଲା–ସେ ଗିନା ରହିଛି, ତେଲ ନାହିଁ । ଯେତେ କଥା ଭାବିଲୁ–ତେଲ କଣ ହେଲା, ତେଲ କୁଆଡ଼େ ଗଲା, ଢାଳିଯାଇ ନାହିଁ, ଶେଷରେ ଭାବିଲୁ, ବୋଧହୁଏ ନଡ଼ିଆ ବାସନାରେ ବିଲେଇ ପିଇ ଦେଇଛି । କିନ୍ତୁ ସେ ଦିନ ଭଜସ୍ତ୍ରୀ ତା’ର ପୁଅକୁ ଫୁସଲାଫୁସୁଲି କରି ତେଲ କଥା ପଚାରିବାରୁ ତା’ ପୁଅ ମାନିଲା–ତା’ ମା’ ନ ଥିଲା ବେଳେ ସେ ପିଇ ଦେଇଥିଲା । ଏଇଥିରେ ପୁଅ କାନମୁଣ୍ଡାକୁ ଗୋଟାଏ ଚାପୁଡ଼ା ଦେଲା, ପୁଅ ଏକବାରେ ବେହୋସ । ମରିଗଲା ଭାବି ମା’ ବାହୁନି ଉଠିଲେ........

 

ନବ ହସିଉଠି ପଚାରିଲା–ମା, କଣ କହୁଛ ! ସେ ପିଲାଟା ଛଟାଙ୍କେ ନଡ଼ିଆତେଲ ପିଇଗଲା ? ମୁଁ ତ ଏ କଥା କୋଉଠି ଶୁଣି ନାହିଁ, ମଣିଷ ନଡ଼ିଆତେଲ ପିଏ ?

Unknown

 

ସତ୍ୟବତୀ କହିଲେ–ପିଲାଟା ରୋଗରୁ ଉଠି ଖାଲି ଖାଇ ଖାଇ ହଉଛି । ତା’ର ଖାଇବାକୁ ଆମେ ଜଗିଛୁ । ଆମେ ତାକୁ ପେଟପୂରା ଖାଇବାକୁ ଦଉନୁ । ରୋଗରୁ ଉଠିଛି, ଖାଇଲେ ପୁଣି ଦିହ ଖରାପ ହେଇଯିବ । ପିଲା ମଣିଷ, ନଡ଼ିଆତେଲ ଥୁଆ ହେଇଥିଲା, ଭୋକରେ ପିଇଗଲା ।

 

ଆଉ ଯେଉଁ ଦିନଠୁଁ ସେ ପିଲା ନଡ଼ିଆତେଲ ପିଇଲା, ତା’ ଦିହ ବଳେଇଗଲା ।

 

ସତ୍ୟବତୀ ପୁଣି କହିଲେ–ତା’ ପରେ ଗେରସ୍ତ, ଭାରିଯାରେ ସବୁବେଳେ କଜିଆ, ବକାବକି, ତା’ ପରେ ପିଲାମାନଙ୍କର ଝାଡା, ପରିସ୍ରା । ସେମାନେତ ମୋ’ରି ଶୋଇବା ଘରେ ରହିଛନ୍ତି । ସେ ଘରେ ଆଉ ଗନ୍ଧରେ ପଶି ହଉ ନାହିଁ । ଆଉତ ମୋର କୋଉଠି ଅଲଗା ଘର ନାହିଁ ଯେ, ସେମାନଙ୍କୁ ରଖିବି । ଏଇଥିଲାଗି କହୁଛି, ସେମାନେ ଭଡ଼ାଘର କରି ରହନ୍ତୁ । ରସମା’ ଘରତ ଆମ ଘର ନିକଟରେ, ଆମେ ଯାଇ ଦେଖି ଆସୁଥିବୁ.....

 

ସତ୍ୟବତୀଙ୍କ କଥା ଶେଷ ନ ହେଉଣୁ ନବ କହିଲା–ହଁ, ମା ମୁଁ ବାବୁଙ୍କ କତିରୁ ସବୁ ଶୁଣିଲିଣି, ଭଲ ହେବ ।

 

ସତ୍ୟବତୀ କହିଲେ–ଯାମିନୀ କଣ କହୁଛି, ସେଠି ଗୋଟାଏ କଥାରେ ଅସୁବିଧା.....

 

ସତ୍ୟବତୀଙ୍କୁ ଆଉ କହିବାକୁ ନ ଦେଇ, ନବ ଏବଂ ଯାମିନୀବାବୁ ଉଭୟେ କହି ଉଠିଲେ–ନାହିଁ, ନାହିଁ ସେଠି କିଛି ଅସୁବିଧା ହବ ନାହିଁ, କିଛି ଅସୁବିଧା ନାହିଁ ।

 

ନବ ପୁଣି ଏକାକୀ କହିଲା–ମା, ଯେତେ ଶୀଘ୍ର ପାର, ସେମାନଙ୍କୁ ବିଦାୟ କର, ସେମାନେ ତୁମ ଘରେ ଚଳିବା ଲୋକ ଲୋକ ନୁହଁନ୍ତି ।

 

ସତ୍ୟବତୀ କହିଲେ–ଶୀଘ୍ର ଆଉ ଯାଉଛନ୍ତି କାହିଁ ? ରସ ମା’ ସାଙ୍ଗରେ ମୋର କଥା ହେଇଥିଲା, ସେ କହିଲା–ଘରଟାକୁ ଟିକେ ପରିଷ୍କାର ପରିଚ୍ଛନ୍ନ କରି ଦିଏ ।

 

ସେତ ଏକା ଲୋକ, ପାଞ୍ଚଦିନ ସମୟ ମାଗିଛି । ତାଙ୍କ ଦାଣ୍ଡବଖରାଟା ଖାଲିପଡ଼ିଛି, ସେଇ ବଖରାକ ଭଡ଼ା ନବାର କଥା, ସେ ବଖରାରେ ଚୁଲି ଅଛି, କାନ୍ଥରେ ଆଲମାରି ହେଇଛି, ବଖରାଟା ବଡ଼ । ସେଇଥିରେ ରହିଲେ, ଭାରି ସୁବିଧା ହବ । ତା’ ପରେ ରସ ମା’ ପରି ଲୋକ କତିରେ ଭଜସ୍ତ୍ରୀ ରହିବ । କୋଉ କଥାକୁ ଭୟ ନାହିଁ । ଗୋଟାଏ ମାଇପି ଲୋକ ରସମା’ ଘର ଖଣ୍ଡିକ କିମିତି କରି ରଖିଛି ! ସ୍ୱାମୀ, ଦିଅର, ଦେଢ଼ଶୁର ନେଇ ସେ ଘରେ ଏକା ଚଳୁଛି, କାହାରି ଦିନେ କିଛି ଅସୁବିଧା ହେଇଛି ବୋଲିତ ଆମେ ଶୁଣୁନା ।

 

ନବ ସତ୍ୟବତୀ ଏବଂ ଯାମିନୀବାବୁଙ୍କୁ ନିଜର ଗୋଟାଏ ସନ୍ଦେହ ଦୂର କରିବା ଲାଗି ପଚାରିଲା–ଭଜହରି କଣ ବ୍ରାହ୍ମଣ ?

 

ସତ୍ୟବତୀ ଏବଂ ଯାମିନୀବାବୁ ଉଭୟେ ଉତ୍ତର ଦେଲେ–ନା, ବ୍ରାହ୍ମଣ କିଏ କହିଲା ?

 

ନବ କହିଲା–ଭଜହରି କାନ୍ଧରେ ଗୋଟାଏ ପଇତା କାହିଁକି ପକେଇଛି ?

 

ସତ୍ୟବତୀ ହସି ଉଠି କହିଲେ–ସେ ସେମିତି ଗୋଟାଏ ମିଛରେ ପକେଇଛି । କଲିକତାରେ ଥିଲାବେଳେ ବାମୁଣ ବୋଲି ପରିଚୟ ଦେଇ ରୋଷେଇ କାମ କରୁଥିଲା । ସେଇ ପଇତାଟା କାନ୍ଧରେ ରହିଛି ।

 

ରାତି ଏଗାରଟାରେ ଯାମିନୀବାବୁ ଖାଇସାରି ଶୋଇବାକୁ ଗଲେ । ଘରେ ଆଉ ସମସ୍ତଙ୍କ ଖାଇବା ପିଇବା ଲାଗିଥାଏ । ସୁରମା କେତେବେଳେ ଯାମିନୀବାବୁଙ୍କ ଶୟନ କକ୍ଷରେ ପ୍ରବେଶ କରିବେ, ଯାମିନୀବାବୁ ଅପେକ୍ଷା କରିଥାନ୍ତି ।

 

ସୁରମା ଯେତେବେଳେ ଆସି ଶୟନ କକ୍ଷରେ ପ୍ରବେଶ କରି ଆଲୁଅ ନେଇ ଘଡ଼ି ଦେଖନ୍ତି–ରାତି ସାଢ଼େ ବାରଟା ।

 

ଘରର ଅନ୍ୟାନ୍ୟ ସମସ୍ତେ ନିଦ୍ରାମଗ୍ନ ।

 

ଯାମିନୀବାବୁ ସୁରମାକୁ ପ୍ରଶ୍ନ କଲେ–ଭଜଦା ତ ଆଜିକାଲି ସବୁ କାମ କରୁଛନ୍ତି । ତେବେ ସୁଦ୍ଧା ତୁମର ଖାଇ ସାରି ଆସିବାକୁ ଏତେ ଡେରି ହଉଛି କାହିଁକି ? ନା, ଆଜିକାଲି ମୁଁ ପୁରୁଣା ହେଇଗଲି, ସେଇଥିଲାଗି ।

 

ସୁରମା ଉତ୍ତରରେ କହିଲେ–ତୁମେ ପୁରୁଣା ହବ କାହିଁକି ? ତୁମର ଭଜଦା ପୁରୁଣା ହେଇଯିବାରୁ, ମୋର ଆସିବାକୁ ଏତେ ଡେରି ହଉଛି ।

 

ଯାମିନୀବାବୁ ହଠାତ୍ ସୁରମାର କଥା ବୁଝି ନ ପାରି, ପଚାରିଲେ,–କ’ଣ ଭଜଦା ପୁରୁଣା ହେଇ ଗଲାରୁ ତୁମର ଆସିବା ବିଳମ୍ବ ହଉଛି ?

 

ସୁରମା କହିଲେ–ଉଜଦା ପ୍ରଥମେ ଆସି ଯେମିତି ଆଗ୍ରହରେ ସବୁ କାମ କରୁଥିଲେ, ଆଜିକାଲି କଣ ସେମିତି ତାଙ୍କର ଆଗ୍ରହ ଅଛି ?

 

ଯାମିନୀବାବୁ ଟିକିଏ ଆଶ୍ଚର୍ଯ୍ୟହୋଇ କହିଲେ–ଆଉ ?

 

ସୁରମା କହିଲେ–ଭଜଦାକୁ ମା’ ଯେଉଁ ଦିନଠୁଁ ଅଲଗା ହାଣ୍ଡି କରେଇଲେଣି, ସେଇଦିନଠୁଁ ଭଜଦାଙ୍କ ଆଉ ଆମଘର କାମରେ ମନ ନାହିଁ । ସେତେବେଳେ ରାତି ନ ପାହୁଣୁ ଉଠି କେତେ କାମ କରୁଥିଲେ । ଆଜିକାଲିତ ଉଠୁ ଉଠୁ ଦିନ ସାତ, ଆଠ । ଉଠି ନିତ୍ୟକର୍ମ ସାରି ଟହଲ ଟୁକର କରି ଏପାଖ ସେପାଖ ହେଇ ଦିନ ସାଢ଼େ ନ’ଟା ବେଳକୁ ଅଫିସ ଗଲେ । ଅଫିସରୁ ଫେରିଲା ବେଳକୁ ଦିନ ପାଞ୍ଚଟା । ତା’ପରେ ଗୋଡ଼ହାତ ଧୋଇ ଖାଇସାରି ସ୍ତ୍ରୀ କତିରେ ନଚେତ୍ ଦାଣ୍ଡଆଡ଼େ ଯାଇ ବସିଲେ । ତା’ପରେ ମୁଁ ରୋଷେଇ ବସେଇ ସାରିଲା ପରେ କେତେବେଳେ ଆସି ରୋଷେଇ ଘରେ ପଶିଲେ । ପୁଣି ତରକାରୀ କିମ୍ବା ଭାତ ଡାଲି ଚୁଲ୍ଲୀରେ ବସିଛିତ ଯାଇ ଶୋଇଲେଣି । ଏମିତି ଆଜିକାଲି କାମ କରୁଛନ୍ତି । ମୁଁ ତ ଅଧେ କାମ ହାତେ ହାତେ କରୁଛି । ମା’ଖାଲି ମିଛରେ ଗୋଟାଏ ଅଲଗା ହାଣ୍ଡି କରେଇଲେ । ଅଧିକାଂଶ ଜିନିଷ ତ ଆମ ଆଡ଼ୁ ଖରଚ ହଉଛି ।

 

ତା’ପରେ ରାତିରେ ଯେମିତି ତୁମର ଖାଇବା ସଇଲା ଦେଖିଲେ, ନିଜେ ଖାଇଦେଇ ଯାଇ ଶୋଇ ପଡ଼ୁଛନ୍ତି । ମୋତେ ତ ଅନେକ କାମ କରିବାକୁ ପଡ଼ୁଛି । ସେ ଭାବିଥିଲେ–ତାଙ୍କର ପିଲା ଭାରିଯାର ସମସ୍ତ ଖରଚ ଯଦି ଆମଆଡ଼ୁ ଚଳିଥାନ୍ତା, ତା’ ହେଲେ, ସେ ପୂର୍ବପରି କାମ କରୁଥାନ୍ତେ । ଦେଖିଲେ ଯେତେବେଳେ ମା’ ତାଙ୍କୁ ଅଲଗା ହାଣ୍ଡି କରେଇଲେ, ସେ ଆଉ କାହିଁକି ଆମର ସବୁ କାମ କରିବେ ? ବର୍ତ୍ତମାନ ନିଜ ହାତରୁ କିଛି ଖରଚ ପଡ଼ୁଛି । ଯଦି ଆମଆଡ଼ୁ ଖରଚ ହଉଥାନ୍ତା, ତା’ ହେଲେ ଭାରି ଖୁସିରେ କାମ କରୁଥାନ୍ତେ । ତାଙ୍କର ମତଲବ ଏଇଆ । କୁହ, ଯଦି ଭଜଦାଙ୍କ ପରିବାରର ସମସ୍ତ ଭାର ବହନ କରି ପାରିବ, ତା’ ହେଲେ ମୁଁ ତୁମ କତିକି ଆହୁରି ଶୀଘ୍ର ଆସି ପାରିବି ।

 

ଯାମିନୀବାବୁ ହସି ହସି କହିଲେ–ତା’ ହେଲେ ସୁରମା, ତୁମର ଆଉ ବାହାଦୁରି କଣ ରହିଲା ? ଯଦି ତୁମକୁ, ଟିକିଏ ଶୀଘ୍ର କିତିରେ ପାଇବା ପାଇଁ ଅଧିକ ଖର୍ଚ୍ଚାନ୍ତ ହେଲି, ଯଦି ବିନା ଖର୍ଚ୍ଚରେ ତୁମକୁ ଶୀଘ୍ର କତିରେ ପାଇପାରିବି, ତା’ ହେଲେ ତୁମର ବାହାଦୁରି ।

 

ସୁରମା ଉତ୍ତର ଦେଲେ–ମୋର ସେମିତି ବାହାଦୁରିର ଦରକାର ନାହିଁ, ମୁଁ ଏତେ ଶସ୍ତା ହେଇ ନାହିଁ ।

 

ଯାମିନୀବାବୁ ହସି ହସି କହିଲେ–ପ୍ରକୃତ କଥା, ଆଜିକାଲି ସବୁ ଜିନିଷର ଦାମ ଯେତେବେଳେ ଚାରିଗୁଣ ବଢ଼ିଗଲା, ତୁମେ ମଧ୍ୟ ଏତେ ଶସ୍ତାରେ ଧରାଦେବ କାହିଁକି ? Control rate ରେ ମଧ୍ୟ ପାଇ ପାରିବି ନାହିଁ, Black market ରେ ପାଇ ପାରେ ।

 

ସୁରମା ହସି ହସି କହିଲେ–Black market ରେ ଯେ ଜିନିଷ କିଣେ, ଧରା ପଇଲେ କି ହଇରାଣ ହବାକୁ ହୁଏ, ଜାଣତ ?

 

ଯାମିନୀ ବାବୁ କହିଲେ–ଆଉ Black marketing ଯେ କରେ, ଧରା ହେଲେ, ସେ କେମିତି ହଇରାଣ ହୁଏ ?

 

ସୁରମା ଯାମିନୀବାବୁଙ୍କ କତିକି ଆଉ ଟିକିଏ ଘୁଞ୍ଚି ବସି କହିଲେ–ସେଦିନ ରାତିରେ ଭଜଦା Black market ରେ ଧରାପଡ଼ି କିମିତି ହଇରାଣ ହେଲେ !

 

ଯାମିନୀବାବୁ ହସିହସି ବହିଲେ–ଭଜଦାଙ୍କ ସ୍ତ୍ରୀତ Controlled ନୁହନ୍ତି; ସେ un controlled, ତାଙ୍କଠିତ Black marketing ର ପ୍ରଶ୍ନହିଁ ଉଠେନା । ଭଜଦା Black market ରେ ପାଇବାର ଆଶା ରଖି ତାଙ୍କ ସ୍ତ୍ରୀଙ୍କ କତିକି ଗଲେ କାହିଁକି ?

 

ସୁରମା କହିଲେ–ଏଇଥିରୁ ବୁଝ, ଭଜଦା ତାଙ୍କ ସ୍ତ୍ରୀକୁ କେତେ ଭଲ ପାନ୍ତି !

 

ଯାମିନୀ ବାବୁ ପରିହାସ କରି କହିଲେ–ଭଜଦାଙ୍କ ସ୍ତ୍ରୀ ଯେ–‘ବୃଦ୍ଧସ୍ୟ ତରୁଣୀ ଭାର୍ଯ୍ୟା’ ହେଇଛନ୍ତି ।

 

ସୁରମା ଏତେବେଳେ କଥାର ଧାରା ବଦଳେଇ କହିଲେ–ଭଜଦାଙ୍କ ସ୍ତ୍ରୀ କଣ କହୁଥିଲେ ଶୁଣିଛ ?

 

ଯାମିନୀବାବୁ କହିଲେ–କଣ ?

 

ସୁରମା କହିବାକୁ ଲାଗିଲେ–ଭଜଦା ଯେତେବେଳେ ତାଙ୍କ ଗାଁରେ ଥିଲେ, ତାଙ୍କ ସ୍ତ୍ରୀ ଟିକିଏ କୁଆଡ଼େ ଗଲେ ତାଙ୍କ ପଛେ ପଛେ ବରାବର ଜଗି ରହୁଥିଲେ । ପୁଣି କହୁଥିଲେ–ଭଜଦା ତାଙ୍କୁ ମାରନ୍ତୁ, ଯା କରନ୍ତୁ, ସେ ଟିକିଏ କଥା ବନ୍ଦ କଲେ କି ଋଷିଲେ, ଭଜଦା ଅସ୍ଥିର ହୋଇ ପଡ଼ନ୍ତି-

 

ଯାମିନୀବାବୁ କହିଲେ–ସେ ପ୍ରକୃତ କଥା, ଭଜଦାଙ୍କ ସ୍ତ୍ରୀ ହେଲା ଭଜଦାଙ୍କ ସର୍ବସ୍ୱ । ତାଙ୍କ ମୁହଁ ନ ଦେଖିଲେ ଭଜଦା ରହି ପାରିବେ ନାହିଁ । ଦେଖ, ଗରିବ ଲୋକର ସୁନ୍ଦରୀ ସ୍ତ୍ରୀ ହେଲେ କି ବିପଦ ! ଖାଲିତ ଗରିବ ନୁହେଁ, ବୟସ୍କ ମଧ୍ୟ । ଧନ ନାହିଁ, ଯୌବନର ତିନିଭାଗ ଯାଇ ଆଉ ଭାଗେ ଅଛି ମାତ୍ର, ସେଥିରେ ପୁଣି ସୁନ୍ଦରୀ ସ୍ତ୍ରୀ । କଣ ହୁଏ ଏପରି ଅବସ୍ଥାରେ ଲୋକର ଦଶା-! ଭଜଦାଙ୍କ କଥା ଭାବିଲେ ମୋର ଭାରି ଦୁଃଖ ହୁଏ । ସୁରମା, ତୁମେ ଯେ କହୁଛ ଭଜଦା ଆଜିକାଲି କାମରେ ଫାଙ୍କି ଦଉଛନ୍ତି, ମୁଁ ଭାବେ, ତା’ ନୁହେଁ । କେବଳ ସେ ଛାପାଖାନାରେ ଖଟି ଖଟି ଆସି ଆଉ ଏଠି ଖଟିବାକୁ ପାରୁ ନାହାନ୍ତି । ତା’ପରେ ମନର ଅବସ୍ଥା ମଧ୍ୟ ଆଦୌ ଭଲ ନୁହେଁ-। ସ୍ତ୍ରୀର ସବୁବେଳେ ଲାଞ୍ଛନା, ଅପମାନ । ମା’ତ ଜିଦ୍ ଧଇଲେଣି, ତାଙ୍କ ସ୍ତ୍ରୀ ପିଲାଙ୍କୁ ଅନ୍ୟତ୍ର ନେଇ ରଖିବା ପାଇଁ । ଭଜଦାର ଆହୁରି ମନ ଖରାପ ହେଇ ଯାଇଛି, ଏକଥା ଶୁଣି । ଏଠି ତାଙ୍କର ସ୍ତ୍ରୀ ଥିଲେ ଯେ ଆମମାନଙ୍କ କତିରେ, ପରିଚିତ ଲୋକ କତିରେ ଥିଲେ । ବିଦେଶ ଜାଗା ବୋଲି ସେ ଆଦୌ ବୁଝି ପାରୁ ନ ଥିଲେ । ଏଣିକି ଯେଉଁ ଭଡ଼ାଘରେ ରହିବେ, ଭଜଦାଙ୍କ ପକ୍ଷରେ ଭାରି ଅସୁବିଧା ହବ, ସେ ଯେମିତି ସନ୍ଦେହୀ ଲୋକ !

 

ସୁରମା କହିଲେ–ଭଜଦା ତାଙ୍କ ସ୍ତ୍ରୀକୁ ଏତେ ସନ୍ଦେହ କରନ୍ତି କାହିଁକି ? ମୋର ତ ମନେ ହୁଏନା, ତାଙ୍କର ଚରିତ୍ର ଖରାପ ବୋଲି, କେବଳ ଦୋଷ ଭିତରେ–ମୁଖରା ।

 

ଯାମିନୀବାବୁ ଉତ୍ତର ଦେଲେ–ମୁଁ’ ତ ସେମିତି ମନେ କରେ । ଭଜଦା କିନ୍ତୁ ଭାରି ସନ୍ଦିହାନ ଲୋକ, କିମ୍ବା ସେ ଯଦି ତାଙ୍କର ସ୍ତ୍ରୀଙ୍କର ଚରିତ୍ରହୀନତା ବିଷୟରେ ସେମିତି କୌଣସି ସୂଚନା ପାଇଥିବେ, ଆମେ କେମିତି କହିପାରିବୁ ?

 

ସୁରମା କହିଲେ–ତା’ଙ୍କର ସ୍ତ୍ରୀର ନାଁଟି ଭାରି ସୁନ୍ଦର ଶୁଣିଛ ?

 

ଯାମିନୀବାବୁ କହିଲେ–କଣ କହିଲ ?

 

ସୁରମା କହିଲେ–‘ସୁଧା’ !

 

ଯାମିନୀବାବୁ ହସି ହସି କହିଲେ–ଭଜଦା ତ ‘ଗରଳ’ ପରି ମନେ ହେଉଛନ୍ତି । ସୁରମା ହସି ହସି କହିଲେ–ତା’ ହେଲେ କଣ ‘ଗରଳ’ ଆଉ ‘ସୁଧା’ ଦୁହିଁଙ୍କ ମିଶ୍ରଣ ଫଳରେ ଉପୁଜେ ଖାଲି–‘ସନ୍ଦେହ’ ଆଉ ‘କଳହ’ ?

 

ଯାମିନୀବାବୁ ପୁଣି ଆଉ ଟିକିଏ ରହସ୍ୟ କରି କହିଲେ–ଖାଲି କଣ ‘ସନ୍ଦେହ’, ‘କଳହ’ ଉପୁଜେ ? ‘ପଫ’ ‘ବଭ’ ତ ପୁଣି ଉତ୍ପନ୍ନ ହୁଏ ।

 

-୧୪-

 

ଯାମିନୀବାବୁ କୁଆଡ଼େ ଯାଇଥିଲେ ଗୋଟିଏ ରୋଗୀ ଦେଖିବାପାଇଁ, ଫେରୁ ଫେରୁ ସଞ୍ଜ ଗଡ଼ିଗଲା । ଫେରି ଆସି ଯେମିତି ଘରେ ପଶିଲେ, ସତ୍ୟବତୀ କହିଲେ–ଭଜ ଆଜି ଦିନରୁ ଖାଇ ନାହିଁ, ସ୍ତ୍ରୀ ସାଙ୍ଗରେ କଜିଆ କରି ଦିନରୁ ସେମିତି ନିର୍ଜ୍ଜଳା ଉପାସ ରହିଛି । ମୁଁ ଯେତେ କହିଲିଣି, ମୋ କଥା ମାନୁ ନାହିଁ, ସେମିତି ଉପାସରେ ବସିଛି । ତୁ କହିଲୁ, ଯଦି ତୋ’ କଥା ମାନି ଖାଇଲେ ଖାଇପାରେ । ଲୋକଟା ମୋ ଘରେ ରହି ମିଛେ ମିଛେ ସ୍ତ୍ରୀ କଥାରେ ରାଗ କରି ନ ଖାଇ ନ ପିଇ ବସିଛି । ଭାରି ଖରାପ କଥା । ତୁ ବୁଝେଇଲେ ଖାଇପାରେ ।

 

ଯାମିନୀବାବୁ ଦୋକାନ ଘର ଖୋଲି ଭଜହରିକୁ ସାଙ୍ଗରେ ଡାକି ନେଇ କତିରେ ବସେଇ ପଚାରିଲେ–ଭଜଦା, ଖାଇନା କାହିଁକି ? ସ୍ତ୍ରୀ ସାଙ୍ଗରେ କଜିଆ କରି ଖାଇନା, କି କଥା ଏ-! ଯେ ଶୁଣିବ, ସେ ତମକୁ କଣ କହିବ ? ଯାଅ ଖାଇନିଅ, କେତେ ଦିନ ଏମିତି ଉପାସ ରହିବ-? ନ ଖାଇଲେ କଣ ସ୍ତ୍ରୀ ସହିତରେ କଜିଆ ବନ୍ଦ ହବ ? ଖାଇ ନିଅ, ଯାଅ ।

 

ଭଜହରିର ଚକ୍ଷୁ ସଜଳ, ମୁଖ ଯଦିଚ ଶୁଷ୍କ, ତେବେ ସୁଦ୍ଧା ରାଗରେ ଦୀପ୍ତ । ଭଜହରି ଆରମ୍ଭ କଲେ–ଯାମିନି, ମରିବି ପଛେ, ଖାଇବି ନାହିଁ । ଆଉ ମୁଁ ଏ ସ୍ତ୍ରୀର କଟୁ କଥା ସହି ପାରିବି ନାହିଁ । ମୁଁ ଏ ସ୍ତ୍ରୀ ସକାଶେ ଆଜି ଦାଣ୍ଡର ଭିକାରି । ମୁଁ କଲିକତାରେ ଥିଲାବେଳେ ଯା’ ରୋଜଗାର କରିଥିଲି, ସବୁ ୟାରି ବାପ ହାତରେ ଦେଇଛି, ସବୁ ୟାରି ବାପ ମୋଠୁଁ ନେଇଛି.......

 

ସ୍ତ୍ରୀ ଏତିକିବେଳେ ଘର ଭିତରୁ ଶୁଣେଇ ଶୁଣେଇ କହିଲେ–ସବୁ ମୋ ବାପ ହାତରେ ଦେଇ ପକେଇଛି, ସବୁ ସତ କଥା କହି ପକେଇଲା, ଏଡ଼େ ଦିଆଟା ।

 

ଭଜହରି ରାଗରେ ଜଳି ଉଠି କହିଲେ–ଦେଖ; ଦେଖ; ସେ କେମିତି କହୁଛି ! ଦେଖୁଛ ।

 

ଯାମିନୀବାବୁ ଭଜହରିର ସ୍ତ୍ରୀକୁ ଶୁଣେଇ ପାଟି କରି କହିଲେ–ତୁମେ କାହିଁକି କଥା କହୁଛ ? କିଏ ତମକୁ କହିଲା; ଏଠି ଆସ କଥା କହିବା ପାଇଁ ?

 

ଆଶ୍ରୟସ୍ଥଳରୁ ଠିକ୍ ବାହାରିବା ସମୟରେ ଗୋଟିଏ ବନ୍ୟଜନ୍ତୁ ହଠାତ୍ ଶିକାରୀକୁ ସମ୍ମୁଖରେ ଦେଖିଲେ ସେ ଯେପରି ପୁଣି ନିଜର ଆଶ୍ରୟସ୍ଥଳରେ ଆତ୍ମଗୋପନ କରେ; ସେହିପରି ଯାମିନୀବାବୁଙ୍କ ପାଟିରେ ଭଜହରିର ସ୍ତ୍ରୀ ଘର ଭିତରେ ଲୁଚିଗଲେ ।

 

ଭଜହରି ପ୍ରକୃତ ଟଙ୍କା ଦେଇଛନ୍ତି କି, ନା, ସତ୍ୟତା ଦେଖେଇବାକୁ ଯାଇ ଦିଗୁଣ ଉତ୍ସାହରେ କହିବାକୁ ଆରମ୍ଭ କଲେ–ମୋର ଜଣେ ଭଉଣୀ ୟାଙ୍କ ଘରର ଅଳ୍ପ ଦୁରରେ ବିଭା ହୋଇଥିଲେ । ସେଇ ମୋ ଲାଗି ଏ କନ୍ୟା ମନେ ମନେ ସ୍ଥିର କରିଥିଲେ । ମୋର ପସନ୍ଦ ହେଲେ ବିଭାଘର ସ୍ଥିର ହବାର କଥା । ମୋର ଭଉଣୀ ମୋତେ କଲିକତାକୁ ଚିଠି ଲେଖିଲେ । ମୁଁ ଆସିଲି, କନ୍ୟା ଦେଖିଲି, ମୋର ପସନ୍ଦ ହେଲା । କନ୍ୟାର ପିତାଙ୍କ ସଙ୍ଗେ କଥା ଠିକ୍ ହେଲା ଯେ–ତାଙ୍କର ନିଘାମାନି ନେବି, ମୁଁ ତାଙ୍କ ଘରେ ଘରଜୋଇଁଆ ହେଇ ରହିବି । ଶ୍ୱଶୁର, ଶାଶୁ ବଞ୍ଚିଥିବା ଯାଏ ତାଙ୍କୁ ପ୍ରତିପୋଷଣ କରିବି । ତାଙ୍କର ସମ୍ପତ୍ତି ମଧ୍ୟ ଲେଖି ଦେବେ, ମୁଁ ରାଜି ହେଲି ।

 

ଶ୍ୱଶୁର କହିଲେ–ତୁମେ କଲିକତା ଯାଇ ଟଙ୍କା ପଠେଇଲେ ମୁଁ ବିଭାଘରର ଆୟୋଜନ କରିବି । ମୁଁ କଲିକତା ଯାଇ ଟଙ୍କା ପଠେଇଲି, ଅପେକ୍ଷା କଲି କେବେ ମୋତେ ବିଭାହବା ପାଇଁ ଶ୍ୱଶୁର ଡକେଇବେ, କିନ୍ତୁ କୌଣସି ଉତ୍ତର ପାଇଲି ନାହିଁ ।

 

ପୁଣି ଶ୍ୱଶୁର ଲେଖିଲେ–ମୁଁ ବେମାର ପଡ଼ିଗଲି, ତୁମେ ଆଉ ଟଙ୍କା ପଠେଇଲେ ବିଭାଘରର ଆୟୋଜନର ଯା’ ଯା’ ବାକି ଅଛି, ସେତକ କରିସାରି ତୁମକୁ ଲେଖିବି ଆସିବା ପାଇଁ ।

 

ମୁଁ ପୁଣି ଟଙ୍କା ପଠେଇଲି; ଅପେକ୍ଷା କଲି; ଶ୍ୱଶୁର କେବେ ବିଭାହବା ପାଇଁ ଡକେଇବେ; କିନ୍ତୁ କୌଣସି ଉତ୍ତର ପାଇଲି ନାହିଁ । ଅପେକ୍ଷା କରି କରି ବିରକ୍ତ ହେଇ ଶେଷରେ ଚିଠି ଲେଖିଲି–ମୋର ତୁମ ଘରେ ବିଭାହବା ଦରକାର ନାହିଁ; ମୋର ଟଙ୍କା ଯା’ ନେଇଛ; ମୋତେ ଫେରେଇ ଦିଅ ।

 

ମୋର ଚିଠି ପାଇ ଶ୍ୱଶୁର ଯାଇ କଲିକତାରେ ପହଞ୍ଚିଲେ । କହିଲେ–ଦେଖ; ତୁମେ ଯେ ଟଙ୍କା ପଠେଇଥିଲ; ତାକୁ ମୁଁ ସବୁ ଖର୍ଚ୍ଚ କରି ପକେଇଛି । ତୁମେ ମୋ ପୁଅ ପରି; ମୁଁ ତମ ଟଙ୍କା ଖର୍ଚ୍ଚ କରିବି ନାହିଁ ତ ଆଉ କା’ ଟଙ୍କା ଖର୍ଚ୍ଚ କରିବି ? କା’ ଉପରେ ଆଉ ମୁଁ ଦାବି କରିବି ? ମୋତେ ଆଉ ଟଙ୍କା ଦିଅ; ମୁଁ ଏଇଥର ଯାଇ ନିଶ୍ଚୟ ବିଭାଘରର ଆୟୋଜନ କରିବି ।

 

ମୁଁ କଲିକତା କାଳୀଙ୍କର ଧଣ୍ଡା ଆଣି ଦେଲି । କହିଲି; ଏ ଧଣ୍ଡା ଛୁଇଁ କୁହ; ତେବେ ମୁଁ ଟଙ୍କା ଦେବି । ସେ ଧଣ୍ଡା ଛୁଇଁ ସତ୍ୟ କଲେ; ମୁଁ ଟଙ୍କା ଦେଲି । ସେ ଟଙ୍କା ଆଣି ବିଭାଘରର ଆୟୋଜନ କରି ମୋତେ ଡକେଇଲେ । ସେଇ ଥରକ ବିଭାଘର ହୋଇଗଲା ।

 

ମୁଁ ବିଭାହେଇ ସାରି କଲିକତା ବାହାରିଗଲି । ମାସକୁ ମାସ ଶ୍ୱଶୁର ଘରେ ସମସ୍ତଙ୍କ ଲାଗି ଖର୍ଚ୍ଚ ପଠେଇବାକୁ ଲାଗିଲି । ଥରେ ଛୁଟି ନେଇ କଲିକତାରୁ ଆସିଲି । ଶ୍ୱଶୁରଙ୍କୁ କହିଲି–ଏଥର ସ୍ତ୍ରୀକୁ ସାଙ୍ଗରେ ନେଇଯିବି କଲିକତା । ଏଥିରେ ଶ୍ୱଶୁର; ଶାଶୁ ଝିଅକୁ ଧରି କାନ୍ଦିଲେ । କହିଲେ–ତୁ ଯା’ ନା, ତୁ ଗଲେ ସେ ଆଉ ଆମ କତିକି ଟଙ୍କା ପଠେଇବ ନାହିଁ; ଆମେ ଖାଇବା ବିନା ମରିଯିବୁ । ଝିଅ ଆଉ ରାଜି ହେଲେ ନାହିଁ; ମୋ ସାଙ୍ଗରେ କଲିକତା ଯିବା ପାଇଁ । ରହିଲେ ବାପ; ମା କତିରେ । ମୁଁ କଲିକତା ଫେରିଗଲି ।

 

ଶ୍ୱଶୁରତ ନିଶାବାଜିଆ ଲୋକ ଥିଲେ । ତାଙ୍କର ସନ୍ଦେହ ହେଲା–ଝିଅ ଯଦି ଜୋଇଁ ସାଙ୍ଗରେ ଚାଲିଯାଏ; ଜୋଇଁ ଯଦି ଆଉ ଟଙ୍କା ପଇସା ନ ପଠାଏ; ତା’ ହେଲେ ଖାଇବା ଖର୍ଚ୍ଚ, ନିଶାଖିଆ; ଏସବୁ ଚଳିବ କିମିତି ? ଖାଇବା ତେଣିକି ଥାଉ; ନିଶାଖିଆତ ଅସଲ; ଏଇଥିଲାଗି ମୋ ସାଙ୍ଗରେ ଆଉ ଝିଅକୁ ଛାଡ଼ିଲେ ନାହିଁ ।

 

ସେମିତି ଶ୍ୱଶୁର ପୁଣି ଥରେ ମୋତେ ଚିଠି ଲେଖିଲେ–ମୁଁ ତ ଅଶକ୍ତ ହେଲିଣି, କେବେ ମରିଯାଇ ପାରେ; ମୁଁ ଥାଉ ଥାଉ ମୋର ଯା’ ଜାଗା ଜମି ଅଛି; ତୁମ ନାଁରେ ଲେଖିଦେଇ ଯିବି । ଏଥିରେ ଖର୍ଚ୍ଚ ଅଛି; ଯଦି ଟଙ୍କା ପଠେଇବ; ତେବେ କାଗଜପତ୍ର କିଣି ଲେଖାଲେଖିର ଯୋଗାଡ଼ କରି ତୁମକୁ ଡକେଇବି; କିନ୍ତୁ ସମ୍ପତ୍ତି କଣ ଜାଣ ଯାମିନୀ; ଘରବାର ଛଡ଼ା ଆଉ କିଛି ନୁହେଁ । ମୁଁ ଶ୍ୱଶୁରଙ୍କ କଥାରେ ଟଙ୍କା ପଠେଇଲି । ଥରେ, ଦୁଇଥର, ତିନିଥର; ଶେଷରେ ନିଜେ ଆସି ବୁଝିଲି ଯେ–ଶ୍ୱଶୁର ସେ ଟଙ୍କାତକ ସବୁ ନିଶିଖିଆରେ ସାରିଥିଲେ । ସେତେବେଳକୁ ସେ ମଧ୍ୟ ଶେଯରେ ପଡ଼ିଥିଲେ । ଚଳାଚଳ ହବାପାଇଁ ଆଉ ତାଙ୍କର ଶକ୍ତି ନ ଥିଲା । ମୁଁ କଲିକତାରୁ ଆସି ପହଞ୍ଚିବା ପୂର୍ବରୁ ସେ ଚାଲିଗଲେ । ମୁଁ କିଛି ଦିନ ପରେ କଲିକତା ଫେରିଯାଇ ଚାକିରି ଛାଡ଼ି ଆସି ଘରେ ରହିଲି । ସେ ଜାଗାଜମି ମୋ ନାଁରେ କିଛି ଲେଖାପଢ଼ି ହେଇ ନାହିଁ; ସେମିତି ରହିଛି । ଶେଷରେ ଦେଖିଲି ଯେ, ମୁଁ ଯେତେ ଦିନ ଶ୍ୱଶୁର ଘରେ ପଡ଼ିଥିବି; ଖର୍ଚ୍ଚାନ୍ତ ହେଉଥିବି । କାରଣ ଶାଶୁକୁ ଓ ଆଉ ଗୋଟିଏ ଶାଳୀକି ପୋଷିବାକୁ ପଡ଼ିବ । ମୋ ନାଁରେତ ଶ୍ୱଶୁର କିଛି ଜାଗାଜମି ଲେଖି ଦେଇ ଗଲେ ନାହିଁ; ମୁଁ ଅକାରଣ କାହିଁକି ଶାଶୁ ଆଉ ଶାଳୀକି ପୋଷିବାକୁ ଯିବି ? ତା’ ପର ଗୋଟାଏ ଉପାୟ ସ୍ଥିର କରି ସ୍ତ୍ରୀକୁ ଗୋଟାଏ ଜାଗାକୁ ନେଇ ରଥଯାତ୍ରା ଦେଖେଇବା ବାହାନାରେ ଆମ ଗାଁରେ ଆସି ପହଞ୍ଚିଲି । ସ୍ତ୍ରୀ ଜାଣିଥିଲା–ରଥଯାତ୍ରା ଦେଖି ପୁଣି ତା’ ମା କତିକି ଫେରିଯିବ । ତାକୁ ଜଣା ନ ଥିଲା ଯେ–ମୁଁ ତାକୁ ଆମ ଗାଁକୁ ନେଇ ଚାଲିଛି । ସେମିତି ଭାବରେ ମିଛ କହି ନ ଆଣିଥିଲେ ସେ କଣ ମୋ ସାଙ୍ଗରେ ଆସିବାକୁ ସହଜରେ ମଙ୍ଗୁଥିଲା ? ଯାମିନୀ; ସେ ମୋତେ ତା’ ବାପ ଘରେ କମ୍‍ହାଲ କରି ନାହିଁ । ମୁଁ ବୋଲି ସହିଛି । ଆମ ଗାଁକୁ ଆଣିଲା ପରେ ଏବେ ମୁଁ ତା’ର ଦାଉ ନଉଛି ।

 

ଭଜହରି ଟିକିଏ ଦମ ନେଇ ପୁଣି ଆରମ୍ଭ କଲେ–ହଁ, ଥରେ କଲିକତାରେ ଥିଲି, ଶ୍ୱଶୁରଙ୍କଠାରୁ ଟେଲିଗ୍ରାମ୍ ପାଇଲି–‘ତୁମେ ଶୀଘ୍ର ଆସ’ । ଶ୍ୱଶୁର ଘରେ ଆସି ପହଞ୍ଚି ଶୁଣେ–ଏ ତାଙ୍କ ଖାଁ ଜମିଦାର ଘରେ ଯାଇ ବରାବର କାମଧନ୍ଦା କରୁଥିଲା । କଣ ହେଲା କେଜାଣି ! ଦିନେ ସେ ଜମିଦାର ପୁଅ ୟାକୁ ମାରିବାକୁ ଗୋଡ଼େଇଲା । ଏ ଘରେ ଆସି କବାଟ କିଳି ପଶିଲା । ଜମିଦାର ପୁଅ ଆଉ ମାରି ପାରିଲା ନାହିଁ । ବରାବର ଛକିରହିଲା ୟାକୁ ମାରିବାପାଇଁ । ଏଇଥିଲାଗି ଭୟରେ ଶ୍ୱଶୁର ମୋତେ ଟେଲିଗ୍ରାମ୍ କଲେ । ମୁଁ ଆସି ପୁଣି ଜମିଦାର ପୁଅକୁ ଧରାଧରି କଲାରୁ, ସେ ଶାନ୍ତ ହେଲା । କିନ୍ତୁ ମୁଁ ଆଉ କଥାର କିଛି ଭେଦ ପାଇ ପାରିଲି ନାହିଁ । ମୁଁ ଖାଲି ଜାଣିଲି ଯେ–ଏ ଜମିଦାର ଘରେ ଭଲ କାମଧନ୍ଦା କଲା ନାହିଁ । ସେଇଥିଲାଗି ଜମିଦାର ପୁଅ କୁଆଡ଼େ ୟା ଉପରେ ବିଗିଡ଼ିଗଲା । ଏ ଗୋଟାଏ କଥା ? ଏତ ଗଲା ପୂର୍ବ କଥା ଆଜିକା କଥା ଶୁଣିବ ? ଆଜି ଛାପାଖାନା ବନ୍ଦ ଥିବାରୁ ମୁଁ ତ ଆଉ ଗଲି ନାହିଁ । ତୁମର ମା କହିଲେ–ବଗିଚାରେ କାମ କରିବାକୁ । ମୁଁ ବଗିଚାରେ କାମ କରୁ କରୁ ଥରେ ଘର ଭିତରକୁ ଆସିଲାରୁ ମୋତେ ଏ ଛିଗୁଲେଇ ହେଲାପରି କହିଲା–‘ଆଇଲେ, ରୋଜଗାର କରିବାକୁ ଯାଇଥିଲେ ।’ ଆହା, ରୂପ ଦୁଶୁଛି କିମିତି ମାଟି ସାଲୁ ସାଲୁ ହେଇ ! ଯେମିତି ଗାତରୁ ଉଠି ଆସିଲେ !’

 

ମୁଁ ଏ କଥା ଶୁଣି ରାଗି ଗାଳିଦେଲି । ମାରିତ ପାରୁ ନାହିଁ, ତୁମମାନଙ୍କ ଲାଗି । ମାଡ଼ ନ ହେବାରୁ ତା’ ମୁହଁ ଏଠି ବହୁତ ବଢ଼ି ଗଲାଣି । ମୁଁ ଖାଲି ଗାଳିଦେବାରୁ, ମୋତେ କହିଲା–‘ଝାଡୁ ନ ହେଲେ ତୁ ଜବଦ ହବୁ ?’

 

ଭଜହରି ଏ କଥା ଶେଷ କରୁ କରୁ ତାଙ୍କ ଆଖି ଆହୁରି ସଜଳ ହେଇ ଉଠିଲା । କହିଲା–ମୁଁ କା’ ପୁଅ କା’ ନାତି ! ମୋ କପାଳରେ ପୁଣି ସ୍ତ୍ରୀ ହାତରୁ ଝାଡୁ ଖାଇବାକୁ ଥିଲା ! ହାୟରେ କପାଳ ! ଯାମିନୀ, ଏ କେବଳ ତୁମ ଲାଗି, ଆଉ ତୁମ ମା’ଙ୍କ ଲାଗି । ତୁମରି ଭୟରେ ମୁଁ ତାକୁ ମାରି ପାରୁନି । ମୋତେ ଏତକ ଆଜି ତେଣୁ ଶୁଣିବାକୁ ହେଲା । ନାହିଁତ ମୁଁ ତା’ର ଆଜି ଛାତିଚିରି ରକ୍ତ ଖାଇଯାଇ ଥାନ୍ତି । ଯାମିନୀ, ଆଖି ଆଗରେ ତୁମର ସ୍ତ୍ରୀର ଚାଲିଚଳନ ସେ ଦେଖୁ ନାହିଁ ? ବୋହୂ ଗୋଟାଏ ସେ ଘରେ କେତେ ଖଟୁଛି ! କିମିତି ସ୍ୱଭାବ, କିମିତି କଥା ! ମୋ କପାଳ ଯାମିନୀ, ମୋ କପାଳ ! ଆଉ ଏ ନିର୍ଲଜ୍ଜ ଜୀବନ ରଖିବି ନାହିଁ । ଯାମିନୀ, ମରିବି ପଛେ ଆଉ ଜଳ ଗ୍ରହଣ କରିବି ନାହିଁ ।

 

ଯାମିନୀବାବୁ ଏତେବେଳେ ଭଜହରିକୁ ସାନ୍ତ୍ୱନା ଦେଇ କହିଲେ–ଭଜଦା, ଘର କଲେ ଇମିତି କେତେ କଳିକଜିଆ ହୋଇଥାଏ । ଦମ୍ପତି କଳହ କିଛି ନୁହେଁ । ସେ ଆଜି ଖାଲି କଥାରେ କହିଛନ୍ତି–ଝାଡୁଦ୍ୱାରା ତୁମକୁ ଜବତ କରିବେ । କିନ୍ତୁ ତୁମେ ଯେ ସେଦିନ ତାଙ୍କୁ ମାରି ଆମ୍ପୁଡ଼ି ତାଙ୍କ ଦିହ, ମୁହଁ ଖଣ୍ଡିଆ କରି ରକ୍ତ ବାହାର କରି ଦେଇଥିଲ । ସେତ କାହିଁ ଉପାସ ରହି ପ୍ରାଣ ଦେବାକୁ ବାହାରି ନ ଥିଲେ ?

 

ଯାମିନୀବାବୁଙ୍କ ମୁହଁରୁ ଏତକ କଥା ଶୁଣି, ସେଦିନ ରାତିର ଘଟଣା ଭଜହରିର ସବୁ ଗୋଟି ଗୋଟି ହେଇ ମନେ ପଡ଼ିଲା । ଭାବିଲା–ଯାମିନୀତ ତା’ ହେଲେ ସବୁ କଥା ଜାଣିଛି ! କି ଲଜ୍ଜାର କଥା !!! ଭଜହରି ଏକବାରେ ଲଜ୍ଜାରେ ମନେ ମନେ ଭାଙ୍ଗି ପଡ଼ିଲା ।

 

ଯାମିନୀବାବୁ ପୁଣି ଆରମ୍ଭ କଲେ–କଣ କହୁଛ ଭଜଦା, ଖାଇନିଅ । ଯାଅ, ମିଛେ ମିଛେ ଉପାସରେ ବସିଛ କାହିଁକି ?

 

ଭଜହରି ତେବେ ସୁଦ୍ଧା କହିଲେ–ନା, ମୁଁ ଖାଇବି ନାହିଁ । କିନ୍ତୁ ଭଜହରି ମନେ ମନେ ଭୟ କରୁଥାନ୍ତି–ଯାମିନୀ ଯଦି ଆଉ ସବୁ କଥା ପକାଏ । ବରଂ ଖାଇ ନେବା ଭଲ, ଖାଇବାକୁ ମନାକଲେ ଯାମିନୀ ନିଶ୍ଚୟ ସେ ପୁରୁଣା କଥାକୁ ଖୋଳିବ । ହେ ଭଗବାନ ! ଯାମିନୀ ଆଉ ଥରେ ଖାଇବା କଥା କିମିତି ପଚାରୁ, ଆଉ ନାହିଁ କରିବି ନାହିଁ ।

 

ଯାମିନୀବାବୁ ପୁଣି କହିଲେ–ଦେଖ ଭଜଦା, ତୁମେ ଯେ ପର୍ଯ୍ୟନ୍ତ ନ ଖାଇବ, ମୁଁ ମଧ୍ୟ ଖାଇବି ନାହିଁ । ମୁଁ ତୁମରି ସାଙ୍ଗରେ ଉପାସ ରହିବି । ତୁମେ ଖାଇଲେ ଯାଇ; ମୁଁ ଖାଇବି ।

 

ଭଜହରିର ଅନ୍ତଃକରଣ ଫୁଲିଉଠିଲା ଯାମିନୀବାବୁଙ୍କ ପ୍ରତି କୃତଜ୍ଞତାରେ । ଯାମିନୀ ତାଙ୍କୁ କେତେ ଭଲପାଏ ! ସେ ନ ଖାଇଲେ ଯାମିନୀ ଖାଇବ ନାହିଁ ।

 

ଯାମିନୀବାବୁ ପଚାରିଲେ–କ’ଣ ଖାଇବ ନାହିଁ ?

 

ଭଜହରି କହିଲା–ହଁ ଖାଇବି, କିନ୍ତୁ ତୁମେ ତାକୁ ଧମକ ଦେଇ ସାବଧାନ କରିଦିଅ, ଆଉ ଯେମିତି କେବେ ମୋତେ ସେମିତି କଥା କହିବ ନାହିଁ ।

 

ଯାମିନୀବାବୁ କହିଲେ–ମୁଁ ତାଙ୍କୁ ଦଉଛି ଠିକ୍‌ କରି, ସେ କାହିଁକି ତମକୁ ଇମିତି କଥା କହିଛନ୍ତି ।

 

ଭଜହରି କହିଲା–ମୋର ଦୁଃଖ କଥା ସବୁ ଶୁଣିଲତ ! ଏଣିକି ଭାବିଲ–କା’ର ଦୋଷ ? ଏ ସବୁ ମୋର କି ତା’ର ?

 

ଯାମିନୀବାବୁ କହିଲେ–ମୁଁ ତ ଦେଖୁଛି, ସବୁ ଦୋଷ ତାଙ୍କର, ତୁମର ତ କିଛି ଦୋଷ ନାହିଁ । ଚାଲ, ତୁମେ ଖାଇବ ଚାଲ, ଉଠ....

 

ଏଣେ ଭଜହରି ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ଯାଇ ଏବଂ ନିଜର ଦୁଃଖର କାହାଣୀ ଶୁଣେଇବାକୁ ଯାଇ ଯେତେବେଳେ ଯାମିନୀବାବୁଙ୍କ ଆଗରେ ଯା’ ଯା’ ସବୁ ବର୍ଣ୍ଣନା କରୁଥିଲେ, ଠିକ୍‌ ସେତିକିବେଳେ ଭଜହରିଙ୍କ କଥାର ଠିକ୍‌ ବିପରୀତାର୍ଥବୋଧକ କେତେଗୁଡ଼ିଏ ଘଟଣାବଳୀ ଭଜହରିଙ୍କ ସ୍ତ୍ରୀ ତେଣେ ଘର ଭିତରେ ସୁରମା ଏବଂ ସତ୍ୟବତୀଙ୍କ ଆଗରେ ବର୍ଣ୍ଣନା କରୁଥିଲେ–ଯେମିତି ଭଜହରିଙ୍କ ଟଙ୍କାରେ ତାଙ୍କର ବିଭାଘର ହୋଇ ନ ଥିଲା, ସେ ତାଙ୍କର ବାପର ଟଙ୍କାରେ ବିଭା ହୋଇଥିଲେ । ଭଜହରି ତାଙ୍କ ବାପଘରୁ ଅନେକଗୁଡ଼ିଏ ଅସ୍ଥାବର ପଦାର୍ଥ ବିକି ଖାଇଛନ୍ତି, ଯା’ କି ଭଜହରିଙ୍କ ଜୀବନରେ ଆଉ ସେମିତି ଜିନିଷ କରି ପାରିବେ ନାହିଁ । ତାଙ୍କର ବାପ, ମା ଏବଂ ସାନ ଭଉଣୀଙ୍କୁ ଭଜହରି ଭଲରୂପେ ଚଳେଇଲେ ନାହିଁ ବୋଲି, ତାଙ୍କର ବାପା ଜମିବାଡ଼ି କିଛି ଲେଖି ଦେଲେ ନାହିଁ । ତାଙ୍କର ଗାଁର ଜମିଦାରଙ୍କ ପୁଅ ତାଙ୍କୁ କେଭେ ମାରିବାକୁ ଗୋଡ଼େଇ ନ ଥିଲେ । ଭଜହରି ତାଙ୍କର ବାପ ମାଙ୍କୁ ଭାରି ହଇରାଣ କରିଛନ୍ତି, ଇତ୍ୟାଦି ଇତ୍ୟାଦି ।

 

କେବଳ ଭଜହରିଙ୍କ କଥା ସହିତରେ ଭଜହରିଙ୍କ ସ୍ତ୍ରୀର ଗୋଟାଏ କଥାରେ ମେଳ ଥିଲା ଯେ–ଭଜହରି ତାଙ୍କୁ ଅନ୍ୟ ଗୋଟିଏ ଗାଁକୁ ରଥଯାତ୍ରା ଦେଖେଇବା ବାହାନାରେ ତାଙ୍କ ଗାଁକୁ ଅର୍ଥାତ୍‌ ଭଜହରିଙ୍କ ନିଜ ଗ୍ରାମକୁ ଘେନି ଆସିଛନ୍ତି ।

 

ସବୁକଥାର ଶେଷରେ ଭଜହରିଙ୍କ ସ୍ତ୍ରୀ ସୁରମା ଏବଂ ସତ୍ୟବତୀଙ୍କୁ ମିନତିଭରା କଣ୍ଠରେ ଅନୁରୋଧ କଲେ–ଯାମିନୀବାବୁଙ୍କୁ କୁହ, ମୋତେ କିମିତି ମୋ ମା’ଙ୍କ କତିରେ ଛାଡ଼ିବାର ବ୍ୟବସ୍ଥା କରନ୍ତୁ । ନଚେତ୍‌ ମୁଁ ମରିଯିବି । ମୋର ମା’ ଏବଂ ସାନଭଉଣୀଟି ଯେ କେମିତି ଅଛନ୍ତି, କଣ ଖାଉଛନ୍ତି ମଲେଣି କି, ବଞ୍ଚିଛନ୍ତି ମୁଁ କିଛି ଜାଣିପାରୁ ନାହିଁ । ମୁଁ ଥରେ ମୋର ମା’ଙ୍କୁ ଦେଖନ୍ତି । କେତେ ଦିନ ହେଲା ଛାଡ଼ି ଆସିଲିଣି, ମୁଁ କିଛି ଖବର ପାଉ ନାହିଁ । ୟା କବଳରୁ ମୁଁ କିମିତି ଉଦ୍ଧାର ପାଇବି ? ତୁମେମାନେ ଚେଷ୍ଟାକଲେ, ମୁଁ ମୋର ମା’କୁ ଦେଖିପାରିବି । ମୁଁ ୟା କତିରେ ଚଳିପାରିବି ନାହିଁ । ତୁଚ୍ଛାରେ ମୋତେ ଏତେ ସନ୍ଦେହ !

 

ଭଜହରିର ସ୍ତ୍ରୀ ଟିକିଏ ଅଟକି ଯାଇ ପୁଣି କହିଲେ–ଶୁଣିବ, ଯେଉଁଦିନ ମୁଁ ତମ ଘରକୁ ଆସିଲି, ରେଲଗାଡ଼ିତ ମୁଁ ଚଢ଼ି ନ ଥିଲି । ମୁଁ ଉଠିପାରିଲି ନାହିଁ ତରତରରେ । ସାଙ୍ଗରେ ଆମ ଗାଁରୁ ଗୋଟିଏ ଟୋକା ଆସିଥିଲା, ତା’ ନା ଗୋକୁଳ; ଆମକୁ ଗାଡ଼ିରେ ଚଢ଼େଇ ଦବାପାଇଁ । ମୁଁ ରେଲରେ ଉଠି ନ ପାରିବାରୁ, ସେ ମୋତେ ଧରି ଗାଡ଼ି ଉପରକୁ ଉଠେଇ ଦେଲା । ଗୋକୁଳ ଆମ୍ଭମାନଙ୍କୁ ଗାଡ଼ିରେ ଉଠେଇ ଦେଇ ଚାଲିଗଲା ପରେ ଏ (ଭଜହରି) ମୋ ସାଙ୍ଗରେ ଲଗେଇଲା–ସେ କାହିଁକି ତୁମକୁ ଧରି ଗାଡ଼ି ଉପରକୁ ଉଠେଇଲା ? ମୁଁ କଣ ନ ଥିଲି ? କେତେ ଖଞ୍ଜରେ କାମ ଚାଲିଛି ! ମୁଁ ଥାଉଁଥାଉଁ ତ ମୋ ଆଖି ସାମନାରେ କେତେ ଉପାୟରେ କାମ ଚଳେଇ ଦଉଛ, ମୁଁ ନ ଥିଲା ବେଳେ ଗୋକୁଳର ତମର ଆଉ କଣ ବାକି ଥିବ ?

 

ଏ (ଭଜହରି) ପିଲା ଦି’ଟାକୁ ସମ୍ଭାଳି ଥାଏ, ଏଣେ ଜିନିଷପତ୍ର, ଗାଡ଼ିରେ ଯେଉଁ ଭିଡ଼ ! ଆପେ ଆଗେ ଜିନିଷପତ୍ର, ପିଲାଙ୍କୁ ନେଇ ଗାଡ଼ି ଉପରକୁ ଉଠିଗଲେ, ମୁଁ ତଳେ ଠିଆ ହେଇଛି, ସେ କଥାକୁ ନିଘା ନାହିଁ । ଗୋକୁଳ ଗାଡ଼ିକି ଉଠେଇ ଦେଇ ନ ଥିଲେ, ମୁଁ ଆଉ ଚଢ଼ିପାରି ନ ଥାନ୍ତି-

 

ଯା’ତ ହବାର ହେଲା, ମୋତେ କିମିତି ଯୋଗାଡ଼ କରି ମୋ ମା’ କତିକି ପଠେଇ ଦିଅ, ମୁଁ ବଞ୍ଚିଯିବି । ଥରେ ଆମ ଗାଁକୁ ବାହାରି ଗଲେ ୟା ମଜା ବୁଝନ୍ତି ।

 

ସତ୍ୟବତୀ ଭଜହରି ସ୍ତ୍ରୀର ଅନୁରୋଧ ଶୁଣି କହିଲେ–ବୋହୂ, ୟା କିମିତି କରିବୁ ? ତୁମର ସ୍ୱାମୀର ବିନାନୁମତିରେ ଆମେ ତୁମକୁ କିମିତି ନେଇ ବାପଘରେ ଛାଡ଼ିବୁ ? ଏତ ଘରଭଙ୍ଗିବା କଥା । ତୁମର ସ୍ୱାମୀ ଥାଉ ଥାଉ ଆଉ କିଏ ତୁମକୁ ନେଇ ତୁମ ବାପଘରେ ଛାଡ଼ିବ ? ସ୍ୱାମୀକୁ କହିଲେ, ସେ ଛାଡ଼ି ଆସିପାରିବ ।

 

ଭଜହରି ସ୍ତ୍ରୀର ଅନୁରୋଧ, ସତ୍ୟବତୀଙ୍କ ନାସ୍ତିବାଣୀ ଶୁଣି ସୁରମାଙ୍କ ଆଖି ସଜଳ ହେଇ ଆସିଲା ।

 

ଭଜହରିର ସ୍ତ୍ରୀ ସତ୍ୟବତୀଙ୍କ ନୈରାଶ୍ୟଜନକ ଉତ୍ତର ମଧ୍ୟରେ ସେଇ ସ୍ୱାମୀର ପ୍ରାଧାନ୍ୟ ଶୁଣି ରାଗ ଏବଂ ଦୁଃଖରେ ପିଞ୍ଜରାବଦ୍ଧ ବନବିହଙ୍ଗିନୀ ଯେପରି ତା’ର ଆବଷ୍ଟନୀ ଉପରେ ବାରମ୍ୱାର ଚଞ୍ଚୁଘାତ କରେ, ସେହିପରି ମନେ ମନେ ସତ୍ୟବତୀଙ୍କୁ ଆଘାତ କରିବାକୁ ଲାଗିଲେ ଏବଂ ତାଙ୍କର ଶ୍ୱାସରୋଧ ହେଲାପରି ମନେ ହେଲା ।

 

ସେଦିନ ସନ୍ଧ୍ୟା ପରେ ନବ ନଟ କେହି ଆସିଲେ ନାହିଁ । ଯାମିନୀବାକୁ ଚଞ୍ଚଳ ଦୋକାନ ବନ୍ଦକରି ସାରାଦିନର ଅନାହାରକ୍ଳିଷ୍ଟ ଭଜହରିଙ୍କୁ ସାଙ୍ଗରେ ନେଇ ତାଙ୍କର ଅନଶନ ଭଙ୍ଗ କରିବାକୁ ଘର ଭିତରେ ପ୍ରବେଶ କଲେ । ଗ୍ରହଣ କିବା ପରାଗରେ ପୂର୍ଣ୍ଣଗ୍ରାସ ପରେ ଆକାଶରୁ ଦୁଇ ଆଙ୍ଗୁଳି ଗ୍ରାସ କଲାପରି ଭଜହରି ଆକଣ୍ଠ ଭକ୍ଷଣ କରି ଅନଶନ ଭଙ୍ଗ କଲା ପରେ ଚିରନିଦ୍ରାରେ ନିଦ୍ରିତ ହେଲାପରି, ନିଦ୍ରିତ ରହି ନାସିକା ଧ୍ୱନିରେ ଗୃହ ପ୍ରାଙ୍ଗଣ ମୁଖରିତ କରିଦେଲେ ।

 

ରାତ୍ରିର ଶେଷ ପ୍ରହର ।

 

ଯାମିନୀବାକୁ ନିଦ୍ରିତ, ସତ୍ୟବାତୀ ମୁହୁର୍ମୁହୁଃ ଡାକିବାକୁ ଆରମ୍ଭ କଲେ–ଯାମିନୀ, ଯାମିନୀ, ଉଠି ଆ’ତ ଟିକିଏ । ଦେଖିବୁ ଆ, ଏଣେ ଘରବୁଡ଼ି ପାଣି ଆଣ୍ଠିଏ ହେଲାଣି, ପୁଅ ଶୋଇଛି-

 

ମା’ଙ୍କର ଡାକ ଶୁଣି ଯାମିନୀବାବୁ ଭୟଭୀତ ହୋଇ ହଠାତ୍‌ ଉଠି ଆସି ମା’ଙ୍କୁ ପ୍ରଶ୍ନ କଲେ–କଣ ହେଇଛି ମା’ ?

 

ସତ୍ୟବତୀ କହିଲେ–ଦେଖିବୁ ଚାଲ ଭଜକୁ । ଝାଡ଼ା, ବାନ୍ତି ଦି’ମୁହଁ ଛୁଟିଛି । ଖାଲି ଅସ୍ତବ୍ୟସ୍ତ ହେଉଛି । କିଏ କହୁଥିଲା ଉପାସ ରହିବାକୁ ? କିଏ କହୁଥିଲା ଇମିତି ପେଟ ଫଟେଇ ଖାଇବାକୁ ? ପିଲା ଛୁଆ ଘର, କି ବିପଦ ! ଘରମୟ ବାନ୍ତି ତା’ପରେ କେତେଥର ଝାଡ଼ା ଗଲାଣି । ଯେତେଥର ଝାଡ଼ା ଗଲାଣି, ସେତେଥର ବାନ୍ତି କଲାଣି, କଲେରା ନୁହେଁତ ?

 

ଯାମିନୀବାବୁ ସତ୍ୟବତୀ ଉଭୟେ ଯାଇ ଯେତେବେଳେ ଭଜହରି ନିକଟରେ ଠିଆହେଲେ, ଭଜହରି ଯାମିନୀବାବୁଙ୍କୁ ଦେଖି କାନ୍ଦି ଉଠି କହିଲେ–ଯାମିନୀ ଆଉ ବଞ୍ଚିବି ନାହିଁ । ମୋର ସ୍ତ୍ରୀର ବିଧବା ଲକ୍ଷଣ ଅଛି ବୋଲି ମୋତେ ଜଣେ ନାହାକ କହିଥିଲା । ସତକଥା ଏକା, ପ୍ରକୃତ ଘଟଣା ଦେଖୁଛି, ଏ (ସ୍ତ୍ରୀ) ରାକ୍ଷସୀ ମୋତେ ଖାଇଲା । ଆଉ ବଞ୍ଚିବି ନାହିଁ । ଯାମିନୀ, ମୋତେ କଣ ଔଷଧି ଦେ, ନୋହିଲେ ମରିଯିବି । ହାୟରେ କପାଳ ! କି ଅଲକ୍ଷଣୀଟାକୁ ବିଭା ହେଲି । ପାଞ୍ଚଟା ବରଷ ପୂରା ହେଲା ନାହିଁ, କି କାଳସର୍ପ ମୋତେ ଯୁଟିଲା ।

 

ଭଜହରି ସତ୍ୟବତୀଙ୍କୁ ଲକ୍ଷ୍ୟକରି କହିଲା–ନୂଆବୋହୂ, ମୁଁ ପୁଣି ଝାଡ଼ାଯିବି, ମୋତେ ଧର ।

 

ଯାମିନୀବାବୁ ବୁଝିପାରିଲେ–କେବଳ ଅଜୀର୍ଣ୍ଣ ଦୋଷରୁ ଭଜଦାଙ୍କର ଏ ଅବସ୍ଥା ।

 

ଯାମିନୀବାବୁ ସଙ୍ଗେ ସଙ୍ଗେ ଦୋକାନ ଘର ଖୋଲି ଔଷଧି ଆଣି ଭଜହରିଙ୍କୁ ଖୋଇଲେ । ସକାଳ ହେଲା । ଭଜହରିର ଝାଡ଼ା ବାନ୍ତି ବନ୍ଦ ହୋଇଗଲା, ଆସିଲା ଜ୍ୱର । ଦିନ ହେଲାରୁ, ଯାମିନୀବାବୁ ମା’ଙ୍କୁ କହିଲେ–ଆଜି ଭଜଦାଙ୍କୁ କିଛି ଖାଇବାକୁ ଦିଆଯିବ ନାହିଁ, କେବଳ ବାର୍ଲି ଖାଇବେ ।

 

ଭଜହରି ଘର ଧନ୍ଦାରେ ଯାହା ସାହାଯ୍ୟ କରୁଥିଲେ, ସେଥିରୁ ଅବ୍ୟାହତି ନେଇ ବେଶ୍‌ ଘୋଡ଼ି ପୋଡ଼ି ହେଇ ଶୋଇ ରହି କୁନ୍ଥେଇବାକୁ ଲାଗିଲେ ।

 

ସୁରମା ବର୍ତ୍ତମାନ ଅନ୍ୟାନ୍ୟ ଗୃହକର୍ମ ସହ ଭଜହରିଙ୍କ ବାର୍ଲି ପ୍ରସ୍ତୁତ କରିବାର ଯୋଗାଡ଼ରେ ଲାଗିଲେ, କିନ୍ତୁ ଭଜହରି ଜଣେଇ ଦେଲେ–ମୁଁ ବାର୍ଲି ଖାଇବି ନାହିଁ । ଏ ଜ୍ୱର କିଛି ନୁହେଁ, ମୁଁ ଗାଧୋଇ ଦୋ’ଟି ଦହି ପଖାଳ ଖାଇଲେ ମୋର ଦିହ ଭଲ ହେଇଯିବ । ମୁଁ ନ ଗାଧେଇଲେ ରହି ପାରିବି ନାହିଁ । ଆଉ ଦହି ପଖାଳ ଦୋ’ଟି ଖାଇଲେ ପେଟ ଥଣ୍ଡା ହେଇଯିବ ।

 

ଯାମିନୀବାବୁ ଘରେ ନ ଥିଲେ । ଭଜହରି ଏଇ ସୁଯୋଗରେ ସତ୍ୟବତୀଙ୍କୁ ନିଜର ବର୍ତ୍ତମାନ ଅବସ୍ଥା ପକ୍ଷରେ ଗାଧୋଇବା ଏବଂ ଦହି ପଖାଳ ଭୋଜନର ଉପକାରିତା ବିଷୟରେ ବିବିଧ ଦୃଷ୍ଟାନ୍ତ ଦେଖେଇ ଏକାନ୍ତ ଅନୁରୋଧ କରିବାରୁ ସତ୍ୟବତୀ କହିଲେ–ଯାମିନୀତ ମନାକରି ଗଲା, ତୁମକୁ ଆଜି ବାର୍ଲି ଛଡ଼ା ଅନ୍ୟ କିଛି ଖାଇବାକୁ ଦିଆଯିବ ନାହିଁ, ମୁଁ ଏବେ କେମିତି କଣ କରିବି ? ତେବେ ମୁଁ ଜାଣେ ତୁମର ଯା’ ହେଇଛି, ସେଥିରେ ଗାଧେଇ ଦହି ପଖାଳ ଦୋ’ଟି ଖାଇବା ଉଚିତ । ମୋର ତ କେବେ କିମିତି ଦିହ ବିଗିଡ଼ି ଗଲେ ମୁଁ ଗାଧେଇ ଦହି ପଖାଳ ଦୋ’ଟି ଖାଇଲେ ମୋର ଦିହ ଭଲ ହୋଇଯାଏ । ଆଜିକାଲି ତ ଦେଖୁଛି–ଦିହ ଯଦି ବିଗିଡ଼ିଲା, ଭାତ ବନ୍ଦ, ଖାଅ ବାର୍ଲି । ଆମ ଅମଳରେ ତ ବାର୍ଲି ନ ଥିଲା, ଆମେ ସେଇ ପାଣି, ତୋରାଣୀ ପିଇ, ଭଲ ହଉଥିଲୁନା । ‘ଅନ୍ନମୟୀ ପିଣ୍ଡ’, ଭାତ ବନ୍ଦ କରିବାକୁ ଅଛି ? ଆମ କଥା କିଛି ରହୁଛି ? ତେବେ ମୁଁ ମାନେନା ।

 

ସତ୍ୟବତୀ ପୁଣି କହିଲେ–ହଉ ତୁମେ ଗାଧାଅ, ଦହି ପଖାଳ ଖାଅ । ଆଉ ସେମିତି କୁନ୍ଥେଇବ ନାହିଁ । ଯାମିନୀ ଫେରିଲା ବେଳକୁ ଯେମିତି ଭଲ ହୋଇ ବସିଥିବ ।

 

ସତ୍ୟବତୀ ମଧ୍ୟ ସୁରମା ଏବଂ ଭଜହରିର ସ୍ତ୍ରୀକୁ ସାବଧାନ କରେଇ ଦେଲେ–ଯେପରି ଭଜହରିର ଗାଧେଇବା, ଦହି ପଖାଳ ଖାଇବା କଥା ଯାମିନୀକୁ କେହି ନ କୁହେ ।

 

ଭଜହରି ଗାଧେଇବା ପାଇଁ କୂଅ ମୂଳକୁ ଗଲେ । ପାଣି କାଢ଼ିବାକୁ ବଳ ନାହିଁ । ଏଣୁ ସତ୍ୟବତୀ ଆପେ ପାଣିକାଢ଼ି ଭଜହରିର ମୁଣ୍ଡରେ ଢାଳିବାକୁ ଲାଗିଲେ । ଭଜହରି ଆଉ ନୋଟାଏ, ଆଉ ନୋଟାଏ କହି ଅନେକଗୁଡ଼ିଏ ପାଣି ଢାଳି ହେଇ ସ୍ନାନ ସମାପନ କରିସାରି ଆସି ଭୋଜନରେ ବସିଲେ ।

 

ହର୍ଷ ମୁଖରେ ଭୋଜନରେ ବସି ଭଜହରି ଦହି ପଖାଳରୁ ପ୍ରତିଥର ଗୁଣ୍ଡାଏ କରି ପାଟିକି ନେବା ସଙ୍ଗେ ସଙ୍ଗେ ସତ୍ୟବତୀଙ୍କ ଅଜସ୍ର ପ୍ରଶଂସା ଏବଂ ଗୁଣ କୀର୍ତ୍ତନ କରିବାକୁ ଲାଗିଲେ ।

 

ସତ୍ୟବତୀ ମଧ୍ୟ ଭଜହରିର ମୁଖନିଃସୃତ ବାଣିରେ ମୁଗ୍‌ଧ ହୋଇ ଭଜହରିକୁ ଆଉ ମୁଠାଏ, ଆଉ ମୁଠାଏ କହି ଅନେକଗୁଡ଼ିଏ ଦହି ପଖାଳ ଭୋଜନର ସୁବିଧା ଦେଲେ ।

 

ଭଜହରି ଭୋଜନାନ୍ତେ ନିଜର ଶେଯ ଉପରେ ଯାଇ ଅଳ୍ପ ସମୟ ବସିବା ପରେ ସତ୍ୟବତୀଙ୍କୁ ଡାକି କହିଲେ-ନୂଆବୋହୂ, ମୋତେ ପୁଣି ବାନ୍ତି ଦେଖଉଛି ।

 

ମୁହଁର କଥା ଶେଷ ନ ହେଉଣୁ ଭଜହରି ବାନ୍ତି କରିବା ପାଇଁ ଉଠି ଆସୁ ଆସୁ ସେହି ବିଛଣା ଉପରେ ଆଂଶିକ ବସନ କ୍ରିୟା ଆରମ୍ଭ କରିଦେଲେ ।

 

ଥରେ ବାନ୍ତି କରି ସାରିଲା ପରେ ଭଜହରି ଆସି ବ୍ୟସ୍ତହୋଇ କାନ୍ଥକୁ ଆଉଜି ବସିବାର ଅଳ୍ପ ସମୟ ପରେ ପୁଣି ସତ୍ୟବତୀଙ୍କୁ ଡାକି ସୁ ସମ୍ୱାଦ ଦେଲେ–ପୁଣି ବାନ୍ତି କରିବେ ।

 

ଏଣେ ସୁରମା ଏବଂ ଭଜହରିର ସ୍ତ୍ରୀ ଉଭୟେ ସତ୍ୟବତୀଙ୍କୁ ଦୋଷୀ କଲେ–କାହିଁକି ସେ ଦହି ପଖାଳ ଖାଇବାକୁ ଦେଲେ ? ବର୍ତ୍ତମାନ ଯେ ପୁଣି ବାନ୍ତି ଆରମ୍ଭ ହେଲା, ଖଟା ଦହି, ଖଟା ପଖାଳ, ସେଥିରେ ପୁଣି ଗାଧୁଆ ମଧ୍ୟ ବେଶ୍‌ ଭଲ ଭାବରେ ହେଲା...ଦିହରେ ଜ୍ୱରଥିଲା, ଇତ୍ୟାଦି ଇତ୍ୟାଦି ।

 

ସତ୍ୟବତୀ ସୁରମା ଏବଂ ଭଜହରିର ସ୍ତ୍ରୀର ସମାଲୋଚନାରେ ଏବଂ ନିଜର ସୁକର୍ମର କୁଫଳ ଦେଖି ମନେ ମନେ କାତରା ହୋଇ ପଡ଼ିଲେ । ଭାବିଲେ–କି ଭୁଲ କଲି ! ପୁଅତ ମନା କରି ଯାଇଥିଲା, ଭଜହରି ଯଦି ଏଇ ବେରାମରେ ମରିଯାଏ ମୁଁ ତ ପାପର ଭାଗୀ ହେବି....

 

ଭଜହରିକୁ କମ୍ପ ହେଇ ଆହୁରି ବେଶି ଜ୍ୱର ହେଲା ।

 

ସତ୍ୟବତୀ ନିଜେ ଭଜହରିର ବାନ୍ତି ଇତ୍ୟାଦି ପରିଷ୍କାର କରିବାକୁ ଲାଗିପଡ଼ି, ତା’ର ସ୍ତ୍ରୀକୁ ଆଦେଶ ଦେଲେ–ଯାଅ ତା’ କତିରେ ବସ । ତା’ ଗୋଡ଼ ହାତ ଟିକିଏ ଟିପି ଦିଅ, ତାକୁ ଚାପିଧର କମ୍ପ ବନ୍ଦ ହବାଯାଏ ।

 

ଭଜହରିର ସ୍ତ୍ରୀ ସତ୍ୟବତୀଙ୍କ ଏ ଆଦେଶ ପାଳନ କରିବାକୁ ପ୍ରଥମେ କୁଣ୍ଠାପ୍ରକାଶ କରି କହିଲେ–ମୁଁ ଯାଉଥିଲି, ତା’ଗୋଡ଼ ଘଷିବାକୁ ? ସେ ମଲେ କେତେ, ଗଲେ କେତେ ? ବାପ ଜନ୍ମରେ ଖାଇ ନାହିଁ ? ପେଟ ପଟେଇ ଯେମିତି ଖାଉଛି, ସେମିତି ମରୁ । ଯେ ବଞ୍ଚି କରି ମୋତେ ସୁଖ ଦେଲା ନାହିଁ, ସେ ମଲେ କଣ ହେଇଗଲା....

ଭଜ ସ୍ତ୍ରୀର ଏ ଉତ୍ତରରେ ସତ୍ୟବତୀ ଆହୁରି ଉତ୍ତେଜିତା ହେଇ ପୁଣି ଯେତେବେଳେ ଧମକମିଶା କଣ୍ଠରେ ଆଦେଶ ଦେଲେ, ଭଜହରିର ସ୍ତ୍ରୀ ମଧ୍ୟ ବାଧ୍ୟ ହୋଇ ଯାଇ ଜ୍ୱରାକ୍ରାନ୍ତ କମ୍ପିତ କଳେବର ଜୀବନ ଦେବତା-ଭଜହରିର ପାଦ ମନ୍ଥନ କରିବାକୁ ଆରମ୍ଭ କରନ୍ତେ, ଭଜହରି କ୍ରୋଧରେ ଗୋଟିଏ ଦୃଢ଼ ପଦାଘାତ କରି ବାଚାଳ ପରି ଉଚ୍ଚସ୍ୱରରେ ସ୍ୱପତ୍ନୀଙ୍କ ବିଧବା ଲକ୍ଷଣର ଫଳାଫଳର ସତ୍ୟତା ସମ୍ୱନ୍ଧରେ ପୁନରାବୃତ୍ତି କରିବାକୁ ଲାଗିଲେ ।

ଯାମିନୀବାବୁ ଫେରି ଆସି ଭଜଦା ଏବଂ ମା’ଙ୍କର ଅବିବେକିତା ସମ୍ୱନ୍ଧରେ ସମସ୍ତ ଘଟଣା ଶୁଣି ମନେ ମନେ ଭାରି ବିରକ୍ତ ହେଲେ, ବିଶେଷତଃ ମା’ଙ୍କ ଉପରେ ।

ସେଦିନ ସନ୍ଧ୍ୟାର ଆସର ଜମିଲା ପରେ ଯାମିନୀବାବୁ ନବ, ନଟ ଉଭୟଙ୍କ ଆଗରେ ମଧ୍ୟ ଭଜଦାଙ୍କ ଅସୁସ୍ଥ ଅବସ୍ଥାର କାରଣ, ଲକ୍ଷଣ, ଚିକିତ୍ସା ଉପଶମ, ପୁଣି ତାଙ୍କର ଅନୁପସ୍ଥିତିରେ ଭଜଦାଙ୍କ ସ୍ନନାହାର ସମ୍ୱନ୍ଧରେ ମା’ଙ୍କର ଅବିବେକିତା ଏବଂ ଦାୟିତ୍ୱହୀନତା, ତା’ର ଫଳାଫଳ ସ୍ୱରୂପ ପୁନର୍ବାର ଭଜଦାଙ୍କ ଅସୁସ୍ଥତା ଦ୍ୱିଗୁଣିତ ହେବା ଏବଂ ଭଜଦାଙ୍କ ଅସୁସ୍ଥତା ହେତୁ ତାଙ୍କର ନୂତନ ଚାକିରିରେ ଅନୁପସ୍ଥିତିର କୁଫଳ–ଅର୍ଥହାନି, ନିଜେ ଦୋକାନୀ କତିରେ ମାନିହେବା, ଭଜଦାଙ୍କର ଅମିତବ୍ୟୟିତା, ବର୍ତ୍ତମାନ ଅସୁସ୍ଥତା ହେତୁ ଅର୍ଥହାନି ଫଳରେ ନିଜକୁ ଭଜଦାଙ୍କର ଦୋକାନୀର ଦେୟକୁ ଆପେ ପରିଶୋଧ କରିବାର ସମ୍ଭାବନା ତା’ପରେ ଭଜଦା ସୁସ୍ଥ ହୋଇ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ତାଙ୍କର ପରିବାରର ସମସ୍ତ ବ୍ୟୟ ବହନ କରିବା ବିଷୟରେ ବିଶଦ ବର୍ଣ୍ଣନା ଏବଂ ଆଲୋଚନା କଲେ । ଶେଷରେ ଆକ୍ଷେପକରି କହିଲେ–ମୋ’ରି ଉପରେ ତ ଚଳୁଥିଲେ; ଚଳୁଥାନ୍ତେ, ମିଛରେ ଅଲଗା ରାନ୍ଧି ଖାଇବାକୁ କହି, ଭଜଦାଙ୍କୁ ଗୋଟିଏ ଦୋକାନରୁ ସଉଦା ଆଣିବାର ସୁବିଧା ଦେଇ ଅଯଥା କେତେ ଗୁଡ଼ାଏ ଦୋକାନୀର ଟଙ୍କା ବଢ଼ିଗଲା, ନଚେତ୍‌ ଆଉ କିଛି ଫାଇଦା ହେଲା ନାହିଁ ।

 

ଦୁଇ ଚାରିଦିନ ପରେ ଭଜହରିଙ୍କ ଜ୍ୱର ଅଳ୍ପ କମି ଆସିଥିଲା, କିନ୍ତୁ ଥରେ ଦେଖିଲା ବେଳକୁ ଭଜହରି ତାଙ୍କ ଶେଯ ଉପରେ ନାହାନ୍ତି । କୁଆଡ଼େ ଚାଲି ଯାଇଛନ୍ତି ।

 

ଯାମିନୀବାବୁ ମା’ ସତ୍ୟବତୀଙ୍କୁ ଭଜଦାଙ୍କ ଅସୁସ୍ଥ ଅବସ୍ଥାରେ ନିରୁଦ୍ଦେଶ୍ୟର କାରଣ ପଚାରିବାରୁ ସତ୍ୟବତୀ କହିଲେ–କାଲି ତୁ ଯେତେବେଳେ ଭଜକୁ ଔଷଧ ଦେଇ ବଜାରଆଡ଼େ ଚାଲିଗଲୁ, ଭଜ ବକିବାକୁ ଲାଗିଲା–ମୁଁ ସବୁ ଜାଣେ, କିଏ କିମିତି ଲୋକ ! ଖାଲି ସୁଖର ସାଥି, କାମ ନବାର ଲୋକ । ଛାର ଦହି ପଖାଳ ଦି’ଟା ଖାଇଲି ବୋଲି ଏତେ କଥା ! ଆଉ ଯଦି କଣ ଦାମିକା ଜିନିଷ ଖାଇଥାନ୍ତି ତ ଆହୁରି କଣ କେତେ କଥା କୁହନ୍ତେ । ମୋ ଦିହ ଟିକିଏ ଭଲ ହୋଇଗଲେ, ଆଉ ମୁଁ ଏଠି ରହୁଛି ? ମେଡ଼ିକେଲକୁ ଚାଲିଯିବି । ସେଇଠି ପଡ଼ିବି, ମଲେ ମରିବି ପଛେ, ଆଉ ଆସିବି ନାହିଁ ।

 

ସତ୍ୟବତୀ ପୁଣି କହିଲେ-ଦହି ପଖାଳ ଖାଇବାକୁ କଣ ଆମେ ମନା କଲୁ ? ଦିହ ଖରାପ ହେଲା ବୋଲି ଆମ୍ଭେମାନେ ବିରକ୍ତ ହେଲୁ–କାହିଁକି ଦହି ପଖାଳ ଖାଇଲା ଜିଦ୍‌ କରି ? ଏଇତ କଥା, ସେ ଯଦି ଅନ୍ୟ ରକମ ୟାକୁ ଭାବିଲା, ଏଥିରେ ଆଉ କଣ କରିବା ?

 

ଯାମିନୀବାବୁ କହିଲେ–ଭଜଦା ତା’ହେଲେ ମେଡ଼ିକେଲକୁ ଯାଇଛନ୍ତି, ହଉ ଯାନ୍ତୁ । ଏ ଦୁର୍ବଳ ଅବସ୍ଥାରେ ଯିବାକୁ ସାହସ କଲେ କିମିତି ? ପୁଣି କହିଯାଇଛନ୍ତି–ମଲେ ମରିବି ପଛେ, ଆଉ ଆସିବି ନାହିଁ । ତାଙ୍କ କୁଟୁମ୍ୱ ତା’ହେଲେ ମୁଁ ପୋଷୁଥିବି ହଉ ଭଲ ହେଇଛି, ଗଲେ, ଗଲେ ।

 

ସତ୍ୟବତୀ ଯାମିନୀବାବୁଙ୍କ ଏକଥା ଶୁଣି କହିଲେ–ଆରେ, କଥାରେ ଅଛି–ପତ୍ନୀ ନିବେଶି ପୁତ୍ର ପାଶେ, ଅଥବା ଚଳିନ ସନ୍ନ୍ୟାସେ । ଭଜର ତୁ ପୁତୁରା ହବୁ, ପୁଅ କିଏ, ପୁତୁରା କିଏ-? ପିଲା ଭାରିଯାକୁ ଛାଡ଼ି ତୋ ଜିମା, ସେ ଚାଲିଗଲା । ଯା ଟିକିଏ ଖୋଜି ନେଇଆ । ସେତ ସେମିତିଆ ଲୋକ, ତା’ ସାଙ୍ଗରେ କଣ ତୁ ବି ସମାନ ହବୁ ? ଯା ଟିକିଏ ଦେଖ ଯା, କୁଆଡ଼େ ଗଲା-

 

ଯାମିନୀବାବୁ ମା’ଙ୍କର କଥା ଶୁଣି ହସି ହସି କହିଲେ–ମା, ବେଶତ ମୋତେ ବୁଝେଇ ଦେଲ ! ମୁଁ ପୁଣି ଯିବି ତାଙ୍କୁ ଖୋଜିବା ପାଇଁ ।

 

ସତ୍ୟବତୀ କହିଲେ–ଆଉ କଣ କରିବୁ ?

 

ଯାମିନୀବାବୁ ଯାଇ ମେଡ଼ିକେଲ ଏବଂ ଅନ୍ୟାନ୍ୟ କେତେ ଜାଗା ଖୋଜି ଆସିଲେ, କିନ୍ତୁ କେଉଁଠି ଭଜହରିଙ୍କ ସନ୍ଧାନ ମିଳିଲା ନାହିଁ ।

 

ଚାରିଦିନ ପରେ ଦିନେ ଯାମିନୀବାବୁ ଦାଣ୍ଡ ଦୁଆର ଖୋଲି ବାହାରଆଡ଼କୁ ଆସିଲା ବେଳକୁ ଦେଖିଲେ–ବାହାର ବାରଣ୍ଡାରେ ଭଜହରି କାନ୍ଥକୁ ଆଉଜି ଥକ୍‌କା ହେଇ ମୁଣ୍ଡ ନଇଁ ବସିଛନ୍ତି । କତିରେ ଗୋଟିଏ ବୋତଲରେ ଛ’ପାନ ଔଷଧ ଥୁଆ ହୋଇଛି ।

 

ଯାମିନୀବାବୁଙ୍କୁ ଦେଖି ଭଜହରି ଅଧୋବଦନରେ ମୂକପରି ସଲଜ୍ଜ ଅବସ୍ଥାରେ ବସି ରହିବାର ଦେଖି ଯାମିନୀବାବୁ ପ୍ରଶ୍ନ କଲେ–କିଏ ଭଜଦା, କୁଆଡ଼େ ଯାଇଥିଲ ? ଦିହଭଲ ହେଲା-?

 

ଭଜହରି ନିରୁତ୍ତର ।

 

ଯାମିନୀବାବୁ ପୁଣି କହିଲେ–କଣ ଆମେ ହେଲୁ ଦୋଷୀ, କାରଣ ଦହି ପଖାଳ ଖାଇବାରେ ବିରକ୍ତ ହେଲୁ ବୋଲି ?

 

ଭଜହରି ପୁଣି ନିରୁତ୍ତର ।

 

ଏଇ ସମୟରେ ସତ୍ୟବତୀ ଆସି ପହଞ୍ଚି ଦେଖିଲେ–ଭଜହରି ବସିଛନ୍ତି, କାନ୍ଥକୁ ଆଉଜି-

 

ସତ୍ୟବତୀ ପ୍ରଶ୍ନ କଲେ–କିଏ ଭଜ ନା ? ବେଶ୍‌ ମଣିଷ ତୁମେ କଣ ! ତୁମକୁ ଆମେମାନେ କହିଲୁ ଯେ ଏତେ ଘୋଷା ! ଏକବାରେ ନ କହି, ନ ଜଣେଇ କୁଆଡ଼େ ପଳେଇଲ ? କେଉଁଠି ଥିଲ ତୁମେ ?

 

ଭଜହରି ଉତ୍ତର ଦେଲେ–ମେଡ଼ିକେଲରେ ।

 

ସତ୍ୟବତୀ କହିଲେ–କାହିଁ ପୁଅ ତ ଯାଇ ଖୋଜି ଆସିଲା, ତୁମକୁ ପାଇଲା ନାହିଁ ।

 

ଭଜହରି ଉତ୍ତର ଦେଲେ–ମୁଁ ସିଆଡ଼େ ଦୂରକୁ ଗୋଟାଏ ଓ୍ୱାର୍ଡରେ ଥିଲି । ଯାମିନୀ ମୋତେ ଦେଖିପାରି ନାହିଁ । ମୁଁ ଯାମିନୀକୁ ଦେଖିଥିଲି ।

 

ସତ୍ୟବତୀ କହିଲେ–ଯାମିନୀକୁ ଦେଖିଲ; ଦେଖା ନ ଦେଇ ତୁମେ ଲୁଚିଲ କେମିତି ? ସେତେବେଳେ ମୁଣ୍ଡରେ ରାଗ ଚଢ଼ିଥିଲା । କୋଉ କଥାରେ ଏତେ ରାଗ ? ଦୁନିଆରେ ଭଲ ନାହିଁ, ଭଲ କହିଲାରୁ ମନ୍ଦ । କେବେ ତୁମ ବୁଦ୍ଧି ବଦଳିବ ? ଚାଲ, ଚାଲ ଘରକୁ ଚାଲ । ସେଇ ପିଲାଦିନ ଢଙ୍ଗ ଛାଡ଼ିଲ ନାହିଁ, ଚାଲ, ଉଠ ।

 

ଭଜହରି ବେଶ ସାଧୁ ପୁରୁଷ ପରି ଗୃହ ପ୍ରବେଶ କରନ୍ତେ, ସ୍ତ୍ରୀ ମୁହଁ ଛାଟିଦେଇ ତୁନି ତୁନି ହେଇ କହିଲେ–ମଲା ନାହିଁ ? ପୁଣି ଫେରି ଆସିଲା ? କୁଳକଳଙ୍କିଆ କୋଉ ମୁହଁରେ ପୁଣି ଫେରିଆସିଲା ?

 

ଯାମିନୀବାବୁଙ୍କ ଘରେ ଭଜହରି ସୁସ୍ଥ ହୋଇ ପୁଣି ପୂର୍ବପରି ଚଳାଚଳ ହେଲେ ।

 

-୧୫-

 

ଭଜହରିର ସ୍ତ୍ରୀ ପିଲା ଦୁଇଟିକି ନେଇ ଯେଉଁଦିନ ରସମା’ ଘରେ ପ୍ରବେଶ କରି ଦାଣ୍ଡ ବଖରାଟି ଅଧିକାର କଲେ, ରସମା’ର ଦେଢ଼ଶୁର କେବଳ ଜାଣିଲା ଯେ–ଜଣେ କିଏ ଆସି ଭଡ଼ାରେ ତାଙ୍କ ଘରେ ରହିଲା । ରସମା’ର ସ୍ୱାମୀ କେବଳ ରସମା’ କତିରୁ ଯା’ ଶୁଣିଥିଲା ଯେ–ଜଣେ ଆସି ଆମ ଘରେ ଭଡ଼ାରେ ରହିବ, ସେତିକି । ରହିଲା ଦିନ–କେଇ ଜଣ ରହିଲେ ? କେତେ ଭଡ଼ା ଦେବେ ? କିଏ ବୁଝୁଛି ? ରସମା’ ସବୁ ବୁଝିବ, ସ୍ୱାମୀ ନୀରବ ।

 

ଆଉ ମହନା, ସେ ଶୁଣିଥିଲା–ଜଣେ ଆମ ଦାଣ୍ଡ ବଖରାଟା ଭଡ଼ା ନେଇ ରହିବ । ଯେଉଁଦିନ ଦେଖିଲା–ଭଜହରିର ସ୍ତ୍ରୀ ତାଙ୍କର ଦାଣ୍ଡ ବଖରାରେ ଆସି ରହିଲେ, ସେ ଭଜହରିର ସ୍ତ୍ରୀକୁ ଦେଖି ମନେ ମନେ ଗୋଟାଏ ଅସୀମ ଆନନ୍ଦରେ ଆତ୍ମହରା ହୋଇ ପଡ଼ିଲା–କି ସୁନ୍ଦରୀ ମାଇପିଟିଏ !!! ତା’ର ଆକୁଳ ଅନ୍ତର ଯେମିତି ଥୟ ହେଇଗଲା । ତା’ର ମନେ ହେଲା–ଯେମିତି ତା’ରି ପଳାତକ ସ୍ତ୍ରୀ ପୁଣି ଫେରି ଆସିଲା ।

 

ମନେ ମନେ ସେ ଭାବିଲା–ହଉ, ଆଜିତ ରହିଲା, ପୁଣି କଥାବର୍ତ୍ତା ହବ, ସବୁହବ । ଦି’ ଚାରିଦିନ ଅଭିକା ଟିକିଏ ଆଡ଼ ଆଡ଼ ହେଇ ଚଳିବାକୁ ହବ, ତା’ପରେ ଜମିବ ନାହିଁ ଯେ । ଯା’ ରୋଜଗାର କରିବି, ଆଉ ଘରେ ଦଉଛି ? ୟାରି ହାତରେ ଦେବି । ପଇସା ଯୋଉ ଜିନିଷ ! କୁଆଡ଼େ ଅଠା ଲାଗିଯିବ, ପୁଣି ମୋତେ ନ ଦେଖିଲେ ରହିପାରିବ ନାହିଁ ।

 

ଭଜହରିର ସ୍ତ୍ରୀ ରସମା’ ଘରେ ରହିଲା ପରେ, ପଫ କେତେବେଳେ କେମିତି ଅଗଣା ଭିତରେ ଯାଇ ଟିକିଏ ବୁଲେ । କେହି ଖାଇବାକୁ ବସିଥିଲେ, ତାରି ମୁହଁକୁ ଚାହିଁ ବସି ରହେ । ପଫ ରୋଗା ବୋଲି ତାକୁ ରସମା’ ଘରେ କେହି କିଛି ଖାଇବା ଜିନିଷ ଦବାକୁ ଇଚ୍ଛା କଲେ ଦେଇ ପାରନ୍ତି ନାହିଁ । ଖାଲି ଦୁଃଖ କରନ୍ତି ।

 

ଦିନେ ପଫ ଅଗଣା ଭିତରୁ ବୁଲି ଆସି ତା’ର ମା’ ହାତରେ ଚାରିଅଣା ପଇସା ଦେଲା ।

 

ଭଜହରିର ସ୍ତ୍ରୀ ଦେଖି ଆଶ୍ଚର୍ଯ୍ୟ ହେଲେ–ଏଡ଼େ ଟିକିଏ ପିଲାହାତରେ ପଇସା କିଏ ଦେଲା ? ପଫ କଣ ପଇସା ରସମା’ ଘରୁ ଚୋରି କଲା କି ? ତାଙ୍କର ସନ୍ଦେହ ହବାର କାରଣ–ପଫ ବେଳେବେଳେ ଖାଇବା ଜିନିଷ ଚୋରି କରେ ।

 

ମା ପ୍ରଶ୍ନ କଲେ ପୁଅକୁ–ଏ ପଇସା କୋଉଠୁ ପାଇଲୁ ?

 

ପଫ କହିଲା–କେମ୍ପା ଦେଲା ମୋ ହାତରେ । କହିଲା–ଯା କଣ ଖାଇବୁ । ଭଜହରିର ସ୍ତ୍ରୀ କେମ୍ପାର ନାମ ଶୁଣି ବୁଝି ପାରିଲେ–ମହନା ଦେଇଛି । ଭଜହରିର ସ୍ତ୍ରୀ ରସମା’ ଘରେ ରହିଲା ପରେ ଦିନେ ଦୁଇଦିନ ଭିତରେ ରସମା’ ଘରର ଐତିହାସିକ ଏବଂ ଭୌଗୋଳିକ ବିବରଣୀ ସମସ୍ତ ହାସଲକରି ନେଲେ । ଏଥିପୂର୍ବରୁ ମଧ୍ୟ ସତ୍ୟବତୀଙ୍କ ନିକଟରୁ କେତେକ ସଂଗ୍ରହ କରିଥିଲେ ।

 

ଭଜହରି ସ୍ତ୍ରୀ ପୁଣି ପୁଅକୁ ଘର ଭିତରେ ପ୍ରଶ୍ନ କଲେ–ତୁ ତାକୁ ମାଗିଲୁ ପଇସା ?

 

ଏଣେ ବାହାରୁ କବାଟ ଏ ପାଖରୁ ଉତ୍ତର ଶୁଣାଗଲା–ନା, ସେ ମାଗି ନାହିଁ, ମୁଁ ଆପେ ଦେଇଛି । ପିଲା ମଣିଷ, କଣ ଖାଇବ, ତାକୁ ଆଉ କିଛି ପଚାର ନାହିଁ ।

 

କେମ୍ପା ଏ କଥା କହୁ କହୁ ପଫ ମା’ର ବଖରା ଭିତରକୁ ପଶି ଆସି ଖଇ ଉଖୁଡ଼ା ପରି ଦାନ୍ତ ଦେଖେଇ ମୁହଁରେ ବିକଟ ହାସ୍ୟ ଫୁଟେଇ କହିଲା–ଏତକ ଟିକିଏ ରଖିବ କି ?

 

ଭଜହରିର ସ୍ତ୍ରୀ ହଠାତ୍‌ ଘର ଭିତରେ ମହନାର ହସ ଏବଂ କିମ୍ଭୁତକିମାକାର ରୂପ ଦେଖି ପ୍ରଥମେ ଭୟ କରିଗଲେ, ପରେ ଟିକିଏ ପ୍ରକୃତିସ୍ଥ ହେଇ ଦେଖିଲେ–ମହନା କଣ ଅଣ୍ଟିରେ ଗୁଡ଼ାଏ ଧରି ଠିଆ ହେଇଛି ।

 

କ’ଣ କରିବେ ? ଟିକିଏ ଇତସ୍ତତଃ ହେଇ ଶେଷରେ ମହନା କତିରେ ଯାଇ ଶଙ୍କିତ ଭାବରେ ଠିଆହେଲାରୁ ମହନା କହିଲା–ଲୁଗା କାନି ଦେଖାଅ ।

 

ଭଜହରିର ସ୍ତ୍ରୀ ଲୁଗା କାନି ଦେଖେଇଲେ । ମହନା ପାଏଖଣ୍ଡେ ଭଜା ଚିନାବାଦାମ ଭଜହରି ସ୍ତ୍ରୀର କାନିରେ ଅଜାଡ଼ି ଦେଇ କହିଲା–ତୁମେ ପାମ୍ପଡ଼, ଡାଲବୁଣ୍ଟ ଯଦି ଖାଇବତ ସନ୍ଧ୍ୟାବେଳେ ଆଣିଦେବି, ମୁଁ ଯାଉଛି, ସଞ୍ଜବେଳେ ଆସିବି ।

 

ମହନା ଚାଲିଗଲା, କିନ୍ତୁ ତା’ର ମନଟା ରହିଗଲା ଭଜହରି ସ୍ତ୍ରୀର ରହିବା ବଖରାକ ଭିତରେ, ଭଜହରିର ସ୍ତ୍ରୀ କତିରେ । ମହନା ଭାବିଲା–ଚିନାବାଦାମତ ରଖିଲା ! ମନାତ କଲା ନାହିଁ-। ପୁଅ ହାତରୁ ତ ପଇସା ରଖିଲା ! ମାଇପିଟି ଭଲ, କେରାଣ୍ଡି ଗୁନ୍ଥି ଶେଉଳ ଧରିବି, ଆଗେ ଥୋପ ପକାଏ । ଭଜହରିର ସ୍ତ୍ରୀ ରସମା’ ଘରକୁ ସ୍ଥାନାନ୍ତରିତ ହେଲା ପରେ, ସତ୍ୟବତୀ ପ୍ରତିଦିନ ଆସି ସଞ୍ଜ ସକାଳ ଦି’ବେଳା ଦେଖିଯାନ୍ତି । ପଫ, ବଭ ଦୁହିଙ୍କ ଲାଗି ଦୁଧ ଆଣିଦିଅନ୍ତି । ବେଳେ ବେଳେ ପଫକୁ ସାଙ୍ଗରେ ନେଇ ଘରେ ଭାତ ଖୋଇ ଆଣି ଛାଡ଼ି ଦେଇଯାନ୍ତି ।

 

ଭଜହରି ପ୍ରତ୍ୟେକ ଦିନ ଯାମିନୀବାବୁଙ୍କ ଘରେ କାମ ସାରି ରାତି ଏଗାରଟା ବାରଟା ବେଳକୁ ଶୋଇବାକୁ ଆସନ୍ତି । ତା’ ଛଡ଼ା ଇମିତି ଦିନ ଭିତରେ ଯାମିନୀବାବୁଙ୍କ ଘରେ କାମ କରୁ କରୁ ଚାରି, ଛ’ଥର ମୁହଁ ମାରିଯାନ୍ତି । ପୁଣି ଦିନବେଳେ ଛାପାଖାନାରେ ଯେତେବେଳେ ମଝିରେ ଅଳ୍ପ ସମୟ ଲାଗି ଜଳଖିଆ ଛୁଟି ମିଳେ, ସେତେବେଳେ ମଧ୍ୟ ଦୌଡ଼ି ଆସି ଥରେ ଦେଖିଯାନ୍ତି । କେବଳ ଜଗିବା ଉଦ୍ଦେଶ୍ୟରେ–ସ୍ତ୍ରୀ କ’ଣ କରୁଛି ? ସ୍ତ୍ରୀ କତିକି କିଏ ଆସିଛି ? ସ୍ତ୍ରୀ କା’ ସହିତରେ କଥାବାର୍ତ୍ତା କରୁଛି ?

 

ପଫର ଦେହରେ ରକ୍ତ ଏବଂ ବଳ ହବାପାଇଁ ଯାମିନୀବାବୁ ବରାବର ଭଜହରି ହାତରେ ଔଷଧ ମଧ୍ୟ ପଠାନ୍ତି । ୟା ଛଡ଼ା ଭଜହରି ଯେତେବେଳେ ଯେଉଁ ଜିନିଷର ଅଭାବ ଅନୁଭବ କରନ୍ତି, ସତ୍ୟବାତୀଙ୍କୁ ମାଗିଲେ; ସେ ଅକୁଣ୍ଠିତ ଚିତ୍ତରେ ଦେଇ ଦିଅନ୍ତି ।

 

ଭଜହରି ଯାମିନୀବାବୁଙ୍କ ଘରେ କାମ କରନ୍ତି, କିନ୍ତୁ ଏବେ ମନରେ ସବୁବେଳେ ଗୋଟାଏ କଥାର ଆନ୍ଦୋଳନ–ମୁଁ ତ ଏଠି କାମ କଲି, ଛାପାଖାନାକୁ ଗଲି, ମଝିରେ ମଝିରେ ସିନା କେତେବେଳେ କିମିତି ଯାଇ ଦେଖି ଆସୁଛି, ଯେତେ ସମୟ ଯାଇପାରୁନି, ତା’ ଭିତରେ ସ୍ତ୍ରୀ ତ କିଛି କରୁନି ? ମୋର ପିଲା, ଭାରିଯା ଏଠି ଯାମିନୀ, ସତ୍ୟବତୀଙ୍କ କତିରେ ଥିଲେ, କଣ ମନ୍ଦ ହେଇଥିଲା ? ମା, ପୁଅ ଦିହେଁ ଚକ୍ରାନ୍ତ କରି ମୋର ପିଲା, ଭାରିଯାଙ୍କୁ ଏଠୁ ତଡ଼ିଦେଲେ । ଖାଲି ଉପରେ ଦେଖେଇବାକୁ କ’ଣ ନା ସାହାଯ୍ୟ କରୁଛନ୍ତି । ମୁଁ ତ ରୋଜଗାର କଲି, ଭାରିଯାଙ୍କୁ ପୋଷିଲି, ୟାଙ୍କ ଘରେ ତା’ ହେଲେ ଏତେ ଖଟିବି କାହିଁକି ? ଖାଲି କଣ ମୁଁ ମୁଠାଏ ଖାଇବା ଲାଗି ଏତେ ଖଟିବି ? ମୋ ପେଟ କଣ ମୁଁ ପୋଷି ପାରିବି ନାହିଁ ? ଭାରି ଗୋଟାଏ କଥା !

 

ଇମିତି ଭାବନା ଚିନ୍ତାରେ ଭଜହରିଙ୍କ ମନ କ୍ରମଶଃ ଯାମିନୀବାବୁଙ୍କ ଘର କାମଧନ୍ଦାରୁ ଛାଡ଼ି ଆସିଲା ।

 

ସୁରମାତ ଏ କଥା ବହୁତ ଦିନରୁ ନଜର କରିଥିଲେ । ଏବେ ସତ୍ୟବତୀ ମଧ୍ୟ ଜାଣିପାରି ଦିନେ ସଞ୍ଜବେଳେ ଧନୀମା ଆଉ ମହନ୍ତିଆଣୀଙ୍କ ଆଗରେ କହିଲେ–ଭଜରେ ଆଉ ମନ ନାହିଁ, ମୋ ଘରେ କାମ କରିବାପାଇଁ । ନୋହିଲେ ସେଦିନ ମୁଁ କହିଲି–ଭୋଦୁଅମାସ, ଘର ଝଡ଼ା ହବ । ଭଜ ଆଦୌ ମୋ’ କଥା କାନରେ ପୂରେଇଲା ନାହିଁ । ଘର ଝାଡ଼ିଲା ନାହିଁ, ରୋଷେଇ ହେଲେ କର, କିଛି ନକରି ଯାଇ ଭାରିଯା କତିରେ ବସିଲା । ମୁଁ ଯେତେ ଡାକିଲି, ମୋଟେ ଶୁଣିଲା ନାହିଁ ।

 

ସତ୍ୟବତୀ ପୁଣି କହିଲେ–ଦେଖ ଭଜରତ ଢଙ୍ଗ ଇମିତି ଦେଖୁଛି, ତା’ ଭାରିଯା କଥା ଶୁଣିଛ ? ମୋ ଘରୁ ଗଲାଦିନୁଁ ଥରେ ହେଲେ ମୋ ଦୁଆର ମାଡ଼ିଲାଣି କେବେ ?

 

ଧନୀମା ନିଆଁରେ ପିଅ ଢାଳିଲା ପରି କହିଲେ–କ’ଣ ? ସେ ମାଇପିଟା ତମ ଘରକୁ ଆସୁ ନାହିଁ ? ଆଉ ସାହିରେ ୟାଘର, ତା’ ଘର କିମିତି ବୁଲୁଛି ?

 

ମହନ୍ତିଆଣୀ ଜଳନ୍ତା ନିଆଁରେ ଖଣ୍ଡେ କାଉଁରିଆ ପକେଇଲା ପରି କହିଲେ–ସେ ଦିନତ ମୋ ଘରକୁ ଆସିଥିଲା, ତମ ଘରକୁ ଆସୁନାହିଁ ? କଣ କହୁଛ ?

 

ସତ୍ୟବତୀ ଏ କଥା ଶୁଣି ଆହୁରି ଉତ୍ତେଜିତା ହୋଇ ଉଠି କହିଲେ–ତମ ଘରକୁ ଆସୁଛି ବୁଲିବା ପାଇଁ ? ଏଇଠି ମୋ ଘରକୁ ଆସୁ ନାହିଁ । ଦେଖ, ଦେଖ, ଆଉ ମୁଁ ଦି’ବେଳା ଯାଇ ଦେଖି ଆସୁଛି ।

 

ଧନୀମା ପୁଣି ଜଳନ୍ତା ନିଆଁରେ ଆଉ ପଳାଏ ଘିଅ ଢାଳି ଦେଲା ପରି ଆରମ୍ଭ କଲେ–ହଁ, ହବ ନାହିଁ କାହିଁକି ? ଗେରସ୍ତ ରୋଜଗାରିଆ ହେଲା, ଆଉ ମହନାତ ବାର ଜିନିଷ ଆଣି ଯୋଗୋଉଛି । ସେଦିନ ରସମା’ ମୋତେ କହୁଥିଲା–ମହନା ଆଉ କଣ ଘରେ ପଇସା କଉଡ଼ି ଦଉଛି କି ? ସବୁ ଏ ମାଇପିଟା ପିଛାରେ ଖର୍ଚ୍ଚ କରୁଛି । ଆଜିକାଲି ପୁରୀ, ଲଡୁ, ଜଲବି, ପାନ ଯେତେବେଳେ ଯାହା ମାଇକିନିଆ ମନ କରୁଛି, ମହନା ସବୁ ଖୋଉଛି ।

 

ଧନୀମାର ଏ କଥାରେ ମହନ୍ତିଆଣୀ ଆଉ ଟିକିଏ କତିକି ଘୁଞ୍ଚି ଆସି କହିଲେ–କ’ଣ କହୁଛୁ ? ହଁ, ସେ କେମ୍ପା ସେଇୟା କରୁଥିବ । ଭାରିଯାତ ଛାଡ଼ି ପଳେଇଲା । ଯୋଉ ରୂପ ! ସେଥିରେ ଯେତେବେଳେ ଇମିତିଆ ସୁନ୍ଦରୀ ମାଇପିଟା ଘରେ ଅଛି, କାହିଁକି ନ କରିବ ?

 

ସତ୍ୟବତୀ ଆଶ୍ଚର୍ଯ୍ୟ ହୋଇ କହିଲେ–ସତେ ! କେମ୍ପା ତା’ ସାଙ୍ଗରେ ମାତିଲାଣି ! ଆଉ ତେବେ ସେ ମୋ ଦୁଆରକୁ କାହିଁକି ଆସିବ ? ଏ କଥା ମୁଁ ଜାଣିବି କିମିତି ? ମୁଁ ଯେତେବେଳେ ଯାଏ ସେଠିକି, କେମ୍ପା ବରାବର ସେ ମାଇପି କତିରେ ବସି ଗପ କରୁଥାଏ ।

 

ସତ୍ୟବତୀ ପୁଣି ଟିକିଏ ସନ୍ଦିହାନ ହୋଇ କହିଲେ–କିନ୍ତୁ ଆଉ ଗୋଟାଏ କଥା, ମୋର ତ ମନେ ହୁଏନା, ସେ ମାଇପିର ସେମିତିଆ ଢଙ୍ଗ ବୋଲି ! କାହିଁକି, ୟା ଭିତରେ ରସମା’ ମୋ ଆଗରେ ଥରେ କହୁଥିଲା–ଦିନେ ରାତିରେ ଭଜ ସ୍ତ୍ରୀ ତା’ ବଖରାଟିରେ ରାସ୍ତାଆଡ଼କୁ ଯେଉଁ ଦୁଆର, ତାକୁ ଭିତରୁ ବନ୍ଦକରି ବସିଛି ଘର ଭିତରେ, ସେଦିନ ଭଜର ଆମ ଘରୁ ରାତିରେ ତା’ ସ୍ତ୍ରୀ କତିକି ଯିବାକୁ ଟିକିଏ ଡେରି ହେଇଥିଲା । ରସମା’ ଖଞ୍ଜା ଭିତରେ ତେଣେ ରାନ୍ଧୁଥିଲା । ୟା ଭିତରେ ଜଣେ କିଏ ଆସି ଭଜ ସ୍ତ୍ରୀର ରାସ୍ତାଆଡ଼ ଦୁଆର କବାଟରେ ହାତମାରି କହିଲା–ରୋଟି ଖାଇବୁ, ରୋଟି ।

 

ଭଜ ସ୍ତ୍ରୀ ଏମିତିଆ କଥା ଶୁଣି ଭିତରେ ଥାଇ ଉତ୍ତର ଦେଲା–ତୁ କିଏରେ ଇମିତିଆ ଫଟାରସିକ ! ତୋତେ ପୁରୀ ମିଳିଲା ନାହିଁ ? ତୁ ଆସି ମୋତେ ରୋଟି ଯାଚୁଛୁ ?

 

ବାହାର ଆଡ଼ୁ ପୁଣି ଶୁଣାଗଲା–ରୋଟି ଖାଇଥା, ପୁଣି ପୁରୀ ଖାଇବୁ, କେତେ ଜିନିଷ ଖୋଇବି...

 

ଭଜ ସ୍ତ୍ରୀ ଭିତରୁ ପୁଣି ଉତ୍ତର ଦେଲା–ମୋର ଯେ ଗୋଲାମ, କି ଚାକର ପରି ହବ, ସେ ମୋତେ ପୁରୀ, ଳଡୁ, ଜଲବି ଖୋଉଛି, ତୁ କଣ ତା’ଠୁଁ ଏଡ଼େ ଛତରା ? ତୁ ରୋଟି ଯାଚୁଛୁ ?

 

ଭଜ ସ୍ତ୍ରୀ ଏତକ କହି ରସମା’କୁ ଡାକ ପକେଇଲା–ନାନି, ନାନି, ଏଆଡ଼େ ଟିକିଏ ଆସିବ କି ? କିଏ ଗୋଟାଏ ଇମିତି କଥା କହୁଛି, ଦେଖିବଟି ।

 

ରସମା’ ଭଜ ସ୍ତ୍ରୀର ଡାକ ଶୁଣି ଚାଲି ଆସିବାରୁ, ବାହାରେ ଯେ କଥା କହୁଥିଲା, କୁଆଡ଼େ ପଳାଇଲା ।

 

ରସମା’ ବୁଝି ପାରିଲା–ରାସ୍ତା ପାଖ ଚଉତୁରା ଉପରେ ଯେଉଁ ଟୋକାମାନେ ବସି ଆଡ୍‌ଡ଼ା ଦିଅନ୍ତି, ସେହିମାନଙ୍କ ଭିତରୁ କେହି ଜଣେ ହେଇଥିବ । ସେଦିନ ରାତିରେ ଭଜ ଆମ ଘରୁ ଗଲା ପରେ ସ୍ତ୍ରୀ ସବୁକଥା ତାକୁ ଜଣେଇଲା-ଯେ ବାହାରେ ଥାଇ ଜଣେ ତାକୁ ରୋଟି ଖାଇବାକୁ ପଚାରୁଥିଲା, ତାକୁ ସେ କିମିତି ସବୁ ଉତ୍ତର ଦେଇଛି ।

 

ଭଜ କିନ୍ତୁ ତା’ ସ୍ତ୍ରୀ ଯାହା ଯାହା ଉତ୍ତର ଦେଇଥିଲା, ଶୁଣି ଆଦୌ ବିଶ୍ୱାସ କଲା ନାହିଁ । ସତ୍ୟବତୀ ପୁଣି କହିଲେ–ଭଜ ତହିଁ ଆରଦିନ ସକାଳେ ଆସି ମୋ ପୁଅ ଆଗରେ ସବୁ କଥା ଜଣେଇଲା ।

 

ଏତେବେଳେ କଥାର ଧାରା ବଦଳେଇ ସତ୍ୟବତୀ, ଧନୀମା ଆଉ ମହନ୍ତିଆଣୀକୁ କହିଲେ–ଭଜ ସ୍ତ୍ରୀ ଉତ୍ତର ଦେଲା–ମୋର ଯେ ଗୋଲାମ କି ଚାକର ପରି ହବ, ସେ ମୋତେ ପୁରୀ, ଲଡ଼ୁ, ଜଲ୍‌ବି ଖୋଉଛି.....

 

ଏକଥା ସେ କାହାକୁ କହିଲା ? ସେଇ କେମ୍ପାକୁ କହିଲା । ଭଜ ସ୍ତ୍ରୀର ତ ଭଜ ପସନ୍ଦକୁ ଆସୁ ନାହିଁ, ଆଉ ସେ ଯାଉଥିଲା କେମ୍ପାକୁ ଦେଖି ଭୁଲିବାକୁ ? ଖାଲି ଭଲ ଭଲ ଜିନିଷ ଖାଇବା ଲୋଭରେ କେମ୍ପାକୁ କତିରେ ବସାଇବାକୁ ଦଉଛି । ନୋହିଲେ ସେ କେମ୍ପାକୁ କତିରେ ପୂରେଇବ ? ଭାରି ନଖପରଖୀ ମାଇପି ସେ ! ଭାରି ଚତୁରୀ ! କେମ୍ପା ହୁଣ୍ଡା । କେମ୍ପା ଯୋଉ ଆଶାରେ ଖୋଉଛି, ପରେ ବୁଝିପାରିବ ଯେ....

 

X X X

 

ଦିନେ ଯାମିନୀବାବୁ ସନ୍ଧ୍ୟାବେଳେ ଚା’ପାନ କରୁଛନ୍ତି, ସୁରମା କତିରେ ଠିଆ ହୋଇଛନ୍ତି, ଭଜହରି କୁଆଡ଼େ ଯାଇଛନ୍ତି, ଏଇ ସମୟରେ ସତ୍ୟବତୀ ଭଜହରିର ଘରୁ ଫେରି ଆସି ଗୃହପ୍ରବେଶ କରନ୍ତେ, ସୁରମା ଜାଣିପାରି ଓଢ଼ଣା ଟାଣି ଦେଇ ଯାମିନୀବାବୁଙ୍କ କତିରୁ ଚାଲିଗଲେ ।

 

ସତ୍ୟବତୀ ଯାମିନୀବାବୁଙ୍କ କତିରେ ଆସି ବସି କହିବାକୁ ଲାଗିଲେ–ଭଜରେ ବଡ଼ ପୁଅଟି ଆଉ ଭଲ ହବ ନାହିଁ । ସାନ ପୁଅଟା ଖାଲି ଶୁଖି ଶୁଖି ଯାଉଛି । ଭଜ ସ୍ତ୍ରୀତ ଆଦୌ ଯତ୍ନ ନେଲା ନାହିଁ ପିଲା ଦି’ଟାର । ଭଜ ସ୍ତ୍ରୀତ ଆଦୌ ରାନ୍ଧୁ ନାହିଁ । ଖାଲି ଏଣୁ ତେଣୁ ଗୁଡ଼ାଏ ଖାଉଛି, ଭାତ ରାନ୍ଧି ଖାଇବାକୁ ନାହିଁ । କିମ୍ୱା ଯଦି ଥରେ ରାନ୍ଧିଲାତ, ତାକୁ ପଖାଳି ଦେଇ ତିନି ଚାରିଦିନ ଯାଏ ସେଇ ପଖାଳ ଖାଉଛି । ଆଉ ବଡ଼ ପୁଅଟାକୁ ମଧ୍ୟ ସେଇ ଖଟା ପଖାଳ ଖୋଉଛି ସାନ ପିଲାଟାକୁ ଟିକିଏ ତେଲ ମାଖିବାକୁ ନାହିଁ, କଣ ଶାମୁକାଏ ଦୁଧ ପେଇ ଦଉଛି, ସେଇଥିରେ କି ସେ ପିଲା ବଞ୍ଚିବ ?

 

ଭଜ ସ୍ତ୍ରୀ ଆପେ ଗୁଡ଼ାଏ ଭଜା ଚିନାବାଦାମ ଚୋବୋଉଛି, ଆଉ ସେ ବଡ଼ ପୁଅଟାକୁ ମଧ୍ୟ ସେଗୁଡ଼ାକ ଚୋବେଇବାକୁ ଦଉଛି । ଏଥିରେ ସେ ପିଲାର ଦିହ ଖରାପ ହବ ନାହିଁ ? ଆଉ ଭଜରତ ଆଜିକାଲି ଆମ ଘର କାମଦାମରେ ସେତେ ମନ ନାହିଁ କି ଆମ ଘରକୁ ଆସିବାକୁ ମନ ନାହିଁ । ହେଲା ଏବେ ଆମ ଘରକୁ ନ ଆସିଲୁ ନାହିଁ । ପିଲା ଦି’ଟାର ଖବର ବୁଝ । ଖାଲି ପର ସ୍ତ୍ରୀ ଉପରେ ନଜର । ଅଭିକା ଯାଇଥିଲି, ଭଜର ସ୍ତ୍ରୀ ଆଉ ପିଲାମାନଙ୍କୁ ଦେଖିବାପାଇଁ, ଦେଖିଲି ଭଜ ନାହିଁ, ତା’ ସ୍ତ୍ରୀକୁ ପଚାରିଲି ଭଜ କୁଆଡ଼େ ଯାଇଛି ? ସ୍ତ୍ରୀ କହିଲା–ସେ ପେଣ୍ଡୁଖେଳ ଦେଖିବାକୁ ଯାଇଛନ୍ତି । କଲିକତାରୁ କିଏ ସବୁ ଆସିଛନ୍ତି ଖେଳିବାପାଇଁ ଯେ, ତାକୁଇ ଦେଖିବାକୁ ଯାଇଛନ୍ତି ।

 

ଭଜ ସ୍ତ୍ରୀ ଯା’ହଉ ଖୁବ୍‌ ଭଲରେ ଅଛି । ରସମା’ ଦିଅର ସେ ଯେଉଁ କେମ୍ପା, ଦୁନିଆ ଜିନିଷ ଆଣି ଭଜ ସ୍ତ୍ରୀକୁ ଯୋଗାଉଛି । ଡାଲି, ଚାଉଳ, ପନିପରିବା, ଜଳଖିଆ ଓଗେର ଜିନିଷ ଆଣି ଗଦା କରି ଦଉଛି । ଭଜକୁ କେମ୍ପା ସଙ୍ଗାତ କରିଛି । ଯା’ହଉ ଏତେ ଦିନେ ଭଜର ଅବସ୍ଥା ବଦଳିଲା-। ପିଲାଙ୍କ ଲାଗି ଗଉଡ଼ କତିରୁ ଦୁଧ ନାଗୁଆ ହେଇଛି । ମୁଁ ତାହା ହେଲେ ମିଛରେ ଆଉ କାହିଁକି ଦୁଧ ଦେଇ ଆସିବି ? ହଉ ଭଗବାନ କରନ୍ତୁ, ଭଜ ସୁଖରେ ଘର କରୁ । ତା’ର ଆହୁରି ଉନ୍ନତି ହଉ, କିନ୍ତୁ ଯଦି ଭଜ ମୁଣ୍ଡରେ ପୁଣି ପିତ୍ତ ଚଢ଼େ, ତା’ ହେଲେ ସବୁ ଓଲଟି ଯିବ ।

 

ସତ୍ୟବତୀ ପୁଣି କହିଲେ–ମୁଁ ଭଜ ପିଲା ଦିହିଁଙ୍କ ଅବସ୍ଥା ଦେଖି ମୋର ଭାରି ରାଗ ହେଲା । ମୁଁ ଭଜସ୍ତ୍ରୀକୁ ମନଇଚ୍ଛା ଗୁଡ଼ାଏ ଶୋଧି ଆସିଲି । ଖାଲି ଅଯତ୍ନରେ ପିଲା ଦି’ଟା ମରିଯିବେ-

 

ସତ୍ୟବତୀ ଫେରି ଆସିଲେ, କିନ୍ତୁ ତାଙ୍କର ଭର୍ତ୍ସନାରେ ଭଜହରିର ସ୍ତ୍ରୀର ମନ କୁହୁଳୁଥାଏ । ଯେମିତି କିଛିକ୍ଷଣ ପରେ ଭଜହରି ପେଣ୍ଡୁ, ଖେଳ ଦେଖି ଫେରି ଆସି ଗୋଡ଼ହାତ ଧୋଇ ସ୍ତ୍ରୀର ଅଳ୍ପ ଦୂରରେ ବସିଛନ୍ତି, ସ୍ତ୍ରୀ କହିଲେ–ଶୁଣିଛ ମୋତେ ଯାମିନୀବାବୁଙ୍କ ମା’ ସେ ବୁଢ଼ୀଟା ଆସି କେତେ ଗାଳିଦେଇ ଗଲାଣି । ଭଜହରି ପଚାରିଲେ–କାହିଁକି ?

 

ସ୍ତ୍ରୀ କହିଲେ–ମୋର ପିଲାର ମୁଁ ଯତ୍ନ ନ ନେଲି, ହେଲା କଣ ? ସେ ବୁଢ଼ୀର କଣ ଗଲା ? ଖବରଦାର୍‌ ତୁମେ ଆଉ ତାଙ୍କ ଘରକୁ ଯିବ ନାହିଁ, କହୁଛି ।

 

କାହିଁକି ?

 

ସବୁତ ଆମର ଆମେ କଲୁ, ପିଲାଙ୍କ ଦୁଧଖିଆ ଲାଗି ଗଉଡ଼ ନାଗୁଆ ହେଲା ତାଙ୍କର ରୋଜି ଯୋଉ ଦୁଧ ମୋ ପିଲା ଖାଇବାପାଇଁ ଦେଇ ଯାଉଛନ୍ତି, ଆମର ଏଣିକି ଆଉ ଦରକାର ନାହିଁ । ଆଉ ତୁମ ଦିହ ଖଟି ଖଟି କଣ ହେଲାଣି ! ଏଣେ ଛାପାଖାନାରେ ଖଟିବ, ପୁଣି ଆସି ତାଙ୍କ ଘରେ ଖଟିବ କଣ ଖାଲି ଭାତ ମୁଠାକ ଲାଗି ? ତୁମର ଦିହର ଅବସ୍ଥା ଦେଖି ମୋର ମନ ଭାରି ଖରାପ ହଉଛି ।

 

ଭଜହରି ସ୍ତ୍ରୀର ଏମିତିଆ ମଧୁମଖା କଥାଗୁଡ଼ିକ ଶୁଣି ତାଙ୍କର ବିଶ୍ୱାସ ହେଲା-ଭଗବାନ ଏତେ ଦିନେ ମୋତେ ସହାୟ ହେଲେ । ମୋର ସ୍ତ୍ରୀର ବୁଦ୍ଧି ବଦଳିଛି । ଯେତେବେଳେ ଭଲ ଦଶା ପଡ଼େ, ସେତେବେଳେ ଚାରିଆଡ଼ୁ ଭଲ ହୁଏ । ସ୍ତ୍ରୀର ମୋର ବୁଦ୍ଧି ନାହିଁ ବୋଲି କିଏ କହିଲା ? ମୁଁ ମୁର୍ଖ ତାକୁ ମିଛରେ ଗୁଡ଼ାଏ ଅଯଥା ରାଗରେ ମାରେ । ମୋର ପ୍ରକୃତ ଭୁଲ, ସ୍ତ୍ରୀ ମୋର ହାତଧରି ବାହା ହେଇଛି, ସେ ମୋର ଆପଣାର ହବ ନାହିଁ ?

 

ଭଜହରି କହିଲେ–ମୁଁ ଆଉ ତାଙ୍କ ଘରକୁ ଯାଉଛି ଭାବୁଛ ? ଶୁଣିଛ ମୋର କଥା ।

 

ସ୍ତ୍ରୀ କହିଲେ–କ’ଣ ?

 

ଭଜହରି ଉତ୍ତର ଦେଲେ–ଛାପାଖାନାରେ ମୁଁ ଯେଉଁ ବାବୁଙ୍କ କତିରେ କାମ କରୁଛି, ସେ ମୋତେ କହୁଥିଲେ–କିଛି ଦିନ ପରେ ମୋତେ କାମରେ ମୁକରିର କରି ଦେବେ । ମୋର ଅବସ୍ଥା ସବୁ ବୁଝି ସେ ବାବୁଙ୍କର ମୋ ପ୍ରତି ଭାରି ଦୟା ହେଇଛି ।

 

ସ୍ତ୍ରୀ ଏ କଥା ଶୁଣି କହିଲେ–ଦୟା ହବ ନାହିଁ ? ତୁମର କାମ ଦେଖିତ ତାଙ୍କର ମନବୋଧ ହେଇ ଯାଇଥିବ । ଚାକିରିରେ ତୁମେ ମୁକରିର ହବ ନାହିଁ, ଆଉ ହବ କିଏ ? ଦେଖ, ଆଉ କେଭେ ଯାମିନୀବାବୁଙ୍କ ଘରକୁ ଯିବନାହିଁ । କିମ୍ୱା ଯାମିନୀବାବୁଙ୍କଠାରୁ ମୋ ପୁଅ ଲାଗି ଆଉ ଔଷଧି ଆଣିବାକୁ ହବ ନାହିଁ । ରସମା’ କହୁଛି, ଏଇଠି କୋଉ କବିରାଜ ଅଛି, ତା’ ଔଷଧରେ ଏକା ପାନକେ ଭଲ ହେଇଯିବ । ଯାମିନୀବାବୁଙ୍କ କତିରୁ ଆଉ ଔଷଧ ଆଣିବ ନାହିଁ ।

 

ଯେତେବେଳେ ଭଜହରି ଏବଂ ତାଙ୍କର ସ୍ତ୍ରୀଙ୍କ ମଧ୍ୟରେ ରସମା’ ଘରେ ଏଇ ମସୁଧା ଚାଲିଥାଏ, ତେଣେ ଯାମିନୀବାବୁଙ୍କ ଦୋକାନ ଘରେ ଯାମିନୀବାବୁ, ନବ ନଟ ତିନିଜଣଙ୍କ ମଧ୍ୟରେ ଭଜହରି ସମ୍ୱନ୍ଧରେ ଆଲୋଚନା ଜମିଥାଏ । କାରଣ, ନବ ଆସି ପ୍ରଥମେ ହସି ହସି ସେଦିନ ଯାମିନୀବାବୁଙ୍କୁ ଲକ୍ଷ୍ୟ କରି ଆରମ୍ଭ କଲା–ବାବୁ, ଆଜିକା ଖବର ଶୁଣିଛନ୍ତି ?

 

ଯାମିନୀବାବୁ କହିଲେ–କଣ ?

 

ନବ କହିଲା–ଆଜି ଆପଣଙ୍କର ଭଜହରି ଯାଇଥିଲେ ପେଣ୍ଡୁଖେଳ ଦେଖିବାପାଇଁ ଟିକେଟ କରି । ମୁଁ ମଧ୍ୟ ଯାଇଥିଲି, କିନ୍ତୁ ମୁଁ ଟିକେଟ କରି ନ ଥିଲି, ଗଛ ଉପରେ ଚଢ଼ି ଖେଳ ଦେଖୁଥିଲି । ସେଠିତ ତାଟି ଘେରାହେଇଛି । ଟିକେଟ ନ କରି ଭିତରେ ପଶି ହବ ନାହିଁ, ମୁଁ ସେଇଥିଯୋଗୁଁ ଗଛରେ ଚଢ଼ି ଦେଖିଲି ।

 

ଯେତେବେଳେ ଖେଳ ଭାଙ୍ଗିଲା, ମୁଁ ବାଟରେ ଆସୁଛି ମୋ ଆଗେ ଆଗେ ଭଜହରି ଆଉ ଜଣଙ୍କ ସାଙ୍ଗରେ ଗପ କରି ଚାଲିଛନ୍ତି । ତାଙ୍କୁ ଆଉ ଜଣା ନାହିଁ ଯେ–ମୁଁ ପଛେ ପଛେ ଚାଲିଛି-

 

ଖେଳରେତ ବାବୁ କେହି କାହାକୁ ଜିତି ପାରିଲେ ନାହିଁ । କଲିକତିଆ ଦେଲେ ପାଞ୍ଚଟା ଗୋଲ, କଟିକିଆ ମଧ ଦେଲେ ପାଞ୍ଚଟା ଗୋଲ, ଖେଳ ଡ୍ରନ୍‌ ହେଇଗଲା ।

 

ଭଜହରି ତାଙ୍କ ସାଙ୍ଗ ଲୋକଙ୍କୁ କହି କହି ଚାଲିଛନ୍ତି–କଟକିଆଙ୍କୁ କଲିକତିଆ ପାରିଲେ ନାହିଁ ? କି କଥା ଏ ! କଲିକତିଆଙ୍କ ଖେଳ ଏତେ ଖରାପ ହେଇ ଗଲାଣି ! ମୁଁ କଲିକତା ଛାଡ଼ି ଆସିଲା ଦିନୁ କଲିକତା’ର ଏକବାରେ ଶିରୀ ତୁଟିଗଲାଣି ।

 

ନବ ପୁଣି ଆରମ୍ଭ କଲା–ବାବୁ ଆହୁରି ଗୋଟାଏ କଥା କହି ନାହିଁ ଆପଣଙ୍କୁ । ଏ କେତେ ଦିନ ହେଲାତ ଆସି ନାହିଁ ମୁଁ, ଆଉ କହିବି କୁଆଡ଼ୁ ? ଦିନେ ଭଜହରିଙ୍କୁ ଦେଖିଥିଲି ଗୋଟାଏ ମାଳୀ କତିରେ । ଭଜହରି ନିଜକୁ ଗରିବ ବ୍ରାହ୍ମଣ ବୋଲି କହିଲା । ସେ ମାଳୀ ମଧ୍ୟ ୟାକୁ ପ୍ରକୃତ ବ୍ରାହ୍ମଣ ବୋଲି ଭାବିଲା । କାରଣ, ଭଜହରି କାନ୍ଧରେତ ପଇତା ଗୋଟାଏ ପକାଇଛି । ଭଜହରି ଠାକୁରପୂଜା କରିବା ବାହାନାରେ ସେ ମାଳୀକୁ ଖୋଷାମୋଦ କରି ଚମ୍ପାଫୁଲମାଳ ଗୋଟାଏ ତାଠୁଁ ଆଣି କିଛି ଦୂର ଆସିଲା ପରେ ତାକୁ ନିଜ ବେକରେ ପକେଇ ଘରକୁ ଆସିଲେ ।

 

ଆହୁରି ଦିନେ ଦେଖିଥିଲି ବାବୁ, ଗୋଟାଏ ଅଫିମ, ଗଞ୍ଜେଇ ଦୋକାନକୁ ଯାଇ କଣ କିଣି ଘରକୁ ଫେରିଲେ ।

 

ଯାମିନୀବାବୁ ଏ କଥା ଶୁଣି ହର୍ଷ ବିଷାଦରେ କହିଲେ–ତାଙ୍କର ଯେ କଣ ମତି ଗତି ! ସେହି ଜାଣନ୍ତି । ତାଙ୍କର ଅପାର ମହିମା ।

 

ନଟବର ଏତେବେଳେ ହସି ହସି କହିଲେ–ମୁଁ କଣ କହୁଥିଲି ? ସେ ‘ଓମର’ଙ୍କ ଅବତା’ର, ଖାଲି ‘ରୁବାୟାତ’ ରଚନାର ଶକ୍ତି ନାହିଁ ତାଙ୍କର । ନୋହିଲେ ସେ କଣ ଏଠି ଥାନ୍ତେ ? ପାରସ୍ୟରେ ଯାଇ ଉଠନ୍ତେ.....

 

X X X

 

ଦିନେ ଯାମନୀବାବୁ ସକାଳେ ଗୋଟିଏ ଚୌକି ଉପରେ ବସି ଖଣ୍ଡେ ବହି ଦେଖୁଛନ୍ତି, ବେଳ ଆଠୁଟା ହବ, ଦୋକାନ ଖୋଲି ନାହାନ୍ତି, ଏଇ ସମୟରେ ଦେଖିଲେ–ମା ସତ୍ୟବତୀ ହାତରେ ଥାଳି, ନୋଟା, ଗିଲାସ ଆଉ ବୋତଲ କେତେଗୁଡ଼ିଏ ଧରି ତାଙ୍କ ସାମନାରେ ଆସି ଠିଆ ହେଲେ ।

 

ଯାମିନୀବାବୁ ଏସବୁ ମା’ଙ୍କ ହାତରେ ଦେଖି ଚକିତ ହୋଇ ପ୍ରଶ୍ନ କଲେ–ମା’ ଏସବୁ କୋଉଠୁ ଆଣିଲ ?

 

ମା ରାଗରେ ଉତ୍ତର ଦେଲେ–ଭଜହରି କତିରୁ । କାହିଁକି ତାକୁ ଆଉ ଏସବୁ ଜିନିଷ ଦେବି ? ସେତ ମୋ ଦୁଆର ମାଡ଼ୁ ନାହିଁ; ତା’ ସଙ୍ଗରେ ଆମର ଆଉ ସଂପର୍କ କଣ ? ଆଜିକି କେତେ ଦିନ ହେଲାଣି, ସେ ଆଉ ମୋ ଦୁଆର ମାଡ଼ୁଛି ? ଆମେ ଇମିତି ପର ହେଇଗଲୁ ? ଆଉ ଦେଖ, ତୁ ଯୋଉ ଦୋକାନରେ ମାନୀ ହେଇଛୁ, ଭଜ ସଉଦା ଉଧାର ଆଣୁଛି, ସେ ଦୋକାନୀ କି ମଧ୍ୟ ମନା କରିଦେ, ଆଉ ତାକୁ ସଉଦା ଦବ ନାହିଁ । ସେତ ଆମଘରୁ ଆଲଗା ହେଇଗଲା, ତାକୁ ଆଉ ବିଶ୍ୱାସ କଣ ? କେତେବେଳେ ପିଲା, ଭାରିଯା ନେଇ ପଳେଇବ, ସେ ଦୋକାନୀ ଟଙ୍କା ପାଇବ କିମିତି ?

 

ଯାମିନୀବାବୁ ମା’ଙ୍କର ଏ ଆକସ୍ମିକ ଉତ୍ତେଜନା ଏବଂ ତା’ର ଫଳାଫଳ ସ୍ୱରୂପ ତାଙ୍କର ହାତରେ ଧରିଥିବା ଜିନିଷଗୁଡ଼ିକ ଦେଖି ଏବଂ ମୁଖନିଃସୃତ ଅନର୍ଗଳ କଥାଗୁଡ଼ିକ ଶୁଣି ସାରି ବିଷଣ୍ଣ ହୋଇ କହିଲେ–ମା, ତୁମେ ଶେଷରେ ଏଇୟା କଲ ! ଭଜଦାଙ୍କୁ ଯା’ଯା’ ଦେଇଥିଲ ଚଳାଚଳ ପାଇଁ, ସବୁ ଛଡ଼େଇ ଆଣିଲ । ଆଉ ସେ ଦୋକାନୀକୁ ସଉଦା ଦବା ପାଇଁ ମନା କରିବାକୁ କହୁଛ ! ଭଜଦା ଚଳିବେ କିମିତି ? କି କାମ କଲ ! କି କଥା ମୋତେ କହୁଛ ! ମୁଁ ଦୋକାନୀକୁ ମନା କରି ପାରିବି ନାହିଁ । ତୁମେ ଯଦି ମନା କରିବତ କର । କି କାମ ଯେ ତୁମେ ବେଳେବେଳେ କର ! ଗରିବ ଲୋକ–

 

ସତ୍ୟବତୀ ଆଉ ଟିକିଏ ରାଗରେ କହିଲେ–ଭାରି ଦୟାଳୁ ପୁରୁଷ ! ହଁ, ମୁଁ ଦୋକାନୀକୁ ମନା କରି ପଠେଇବି, ସେ ଭଜକୁ ଆଉ ସଉଦା ଦବ ନାହିଁ । ସତ୍ୟବତୀ କଥା ଶେଷ କରି ଚାଲିଗଲେ ।

 

ଏଣେ ମହନା ମଧ୍ୟ ଯେତେ ଯା’ ଜିନିଷ ଆଣି ଭଜହରିର ସ୍ତ୍ରୀକୁ ଦଉଥିଲା, ସେ ମଧ୍ୟ ଆଉ ସେତେ ଦବା ନବା କଲା ନାହିଁ । କାରଣ, ସେ ଦେଖିଲା–ଏତେ ଜିନିଷ ଦବାନବା କରି ସୁଦ୍ଧା ଭଜହରିର ସ୍ତ୍ରୀରଦିହ ଟିକିଏ ସେ ଛୁଇଁ ପାରିଲା ନାହିଁ । ମାଇପିଟା ମୁହଁରେ ଯା ମିଠାକଥା ରଖିଛି, ସେତିକି । ତା’ନ ହେଲେ ଅସଲ ମାରିଖାଇବା ମାଇପିଟାଏ ! ମହନା ଭାବିଲା–ଏ ତ ଇମିତି କେତେଟୋକାଙ୍କୁ ଭୁଲେଇ ଖାଇଥିବ, ନା ବୋଧହୁଏ ଏକା ତା’ସାଙ୍ଗରେ ଇମିତି ଖେଳୁଛି.....

 

ମହନା ଏଇସବୁ ଦେଖି, ଭାବି ଠିକ୍‍ କଲା–କିଛିଦିନ ବୋଧହୁଏ ଆଉ କିଛି ଦିଆ ନିଆ ନ କଲେ ମାଇପିଟା ବଳେ ମୋଡ଼ି ହୋଇଯିବ । ସେ ଯଦି ଦବାନବା ବନ୍ଦ କରିଦିଏ, ମାଇପିଟା ଯିବ କୁଆଡ଼େ ? ବଳେ ମହନାକୁ ଖୋଜିବ । ଖୋଜିଲେ ସେତେବେଳେ ମହନା ଛାଡ଼ି ଦବ ? ଖାଡ଼ି ସନ୍ତୁଳିବ, ଦେଖେତ ମାଇପିଟା କିମିତି କରଗତ ନ ହୁଏ ?

 

ଦୁଇଦିନ ପରେ ଯାମିନୀବାବୁ ବାହାରକୁ କୁଆଡ଼େ ରୋଗୀ ଦେଖିବାକୁ ଯାଇଥିଲେ, ଘରକୁ ଫେରୁ ଫେରୁ ବାଟରେ ଭାବିଲେ–ମା’ ଯେପରି ଜିଦ୍‌ ଧରିଛନ୍ତି ଯେ–ଦୋକାନୀକୁ ବାରଣ କରିବାପାଇଁ, ଆଉ ଭଜଦାଙ୍କୁ ସଉଦା ଦବ ନାହିଁ, ଏଣେ ମଧ୍ୟ ଥାଳି ନୋଟା ଇତ୍ୟାଦି ଛଡ଼େଇ ଆଣିଛନ୍ତି, ଏଥିରେ ଭଜଦା ଚଳାଚଳ ହେବେ କିପରି ? ଭଜଦା ତାଙ୍କ ଘରକୁ ନ ଆସିଲେ ତ କଣ ହେଲା ? ଭଜଦା ଉପରେତ ତାଙ୍କର ଦାବୀ ନାହିଁ, ଆଉ ଭଜଦା ଯଦି ଦୋକାନୀକୁ ଯଙ୍କା ନ ଦିଅନ୍ତି, ନ ଦେଇ ଯିବେ କୁଆଡ଼େ ?

 

ଭଜଦାଙ୍କର ଟଙ୍କାତ ବିନୟବାବୁଙ୍କ ହାତରେ, ସେ କଣ ବିନୟବାବୁଙ୍କ କତିରୁ ଭଜଦାଙ୍କ ଦୋକାନୀର ଟଙ୍କା ଆଣି ପାରିବେ ନାହିଁ ? ଦୋକାନୀର ଟଙ୍କା ଭଜଦାଙ୍କଠାରୁ ଯଦି କୌଣସି ମତେ ଆଦାୟ ନ ହୋଇ ପାରେ, ତା’ ହେଲେ ସେତ ନିଜେ ଦେଇ ପାରିବେ ।.....

 

ଇମିତି ଭାବି ଭାବି ଯେତେବେଳେ ଯାମିନୀବାବୁ ଘରେ ଆସି ପଶିଲେ, ଦେଖିଲେ–ଭଜଦାଙ୍କ ପୁଅ ପଫକୁ ମା’ ସତ୍ୟବତୀ କତିରେ ବସେଇ ଦୋ’ଟି ଭାତ ଖୋଇଦଉଛନ୍ତି ।

 

ଯାମିନୀବାବୁଙ୍କୁ ସତ୍ୟବତୀ ଦେଖି କହିଉଠିଲେ–ଶୁଣିଲୁ ଯାମିନୀ, ମୁଁ ଏ ପିଲାକୁ ଆଉ ଛାଡ଼ିବି ନାହିଁ । ୟାକୁ ମୁଁ କତିରେ ରଖିବି । ତୁ ୟାର ଚିକିତ୍ସା କର । ବୁଝିଲୁ, ଭଜ, ଭଜସ୍ତ୍ରୀ ଆମର ଶତ୍ରୁ ହେଇ ପାରନ୍ତି, ଏ ପିଲାର ଦୋଷ କଣ ? ମୁଁ ୟାକୁ ଛାଡ଼ିବି ନାହିଁ ।

 

ଯାମିନୀବାବୁ ମା’ଙ୍କର ଏ କଥା ଶୁଣି କହିଲେ–ନାହିଁ ମା, ଆଉ ମୁଁ ସେମାନଙ୍କୁ କତିରେ ରଖିପାରିବି ନାହିଁ । ତା’ର ବାପ, ମା ଥାଉ ଥାଉ ସେ ଆମ କତିରେ ରହିବ ? ତା’ର ବାପ, ମା ତାଙ୍କ ପିଲାଙ୍କୁ ଛାଡ଼ି ଦେବେ ? ସେ କଥା ହବ ନାହିଁ । ମା’ ତାକୁ ନେଇ ଛାଡ଼ିଦେଇ ଆସ ।

 

ପଫ ଖାଇ ସାରିଥିଲା । କିନ୍ତୁ ଯାମିନୀବାବୁ ଯେତେବେଳେ ଖାଇବସିଲେ, ଯାମିନୀବାବୁଙ୍କ ଥାଳିରେ ଭାତ ମାଛଭଜା ଇତ୍ୟାଦି ଦେଖି ପୁଣି ଖାଇବ ବୋଲି ଜିଦ୍‌ଧରି କାନ୍ଦିବାକୁ ଆରମ୍ଭ କଲା ।

 

ଯାମିନୀବାବୁ ଦୁଃଖ ଏବଂ ବିରକ୍ତିରେ କହିଲେ–ମା, ଯାଅ ତାକୁ ଛାଡ଼ିଦେଇ ଆସ, ଆମେ ସେ ପିଲାକୁ ସମ୍ଭାଳି ରଖି ପାରିବୁ ନାହିଁ ।

 

ସତ୍ୟବତୀ ନିରାଶ ଏବଂ ଦୁଃଖରେ ମୁହଁ ଶୁଖେଇ ପଫକୁ ନେଇ ତା’ର ମା’ କତିରେ ଛାଡ଼ିଦେବାକୁ ବାହାରିଗଲେ ।

 

ସେଦିନ ସନ୍ଧ୍ୟାବେଳେ ଯାମିନୀବାବୁ ତାଙ୍କ ଦୋକାନରେ ବସିଥାନ୍ତି । କତିରେ ନଟବର ବସିଥାନ୍ତି । ନବ ଆସି ହସି ହସି ଦୋକାନ ଘରେ ପ୍ରବେଶ କଲା । ଖାଲି ହସୁଥାଏ ।

 

ଯାମିନୀବାବୁ ପଚାରିଲେ–କିରେ ହସୁଛୁ କାହିଁକି ? କଣ କଥା କଣ ? କଣ ହୋଇଛି ?

 

ନବ କହିଲା–ବାବୁ ଆଉ କ’ଣ କହିବି ? ପୁଣି ହସିଲା । ଯାମିନୀବାବୁ କହିଲେ–କଣ ଇମିତି ହସିବା କଥା ଯେ ! କହୁନୁ କାହିଁକି ? ଆମେ ଶୁଣିଲେ ତ ଟିକିଏ ହସି ପାରନ୍ତୁ ।

 

ନବ ଆରମ୍ଭ କଲା–ବାବୁ ଏଠା ଛାପାଖାନାର ତଳିଆ କର୍ମଚାରୀ ସବୁ କଣ ଷ୍ଟ୍ରାଇକ୍‌ କରିଛନ୍ତି ଦେଖିଲି ।

 

ଯାମିନୀବାବୁ କହିଲେ–କେଜାଣି ମୁଁ ତ ଜାଣି ନାହିଁ । ନଟବରକୁ ଉଦ୍ଦେଶ୍ୟ କରି ଯାମିନୀବାବୁ ପଚାରିଲେ–ନଟବର, ତୁମେ କିଛି ଜାଣ ?

 

ନଟବର କହିଲା–ବୋଧହୁଏ, ସେଇଆ ହବ । ମୁଁ ତ ଆଜି ଅଫିସରେ ବସି କାମ କଲାବେଳେ ଦୂରରେ କଣ ଶୁଣା ଯାଉଥିଲା–ଗୋଟାଏ ଶୋଭାଯାତ୍ରା ଗଲାପରି । କାରଣ, ସ୍ଳୋଗାନ, ଚିତ୍କାର ଗୀତ ଇତ୍ୟାଦି ଅସ୍ପଷ୍ଟ ଭାବରେ ଶୁଣାଯାଉଥିଲା ।

 

ନବ କହିଲା–ବାବୁ, ମୁଁ ବଜାରରେ ରସ୍ତା କଡ଼ରେ ବସି ଆଜି କମଳାଲେମ୍ୱୁ ବିକୁଥିଲା ବେଳେ, ସେଇ ରାସ୍ତା ଉପରେ ଗୋଟାଏ ବଡ଼ ଶୋଭାଯାତ୍ରା ଗଲା । ଦେଖିଲି ସେ ଶୋଭାଯାତ୍ରା ଆଗରେ ଭଜହରି ଗୋଟାଏ ନୂଆରକମର ପତାକା ଧରି ମୁଣ୍ଡ ହାତ ହଲେଇ ବଡ଼ ପାଟି କରି ଗୀତ ବୋଲି ବୋଲି ଚାଲିଛନ୍ତି । ହାରମୋନିୟମ ଇତ୍ୟାଦି ବାଜୁଥାଏ । ସେ ଗୀତ ବାବୁ ମୋର କେତେକ ମନେ ଅଛି । ଭଜହରିଙ୍କ ଯୋଉ ଦଦରା ଗଳା ! ସେଇଥିରେ ବୋଲାହଉଛି-

 

ଆଜି ଗରିବ ଆହାର

ଧନୀ ନିଏ ପୋଷି,

ଗରିବ ପାରେନି ଆପଣାରେ ପୋଷି,

ଲୁହ, ଲହୁ, ଝାଳ, ଆଉ କେତେ କାଳ,

ଝରି, ଝରି, ଯେତେ ହବ ଏକାକାର,

ପେଟ ଲାଗି ତା’ର ପିଠିରେ ସହିବ ପାହାର ?

ଜାଗରେ ଶ୍ରମିକ, ଜାଗରେ ମୂଲିଆ

ନୁହଁ ବିଚଳିତ,

ହୁଅରେ ମିଳିତ,

ହୁଅ ଆଜି ସବୁ ବାହାର....

 

ଭଜହରି ପଛରେ ବହୁତ ଲୋକ । ଜାଗା ଜାଗା ପୁଣି ଲୋକଗୁଡା ଠିଆ ହେଇ, ଇନ୍‌କିଲାବ୍‌, ଜିନ୍ଦାବାଦ୍‌ କରୁଥାନ୍ତି । କଣ ଗୁଡ଼ାଏ ଲେକ୍‌ଚର୍‌ ଦେଲା ପରି କହୁଥାନ୍ତି । ପୁଣି ଗୀତ ବୋଲି ପତାକା ଧରି ଚାଲିଥାନ୍ତି ।

 

ଯାମିନୀବାବୁ ଭଜଦାଙ୍କର ଏତାଦୃଶ ଗୁଣାବଳୀ ଶ୍ରବଣ କରି ଆଶ୍ଚର୍ଯ୍ୟ ହୋଇ କହିଲେ–ସତେ ! ଭଜଦା ପ୍ରେସବାଲାଙ୍କ ଷ୍ଟ୍ରାଇକ୍‌ରେ ନେତୃସ୍ଥାନୀୟ ହୋଇ ଚାଲିଥାନ୍ତି ! ସର୍ବନାଶ ! ତାଙ୍କ କପାଳ, ଯା’ କରିବେ କରନ୍ତୁ ତାଙ୍କର ଇଚ୍ଛା । କେତେ ଯୋଗାଡ଼ କରି ଖଣ୍ଡିଏ କାମ ପାଇଥିଲେ, ସେଥିରେ ପୁଣି ଏ ବୁଦ୍ଧି କାହିଁକି ଦିଶିଲା ! ଭଜଦା ତ ଏଣେ ଆମ ସଙ୍ଗରେ ଅସହଯୋଗ ଆରମ୍ଭ କରିଛନ୍ତି । ତେଣେ ପ୍ରେସ ସଙ୍ଗରେ ଅସହଯୋଗ ଆରମ୍ଭ କଲେଣି । ପୁଣି ଦୋକାନୀ ଯେ ତାଙ୍କୁ ସଉଦା ଦଉଥିଲା, ସେ ମଧ୍ୟ ଆଜି କାଲି ମଧ୍ୟରେ ଭଜଦାଙ୍କ ସହିତରେ ଅସହଯୋଗ ଆରମ୍ଭ କରି । କାରଣ ମା’ଙ୍କର ସେଥିରେ ଭାରି ଚେଷ୍ଟା ଚାଲିଛି । ଭଜଦା ଯେତେ ଇଚ୍ଛା ଏଣିକି ଇନକିଲବ୍‌, ଜିନ୍ଦାବାଦ୍‌ କରୁଥାନ୍ତୁ । କି କଥା ଏ ! ମୋତେ ତ ଭଜଦାଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି । କି ଲୋକ ସେ !

 

ନଟବର ହସି ହସି କହିଲେ–ଆଜି ଆପଣଙ୍କର ଭଜଦା–ବିପ୍ଳବୀ, ଜନଗଣ ଅଧିନାୟକ.....

 

ଏଇ ସମୟରେ ସତ୍ୟବତୀ ବ୍ୟଥିତା ହୋଇ ଆସି ଦୋକାନ ଘରେ ପ୍ରବେଶ କରି ଯାମିନୀବାବୁଙ୍କୁ କହିଲେ–ଆଁରେ, ମୁଁ ତ ଯାଇଥିଲି ଭଜର ଭାରିଯା, ପିଲାଙ୍କୁ ଦେଖିବା ପାଇଁ, ଭଜର ସ୍ତ୍ରୀ କହିଲା–ଭଜ ଆଜି ସକାଳୁ ଯାଇଛି ଯେ, ଆଉ ଫେରି ନାହିଁ, ରାତି ଆସି ଏତେ ହେଲାଣି, ଭଜ କୁଆଡ଼େ ଗଲା ! ଭଜ ସ୍ତ୍ରୀ ଭୟ କରୁଛି, ସେଠି ଏକା ରହିବା ପାଇଁ । ତା’ର ବଡ଼ ପୁଅ ମଧ୍ୟ ବାପକୁ ଖୋଜି ‘ବାପା କାହିଁ’ ‘ବାପା କାହିଁ’ କହି କାନ୍ଦୁଛି । କଣ କରିବି କହିଲୁ ? ଭଜ ସ୍ତ୍ରୀଟା ସେଠି ଏକା ରାତିରେ ରହିବ କିମିତି ? ଭୁଆଷୁଣୀଟା । ପୁଅଟି ଯେ ତା’ର ବାପକୁ ଖୋଜି ଖାଲି କାନ୍ଦୁଛି, ଭଜସ୍ତ୍ରୀ ମଧ୍ୟ ମାଗିଲା ଖାଇବା ପାଇଁ–ଭାତ ମୁଠାଏ ।

 

ଯାମିନୀବାବୁ ଚୌକି ଉପରେ ଟିକିଏ ଉଠିବସି କହିଲେ–ବୁଝିଲି ଏଥର । ତୁମେ ବୋଧହୁଏ ଦୋକାନୀକୁ ମନାକରି ସାରିଛ, ତାଙ୍କୁ ସଉଦା ଦବାପାଇଁ । ସେଇଥି ଯୋଗୁଁ ଭଜଦା ଚାରିଆଡ଼ୁ ହତାଶ ହେଇ କୁଆଡ଼େ ପଳେଇଛନ୍ତି ।

 

ସତ୍ୟବତୀ କହିଲେ–ଦେଖ, ଦେଖ, ମୁଁ କଣ କହୁଥିଲି, ସେତ ପଳାଇଲା ବୋଧହୁଏ । ଏଥର ଦୋକାନୀକୁ ଟଙ୍କା ଗଣ, ମୁଁ କହିବାରୁ ସିନା ମୋ’ ଉପରେ ବିରକ୍ତ ହଉଥିଲୁ ?

 

ଯାମିନୀବାବୁ ଅଳ୍ପ ବିରକ୍ତ ହୋଇ କହିଲେ–ଦୋକାନୀ ସଉଦା ବନ୍ଦ କଲାରୁ ଭଜଦା ନିରୁପାୟ ହୋଇ ପଳେଇ ଥାଇ ପାରନ୍ତି । ଏ କେବଳ ତୁମରି ଯୋଗୁଁ ମା’ ।

 

ସତ୍ୟବତୀ ଏ କଥା ଶୁଣି ନବ, ନଟ ଦୁହିଁଙ୍କୁ ଲକ୍ଷ୍ୟ କରି କହିଲେ–ଶୁଣ, ମୁଁ ହେଲି ଏଥିରେ ଦୋଷୀ !

 

ନବ କହିଲା–ନାହିଁ ମା, ତୁମେ କାହିଁକି ଦୋଷୀ ହବ ? ତୁମେ ଠିକ୍‌ କରିଛ, ବାବୁ ସେ ଲୋକକୁ ଭଲ କରି ଚିହ୍ନି ନାହାନ୍ତି ବୋଲି ସେମିତି କହୁଛନ୍ତି ।

 

ନଟବର କିଛି ନ କହି କେବଳ ହାଁ କରି ବସିରହି ଥାନ୍ତି । ସେଦିନ ରାତିରେ ଯାମିନୀବାବୁଙ୍କ ଅନୁରୋଧ ସତ୍ୟବତୀ ଅନେକ ବାର ଭଜହରି ସ୍ତ୍ରୀ କତିକି ଗଲେ, ଦେଖିବାକୁ–ଭଜ ଫେରିଲାଣି କି ନା ?

 

ଅନେକ ରାତି ହେଲା, ସତ୍ୟବତୀ ଭଜହରି ସ୍ତ୍ରୀ କତିକି ଯେତେ ଥର ଗଲେ, ଦେଖିଲେ–ଭଜ ଫେରି ନାହିଁ ।

 

ଶେଷଥର ଯେତେବେଳେ ଗଲେ, ଦେଖିଲେ–ଭଜସ୍ତ୍ରୀ ଭିତରୁ କବାଟ ଦେଇ ଶୋଇ ଗଲାଣି, ଦୁଆର ବନ୍ଦ । ଯେତେ ଡାକିଲେ, ଭଜସ୍ତ୍ରୀ ଆଉ ଶୁଣିଲା ନାହିଁ, କିମ୍ୱା କବାଟ ଖୋଲିଲା ନାହିଁ ।

 

ସତ୍ୟବତୀ ଫେରି ଆସି ଯାମିନୀ ବାବୁଙ୍କୁ ରାଗରେ କହିଲେ–ଭଜସ୍ତ୍ରୀ ଭିତରୁ କବାଟ ବନ୍ଦକରି ଶୋଇଛି । ଯେତେ ଡାକିଲି, ସେ ମାଇପିଟା ଟିକିଏ ଯବାବ ଦେଲା ନାହିଁ, କି ଦୁଆର ଖୋଲିଲା ନାହିଁ । ମୁଁ ଠିଆ ହୋଇ ହୋଇ ଫେରି ଆସିଲି ।

 

ଯାମିନୀବାବୁ ମା’ଙ୍କ ମୁହଁରୁ ଭଜଦା ସ୍ତ୍ରୀଙ୍କର ଏପରି ବ୍ୟବହାର ଶୁଣି ମନେମନେ ବିରକ୍ତ ହୋଇ କହିଲେ–ଭଜଦାଙ୍କ ସ୍ତ୍ରୀ କବାଟ ଖୋଲିଲେ ନାହିଁ, କି ଯବାବ ମଧ୍ୟ ଦେଲେ ନାହିଁ ! ଥାଉ, ଆଉ ତୁମର ଯିବାର ଦରକାର ନାହିଁ ।

 

ସତ୍ୟବତୀ କହିଲେ–ଭାତ ମାଗୁଥିଲା, ଭାତ କଁସାଏତ ଦେଇ ଆସିଲି, ଖାଇ ପିଇ ଶୋଇଗଲା । ଆଉ କବାଟ କାହିଁକି ଖୋଲିବ ? ଗେରସ୍ତ ନ ଆସିଲେ, ତା’ର କଣ ଗଲା ? କହୁଥିଲା-ଡର ମାଡୁଛି । ପୁଣି ଏକା ଶୋଇଲା କିମିତି ? ଚତୁରୀ ରାଧା !

 

ତିନିଦିନ ବିତିଗଲା, ଭଜହରିର ଆଉ ଦେଖା ନାହିଁ । ସତ୍ୟବତୀ ପ୍ରତିଦିନ ଭଜସ୍ତ୍ରୀ କତିକି ଯା’ ଆସ କରି କରି ଯେତେବେଳେ ଯା’ ଦରକାର ଦେଇ ଦେଇ ଶେଷରେ ଦିନେ ଯାମିନୀବାବୁଙ୍କୁ କହିଲେ–ଯାମିନୀ, ଭଜତ କୁଆଡ଼େ ସତକୁସତ ପଳେଇଲା ମୁଁ ଭାବିଥିଲି ସିନା ଭଜ କତିରୁ ଥାଳି ନୋଟା ଇତ୍ୟାଦି ନେଇ ଆସିଲେ, ତାକୁ ଦୋକାନରୁ ସଉଦା ଆଣିବା ବନ୍ଦ କଲେ, ହଇରାଣ ହେଇ ସେ ବଳେ ମୋ ଘରକୁ ମୋଡ଼ିହେଇ ଆସିବ, କିନ୍ତୁ ସେ ମୋତେ ଓଲଟି ଶାସ୍ତିଦବ ବୋଲି କି ମୁଁ ଜାଣିଥିଲି ? ତେବେ ଯ’ତ ହବାର ହେଲାଣି, ଆଉ କଣ ଆମେ ଥାଉ ଥାଉ ଆମ ଆଖି ଆଗରେ ଭଜସ୍ୱୀ, ପିଲା ମରିବେ ?

 

ଯାମିନୀ ବାବୁ ମାଙ୍କୁ ଟିକିଏ ଚେତେଇ ଦେଲା ପରି କହିଲେ–ମା, ସ୍ରୋତରେ ଜଳ ଦେଖିଛ, ସେ ଜଳକୁ ଯଦି ଆମେ ଧରି ରଖି ପାରିବୁ, ତାହେଲେ ତାକୁ ନେଇ ଆମେ ବ୍ୟବହାର କରି ପାରିବୁ, ସେ ଜଳ ଆମର ଦରକାରରେ ଆସିବ, ଆଉ ଯଦି ଆମେ ସେ ଜଳକୁ ସ୍ରୋତ ମୁହଁରେ ଛାଡ଼ିଦବୁ, ସେ ବୋହି ଚାଲିଯିବ ଅବାଟରେ କାହାରିକୁ ଅପେକ୍ଷା ନ କରି, ଖାଲି ଏକା ବୋହିଯିବ ନାହିଁ, ସାଙ୍ଗରେ ଆହୁରି କେତେ କଣ ନେଇ ବୋହିଯିବ । ମା’, ଭଜଦା ହେଉଛନ୍ତି, ସ୍ରୋତର ଜଳ, ତାକୁ ତୁମେ ରଖିଥିଲ କତିରେ, ସେ ରହିଥିଲେ, ଛାଡ଼ିଦେଲ ସେ ଚାଲିଲେ, ହେଇତ ନବ ମୁହଁରୁ ଶୁଣିଲି–ଭଜଦା ଆଗୁଆ ହେଇ ଛାପାଖାନାରେ ଧର୍ମଘଟ କରି ଶୋଭାଯାତ୍ରାରେ ବାହାରି, ଦଳେ ଲୋକଙ୍କୁ ସାଙ୍ଗରେ ନେଇ ଗୀତ ବୋଲି, ବିପ୍ଳବାତ୍ମକ କଥା କହି; ପଥେ ପଥେ ଘୂରି ବୁଲୁଛନ୍ତି । କଣ ଯାଏ ତାଙ୍କର ? ଭାରିଯା, ପିଲାକୁ ଯେତେ ସମୟ ଆପଣାର ବୋଲି ମନେ କଲେ, ସେତେବେଳଯାଏ ସେମାନେ ତାଙ୍କର ନୋହିଲେ ଭଗବାନଙ୍କର ସେ ଜନ୍ମ ଦେଇଛନ୍ତି ସେ ବୁଝିବେ । ଯେତେବେଳଯାଏ ଯେ ଭାବେ, ସେତେବେଳଯାଏ ଜଞ୍ଜାଳ ତା’ର ନ ଭାବିଲେ, କିଛି ନାହିଁ...

 

ସତ୍ୟବତୀ କହିଲେ–ଯାମିନୀ, ଗୀତା ପଢ଼ି ଏକଥା ସବୁ କହିବାକୁ ଏବେ ଶିଖିଲୁଣି । କିନ୍ତୁ ଏଥିରେ କ’ଣ କାମ ହୁଏ ? ରକ୍ତମାଂସର ଦିହ, ଆଖି ଆଗରେ ଲୋକ ଯଦି ମରେ, ଦିହ ସହିବ କି ? ସେତେ ଧୈର୍ଯ୍ୟତ ଆମର ନାହିଁ । ଆମକୁତ ଜଞ୍ଜାଳ ମୁଣ୍ଡେଇବାକୁ ହବ, ଜଞ୍ଜାଳରେ ଘାଣ୍ଟି ହବାକୁ ହବ, ଆମକୁ ଭଗବାନ ଯେତିକି ଶକ୍ତି ଦେଇଛନ୍ତି, ସେଇ ଅନୁଯାୟୀ ତାଙ୍କର ଏ ସୃଷ୍ଟିର ସୁଆଙ୍ଗରେ ଯୋଗ ଦବାକୁ ହବ, ଭଗବାନଙ୍କ ଉପରେ ସବୁ ପକେଇ ଦବୁ କାହିଁକି ? ଯେଉଁଠି ନ ପାରିବୁ ସେତ ସାହାଯ୍ୟ କରିବାକୁ ରହିଛନ୍ତି । ପାରିଲେ ମଧ୍ୟ ତାଙ୍କରି ସାହାଯ୍ୟରେ । ସେତ ସବୁ କରୁଛନ୍ତି, ଏଥିଲାଗି ଆମେ କାତର ହବୁ କାହିଁକି ? ଆମେ କଲେ, ଯେ କାତର ହେଇ ପଡ଼ିଛି, ସେ ମଧ୍ୟ କରିବାକୁ ସାହସ ପାଇବ ।

 

ଯାମିନୀ ବାବୁ ଏତେବେଳେ କହିଲେ-ମା; ତା’ହେଲେ କଣ କରିବାକୁ ତୁମର ଇଚ୍ଛା ?

 

ସତ୍ୟବତୀ କହିଲେ–ମୁଁ କହୁଛି, ଭଜର ଭାରିଯା, ପିଲାଙ୍କୁ ମୁଁ ପୁଣି ଏଠିକି ନେଇ ଆସୁଛି-। ଭଜସ୍ତ୍ରୀ ଆମର କାମ କରିବ; ଆମ ଉପରେ ଖାଇବ । ପିଲା ଦି’ଟା ଥିବେ କତିରେ; କିଛିଦିନ ପରେ ପଫ’ଟି ଭଲ ହେଇଗଲେ; କାହାରି ସାଙ୍ଗରେ ଭଜର ଭାରିଯାକୁ ତା ବାପ ଘରକୁ ପଠେଇ ଦବା । ଏଠି ଆଉ ସେ କାହିଁକି ରହିବ ? ଆମେ ବା ଚଳେଇ ପାରିବୁ କୁଆଡ଼ୁ ?

 

ଯାମିନୀ ବାବୁ କହିଲେ–ହଉ ତା’ହେଲେ ସେଇଆ କର । ଯାଅ ସେମାନଙ୍କୁ ନେଇ ଆସ ।

 

ସତ୍ୟବତୀ ଯାଇ ଭଜସ୍ତ୍ରୀ; ପିଲାଙ୍କୁ ନେଇ ଆସିଲେ । ଆଣିଲା ବେଳେ ରସମା’କୁ କହିଆସିଲେ-ମୁଁ ଭଜସ୍ତ୍ରୀକୁ ନେଇଯାଉଛି ମୋ କତିରେ କିଛି ଦିନ ରଖିବି, ଆଉ ଏ ବଡ଼ ପୁଅଟିର ରୋଗ ଛାଡିଗଲେ; ଭଜସ୍ତ୍ରୀକୁ ତା’ର ବାପଘରକୁ ପଠେଇ ଦେବି । ଭଜତ କୁଆଡ଼େ ପଳେଇଲା ଦେଖୁଛ; ତୁମେ ଘର ଭଡ଼ା ମୋଠୁଁ ନବ । ଘର ବଖରାକ ଅଭିକାମୁ ଛାଡ଼ିବି ନାହିଁ; ଘର ଭଡ଼ା ମୁଁ ଜାଣେ, ତୁମେ ଭାବିବ ନାହିଁ ଭଡ଼ାଲାଗି ।

 

ଭଜ ସ୍ତ୍ରୀ ଯାମିନୀବାବୁଙ୍କ ଘରେ ରହି ନିଜର ବାପଘରକୁ ଅଳ୍ପ ଦିନପରେ ଯିବେ ଜାଣିପାରି ଦ୍ୱିଗୁଣ ଉତ୍ସାହରେ ବେଶ କାମଧନ୍ଦା କରିବାକୁ ଲାଗିଲେ । କେବଳ ବାହାରର ଯେତକ କାମ; ରୋଷେଇର କାମ ସୁରମା ନିଜ ହାତରେ କଲେ, ଭଜହରିର ସ୍ତ୍ରୀକୁ କରିବାକୁ ଦେଲେ ନାହିଁ-

 

-୧୬-

 

ଯାମିନୀବାବୁଙ୍କ ଘରେ କାମଧନ୍ଦା ସାରି ସନ୍ଧ୍ୟାପରେ ଗୋଟିଏ ବାରନ୍ଦାରେ ଅନ୍ଧାର ଭିତରେ ଭଜହରିର ସ୍ତ୍ରୀ ବସିଛନ୍ତି, କତିରେ ପଫ ବସିଛି, ବଭ ଘର ଭିତରେ ତେଣେ ଶୋଇଛି ।

ପଫ ଅନ୍ଧାର ଭିତରେ ମା କତିରେ ବସି ହଠାତ୍‌ ପଚାରିଲା–ମା, ତୁ କ’ଣ ଖାଉଛୁ ? ମା’ ଉତ୍ତର ଦେଲେ-କାହିଁ କଣ ଖାଉଛି ? ବସିଛିତ ଖାଲି ।

ପଫ କହିଲା–ହଁ, ମିଛ କହୁଛୁ; କଣ ଚୋବେଇଲା ପରି ଶୁଗୁଛି ।

ମା ଉତ୍ତର ଦେଲେ–ଚୋବେଇଲା ପରି ଶୁଗୁଛି ? ମୁଁ ତ ଖାଲି ବସିଛି, ତୋତେ ଚୋବେଇଲା ପରି ଶୁଗିଲା କଣ ?

ଫଫ କହିଲା–ହଁ; ତୁ କଣ ଖାଉଛୁ, ମୋତେ ଲୁଚଉଛୁ, ମୁଁ ଖାଇବି ଦେ ମୋତେ । ମା ଉତ୍ତର ଦେଲେ–ମୋତେ ଖା, ଖାଇବୁ ? କହୁଛି; କିଛି ଖାଉ ନାହିଁ, କହିଲା–ଚୋବେଇଲା ପରି ଶୁଗୁଛି !

ପଫ କହିଲା–ଦେ ମୋତେ କଣ ଖାଉଛୁ ।

ପଫ କାନ୍ଦିବାକୁ ଆରମ୍ଭ କଲା ।

ପଫ କାନ୍ଦିବାର ଶୁଣି ସତ୍ୟବତୀ ପଚାରିଲେ–ସେ କାନ୍ଦିଲା କାହିଁକି ?

ଭଜହରିର ସ୍ତ୍ରୀ କହିଲେ–ଦେଖ ମୁଁ ଖାଲିଟାରେ ବସିଛି, ମୋତେ କହୁଛି–କ’ଣ ତୁ ଖାଉଛୁ, ଚୋବେଇଲା ପରି ଶୁଗୁଛି, ଦେ ମୋତେ ଖାଇବାକୁ । ଅନ୍ଧାରକଣା ହେଇଛି, ଆଖିରେ ଦେଖି ପାରୁ ନାହିଁ । ରାତି ହେଲେ ଖାଲି ସନ୍ଦେହ କରୁଛି ଯେ–ମୁଁ କଣ ଖାଉଛି, ତାକୁ ଦଉ ନାହିଁ, ମୁଁ କୁଆଡ଼େ କଣ ଚୋବେଇଲା ପରି ତାକୁ ଶୁଗୁଛି ।

ପଫ ଅନ୍ଧାରକଣା ହବା କଥା ଏବଂ ସେଥିଯୋଗୁ ତା’ର ମା’ କଣ ଖାଉଛି ବୋଲି, ତା’ର ମା’କୁ ସନ୍ଦେହ କରିବାର କଥା ଶୁଣି, ସତ୍ୟବତୀ ହସି ହସି ଟିକିଏ ରହସ୍ୟ କରି କହିଲେ ପଫକୁ–ହଁରେ; ତୋ’ମା ମୁଢ଼ି ଚୋବାଉଛି; ତୋତେ ଦଉ ନାହିଁ ।

ପଫ ଏ କଥା ଶୁଣି ଆହୁରି କାନ୍ଦିବାକୁ ଆରମ୍ଭ କଲା । ସତ୍ୟବତୀ ଏଥିଲାଗି ପଫକୁ ମୁଠାଏ ମୁଢ଼ି ଆଣି ଦଉଛନ୍ତି; ଏଇ ସମୟରେ ମହନା ଆସି ସତ୍ୟବତୀଙ୍କ ଘରେ ପଶି ଭଜହରିର ସ୍ତ୍ରୀ କଣ କରୁଛନ୍ତି ? କାହାନ୍ତି ବୋଲି ପଚାରିଲା ।

ସତ୍ୟବତୀ ମହନାକୁ ଦେଖି ପଚାରିଲେ–କିରେ; ତୁ କାହିଁକି ଆସିଲୁ ?

ମହନା ଗୋଟାଏ କୃତ୍ରିମ ହସ ହସି କହିଲା ମୋ ମନଟା ସଙ୍ଗାତ [ଭଜହରି]ର ପିଲା ଯୋଡ଼ିଙ୍କ ଲାଗି ଭାରି ବ୍ୟସ୍ତ ହେଲା; ସେଇଥିଲାଗି ଟିକିଏ ଦେଖିବାକୁ ଚାଲିଆସିଲି ।

ଭଜହରିର ସ୍ତ୍ରୀ ରସମା’ ଘରୁ ସତ୍ୟବତୀଙ୍କ କତିକି ଆସିବା ପରେ; ମହନାକୁ ଆଉ ତାଙ୍କ ଘର ଭଲ ଲାଗିଲା ନାହିଁ ।

 

ମହନା ଭାବିଲା ସେ କ’ଣ ଭାବିଥିଲା ! କଣ ହେଲା ! ସେ ଭାବିଥିଲା–ଭଜହରି ସ୍ତ୍ରୀକୁ କିଛି କିଛି ଦିଆନିଆ ନ କଲେ; ସେ ଆପେ ମୋଡ଼ି ହେଇ ମହନାକୁ ଖୋଜିବ; କିନ୍ତୁ ତା’ତ ହେଲା ନାହିଁ; ମାଇପିଟାର ବେଶ ଖାଇପିଇ ତାକୁ ଚିତା କାଟିଲା ! ସେ ଯଦି ଜିନିଷପତ୍ର ଦଉଥାନ୍ତା; ତା’ ହେଲେ ଭଜହରି ସ୍ତ୍ରୀ କଣ ଯାମିନୀବାବୁଙ୍କ ଘରକୁ ପୁଣି ଆସିବାକୁ ସହଜେ ରାଜି ହେଇଥାନ୍ତା କି ? ସେ କି ଭୁଲ କଲା ! କିନ୍ତୁ ଯେତକ ଦେଇଛି; ସେଥିଲାଗିତ କିଛି ଆଦାୟ କରି ପାରିଲା ନାହିଁ । ମାଇପିଟାର ଦିହ ଟିକିଏ ଛୁଇଁ ପାରିଲାନି ! କତିକି ଲାଗି କେବେ ଟିକିଏ ବସିପାରିଲାନି । ତେବେ ଯା’ ହଉ କତିରେ ଯେତେବେଳେ ଥିଲା; ଟିକିଏ ତ ହେଲେ ଆଖିରେ ଦେଖି ପାରୁଥିଲା; ମୁହଁରୁ ଦି’ପଦ ମିଠାକଥା ଶୁଣି ପାରୁଥିଲା । ଅଭିକାତ ସେତକ ବନ୍ଦ ହେଇଗଲା । ମାଇପିଟାତ ଆସି ଯାମିନୀବାବୁଙ୍କ ଘରେ ରହିଲା; ସେଠି କଣ ଆଉ ଭଲ କରି ଟିକିଏ କଥା କହିହବ ମାଇପିଟା ସାଙ୍ଗରେ ?

 

ମହନା ଭାବି ଠିକ୍‌ କଲା–ଯାମିନୀବାବୁଙ୍କ ଘରେ ମାଇପିଟା ସାଙ୍ଗରେ ତ ଖାଲି ଗପ କରିବାକୁ ଯାଇ ହବନି ତେବେ ତା’ ପିଲା ଦି’ଟାକୁ ଦେଖିବା ବାହାନାରେ ଗଲେ; ନିତି ଯାଇ ଗପ କରି ପାରିବ ।

 

ମହନା ସେଇ ଓରରେ ଆସି ଭଜହରିର ସ୍ତ୍ରୀ ସହିତରେ ଗପ ଯୋଡ଼ିବାକୁ ଆରମ୍ଭ କଲା ଅଳ୍ପ ଦୂରରେ ବସି; କିନ୍ତୁ ଏଇ ସମୟରେ ସତ୍ୟବତୀ ଡାକିଲେ–ବୋହୂ; ଇଆଡ଼େ ଟିକିଏ ଆସିବ କି-?

 

ଭଜହରି ସ୍ତ୍ରୀ ଉଠି ଚାଲିଗଲେ; ମହନା ଏକୁଟିଆ ବସି ବସି ଯେତେବେଳେ ହତାଶ ହେଇ ଫେରିଲା; ଯାମିନୀବାବୁ ମହନାକୁ ଦେଖି ଡାକିଲେ–କିରେ ମହନା ଶୁଣ; ଶୁଣ ।

 

ଯାମିନୀବାବୁଙ୍କ ଦୋକାନ ଘରେ ସେତେବେଳେ ନବ; ନଟ ଦୁହେଁ ବସିଥିଲେ । ତା’ପରେ ମହନା ଯାମିନୀବାବୁ ଡାକିବାର ଶୁଣି ଗୋଟାଏ ବର୍ଷାମୁଖର ପ୍ରଭାତ ପରି ହସି ହସି ଯାମିନୀବାବୁଙ୍କ ଦୋକାନ ଘରେ ପ୍ରବେଶ କଲା ।

 

ମହନାର ରୂପ ଦେଖି ନଟବର ମୁହଁ ବୁଲେଇ ଅଳ୍ପ ଅଳ୍ପ ହସିବାକୁ ଲାଗିଲେ । ଆଉ ନବ ମହନାକୁ ଦେଖି ପଚାରିଲା କିରେ ମହନା; ତୁ କୁଆଡ଼େ, ବସ ବସ । ମହନା ତଳେ ବସିଲା ।

 

ନବ ଯାମିନୀବାବୁଙ୍କୁ ଲକ୍ଷ୍ୟ କରି କହିଲା–ବାବୁ; ମହନା ତା’ ବାହାଘରକୁ ବେଶ ଭଲ ଖୋଇଥିଲା । ସାହିରେ ବହୁତ ଲୋକଙ୍କୁ ନିମନ୍ତ୍ରଣ କରିଥିଲା, ବହୁତ ଗୁଡ଼ିଏ ପଇସା ଖର୍ଚ୍ଚ କରିଥିଲା-। କିନ୍ତୁ ହବ କଣ; ଭାରିଯାଟା ପଳେଇଲା । ମହନା କତିରେ ରହିଲା ନାହିଁ ।

 

ଯାମିନୀବାବୁ କହିଲେ–କିରେ ମହନା; ଭାରିଯାଟାକୁ ରଖି ପାରିଲୁ ନାହିଁ ? ଆଉ ଅକାରଣ ବାହାଘରେ ଏତେ ଗୁଡ଼ାଏ ପଇସା ଖର୍ଚ୍ଚ କଲୁ ?

 

ମହନା ଦୁଃଖରେ କହିବାକୁ ଲାଗିଲା–ବାବୁ, ମୁଁ କଣ ଜାଣିପାରିଲିକି ? ମୋ ଶ୍ୱଶୁର ଏତକ କଲା । ତା’ ଝିଅକୁ ନବାକୁ କହିଲା, ମୁଁ ପଠେଇ ଦେଲି । ଶ୍ୱଶୁର ନେଇଗଲା ଆଉ ପଠେଇଲା ନାହିଁ । ସେଇଆଡ଼େ ଆଉ ଜଣକୁ ବାହା କରିଦେଲା । କେତେଗୁଡ଼ା ଗହଣା ଗାଣ୍ଠିବି ସେ ମାଇପିଟା ନେଇ ଚାଲିଗଲା । ତା’ ଦିହରେ ଯେତେ ଗହଣା ପିନ୍ଧିଥିଲା ! ବାବୁ, ମୁଁ କେମ୍ପା ହେଲେବି ମୋର ଏ କେମ୍ପା ହାତଟାତ ହେଲେ ଅଛି କିନ୍ତୁ ମୋ ଶ୍ୱଶୁର ମୋ ଭାରିଯାକୁ ନେଇ ଯା’ ସାଙ୍ଗରେ ପୁଣି ବାହାଦେଲା, ତା’ର ଗୋଟାଏ ହାତ ମୂଳରୁ ନାହିଁ । କଲିକତାରେ ଚଟକଳରେ ସେ ଲୋକଟା କାମ କରୁ କରୁ ତା’ ହାତଟା କଟିଯାଇଛି । ଶ୍ୱଶୁର କୋଉ ବାହାଦୁରି କାମଟା କଲା । ଶ୍ୱଶୁର ଖାଲି ସେ ଲୋକଟା କତିରୁ ଗୁଡ଼ାଏ ଟଙ୍କାନେଇ ଏ କାମ କଲା । ମୋର ସିନା ହାତଟା କେମ୍ପା, ମୋ’ ରୂପ କଣ ଦେଖିବାକୁ ଖରାପ ? କ’ଣ ମୁଁ ଅସୁନ୍ଦର ହେଇଛି ?

 

ନବ ଏତେବେଳେ ଥଟ୍ଟା କରି କହିଲା–କିଏ କହିବ ଏକଥା ? ତୋର ପୁଣି ରୂପ ଖରାପ । ସାକ୍ଷାତ ଖଜୁରୀ ଗଛପରି ରୂପ, ଖାଲି ଚମାର ମିଳୁ ନାହାନ୍ତି ମାଠିଆ ବାନ୍ଧିବାକୁ ?

 

ମହନା ଏତେବେଳେ ଅଳ୍ପ ଟିକିଏ ଆହତ ହେଲାପରି କହିଲା–ତୁ ଏଡ଼େ ରୂପବନ୍ତ ?

 

ଯାମିନୀବାବୁ ପୁଣି ମହନାକୁ ପ୍ରଶ୍ନ କଲେ–ତୋ’ ଶ୍ୱଶୁର ଯେ ତୋ’ ଭାରିଯାକୁ ନେଇ ଆଉ ଜଣକୁ ବାହାକରି ଦେଲା, ତୁ ଆଉ କିଛି କରିପାରିଲୁ ନାହିଁ ? ସେମିତି ଚୁପଚାପ ରହିଲୁ ? ମହନା ଏ କଥାର ଉତ୍ତର ଦବାକୁ ଯାଇ ବାହାଦୁରି ଦେଖେଇ ହବା ଭଙ୍ଗିରେ କହିଲା–

 

ମୁଁ ଚୁପ୍‌ ରହିବି ବାବୁ ? ମୁଁ ଛାଡ଼ିଛି ? ଥରେ ଶ୍ୱଶୁର ବାଟରେ ହାବୁଡ଼େ ପଇଲା; ଚାରିଆଡ଼କୁ ଚାହିଁ ଦେଖିଲି, କେହି କୋଉଠି ନାହାନ୍ତି । ଦି’ଚାରି ଧକ୍‌କା ମାରି ତାକୁ କଣ୍ଟାବୁଦାରେ; ପକେଇ ଦେଇ ପଳେଇ ଆସିଲି । ନାଗଫେଣିଆ କଣ୍ଟା ତା’ ଦିହଯାକ ସିଇଁଗଲା । ମଲା କି ବଞ୍ଚିଲା ମୁଁ ଆଉ କିଛି ଜାଣିନାହିଁ-

Unknown

 

ଯାମିନୀବାବୁ କହିଲେ–ଆଉ ଗୋଟାଏ ବାହା ହଉନୁ ? ମହନା କହିଲା–ହେବି ନାହିଁ ବାବୁ ଛାଡ଼ିବି ? ଘଟୁ ନାହିଁ; ଘଟିଲେ ଜରୁର ବାହା ହେବି । ମରଦ ପୁଅ, ହାତଟା କେମ୍ପା ହେଇଛି; ଆସୁତ ଏ କେମ୍ପା ସାଙ୍ଗରେ ଆଉ କିଏ ଇମିତି ରୋଜଗାର ପିଲା ଅଛି, ମୁଁ ଦେଖେ ।

 

ନବ କହିଲା–ପୁଣି ବାହା ହେଲେ ଆମକୁ ନିମନ୍ତ୍ରଣ କରିବୁ ନା ?

 

ମହନା କହିଲା–ନିମନ୍ତ୍ରଣ କରିବି ନାହିଁ; ଛାଡ଼ିବି ? ମୁଁ ହଟିଲାବାଲା ନୁହେଁ । ମୋ କପାଳ ମନ୍ଦ ! ପ୍ରଥମ ବାହାଟାରେ ଯେତେ ପଇସା ବିଗାଡ଼ି ଦେଲି; ଆଳୁ ବ୍ୟବସାୟରେ ଲଗେଇ ଥିଲେ ଆଜିକି କେତେ ଟଙ୍କା ଜମେଇ ଦେଇଥାନ୍ତି ।

 

ଯାମିନୀବାବୁ କହିଲେ–ଆଛା ହଉ; ଯା ମହନା ବାହା ହେଲେ କିନ୍ତୁ ନିମନ୍ତ୍ରଣ କରିବୁ ।

 

ଯାମିନୀବାବୁଙ୍କ ଏ କଥାରେ ମହନା ଆନନ୍ଦର ଅତିଶଯ୍ୟରେ ହସି ହସି ବିଦାୟ ନେଲା-

 

ମହନା ଗଲା ପରେ ନବ ଯାମିନୀବାବୁଙ୍କୁ କହିଲା–ବାବୁ; ଏ କେମ୍ପା ସହଜ ଲୋକ ନୁହେଁ । ପୂରା ଶିକାରୀ ଅଛି । କୁଆଡ଼େ ଆସିଥିଲା; ତାକୁ ପଚାରିଥିଲେ ହେଇଥାନ୍ତା, ଭୁଲ ହେଇଗଲା ।

 

X X X

 

ଦିନ ତିନିଟାବେଳ ପ୍ରାୟ ହବ; ଯାମିନୀବାବୁଙ୍କ ଘରେ ଯେ’ ଯା’ର ସବୁ ଶୋଇଛନ୍ତି । ଦାଣ୍ଡ ଦୁଆର ମୁକୁଳା ଅଛି, ଦାଣ୍ଡଘରେ ତଳେ ଶୋଇଥିଲେ ଭଜହରିର ସ୍ତ୍ରୀ, ତାଙ୍କର ଦୁଇଟି ପିଲାକୁ ନେଇ । ଆଉ କତିରେ କେହି ନାହାନ୍ତି । ନିଦରେ ଶୋଇ ତାଙ୍କୁ ଶୁଣାଗଲା–ହେ ଶୁଣମ, ତୁମ ଗୋଡ଼ତଳେ ପଡ଼ୁଛି; ତୁମେ ମୋ’ ସାଙ୍ଗରେ ଚାଲି ଆସ......

 

ଭଜହରିର ସ୍ତ୍ରୀର ନିଦ ଭାଙ୍ଗିଗଲା । ସେ ତାଙ୍କର ମୁଣ୍ଡଆଡ଼କୁ ଚାହିଁ ଦେଖନ୍ତି–ଦାଣ୍ଡ ଦୁଆରବନ୍ଧ ସେ ପାଖରେ ସ୍ୱାମୀ ଭଜହରି ଠିଆହୋଇ ଗୋଟା ସୁଦ୍ଧା ଥରୁଛି; ଏଣେ କହୁଛି–ଆସ ମୋ ସାଙ୍ଗରେ ଚାଲି ଆସ, ତୁମ ଗୋଡ଼ତଳେ ପଡ଼ୁଛି । ଭଜହରି କଥା ସଙ୍ଗେ ସଙ୍ଗେ ଦୁଆର ବନ୍ଧରେ ମୁଣ୍ଡ ଲଗେଇ ନିଜର ସ୍ତ୍ରୀକୁ ଓଳକି ହବାର ଦେଖି, ସ୍ତ୍ରୀ ରାଗରେ କହିଲେ–ଏତେଦିନ ଯାଏ କୋଉଠି ମରିଥିଲ ? ମୁଁ ଯିବି ନାହିଁ ତମ ସାଙ୍ଗରେ । ମୁଁ ମୋର ବାପଘରକୁ ଚାଲିଯିବି ।

 

ଭଜହରି ଏ କଥା ଶୁଣି ହାତଯୋଡ଼ି କାନ୍ଦ କାନ୍ଦ ହେଇ ମିନତିଭରା କଣ୍ଠରେ କହିଲେ–ତୁମେ ପାଟିକର ନା, ଚାଲି ଆସ ମୋ ସାଙ୍ଗରେ । ଆଉ ତୁମକୁ ମାରିବି ନାହିଁ । ଆଉ କିଛି କହିବି ନାହିଁ.....ସ୍ତ୍ରୀ ଧମକମିଶା କଣ୍ଠରେ କହିଲେ–ଯାଉଛି ନା; ପୁଣି ଠିଆହେଇ ବେଲି ହଉଛି ? ଡାକିବି ଅଭିକା ଯାମିନୀବାବୁଙ୍କୁ ?

 

ଭଜହରି ଯାମିନୀବାବୁଙ୍କ ନାଁ ଶୁଣି ଆଉ ଦ୍ୱିରୁକ୍ତି ନ କରି ଦୌଡ଼ି ପଳେଇଲେ । ଯାମିନୀବାବୁଙ୍କ ଘରେ ଦିବାନିଦ୍ରାରୁ ସମସ୍ତେ ଉଠିଲା ପରେ ଭଜହରିର ସ୍ତ୍ରୀ ଭଜହରିଙ୍କ ପୁନରାଗମନର କୁସମ୍ବାଦ ସମସ୍ତଙ୍କୁ ଶୁଣେଇ ଦେଲେ । ସତ୍ୟବତୀ ଶୁଣି କହିଲେ ଭଜ ପୁଣି ଆସିଲାଣି; କେତେବେଳେ ଆସିଥିଲା ? ମୋତେ ଟିକିଏ ଡାକି ଦେଲ ନାହିଁ ? ଭଜ ଗଲା କୁଆଡ଼େ-?

 

ଭଜହରିର ପୁନରାଗମନର ବାର୍ତ୍ତାରେ ସତ୍ୟବତୀ ଯାମିନୀବାବୁଙ୍କୁ ଭଜ ସ୍ତ୍ରୀର ଅଲକ୍ଷ୍ୟରେ କହିଲେ–ଦେଖ; ଭଜ ପୁଣି ଆସିଲାଣି ଯେବେ ଭଲକଥା; ତା’ର ସ୍ତ୍ରୀ ତା’ କତିକି ଯିବ । କିନ୍ତୁ ଟିକିଏ ଡେରିରେ ଛାଡ଼ିବାକୁ ହବ । ଭଜ ରସମା’ କତିରୁ ବୋଧହୁଏ ଶୁଣିଛି–ତା’ର ସ୍ତ୍ରୀକୁ ଆମେ ତା’ର ବାପଘରକୁ ପଠେଇ ଦବା । ଏଣିକି ସେ କେତେ ଥର ଦୌଡ଼ିବ; ଦୌଡ଼ୁ । ତାକୁ ମୋଟେ ଆଉ ଘରେ ପୂରେଇବାର ନୁହେଁ । ତାକୁ ମୋଟେ ଆଉ ଘର ଭିତରକୁ ଛାଡ଼ିବୁ ନାହିଁ । ଖାଲି ତାକୁ କହିବୁ; ତୁମର ସ୍ତ୍ରୀକୁ ତା’ ବାପ ଘରକୁ ପଠେଇଦବା । ଦେଖ ସେ କିମିତି ଜବଦ ହବ । ତା’ ସ୍ତ୍ରୀକୁ ତା’ କତିକି ଛାଡ଼ିବା । କିନ୍ତୁ ହଠାତ୍‌ ନୁହେଁ; ତୁ କେଭେ ରାଜି ହବୁ ନାହିଁ; ସେ ଆସୁ ।

 

ଭଜହରିର କିନ୍ତୁ ଆଉ ଦେଖା ନାହିଁ । ଚାରିଦିନ ବିତିଗଲା ଦିନେ ଯାମିନୀବାବୁ ପଚାରିଲେ–ମା; ଭଜଦାଙ୍କର କାହିଁ ଆଉ ଦେଖା ନାହିଁ ?

 

ସତ୍ୟବତୀ ଅଗଣାରେ ବସି ଖରାରେ ବଡ଼ି ପାରୁଥିଲେ, ଭଜହରିର ସ୍ତ୍ରୀ କତିରେ ବସି ବିରି ବାଟୁଥାନ୍ତି । ଏବେ ଆଉ ଆଗପରି ସେତେ ତାଙ୍କର ଯାମିନୀବାବୁଙ୍କୁ ଲାଜ ସରମ ନାହିଁ । ଏଣୁ ଭଜହରିର ସ୍ତ୍ରୀ ଯାମିନୀବାବୁଙ୍କୁ ଲକ୍ଷ୍ୟକରି ଆରମ୍ଭ କଲେ; ଆସିବ ନାହିଁ; ଯିବ କୋଉ ଗାତକୁ ? ଖାଲି ତୁମରି ଭୟରେ ଆସୁ ନାହିଁ । ପୁଣି ଆସିବ; ସେ କଣ କମ ରଙ୍ଗ ଜାଣିଛି ? କାନ୍ଦି ପକେଇବ, ହାତଧରି ପକେଇବ, ଓଠ ଧରି ପକେଇବ; ଦୋଷ ମାଗିନବ । ଦେଖିବ ଯେମିତି ଗୋଟାଏ ଘାଟିରୁ ଖସିଲା; ପୁଣି ଯୋଉ କଥାକୁ ଯେଇ କଥା ।

 

ଯାମିନୀବାବୁ ସେଠୁଁ ଚାଲିଗଲେ ।

 

ଭଜହରିର ସ୍ତ୍ରୀ ବିରି ବାଟୁ ବାଟୁ ସତ୍ୟବତୀଙ୍କୁ କହିଲେ–ସେଦିନ ରାତିରେ ଯେ ତୁମେ ଏତେ ଥର ମୋ କତିକି ଦୌଡ଼ିଲ; ଶେଷଥର ଯେତେବେଳେ ଗଲ ଡାକିଲ; ମୁଁ ଆଉ କବାଟ ଖୋଲିଲି ନାହିଁ; କି ଶୁଣିଲି ନାହିଁ କାହିଁକି ? ସେ ପରା ସେତେବେଳକୁ ଆସି ମୋ ଘରେ ଶୋଇଥିଲା । ମତେ ମନାକଲା, ଆଉ କବାଟ ଖୋଲ ନା କି ଯବାବ ଦିଅନା ।

 

ସତ୍ୟବତୀଙ୍କ ସେଦିନ ରାତି କଥା ମନେ ପଡ଼ିଲା; ଅଳ୍ପ ରାଗରେ କହିଲେ–ତୁମେ ତା’ରି କଥା ମାନି ମୋତେ କବାଟ ଖୋଲିଲ ନାହିଁ କି ଯବାବ ଦେଲ ନାହିଁ ।

 

ଭଜହରିର ସ୍ତ୍ରୀ କହିଲେ–ମୁଁ କବାଟ ଖୋଲିଥିଲେ କି; ଯବାବ ଦେଇଥିଲେ; ସେ ମୋତେ ଆଉ ବାକି ରଖିଥାନ୍ତା ? ମୋତେ ମାରି ପକେଇ ନ ଥାନ୍ତା ? ମୁଁ ସେଇ ଭୟରେ ଆଉ କବାଟ ଖୋଲି ପାରିଲି ନାହିଁ ।

 

ସତ୍ୟବତୀ ବଡ଼ି ଦଉ ଦଉ ପଚାରିଲେ–ଆଚ୍ଛ ତା’ ପରଦିନ ରାତିରେ ଆଉ ଭଜ ଆସିଥିଲା କି ?

 

ଭଜହରିର ସ୍ତ୍ରୀ ଉତ୍ତର ଦେଲେ–ନା; ଆଉ ତେଣିକି ଆସି ନାହିଁ । ମୁଁ ଏକା ରହିଥାଏ ।

 

ସତ୍ୟବତୀଙ୍କ ବଡ଼ି ପରା ସଇଲା । ବଡ଼ି ଖରାରେ ଶୁଖିବାକୁ ଦିଆଗଲା । ସତ୍ୟବତୀ ଏବଂ ଭଜହରିର ସ୍ତ୍ରୀ ଗାଧେଇବାକୁ ଗଲେ । ସତ୍ୟବତୀ ଆଗେ ଗାଧେଇ ସାରି ଯେତେବେଳେ ଫେରି ଆସନ୍ତି । ହଠାତ୍‌ ନିଜର ବୋହୂ ସୁରମାକୁ ଲକ୍ଷ୍ୟକରି ଚିତ୍କାର କରି କହି ଉଠିଲେ; ବୋହୂ ତୁମେ ପରା ଘରେ ଅଛ ? ଟିକିଏ ବଡ଼ି ଉପରେ ନଜର ଦେଲ ନାହିଁ; ଏ କଣ ହେଲା ? ବଡ଼ିଗୁଡ଼ାକ ସବୁ ଅଇଣ୍ଠା କଲା ଏ ପିଲା । ଅର୍ଥାତ୍‌ ତାଙ୍କ ଆଖିରେ ପଡ଼ିଲା–ପଫ ଅଗଣାରେ ବସି ସେ କଞ୍ଚା ବଡ଼ିରୁ ଖାଉଥିଲା; ତାଙ୍କୁ ଯେମିତି ଦେଖିଛି; ଉଠି ପଳେଇଲା ।

 

ପଫର ମା ଆସି ପୁଅଙ୍କର କୀର୍ତ୍ତି ଶୁଣି ଅନତି ବିଳମ୍ବେ ପଫର ଶାରୀରିକ ଶକ୍ତି, ଓଜନ; ରୁଗ୍‌ଣାବସ୍ଥା ଇତ୍ୟାଦିକୁ ଲକ୍ଷ୍ୟ ନ କରି ବେଶ୍‌ କେତେଗୁଡ଼ିଏ ଶରୀର ରସାୟନ; ବିଧା; ଚାପୁଡ଼ା ବର୍ଷଣ କରିବାକୁ ଲାଗିଲେ ।

 

ସତ୍ୟବତୀ ସୁରମା ଉଭୟେ ଏଥିରେ ବିରକ୍ତି ପ୍ରକାଶ କରି କହିବାକୁ ଲାଗିଲେ–ଥାଉ; ଯା’ତ ହବାର ହେଲାଣି; ସେ ପିଲା ମଣିଷ; ତାକୁ ଆଉ ମାରନା; ସେ ମରିଯିବ.....

 

ସୁରମା ଏବଂ ସତ୍ୟବତୀଙ୍କ କଥା ଶେଷ ନ ହେଉଣୁ ଏଇ ସମୟରେ ରସମା’ ଆସି ପାଗଳିନୀ ପରି ସତ୍ୟବତୀଙ୍କ ଅଗଣାର ପହଞ୍ଚି ସତ୍ୟବତୀଙ୍କ କତିରେ ଠୋଠୋକରି ମୁଣ୍ଡ ବାଡ଼େଇ କାନ୍ଦି କାନ୍ଦି କହିବାକୁ ଲାଗିଲେ–ମା; ମୁଁ କୁଳରୁ ଗଲି । ମା’ ମୁଁ ଏତେଦିନ ଘର କରିଥିଲି । କୋଉଦିନ ମୋ ନାଁ ପଡ଼ି ନ ଥିଲା । ମୋ ସଂସାର ସରିଗଲା.....

 

ସତ୍ୟବତୀ ଚଉଁରାରେ ପାଣିଦେବାକୁ ଯାଉଥିଲେ; ରସମା’ର ଏପରି ଅବସ୍ଥା ଦେଖି କିଛି ବୁଝି ନ ପାରି କାଠପରି ଠିଆହୋଇ ରହିଲେ । କତିରେ ସୁରମା, ଭଜହରିର ସ୍ତ୍ରୀ ଠିଆ ହୋଇଥାନ୍ତି; ଦୁଇଟା ମାଟିର ପିତୁଳା ପରି; ଶରୀର ନିଷ୍ପନ୍ଦ; ଆଉ ଆଖିରେ ଚକିତ ଚାହାଣୀର ଜ୍ୟୋତି ଫୁଟେଇ ।

 

ସତ୍ୟବତୀ ବ୍ୟସ୍ତ ଅଧୈର୍ଯ୍ୟ ହୋଇ ରସମା’କୁ ପ୍ରଶ୍ନ କଲେ–କଣ ହେଇଛି ରସମା’ ଥୟ ହୁଅ; କୁହ । କାହିଁକି ଇମିତି ହେଉଛ ? କୁଳରୁ କାହିଁକି ବାହାରି ଯିବ ?

 

ରସମା’ ଟିକିଏ ଥୟ ହୋଇ କାନ୍ଦି କାନ୍ଦି କହିବାକୁ ଲାଗିଲା–ମା; କ’ଣ କହିବି ଆଉ ? ମୋ ଘରେ କେହି ନ ଥିଲେ, ମୁଁ ରାନ୍ଧୁଥିଲି । ତୁମ ଭଜ ଯାଇ ଘରେ ପଶି ମୋତେ ଡାକିଲା । ମୁଁ ବାହାରକୁ ଆସିଲାରୁ ମୋ ହାତକୁ ଧରି ପକେଇ କହିଲା–ରସମା’ ତୁମେ ଯାଇ ଥରେ ଯାମିନୀ ମା’ଙ୍କୁ ମୋ ଲାଗି କୁହ, ସେ ମୋ ଭାରିଯାକୁ ଛାଡ଼ି ଦିଅନ୍ତୁ । ଭାରିଯାକୁ ଛାଡ଼ି ମୁଁ ରହିପାରିବି ନାହିଁ । କେତେଗୁଡ଼ାଏ ଟଙ୍କା ଖରଚ କରି ମୁଁ ବାହା ହେଇଛି; କେତେ କଷ୍ଟରେ ତାକୁ ତା’ ବାପଘରୁ ମୁଁ ଆଣିଥିଲି, ସେ ତା’ ବାପଘରକୁ ଗଲେ ଆଉ ତାକୁ ମୁଁ ପାଇବି ନାହିଁ ।

 

ରସମା’ ପୁଣି କହିଲା–ମା, ଭଜ ଏଇ କଥା କହୁ କହୁ ମୁଁ ହାତ ଛଡ଼େଇ ନେଲାରୁ, ମୋ ହାତକୁ ଯୋର କରି ଧଇଲା ପୁଣି ମୋ ଓଠକୁ ଧଇଲା । ମରଦଟା ମୋ ହାତ ଓଠ ଧରିବାରୁ ମୁଁ ଯୋଉଠୁ ଛାଟିପିଟି ହେଲି, ତା’ କତିରୁ ଚାଲି ଯିବାପାଇଁ ସରମରେ ସେ ଯୋରକରି ମୋତେ କୁଣ୍ଢେଇ ଧଇଲା । ମୁଁ ଛାଟିପିଟି ହଉଥାଏ । ଭଜ କହିଲା–ରସମା’, ରୁହ ତୁମେ ସେମିତି କାହିଁକି ହଉଛ । ମୋ ସ୍ତ୍ରୀ କିଏ, ତୁମେ କିଏ । ତୁମେ ନାହିଁ କରନା, ରସମା’ ମୋ କଥା ରଖ.....

 

ରସମା’ କାନ୍ଦି କାନ୍ଦି କପାଳରେ ହାତମାରି କହିଲା–ମା’ ଭଜ ମୋତେ କୁଣ୍ଢେଇ ଧରି ଏଠିକି ଆସିବା ପାଇଁ କହୁଛି; ମୋ ସ୍ୱାମୀ କେତେବେଳେ ଆସି ଠିଆ ହେଇଛି; ମୋତେ ଆଉ ଜଣା ନାହିଁ । ଭଜ ଯେମିତି ମୋ ସ୍ୱାମୀକୁ ଦେଖି ନେଇଛି; ମୋତେ ଛାଡ଼ି ଦେଇ; ଦୌଡ଼ି ପଳେଇଲା । ସେତ ମୋତେ କୁଣ୍ଢେଇ ଧରିଥିଲା ବେଳେ ମୋ ସ୍ୱାମୀ ଆଖିରେ ପଡ଼ିଲା; ମୁଁ ଆଉ ଯିବି କୁଆଡ଼େ-

 

ଭଜ ପଳେଇଲା ପରେ; ରସବାପ ମୋତେ ପଚାରିଲା–କିଲୋ; ସେ ତୋତେ କୁଣ୍ଢେଇ ଧରିଥିଲା କାହିଁକି ? କେଭେ ତ ମୁଁ ତୋର ଇମିତିଆ ଢଙ୍ଗ ଦେଖି ନ ଥିଲି ! କ’ଣ କଥା କଣ ? ସଫା କଥା କହ; ନ ହେଲେ; ତୋତେ ଆଗେ ମାରିବି; ତା’ପରେ ମୁଁ ମରିବି ।

 

ରସମା’ କାନ୍ଦି କାନ୍ଦି ପୁଣି ସତ୍ୟବତୀଙ୍କୁ କହିଲା–ମା; ସବୁ କଥା କହିଲି; କାହିଁକି ଭଜ ମୋତେ କୁଣ୍ଢେଇ ଧରିଥିଲା; କ’ଣ କହୁଥିଲା । ମା; ରସବାପା ସବୁ କଥା ଶୁଣିଲା ପରେ କହିଲା–ଯା’ତ ହବାର ହେଲା; ଏଥରକ ଗଲା; ଆଉ ଯଦି କେଭେ ଥରେ ଦେଖେ; ଅନ୍ୟ କେହି ପୁରୁଷ ତୋତେ ଇମିତି ଧରିଛି; ସେଇ ଦିନୁ ତୁ ଅଛୁ କି; ମୁଁ ଅଛି ଦେଖିବୁ । ତେବେ ସୁଦ୍ଧା ରସବାପା ମୋତେ ଦି’ଖୁନ୍ଦା ପକାଇଲା । ମା; ମୁଁ ଆଜି ସୁଦ୍ଧା କେଭେ ସ୍ୱାମୀ ହାତରୁ ମାଡ଼ ଖାଇ ନ ଥିଲି । ଆଜି ଏତେ ଦିନେ ମାଡ଼ ଖାଇଲି; ଦୋଚାରୁଣୀ ବୋଲି ମୋ ସ୍ୱାମୀ ମୋତେ ସନ୍ଦେହ କଲା । ହଁ; ଆହୁରି ରସବାପ ମୋତେ କହିଲା–ଆଜି ମୁଁ ଆସି ଠିଆ ହେଇ ଶୁଣୁଛି ସେ ମରଦ ତୋତେ ଯା’ ଯା’ କହୁଥିଲା । ଦେଖିଛି ତୁ ପ୍ରକୃତ ଛାଟିପିଟି ଦେଉଥିଲୁ; ସେ ଧଇଲା ବେଳେ । ସେଇଥିଲାଗି ତୁ ଆଜି ବଞ୍ଚିଲୁ ନୋହିଲେ ଆଜି ତାତେ ଘରୁ ବହାର କରି ଦେଇଥାନ୍ତି; କିନ୍ତୁ ସେ ମୋତେ ଦେଖିଲା ପରେ ଇମିତି ଦୌଡ଼ି ପଳେଇଲା କାହିଁକି ?

 

ସତ୍ୟବତୀ ଏତେବେଳେ କହିଲେ–ଭଜ ପଳେଇଗଲା କାହିଁକି ? ସେଇଠି ଭୁଲ କଲା; ମୋତେ ଜଣା ଯାଉଛି–ସେ ତୁମ ଘରେ ରହି ଏତେ ଦିନ ଯାଏ ଭଡ଼ା ଦେଇ ନାହିଁ, ତା’ପରେ ପୁଣି ତୁମକୁ କୁଣ୍ଢେଇ ଧରିଥିବା ବେଳେ ତୁମ ସ୍ୱାମୀ ହାବୁଡ଼େ ପଇଲା । ଏଇଥିରେ କଣ ଭାବି ଭୟରେ ପଳେଇଲା, କଣ ହଉଛି ସେ ଏଠି ଆସି ।

 

ସତ୍ୟବତୀ ରସମା’କୁ ସାନ୍ତ୍ୱନା ଦେଇ କହିଲେ–ରସମା’ ଯାଅ ତୁମେ ଘରକୁ । ତୁମ ସ୍ୱାମୀ ଭାରି ଭଲ ମଣିଷ, ଆଉ କେଉଁ ସ୍ୱାମୀ ହୋଇଥିଲେ, ଆଜି ତା’ ସ୍ତ୍ରୀକୁ କଣ କରି ପକେଇଥାନ୍ତା ! ତେବେ ତୁମ ସ୍ୱାମୀ ଆଖିରେ ଦେଖିଲା, କାନରେ ଶୁଣିଲା ବୋଲିତ ସତକଥା କଣ ବୁଝି ପାରିଲା, ତେବେ ସୁଦ୍ଧା ତୁମକୁ ହାତ ଚଲେଇ ଦେଲା । ଯେ ଦିନ କାଳେ ମାରେ ନାହିଁ.....

 

ରସମା’ ଆଖି ପୋଛି କାନ୍ଦଣା ବନ୍ଦକରି କହିଲା–ମା, ଭଜ ଭାରିଯାକୁ କାହିଁକି ରଖିଛ ? ତାକୁ ଛାଡ଼ିଦିଅ, ସେ ଯାଉ ତା’ ସ୍ୱାମୀ କତିକି ।

 

ସତ୍ୟବତୀ କହିଲେ–ରସମା’, ତା’ଭାରିଯାକୁ ମୁଁ ତା ବାପଘରକୁ ପଠେଇ ଦେବି, ତା’ କତିକି କେଭେ ଛାଡ଼ିବି ନାହିଁ । ତୁମକୁ ଭଜ ଆଜି ବିନା କାରଣରେ ତୁମ ସ୍ୱାମୀ ହାତରୁ ମାଡ଼ ଖୋଇଲା, ମୁଁ ତା’ ଦାଉ ନେବି । ଭଜକୁ କହିବ, ମୁଁ କାଲି ଦିନକ ଛାଡ଼ି ପଅରିଦିନ ତା’ ଭାରିଯାକୁ ତା’ ବାପଘରକୁ ପଠେଇ ଦେବି । ଦେଖିବ ରସମା’, ଏଇକଥା ଶୁଣିଲେ; ସେ ଆସି ମୋ ଦୁଆରେ ବସିବ । ସେ ମୋ ସାମନାକୁ ଆସିଲେ ମୁଁ ତାକୁ ଦେଖିବି । ତୁମେ ଯାଅ ରସମା’ । ତୁମପରି ସତୀ ଦେହରେ ଯେ ଭଜ ଆଜି କଳଙ୍କ ଲେପିଛି, ମୁଁ ତାକୁ ନାକ ଘଷେଇ ଛାଡ଼ିବି ।

 

ରସମା’ ଘରକୁ ଫେରିଗଲେ । ବୁନ୍ଦାଏ ପାଣି ମାଟି ଉପରେ ପଡ଼ିଲେ, ସେଠି ଯେପରି ପାଣିର ସ୍ରୋତ ଚାଲେନା କି କାଦୁଅ ହୁଏନା, କେବଳ ପାଣି ବୁନ୍ଦାକ ଶୁଖିବାଯାଏ ମାଟି ଉପରେ ଯା’ ଟିକିଏ ଦାଗ ରହେ । ଶୁଖିଗଲେ ପୁଣି ଯେଉଁ ମାଟି କି ସେହି ମାଟି, ଯେଉଁ ଧୂଳିକି ସେଇ ଧୂଳି-। ସେହିପରି ରସମା’ର ଏ ଘଟଣା ଆଉ ବ୍ୟାପି ପାରିଲା ନାହିଁ କି ରୂପ ନେଇ ପାରିଲା ନାହିଁ-। ପରନିନ୍ଦୁକର ପରଚର୍ଚ୍ଚାକାରୀଙ୍କର ଇମିତି ପୁଷ୍ଟିକର ଖାଦ୍ୟ ଯେ ଇମିତି ଅଜ୍ଞାତରେ ନଷ୍ଟ ହୋଇଗଲା, ଏ କେବଳ ଖାଦ୍ୟ ପଦାର୍ଥ ନେଇ ଆସୁଥିବା ଗୋଟିଏ ଜାହାଜ ଅକସ୍ମାତ ମଝି ଦରିଆରେ ଜଳମଗ୍ନ ହେଲାପରି ।

 

ତହିଁ ଆରଦିନ ସନ୍ଧ୍ୟାବେଳେ ଯାମିନୀବାବୁ ଯେତେବେଳେ ଦାଣ୍ଡଆଡ଼କୁ ବାହାରି ପଡ଼ିଲେ, ଦେଖିଲେ–ଭଜହରି ନିହାତି ନିରୀହ ପରି କାତର ହୋଇ ଯାମିନୀବାବୁଙ୍କ ଦାଣ୍ଡଆଡ଼ ବାରନ୍ଦାରେ ବସିଛନ୍ତି ।

 

ଯାମିନୀବାବୁ ଭଜହରିକୁ ଦେଖି କିଛି ନ କହି ଘର ଭିତରକୁ ପୁଣି ଫେରି ଯାଉଛନ୍ତି, ଏଇ ସମୟରେ ଭଜହରି ଡାକିଲେ–ଯାମିନୀ; ଶୁଣ ଯାମିନୀ.....

 

ଭଜହରି ଯାମିନୀବାବୁଙ୍କୁ ଡାକୁ ଡାକୁ ବସିବା ସ୍ଥାନରୁ ଉଠି ଆସି ଯାମିନୀବାବୁଙ୍କ ପଛେ ପଛେ ଘର ଭିତରକୁ ପଶି ଆସିବାର ଜାଣିପାରି ଯାମିନୀବାବୁ ପୁଣି ଫେରିପଡ଼ି ପାଟିକରି କହିଲେ–ବାହାର ତୁମେ, ବାହାର କିଏ କହିଲା ତୁମକୁ ଏଠିକି ଆସିବାପାଇଁ ? ଯାଅ, ପୁଣି ଆସିଛ ମୁହଁ ଦେଖେଇବାପାଇଁ......

 

ଭଜହରି ଭୀତତ୍ରସ୍ତ ହୋଇ ଠିଆହୋଇ ପଡ଼ିଲେ । ଯାମିନୀବାବୁ ପାଟିକରିବା ଶୁଣି ଘର ଭିତରୁ ସତ୍ୟବତୀ ଭଜହରି ଆସିଛି ବୋଲି ଅନୁମାନ କରି ବାହାରି ଆସି ଦେଖିଲେ–ସତକୁସତ ଭଜହରି ଉପସ୍ଥିତ ।

 

ଝଡ଼ ତୋଫାନରେ ଗୋଟାଏ ଘରର ଛପର ଉଡ଼ିଗଲା ପରେ ପୁଣି କାନ୍ଥ ଭାଙ୍ଗି ପଡ଼ିବାପରି ସତ୍ୟବତୀଙ୍କ ଉପସ୍ଥିତି ଭଜହରିକୁ ଅନୁମତି ହେଲା ।

 

ସତ୍ୟବତୀ କ୍ରୋଧରେ ପ୍ରଶ୍ନ କଲେ–କିଏ ଭଜ ? ଆସିଛ କୁଆଡ଼େ ? ଯାଉଛ ନା ପୁଣି ଠିଆ ହେଇଛ ? ନିର୍ଲ୍ଲଜ; ତୁମକୁ ସରମ ନାହିଁ ? କୋଉ ମୁହଁରେ ଆସିଛ ପୁଣି ଏଠିକି ? ଯାଅ, ବାହାର ତୁମେ......

 

ଭଜହରି ନିଜର ଦୋଷଲାଗି କ୍ଷମାଭିକ୍ଷା କରିବାପାଇଁ ଯାମିନୀବାବୁ ଏବଂ ସତ୍ୟବତୀଙ୍କ ହାତକୁ ଧରିବାପାଇଁ ଆସିଲାରୁ, ଯାମିନୀବାବୁ, ସତ୍ୟବତୀ ଉଭୟେ ହାତ ଛିଞ୍ଚାଡ଼ି ଦେଇ କହିଲେ–ରଖ ସେ ସବୁକଥା, ଆସିଲେ ହାତ ଧରିବାକୁ ? ବାହାର ତୁମେ । ହାତ ଧରି ପକେଇଲେ, ଏଇଥିରେ ଭୁଲିଯିବୁ......

 

ଭଜହରି କାନ୍ଦ କାନ୍ଦ ହେଇ କହିବାକୁ ଲାଗିଲେ–ନୂଆବୋହୂ, ଯାମିନୀ ! ମୁଁ ତୁମମାନଙ୍କୁ ଛାଡ଼ି ରହିପାରିବି ନାହିଁ । ତୁମେ ଯା’ କହିବାର କୁହ । ମୁଁ ଛାଡ଼ି ଯାଇପାରିବି ନାହିଁ.....

 

ଏଇକଥା କହୁ କହୁ ଯାମିନୀବାବୁ ଏବଂ ସତ୍ୟବତୀଙ୍କ ମଝି ଦେଇ ଭଜହରି ନିହାତି ଲଜ୍ଜାହୀନ ପରି ଘର ଭିତରକୁ ପଶି ଯାଇ ଦେଖିଲେ–ନିଜର ସ୍ତ୍ରୀ ଠିଆ ହେଇଛନ୍ତି । ସ୍ତ୍ରୀ ହାତକୁ ଧରି ପକେଇ କାନ୍ଦ କାନ୍ଦ ହେଇ ଭଜହରି କହିଲେ–ପଫମା, ତୁମେ ମୋତେ ଇମିତି ପର କରିଦେଲ ?

 

ଭଜହରିର ଏ କଥାର ଉତ୍ତର ଦବାକୁ ଯାଇ ଭଜହରିର ସ୍ତ୍ରୀ ରହସ୍ୟ କରି କହିଲେ–ପଫ ବାପ, ତୁମେ ମୋତେ ଇମିତି ପର କରିଦେଲ ?

 

ଭଜହରି ଏବଂ ତାଙ୍କର ସ୍ତ୍ରୀ ଉଭୟଙ୍କର ଏପରି କଥା ଶୁଣି ସୁରମା ଉଢ଼ାଳରେ ରହି ହସି ହସି କ୍ଳାନ୍ତହୋଇ ପଡ଼ିଲେ ।

 

ଭଜହରି ସ୍ତ୍ରୀକୁ ଛାଡ଼ି ପଫ, ବଭ ଉଭୟଙ୍କୁ ନେଇ ଅଗଣାରେ ବସିପଡ଼ି ଉଭୟଙ୍କର ଦେହ ଆଉଁସି ଦେବାକୁ ଲାଗିଲେ, ଆଦର କରିବାକୁ ଲାଗିଲେ ।

 

ସତ୍ୟବତୀ ଭଜହରି ଉପରେ ବିରକ୍ତ ହୋଇ କହିଲେ–ଆହା ! ପିଲାଙ୍କ ଲାଗି ତ ଖାଲି ପ୍ରାଣ ଅଥୟ ହେଇ ପଡ଼ୁଛି । ତଣ୍ଟିରେ ଭାତ ଗଳୁନାହିଁ । ଯାମିନୀବାବୁ ମଧ୍ୟ କହିଲେ–ଓଃ, ପିଲାଙ୍କ ଉପରେ ଭାରି ଶ୍ରଦ୍ଧା ! ସେ ପିଲାଙ୍କୁ ଆଉ ତୁମକୁ ଦିଆଯିବ ନାହିଁ । ତୁମେତ ଛାଡ଼ିଦେଇ ପଳେଇ ଥିଲ, ତୁମର ସେ ପିଲା ଉପରେ ଅଧିକାର ନାହିଁ । ଆସିଲେ ଏବେ ପିଲାଙ୍କୁ ନେଇ ବସିଗଲେ ଆଦର କରିବାକୁ । କି ସ୍ନେହ ପିଲାଙ୍କ ପ୍ରତି !

 

ଯାମିନୀବାବୁ ଏତକ କହିଦେଇ ବାହାର ଆଡ଼େ ଯାଇ ଦୋକାନ ଘର ଖୋଲି ବସିଲେ-

 

କିଛିକ୍ଷଣ ପରେ ଭଜହରି ଘର ଭିତରେ ରହି ସତ୍ୟବତୀଙ୍କ ରାଗ କିଛି ଲାଘବ ହବାର ଅନୁମାନ କରି ଏବଂ ନିଜ ଆସ୍ଥାନର ପୁନଃ ପ୍ରତିଷ୍ଠା ଅନୁଭବ କରି, ଦାଣ୍ଡଆଡ଼କୁ ଯାଇ ଯାମିନୀବାବୁଙ୍କ ଅଳ୍ପ ଦୂରରେ ବସି ଯାମିନୀବାବୁଙ୍କ ମନର ପରିବର୍ତ୍ତନ ଆଣିବାପାଇଁ ନିଜର ଏ କେତେଦିନ ଅଜ୍ଞାତବାସର ଅଭିଜ୍ଞତା ବିଷୟରେ ପୁଙ୍ଖନୁପୁଙ୍ଖ ବର୍ଣ୍ଣନା କରିବାକୁ ଲାଗିଲେ....

 

ଯାମିନୀବାବୁ ଯଦିଚ ଭଜହରିର କଥା ଶୁଣୁଥିଲେ, ତେବେ ସୁଦ୍ଧା ଅନ୍ୟମନସ୍କ ପରି ।

 

ଯାମିନୀବାବୁ କିଛିକ୍ଷଣ ଗମ୍ଭୀର ଭାବରେ ଭଜହରିର ଉକ୍ତିଗୁଡ଼ିକ ଶୁଣିଲା ପରେ ବିରକ୍ତି ପ୍ରକାଶ କରି କହି ଉଠିଲେ–ଭଜଦା, ତୁମେ ଯାଅ, ତୁମର ଖାଇବା ପିଇବାର ଯୋଗାଡ଼ କର । ଏଠି ତୁମର ସ୍ଥାନ ନାହିଁ । ଯାଅ, ରାତି ହଉଛି, ମୋ କତିରେ ବସି ସମୟ ନଷ୍ଟ କରନା ।

 

ଭଜହରି ଯାମିନୀବାବୁଙ୍କ କଥା ଶୁଣି ନୀରବରେ ନିଜର ଲୁଗାପଟା ଧରି ସେଠୁ ଖସି ଆସିଲେ । ଆଉ ପଦେକଥା । କହିବାକୁ ତାଙ୍କର ସାହସ ହେଲା ନାହିଁ ।

 

ସତ୍ୟବତୀ କିଛି ସମୟ ପରେ ଆସି ଦୂରରୁ ଯାମିନୀବାବୁଙ୍କୁ ପ୍ରଶ୍ନ କଲେ–ଭଜ କୁଆଡ଼େ ଗଲା ?

 

ଯାମିନୀବାବୁ ମହିଲେ–ମୋ କତିରେ ବସି ଗପ ଯୋଡ଼ୁଥିଲେ ମନର ଧାରଣା ଦେଖି ଜଣା ଯାଉଥିଲା–ଯେମିତି ସବୁକଥା ମେଣ୍ଟିଗଲା । ଏଣିକି ସେ ପୁଣି ପୂର୍ବପରି ମୋ କତିରେ ଚଳାଚଳ ହେବେ । ମୁଁ ସଫା ମନା କରିଦେଲି ଯେ ତାଙ୍କର ଆଉ ଏଠି ସ୍ଥାନ ନାହିଁ । ଦେଖିଲି, ଖୁବ୍‍ ଭୟରେତ ଉଠି ଚାଲିଗଲେ ।

 

ସତ୍ୟବତୀ କହିଲେ–ଭଲ କରିଛୁ, ସେମିତି ଦୌଡ଼ୁ ଆଗେ ଦି’ଚାରିଦିନ, ହଇରାଣ ହଉ, ତା’ହେଲେ ଚେତିବ ।

 

ଭଜହରି ଯାମିନୀବାବୁଙ୍କ କତିରୁ ଫେରି ହତାଶ ହୋଇ ରସମା’ ଦୁଆର ପାଖଦେଇ କୁଆଡ଼େ ଚାଲିଥିଲେ, ହଠାତ୍‌ ଶୁଣି ପାରିଲେ–କିହୋ ନନା କୁଆଡ଼େ ଯାଉଛ, ଶୁଣମ, ଆସ ଇଆଡ଼େ......

 

ଭଜହରି ‘ନନା’ ଡାକ ଶୁଣି ବିଶେଷ ବିସ୍ମିତ ହେଲା ନାହିଁ । କାରଣ ତାଙ୍କର ଅଯଥା ଗୋଟାଏ ପଇତା ବ୍ୟବହାର ଯୋଗୁଁ ଏ ଗୋଟାଏ ମାମୁଲି ଡାକ । ଇମିତି ଅନେକ ଲୋକ ତାଙ୍କୁ ଡାକିଥାନ୍ତି । କପାଳ ମନ୍ଦ ! ଆଜି ଏଠି ବୋଲି ‘ନନା’ ଡାକ ଶୁଣିବାକୁ ହଉଛି, କଲିକତାରେ ତ ତାଙ୍କୁ ‘ଠାକୁର’ ବୋଲି ଡାକୁଥିଲେ ।

 

ଭଜହରି ଡାକ ଶୁଣି ଚାହିଁ ଦେଖନ୍ତି–ରସମା’ ଘର କତି ରାସ୍ତା କଢ଼ର ଚଉତୁରା ଉପରେ ବସିଥିବା ଟୋକାମାନଙ୍କ ଭିତରୁ ଜଣେ ତାଙ୍କୁ ଡାକୁଛି । ଭଜହରି ଦେଖିଲେ–ଟୋକାମାନେ ହାତରେ ତାସ୍‌ ଧରିଛନ୍ତି, ତାଙ୍କ ସାମନାରେ ଖଣ୍ଡେ ଗାମୁଛା ବିଛାହେଇଛି, ଆଉ କତିରେ ଗୋଟାଏ ଲଣ୍ଠନ ଜଳୁଛି ।

 

ଭଜହରି ସେମାନଙ୍କ କତିରେ ଯାଇ ଥକ୍‌କା ହୋଇ ବସି ପଡ଼ିଲାରୁ, ଜଣେ ଟୋକା ପ୍ରଶ୍ନ କଲା–ନନା ତୁମେ କଣ ରସମା’ ଘରୁ ଆଜିକାଲି ଚାଲି ଗଲଣିକି ?

 

ଭଜହରିର ବାହାର ଶୁଷ୍କ, ଭିତର ରାଗରେ ଉଷ୍ଣ ।

 

ଭଜହରି ଉତ୍ତର ଦେଲେ–ଚାଲିଯିବି ନାହିଁ, ଆଉ କଣ କରିବି ? ପ୍ରଶ୍ନ ହେଲା–କାହିଁକି ? ଚାଲିଯିବାର କାରଣ କଣ ? ଭଜହରି କହିଲେ–କାରଣ ଆଉ କଣ କହିବି ? ମୋ ଭାରିଜାଟାକୁ ଶିଖେଇ ନେଇ ରଖିଲା, ମୁଁ ଆଉ ଏକୁଟିଆ କିମିତି ଚଳିବି ? ସେଇଥିଲାଗି ଅଫିସ୍‌ରେ କାମ କଲାବେଳେ କାମ କରୁଛି, ବାକି ସମୟଟା ଏଣେ ତେଣେ ବୁଲୁଛି ।

 

ପ୍ରଶ୍ନ ହେଲା–କିଏ ଶିଖେଇ ରଖିଲା ତୁମର ଭାରିଯାକୁ ? ଭଜହରି ଉତ୍ତର ଦେଲେ–ସେଇ ଯାମିନୀବାବୁ ଡାକ୍ତର, ଆଉ କିଏ ଇମିତି ଲୋଚାନୁଙ୍ଗୁରା ଅଛି ତମ ସାହିରେ ?

 

ପ୍ରଶ୍ନ ହେଲା–କ’ଣ ! ଯାମିନୀବାବୁ ତମ ଭାରିଯାକୁ ଶିଖେଇ ରଖିଲେ ? ସେତ ସେମିତିଆ ଲୋକ ନୁହନ୍ତି ।

 

ଭଜହରି କହିଲେ–ସେ ସେମିତିଆ ଲୋକ ନୁହନ୍ତି ? ତୁମେ ସବୁ ଜାଣିଛ । ଅସଲ ଚୁପ ସଇତାନ ! ମୋ ସ୍ତ୍ରୀର ରୂପ ଆଗରେ ତା’ ସ୍ତ୍ରୀର ରୂପ ! ମୁଁ ତ ଇମିତ ଗର୍ବ କରି କହୁଛି । ସେଇଥି ଲାଗିତ ଏତେ କାଣ୍ଡ କଲା ସେ ଯାମିନୀବାବୁ ! ବରାବର ଚେଷ୍ଟା କରି ମୋ ସ୍ତ୍ରୀଟାକୁ ଶେଷରେ ସ୍ୱତନ୍ତ୍ର ନେଇ ରଖିଲା ।

 

ଟୋକାମାନେ ଏତେବେଳେ ବେଶ୍‌ ଭଜହରି କତିକି ସମସ୍ତେ ଲାଗି ଲାଗି ବସିଲେ ।

 

ଭଜହରି ପୁଣି ଆରମ୍ଭ କଲେ ଭାଇ ମେତେ ତ ନାହାକ କହିଛି–ଏ ଅଳ୍ପଦିନ ଭିତରେ ମୋର ସ୍ୱପତ୍ନୀ ଗର୍ଭରେ ପୁଣି ପୁତ୍ରଲାଭର ଯୋଗ ଅଛି । ଆରବର୍ଷ ଏଇ ଦିନକୁ ପୁଅ ହେଇ ସାରିଥିବ । ଯାମିନୀବାବୁ ମୋ ଭାରିଯାକୁ କଦାପି ରଖିପାରିବ ନାହିଁ । ନାହାକ କଥା କଣ ମିଛ ହବ-?

 

ଜଣେ ଟୋକା ଏ କଥା ଶୁଣି ଭଜହରିକୁ ପରିହାସ କରି କହିଲା–ନାହାକ କଥା ମିଛ ହବ କାହିଁକି ? ତୁମ ସ୍ୱପତ୍ନୀ ଗର୍ଭରେ ଯଦି ଅନ୍ୟ କାହାରି ପୁତ୍ରଲାଭ ହେଲା ବୁଝିପାରୁଛ ମୋ କଥା-?

 

ଏତେବେଳେ ଟୋକାମାନେ ହସି ଉଠିଲେ । ଭଜହରି ବୁଝିପାରିଲେ–ପ୍ରକୃତ କଥା ତ ! ଇମିତି ଯଦି ହୁଏ ! କିନ୍ତୁ ଭଜହରି ଟୋକାମାନଙ୍କ ହସି ପରିହାସରେ ମନେ ମନେ ଅଙ୍ଗାର ପାଲଟିଗଲେ । ଶେଷକୁ ବିଦାୟ ନେଲେ ସେମାନଙ୍କ କତିରୁ । ଟୋକାମାନେ ଯେତେ ଅଟକେଇଲେ ଭଜହରି ରାଜି ହେଲେ ନାହିଁ ।

 

ଭଜହରି ବିଦାୟ ନେଇ ଅଦୃଶ୍ୟ ହୋଇଗଲା ପରେ ଜଣେ ଟୋକା, ଅନ୍ୟ ଟୋକାମାନଙ୍କୁ କହିଲା–ଭାଇ, ସେ ଲୋକ ପାକିଟ୍‌ରୁ ଗୋଟାଏ ଜିନିଷ ମୁଁ ମାରିନେଇଛି, ତାକୁ ଜଣାନାହିଁ ।

 

ଅନ୍ୟ ଟୋକାମାନେ ପଚାରିଲେ–କି ଜିନିଷ ? କାହିଁ ଦେଖେଇଲୁ ? ସମସ୍ତେ ଆଲୁଅରେ ଦେଖିଲେ–ଗୋଟିଏ ନୂଆଟିଣର ଡବା, ତା’ ଉପରେ ଲେଖା ହେଇଛି–‘ମଦନାନନ୍ଦ ମୋଦକ’ ସମସ୍ତେ ଆନନ୍ଦରେ ପାଗଳ ହେଇ କହିଲେ–ଖୋଲ ସେ ଡବା, ଆଜି ‘ମଦନାନନ୍ଦ ମୋଦକ’ର ଏଠି ମଉଛବ କରାଯାଉ ।

 

ଡବା ଖୋଲା ହେଲା ମାତ୍ରେ ସମସ୍ତେ ଛାଡ଼ିଛାଡ଼ି ହେଇ ମୋଦକ ମଉଛବ ସମାପନ କରି ତାସ୍‌ ଖେଳୁ ଖେଳୁ ମହୋଲ୍ଲାସେ ସମସ୍ୱରରେ ଗାଇବାକୁ ଲାଗିଲେ–ପ୍ରିୟା ମିଲନକୁ ଯାନା......

 

X X X

 

ଭଜହରି ତହିଁଆରଦିନ ବେଳବୁଡ଼ିକୁ ଆସି ପୁଣି ଯାମିନୀବାବୁଙ୍କ ଦାଣ୍ଡ ଦୁଆରେ ଉପସ୍ଥିତ । ଆପତ୍ତି–ସ୍ତ୍ରୀକୁ ନେଇଯିବେ ।

 

ସତ୍ୟବତୀ, ଯାମିନୀବାବୁଙ୍କର ସେଇ ଏକ କଥା–ସ୍ତ୍ରୀକୁ ତା’ର ବାପଘରକୁ ପଠେଇ ଦେବେ, ଆଉ ତାଙ୍କ କତିକି ଛାଡ଼ିବେ ନାହିଁ ।

 

କାଲି ଯେପରି ଭଜହରି ସତ୍ୟବତୀଙ୍କ ଘର ଭିତରେ ପ୍ରବେଶ କରି ପାରିଥିଲେ, ଆଜି ସେତକ ମଧ୍ୟ ବନ୍ଦ ।

 

ଭଜହରିର ସ୍ତ୍ରୀ କିନ୍ତୁ ଅଳ୍ପ ଦୂରରେ ସତ୍ୟବତୀ, ଯାମିନୀବାବୁଙ୍କ ପଛପଟେ ଠିଆ ହୋଇଥାନ୍ତି ।

 

ଶେଷରେ ଭଜହରି ସ୍ତ୍ରୀକୁ ଲକ୍ଷ୍ୟ କରି କହିଲେ–ହାୟରେ କପାଳ ! ମୁଁ ହେଲି ପର, ମୁଁ ହେଲି ଦୋଷୀ, ମୋ ସ୍ତ୍ରୀ ହେଲା ଭଲ ! ଆପଣାର ! ଯେ ମୋତେ ଶିଖେଇଲା, ମନାକଲା–ଏଠିକି ଆସିବା ପାଇଁ, ସେଇ ସ୍ତ୍ରୀ କଥାରେ ତ ମୁଁ ଏଠିକି ଆସିଲି ନାହିଁ । ଏଥିରେ ମୁଁ ହେଲି ଦୋଷୀ !

ଭଜହରି ଏ କଥା କହି, ସ୍ତ୍ରୀ ମନା କରିଥିଲା କି ନା, ଶିଖେଇ ଥିଲା କି ନା; ତା’ର ସତ୍ୟତା ପ୍ରମାଣ କରିବାକୁ ଯାଇ କହିଲେ ଯାମିନି, ନୂଆବୋହୂ, ମୁଁ ପଇତା ଛୁଇଁ କହୁଛି–ସେଇ ମାଇକିନିଆ ମୋତେ ଶିଖେଇଲା, ମନାକଲା, ଏଠିକି ଆସିବାପାଇଁ.......

ଭଜହରି ପଇତା ଛୁଇଁ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବା ଦେଖି, ଯାମିନୀବାବୁ କହି ଉଠିଲେ–ତୁମେ ପଇତା ଛୁଉଁଛ କଣ ? ତୁମେ କଣ ବ୍ରାହ୍ମଣ ? ତୁମେହିଁ ପ୍ରକୃତ ଦୋଷୀ । ସ୍ତ୍ରୀ ଶିଖେଇଲା, ମନାକଲା, ଏଠିକି ଆସିବାପାଇଁ, ସେଇଥି ସକାଶେ ଆସିଲ ନାହିଁ, ତୁମର ଆଉ ବୁଦ୍ଧି ନ ଥିଲା ? ବିବେକ ନ ଥିଲା ? ତୁମରି ପ୍ରକୃତ ଦୋଷ ।

ଭଜହରି ଏ ଭିତିରି କଥା ସତ୍ୟବତୀ ଏବଂ ଯାମିନୀବାବୁଙ୍କ ଆଗରେ ପ୍ରକାଶ କରିଦେବାଦ୍ୱାରା, ଭଜହରିର ସ୍ତ୍ରୀ ଲଜ୍ଜାରେ ଜୀବନମୃତା ହୋଇପଡ଼ିଲେ–କେମିତି ଯାମିନୀବାବୁ, ସତ୍ୟବତୀ ସୁରମା ଆଗରେ ମୁହଁ ଦେଖେଇବେ ? ସେ ତ ପ୍ରକୃତ ତାଙ୍କର ସ୍ୱାମୀକୁ ମନା କରିଥିଲେ, ଶିଖେଇଥିଲେ ଏଠିକି ନ ଆସିବା ପାଇଁ ।

ତେବେ ସୁଦ୍ଧା ନିଜକୁ ରକ୍ଷା କରିବାପାଇଁ, ନିଜର ସାଧୁତା ବଜାୟ ରଖିବାକୁ ଯାଇ ସ୍ୱାମୀ ଭଜହରିର ଉପସ୍ଥିତିରେ ଯାମିନୀବାବୁ ଏବଂ ସତ୍ୟବତୀଙ୍କୁ ସାହସର ସହିତ କହିବାକୁ ଲାଗିଲେ–ମୁଁ ଏଇକଥା ଶିଖେଇବାକୁ ଯାଉଥିଲି ୟାକୁ ? ତୁମେମାନେ ଯେତେ ମୋର ଉପକାର କଲଣି ମୁଁ ୟାକୁ ମନା କରୁଥିଲି ଏଠିକି ଆସିବାକୁ ? ଏଇକଥା ତୁମର ପସନ୍ଦ ଯାଉଛି ?

ଭଜହରିର ସ୍ତ୍ରୀ ଭଜହରିକୁ ପୁଣି ଦାନ୍ତ ଚୋବେଇ ବିରକ୍ତ ପ୍ରକାଶ କରି କହିଲେ–ମରଣ ହଉନାହିଁ ତୁମକୁ ? ମୋ ନାଁରେ ଏଇକଥା ମିଛରେ କହିବାକୁ ଥିଲା ? ଦେଖିଲା, ଯେତେବେଳେ ଆଉ ଉପାୟ ନାହିଁ, ଏଠି ପଶିବାକୁ ଭାବିଲା–ଇମିତି ଗୋଟାଏ କଥା ମାଇକିନିଆ ନାଁରେ ଲଗେଇ କହିଦେଲେ, ଏତ ଦୋଷୀ ହେବ, ମୁଁ ପୁଣି ଭଲ ହେଇ ଏଠି ଗେହ୍ଲାପୁଅ ହେବି । କୁଳକଳଙ୍କିଆର ଯମ ତ ପାଞ୍ଜି ହଜେଇଲାଣି, କିମିତି ସାଙ୍ଗେ ସାଙ୍ଗେ କଥା ଯୋଡ଼ି କହିଯାଉଛି ! ମିଛକଥା କହିବାକୁ ଜିଭ ଟିକିଏ ଅଟକି ଯାଉ ନାହିଁ ? ମୁଁ ମୋ’ ବାପଘରକୁ ଯିବି, ମୁଁ ତୋ’ ସାଙ୍ଗରେ ଆଉ ଯିବି ନାହିଁ, ମିଛରେ କାହିଁକି ଦଉଡ଼ିଛୁ ?

 

ନିଜ ସ୍ତ୍ରୀର ମିଛକଥା କହିବାର ସାହସ ଦେଖି ଏବଂ ନିଜ ସ୍ୱାମୀକୁ ମିଥ୍ୟାବାଦୀ ବୋଲି ଅକ୍ଳେଶରେ ପ୍ରମାଣିତ କରିବାର ଦେଖି, ଯାମିନୀବାବୁ, ସତ୍ୟବତୀ ତାଙ୍କର ସ୍ତ୍ରୀକୁ ତା’ର ବାପଘରକୁ ପଠେଇ ଦବାର ଦୃଢ଼ପ୍ରତିଜ୍ଞ ଦେଖି, ଭଜହରି ହତାଶ ହୋଇ ବସି ପଡ଼ିଲେ କାନ୍ଥକୁ ଆଉଜି, ତାଙ୍କର ମନେହେଲା–ଯେମିତି ଭରାନଈ, ଭୀଷଣ ବଢ଼ି, ଦି’କୂଳ ଦେଖାଯାଉ ନାହିଁ, ପାଣି ଫୁଲି ଫୁଲି ଚାଲିଛି, ଭଉଁରୀ, ମଳମଳା, ଫେଣ ତାଙ୍କ ଆଖି ଆଗରେ କେତେ କଣ ଖେଳିଯାଉଛି ! ସେ ବସିଛନ୍ତି ଅସହାୟ ଅବସ୍ଥାରେ ଗୋଟିଏ ଘରର ଭାସି ଆସୁଥିବା ଖଣ୍ଡିଏ ଚାଳ ଉପରେ । ନିଜକୁ ବଞ୍ଚେଇବାପାଇଁ ସେ ଯେତେ ଦି’କୂଳକୁ ଚାହିଁ ଡାକୁଛନ୍ତି ତୀରବାସୀ କେହି ଶୁଣୁନାହାନ୍ତି, କେହି ଉତ୍ତର ଦଉନାହାନ୍ତି, କେହି ଆସୁନାହାନ୍ତି ତାଙ୍କୁ ଉଦ୍ଧାର କରିବା ପାଇଁ ସେ ଖାଲି ଏକାକୀ ଭାସି ଭାସି ଚାଲିଛନ୍ତି ।

 

ଭଜହରି ସ୍ତ୍ରୀ, ଯାମିନୀବାବୁ ଏବଂ ସତ୍ୟବତୀ ଘର ଭିତରକୁ ଫେରିଗଲେ ।

 

ଭଜହରି ଏକାକୀ ଅନେକ ସମୟ ବସି ରହିଲେ । ତାଙ୍କୁ କେହି କିଛି ଆଉ ପଚାରିଲେ ନାହିଁ । ଶେଷରେ ଉଠି କୁଆଡ଼େ ଚାଲିଗଲେ ।

 

ଘର ଭିତରେ ସେଦିନ ରାତିରେ ଯାମିନୀବାବୁ, ସତ୍ୟବତୀ, ସୁରମା, ତିନିହେଁ ଫୁସ୍‌ଫାସ୍‌ ହେଲେ– ଭଜହରିର ସ୍ତ୍ରୀ ପ୍ରକୃତ ଭଜହରିକୁ ମନା କରିଛି, ଏଠିକି ଆସିବା ପାଇଁ, ନୋହିଲେ ମିଛରେ କଣ ଭଜହରି ଏକଥା କହିଲା ?

 

ସତ୍ୟବତୀ କହିଲେ–ମୋରତ ପ୍ରକୃତ ମନେ ହେଉଛି, ଏ ମାଇକିନିଆ ତାକୁ ଶିଖେଇଛି, ତା ନ ହେଲେ ଭଜ ମୋ କତିକି ଆସି ନ ଥାନ୍ତା.....

 

ଭଜହରିର ସ୍ତ୍ରୀ ଏ ଫୁସ୍‌ଫାସ୍‌ର ଅଳ୍ପ ଆଭାସ ପାଇ ଲଜ୍ଜାରେ ଶୋଇବାର ଛଳନା କରି ମୁହଁ ଲୁଚେଇ ପଡ଼ି ରହିଲେ ।

 

ତହିଁଆରଦିନ ବେଳବୁଡ଼କୁ ଭଜହରି ପୁଣି ଆସି ଯାମିନୀବାବୁଙ୍କ ଦାଣ୍ଡ ଦୁଆରେ ଉପସ୍ଥିତ । ଯାମିନୀବାବୁଙ୍କ କତିରେ ଆପତ୍ତି–ସ୍ତ୍ରୀକୁ ସାଙ୍ଗରେ ନେବେ, ସେ ଅନେକ ଟଙ୍କା ଖର୍ଚ୍ଚକରି ତାକୁ ବିଭା ହେଇଛନ୍ତି । ସ୍ତ୍ରୀ ଉପରେ ତାଙ୍କର ପୂରା ଦାବି ରହିଛି....

 

କିନ୍ତୁ ଯାମିନୀବାବୁଙ୍କର ସେଇ ଗୋଟାଏ କଥା–ଛାଡ଼ିବେ ନାହିଁ, ତାଙ୍କର ସ୍ତ୍ରୀକୁ ତାଙ୍କ ବାପଘରକୁ ପଠେଇ ଦେବେ....

 

ଭଜହରି ଅନେକ ପ୍ରକାର ଅନୁରୋଧକରି ଯେତେବେଳେ ଦେଖିଲେ, ଯାମିନୀବାବୁଙ୍କର ସେଇ ଗୋଟାଏ କଥା । ବାରନ୍ଦା ଉପରୁ ତଳକୁ ଓହ୍ଲେଇ ଗଲେ ରାସ୍ତା ଉପରକୁ-। ଅଳ୍ପ ଦୂରରେ ଠିଆ ହେଇ ପଚାରିଲେ ରାଗରେ–କଣ ମୋ ସ୍ତ୍ରୀକୁ ତା’ହେଲେ ଛାଡ଼ିବେ ନାହିଁ କଣ କହୁଛ ?

 

ଯାମିନୀବାବୁ ଉତ୍ତେଜିତ ହୋଇ କହିଲେ–ନା । ଭଜହରି ପୁଣି ପ୍ରଶ୍ନ କଲେ–ରଖିବ ?

 

ଯାମିନୀବାବୁ–ହଁ ।

 

ଭଜହରି ପାଟିକରି–ରଖ ତା’ ହେଲେ, କେତେଦିନ ରଖିବ ଦେଖେ । ଆଜି ତ୍ରିବାର ସତ୍ୟକରି କହୁଛି–ଆଉ ତୁମ ଦୁଆର ମାଡ଼ିବି ନାହିଁ । ହଉ ରଖ କେତେଦିନ ରଖିବ । Thank you. number one by two.

 

ଭଜହରି କଥାର ଶେଷରେ ସଦମ୍ଭେ ପ୍ରସ୍ଥାନ କଲେ, ସତ୍ୟବତୀ ଆସି ଯାମିନୀବାବୁଙ୍କ କତିରେ ଠିଆହେଲେ, ଭଜହରି ସହିତରେ କଣ କଥାବାର୍ତ୍ତା ଚାଲିଛି, ଶୁଣିବାପାଇଁ ।

 

ଯାମିନୀବାବୁ ମା ସତ୍ୟବତୀଙ୍କୁ ଦେଖି କହିଲେ–ମା, ଭଜଦା ଆଜି ମୋତେ ଇଂରେଜୀ ଶୁଣେଇଦେଇ ଚାଲିଗଲେ । ଆଉ ସତ୍ୟ କରିଗଲେ–ଆମ ଦୁଆର ମାଡ଼ିବେ ନାହିଁ ।

 

ସତ୍ୟବତୀ କହିଲେ–ଭଜକୁ ଅତିଶୟ କଷ୍ଟ ହେଲା । ମୋର ଇଚ୍ଛା ଥିଲା ଆଜି ତା’ ସ୍ତ୍ରୀକୁ ତା’ସାଙ୍ଗରେ ଛାଡ଼ିଦେଇଥାନ୍ତି । ତୁ ଆଜି ଯେତେବେଳେ ମନାକଲୁ, ତା’ର ଆଉ ଧୈର୍ଯ୍ୟ ରହିଲା ନାହିଁ । ସେଇଥିଲାଗି ଚାଲିଗଲା, ଅତିଶୟ କଷ୍ଟ ଦବା ଲୋକକୁ ଉଚିତ କି ?

 

ଯାମିନୀବାବୁ କହିଲେ–ତୁମେ ସେ କଥା ମୋତେ କିଛି କହିଲ ଯେ–ଆଜି ଭଜଦା ସ୍ତ୍ରୀକୁ ତାଙ୍କ ସାଙ୍ଗରେ ବିଦାୟ କରି ଦେବାପାଇଁ ? ତେବେ ସୁଦ୍ଧା ମୁଁ ତ ତୁମକୁ ଅପେକ୍ଷା କରୁଥିଲି ଯେ–ମା’ ଆସନ୍ତୁ, ତାଙ୍କରି କଥାନୁସାରେ ଯା କରିବାର ହବ କରାଯିବ, କିନ୍ତୁ ମୁଁ ତ ଜାଣି ନଥିଲି ଯେ ଭଜଦା ଆଜି ଏତେ ଶୀଘ୍ର ଇମିତି ରାଗି ଉଠିବେ, ଆଉ ସାଙ୍ଗେ ସାଙ୍ଗେ ଚାଲିଯିବେ । ଭଜଦାଙ୍କ କଡ଼ା କଡ଼ା କଥା ଶୁଣି ମୋର ମଧ୍ୟ ରାଗ ହେଲା । ସେ ଚାଲିଗଲା ବେଳେ ମୁଁ ଆଉ ତାଙ୍କୁ ଡାକି ଅଟକେଇ ପାରିଲି ନାହିଁ, ଯଦିଚ ମୋର ମଧ୍ୟ ଆନ୍ତରିକ ଇଚ୍ଛା ଥିଲା ଯେ ଆଜି ଭଜଦାର ସାଙ୍ଗରେ ତାଙ୍କର ସ୍ତ୍ରୀକୁ ଛାଡ଼ିବା ପାଇଁ । ମୁଁ ତ ଭାବିଥିଲି ଯେ ତାଙ୍କ ସ୍ତ୍ରୀ ଆଜି ତାଙ୍କ ସାଙ୍ଗରେ ଯାଇ ପୁଣି ରସମା’ ଘରେ ରହିବେ । କିନ୍ତୁ ଇମିତି ଗୋଟାଏ ଘଟଣା ହେଇ ବସିବ, ମୁଁ ତ ଭାବି ନ ଥିଲି ।

 

ସତ୍ୟବତୀ କହିଲେ–ଭୁଲ ହେଲା । ହଉ, ଭଜ ପୁଣି ଆସିବ ନାହିଁ ଯେ, ସେ ତା’ର ସ୍ତ୍ରୀକୁ ଛାଡ଼ି ରହିବ, ମୋର ତ ବିଶ୍ୱାସ ହଉ ନାହିଁ ।

 

କିଛିକ୍ଷଣ ପରେ ଯାମିନୀବାବୁ ଘର ଭିତରକୁ ଯାଇ ସ୍ତ୍ରୀ ସୁରମାକୁ ହସି ହସି କହିଲେ–ଶୁଣିଛ, ଭଜଦା ଆଜି ମୋତେ ଇଂରେଜୀ ଶୁଣେଇ ଦେଇ ଚାଲିଗଲେ ।

 

ସୁରମା ହସି ହସି ପଚାରିଲେ–କଣ କହିଲେ ?

 

ଯାମିନୀବାବୁ କହିଲେ–Thank you. number one by two.

 

ସୁରମା ଚକିତ ହୋଇ କହିଲେ–Thank you. କହିଲେତ କହିଲେ, number one by two କଣ କହିଲେ ?

 

ଯାମିନୀବାବୁ କହିଲେ–ଏମିତି ଗୋଟାଏ କ’ଣ କହିଦେଲେ ସେଥିରେ କିଛି ଗୋଟାଏ ଅର୍ଥ ଅଛି ? ଯା’ପାଟିକି ଆସିଲା କହିଦେଲେ ।

 

ସୁରମା କହିଲେ–ନା, ସେ କଣ ଖାଲି ଏମିତି କହିଗଲେ, ଭାବିଛ ? ଏକଥା କହିବାର ଉଦ୍ଦେଶ୍ୟ ଅଛି କି, ନା, ପୁଣି ଶୁଣିବ ପରେ ।

 

ଯାମିନୀବାବୁ କହିଲେ–ଏ ଗୋଟାଏ କଥା ଯେ, ଏଥିରେ ଭଜଦା ପୁଣି ଉଦ୍ଦେଶ୍ୟ ରଖି କହିଛନ୍ତି ? ପୁଣି ଭଜଦାପରି ଲୋକ ।

 

ସୁରମା କହିଲେ–ସେ ଯେପରି ସନ୍ଦେହୀ ଲୋକ, ଶୁଣିବ ପୁଣି ରୁହ । ଯାମିନୀବାବୁ ହସି ହସି ବେଖାତିର ଭାବରେ କହିଲେ–ତୁମକୁ ସବୁ ଜଣା । ଭାରି ଗୋଟାଏ କଥା ଯେ.......

 

ମାଟି ତଳେ ତଳେ ପାଣିର ଧାର ଯେପରି ଝରିଝରି କେଉଁଠି କୂଅ କରେ, କେଉଁଠି ପୋଖରୀ କରେ, ପୁଣି କେଉଁଠି ସିଧାସଳଖ ମାଟି ଭେଦକରି ଉତ୍ସରୂପେ ଫୁଟି ବାହାରି ପଡ଼େ, ସେହିପରି ଯାମିନୀବାବୁଙ୍କ ଅଗୋଚରରେ, ଯାମିନୀ ବାବୁଙ୍କ ବିପକ୍ଷରେ ଭଜହରିଙ୍କ କୁତ୍ସାରଟନା ଯେ କେଉଁଠି କି ଆକାର ଧାରଣ କରିଛି, ସେ ଦିନ ନବ ମୁହଁରୁ ସବୁକଥା ଜଣାପଡ଼ିଲା ।

 

ଯାମିନୀବାବୁଙ୍କ ଦୋକାନ ଘରେ ସନ୍ଧ୍ୟାପରେ ଯେତେବେଳେ ନବ, ନଟ ଦୁହେଁ ଆସି ପ୍ରବେଶ କଲେ, ପ୍ରଥମେ ନବ ବିମର୍ଷଭାବରେ ବସି ଆରମ୍ଭ କଲା–ବାବୁ ଭଜହରି ଆପଣଙ୍କ ନାଁରେ ବଡ଼ ଖରାପ କଥା ଚାରିଆଡ଼େ ପ୍ରଚାର କରିଛି । ତା’ ଭାରିଯା, ପିଲାଙ୍କୁ କାହିଁକି କତିରେ ରଖିଛ ? ବାହାର କରିଦିଅ ।

 

ନବ ଏକଥା କହିବା ଆଗରୁ ଯାମିନୀବାବୁ ନବ, ନଟ ଉଭୟଙ୍କର ସେଦିନ ସନ୍ଧ୍ୟାର ଅଳ୍ପ କିଛି ପୂର୍ବେ ଭଜହରି କିପରି ତାଙ୍କୁ ଇଂରେଜୀ ଶୁଣେଇ ବିଦାୟ ନେଇ ଚାଲିଗଲେ, ସେଇକଥା କହିବାକୁ ଯାଉଥିଲେ । ଏପରି ସମୟରେ ନବ ମୁହଁରୁ ଭଜଦା ତାଙ୍କ ନାଁରେ ଚାରିଆଡ଼େ ଖରାପ କଥା ପ୍ରଚାର କରିବାର ଖବର ଶୁଣି, ଯାମିନୀବାବୁ ବିସ୍ମିତ ହୋଇ ନବକୁ ପଚାରିଲେ–କଣ ଖରାପ କଥା ଭଜଦା ମୋ ନାଁରେ ପ୍ରଚାର କରିଛନ୍ତି ? ନବ ତଳକୁ ମୁହଁ ପୋତି କହିଲା–କ’ଣ କହିବି ଆଉ ସେ କଥାଗୁଡ଼ାକ ?

 

ନଟବର ଶୁଣିବା ପାଇଁ ଔତ୍ସୁକ୍ୟ ପ୍ରକାଶ କରି କହିଲେ–କହୁନୁ, ଏଠି କିଏ ଅଛି ଯେ, ସାର୍‌ଙ୍କ ନାଁରେ ତ କ’ଣ କହିଛି, ସାରଙ୍କୁ କହିବାକୁ ଲାଜ କଣ ?

 

ନବ କହିଲା–ଭାରି ଖରାପ କଥା, ପାଟିରେ ଧରି ହବନି । ଯାମିନୀବାବୁ ଏତେବେଳେ ପଚାରିଲେ–କୁହୁନୁ, କି କଥା, ପାଟିରେ ଧରିହବନି କାହିଁକି ?

 

ନବ ଶେଷରେ କହିଲା–ତା’ ସ୍ତ୍ରୀକୁ କୁଆଡ଼େ ଆପଣ ରଖିଛନ୍ତି, ଏଇକଥା ଚାରିଆଡ଼େ ବକୁଛି । ଭଜହରି କୁଆଡ଼େ ରସମା’ ଘର କତିରେ ଯେଉଁ ଚଉତୁରାଟା ଅଛି, ତା’ରି ଉପରେ ବସି ସେ ଟୋକାମାନଙ୍କ କତିରେ ଏକଥା କହୁଛି । ସେହି ଟୋକାମାନଙ୍କ ଭିତରୁ ଜଣେ ଆଜି ମୋତେ ପଚାରୁଥିଲା–ଏକଥା ସତ, ନା ମିଛବୋଲି ଜାଣିବା ପାଇଁ । ଖାଲି ସେ ଟୋକାମାନଙ୍କ କତିରେ କାହିଁକି । ଆହୁରି କେତେ ଜାଗା କହିଛି । ମୋତେ କେତେଲୋକ ଏକଥା ପଚାରିଲେଣି–ଏକଥା ସତ କି ମିଛ ? ଯେ ଶୁଣିଛନ୍ତି, ସେ ମଧ୍ୟ ବିଶ୍ୱାସ କରୁନାହାନ୍ତି । ଆପଣଙ୍କ ଧରଣା କାହାକୁ ଜଣା ନାହିଁ ? ତେବେ ଏ ସବୁକଥା ମିଛ ହେଲେ ବି, କମ ଖରାପ କଥା ଏ !!! ଜଣକ ନାଁରେ ଇମିତି କଥା କହିବା, ଖାଲି କଣ ସହଜ କଥା ପଡ଼ିଛି ? ସବୁ ଲୋକତ ସମାନ ନୁହନ୍ତି, କେତେ ଲୋକ ଏହାକୁ ସତବୋଲି ଭାବି ପାରନ୍ତି । ଜଣେ ଭଦ୍ରଲୋକ ନାଁରେ......

 

ନଟବର ଏକଥା ଶୁଣି ଯାମିନୀବାବୁଙ୍କୁ ଥରେ ଦୁଇଥର ଖାଲି ଚାହିଁଲେ, ଆଉ କିଛି କହିପାରିଲେ ନାହିଁ ।

 

ଜଣେ ଲୋକ ଚୋରି କରିନାହିଁ, ଅଥଚ ଆଉ ପାଞ୍ଚଜଣ ତାକୁ ଚୋର ବୋଲି କହିଲେ ତା’ର ମୁହଁର ଅବସ୍ଥା ଯା’ହୁଏ । ନବ ମୁହଁରୁ ଏକଥା ଶୁଣି ଯାମିନୀ ବାବୁଙ୍କର ମୁହଁର ଭାବ ଠିକ୍‌ ସେହିପରି ହୋଇଗଲା ।

 

ତେବେ ସୁଦ୍ଧା ଯାମିନୀବାବୁ ସାହସର ସହିତ ହସି ହସି କହିଲେ–ବୁଝିଲୁ ନବ, ବୁଝିଲୁ ନଟ, ଭଜଦା ଏତେ ଖରାପ କଥା ମୋ ନାଁରେ ରାଷ୍ଟ୍ର କହିବେ ବୋଲି ମୁଁ ତ କେବେ ଭାବି ନଥିଲି । ଅତି ଜଘନ୍ୟ କଥା ଏ ! ଭଜଦା କି ମଣିଷ ! ମୋ ନାଁରେ ସେ ଏକଥା ରଟନା କରିଛନ୍ତି ? ଆଶ୍ଚର୍ଯ୍ୟ କଥା ! ହଉ କହିଛନ୍ତି ତ, କହିଛନ୍ତି । ଏଥିରେ ଆଉ ମୁଁ କଣ କରିପାରେ ? ତାଙ୍କର ଦୟା....

 

ସେ ଦିନର ବୈଠକ ଆଉ ସେତେ ଜମିପାରିଲା ନାହିଁ । ଆକାଶ ମେଘାଚ୍ଛନ୍ନ ହେଲେ ଯେପରି ଦିନର ଶୋଭା ନଷ୍ଟହୋଇ ଯାଏ, ସେଦିନର ବୈଠକର ଅବସ୍ଥା ହେଲା ଠିକ୍‌ ସେହିପରି ।

 

ନବ, ନଟ ଚାଲିଗଲା ପରେ ଦୋକାନ ବନ୍ଦକରି ଯାମିନୀବାବୁ ଘର ଭିତରେ ଯାଇ ସ୍ତ୍ରୀ ସୁରମାକୁ ଭଜଦାଙ୍କର କୀର୍ତ୍ତି–ନବ ଯା’ ଯା’ କହିଲା, ସବୁକଥା ଶୁଣେଇଲେ ।

 

ସୁରମା ଆଶ୍ଚର୍ଯ୍ୟ ହୋଇ ଶୁଣିଲେ, ଶେଷରେ କହିଲେ–ଏଥର ବୁଝି ପାରିଲ, ଭଜଦାଙ୍କର number one by two କହିବାର ଉଦ୍ଦେଶ୍ୟ ? ମୁଁ ସେହିଦିନରୁ ଏକଥା ବୁଝିପାରିଛି । କମ ଲୋକ ସେ ନୁହନ୍ତି ।

 

ଏକଥା ସୁରମାଙ୍କ କତିରୁ ଭଜହରିର ସ୍ତ୍ରୀ ଶୁଣିଲେ । ଭଜହରିର ସ୍ତ୍ରୀ କତିରୁ ଶୁଣିଲେ ସତ୍ୟବତୀ । ସତ୍ୟବତୀ ଏକଥା ଶୁଣି ହସରେ ଉଡ଼େଇ ଦେଲେ ।

 

ଥରେ ଥରେ ଆକାଶରେ ମେଘର ଘନଘଟା ପରେ ଅଳ୍ପ କେତେ ବୁନ୍ଦା ପାଣି ପଡ଼ି ମେଘ ଉଡ଼ିଯାଇ ଆକାଶ ପରିଷ୍କାର ହୋଇଗଲା ପରି ଭଜହରିର ଯାମିନୀ ବାବୁଙ୍କ ବିପକ୍ଷରେ କୁତ୍ସା ରଟନାର ଅବସ୍ଥା ହେଲା ଠିକ୍‌ ସେହିପରି ।

 

ଦିନ ପରେ ଦିନ ସଞ୍ଜ ପରେ ସଞ୍ଜ ରାତି ପରେ ରାତି ଇମିତି କେତେ ବିତିଗଲା ଆଉ ଭଜହରି ଫେରିଲେ ନାହିଁ ।

 

ଏଣେ ଭଜହରିର ବଡ଼ପୁଅ ପଫର ବେମାର ବଢ଼ିବାରେ ଲାଗିଲା । ପଫ ଯେଉଁଦିନ କଞ୍ଚା ବଡ଼ି କେତୋଟି ଲୁଚେଇ ଖାଇଗଲା, ସେହିଦିନରୁ ତା’ର ଦିହ କ୍ରମଶଃ ଖରାପ ଆଡ଼କୁ ଗତିକଲା । ଗୋଟାସୁଦ୍ଧା ଫୁଲିଗଲା । ଚାଲି ପାରିଲା ନାହିଁ, ବିଛଣାରେ ପଡ଼ି ରହିଲା । ସାନପୁଅ ବଭ ମଧ୍ୟ ଖାଲି ଶୁଖି ଶୁଖିଗଲା । ତା’ର ହାଡ଼ ଚମ କେବଳ ରହିଲା । ଯେତେ ଯୋରରେ କାନ୍ଦି ପାରୁଥିଲା, ଆଉ ସେମିତି କାନ୍ଦିବାର ଶକ୍ତି ମଧ୍ୟ ରହିଲା ନାହିଁ ।

 

ଭଜହରିର ସ୍ତ୍ରୀ ଅବସର ସମୟରେ ପ୍ରାୟ ଭାବିବାକୁ ଲାଗିଲେ । ବିଶେଷତଃ ବଡ଼ପୁଅ ଲାଗି, କେତେଥର ବଡ଼ ପୁଅର ପରିଣତି ବିଷୟରେ ସୁରମା, ସତ୍ୟବତୀ ଏବଂ ଯାମିନୀବାବୁଙ୍କ ମତାମତ ଲୋଡ଼ିଲେ ।

 

ଯାମିନୀବାବୁ, ସତ୍ୟବତୀ ଏବଂ ସୁରମା ଯଦିଚ ବୁଝିପାରିଲେ ଏଥର ଆଉ ଭଲହବାର ଆଶାନାହିଁ, ତେବେ ଶୁଦ୍ଧା ଉପରେ ଭଜହରିର ସ୍ତ୍ରୀକୁ ସାନ୍ତ୍ୱନା ଦେଇ କହିଲେ–କଣ ହେଇଛି କି ? କିଏ କହିଲା ଭଲ ହବ ନାହିଁ ? କେଡ଼େ କେଡ଼େ ରୋଗ ଭଲ ହଉଛି, ଏ ଏମିତି କଣ ହେଇଛି ଯେ, ଏତେ ଭାବନା ।

 

ଶେଷରେ ଦିନେ ସତ୍ୟବତୀ ପଫର ଅବସ୍ଥାର ଗୁରୁତ୍ୱ ବୁଝିପାରି ଯାମିନୀବାବୁଙ୍କୁ ଡାକି କହିଲେ–ଯାମିନୀ ଏଥର ଆଉ ସେ ପିଲା ଭଲ ହେଲାପରି ମୋତେ ଲାଗୁନାହିଁ । ତୋତେ କଣ ଲାଗୁଛି କେଜାଣି ? ତେବେ ଯା’ହଉ ମୁଁ କହୁଛି, ଯେତେ ଶୀଘ୍ର ପାରୁ, ସେ ପିଲାକୁ ନେଇ ମେଡ଼ିକାଲ୍‌ରେ ରଖିଆ, ଯଦି ଭଲ ହବାର ଥିବ, ଭଲ ହେଇଯିବ । ଗରିବ ପିଲା, ବଞ୍ଚିଯିବ । ଆମ ଆଶ୍ରାରେ ଯେତେବେଳେ ପଡ଼ିଛି, ଆମେ ଯେତେଦୂର ପାରିବୁ କରିବା ଉଚିତ । ଦିନେ ତୋର ଦୋକାନ ବରଂ ବନ୍ଦ ହେଉ । ତୁ କେମିତି ସେ ପିଲା ଦୋ’ଟିକି ନେଇ ମେଡ଼ିକାଲ୍‌ରେ ରଖିଆ । ଯଦି ଭଲ ହେଇଯାନ୍ତି, ତୋର ବହୁତ ଧର୍ମ ହେବ । ମୋର କଥା ମାନ, ତୁ କାଲି ଦୋକାନ ବନ୍ଦକରି ସେମାନଙ୍କୁ ନେଇ ଛାଡ଼ିଆ ।

 

ଯାମିନୀବାବୁ ମଧ୍ୟ ସମ୍ମତି ପ୍ରକାଶ କଲେ । ସୁରମା ମଧ୍ୟ କହିଲେ–ଦେଖ, ପିଲା ଛୁଆର ଘର, ଯଦି ଭଲ ମନ୍ଦ କିଛି ହୁଏ ପିଲାମାନେ ଭୟ କରିବେ ତୁମେ ଶୀଘ୍ର ସେମାନଙ୍କୁ ନେଇଯାଅ ।

 

ଯାମିନୀବାବୁ ତହିଁ ଆରଦିନ ସତକୁସତ ଦୋକାନ ବନ୍ଦକରି ମେଡ଼ିକାଲ୍‌କୁ ବାହାରିଲେ-। ସତ୍ୟବତୀଙ୍କ ଆଦେଶମତେ ପଫକୁ ନେଇ ପ୍ରଥମେ ତା’ର ମା ଯାମିନୀବାବୁଙ୍କ ପଛେ ପଛେ ଚାଲିଲେ । ବଭ ସତ୍ୟବତୀଙ୍କ ଜିମା ରହିଲା । ପଫକୁ ଛାଡ଼ି ଆସିଲେ, ପୁଣି ବଭକୁ ଆସି ନେଇଯିବେ ।

 

ଯାମିନୀବାବୁ ଆଗେ ଆଗେ ଚାଲିଥାନ୍ତି । ଭଜହରିର ସ୍ତ୍ରୀ ପଫକୁ କାଖେଇ ନିଜର ଅଞ୍ଚଳ ଘୋଡ଼ାଇ ପଛେ ପଛେ ଚାଲିଥାନ୍ତି । ବାଟରେ ଅଳ୍ପ ଅଳ୍ପ ବର୍ଷା ପଡ଼ିବାକୁ ଆରମ୍ଭ କଲା ।

 

ଜନନୀ ତା’ର ଜୀର୍ଣ୍ଣ ବସ୍ତ୍ରର ଆବରଣରେ ନିଜର ସନ୍ତାନକୁ କିମିତି ରକ୍ଷା କରିପାରେ, ଭଜହରିର ସ୍ତ୍ରୀ ତା’ର ଦୃଷ୍ଟାନ୍ତ ହୋଇ ପଡ଼ିଲେ ।

 

ଏଣେ ଯାମିନୀବାବୁଙ୍କ ଘରେ ବଭ ତା’ର ମା’ର ଅଭାବ ଅନୁଭବ କରି କାନ୍ଦିବାକୁ ଆରମ୍ଭ କଲା ।

 

ସତ୍ୟବତୀ ତାଟିଆରେ ଅଳ୍ପ କିଛି ଦୁଧ ଆଣି ବଭକୁ କାନ୍ଦିବାରୁ କ୍ଷାନ୍ତ କରିବାକୁ ଯାଇ, ନିଜର କୋଳକୁ ନେଇ ଦୁଧ ପେଉ ପେଉ ବ୍ୟଥିତ ହୋଇ ସୁରମାକୁ କହିଲେ–ବୋହୂ ରୋଗ ପିଲାକୁତ ନେଇଗଲେ, ବର୍ଷା ଆରମ୍ଭ ହେଲା ବାଟରେ ତ ଭିଜିଯିବେ, ପଫର ତ ଦିହ ଆହୁରି ଖରାପ ହେଇଯିବ । ଯଦି ମେଡ଼ିକଲ୍‌ରେ ଜାଗା ନ ମିଳେ, ପୁଣି ଏଇ ବର୍ଷା, ପାଣି ପବନରେତ ଫେରେଇ ଆଣିବେ, ବଡ଼ ଭୁଲ ହେଲା ।

 

ବଭ ଦୁଧ ପିଇସାରି ଶୋଇଗଲା । ଏଣେ ବର୍ଷା ମଧ୍ୟ ବନ୍ଦ ହେଇଗଲା । ଯାମିନୀବାବୁ ଏବଂ ଭଜହରିର ସ୍ତ୍ରୀ ଫେରିବାର ବିଳମ୍ବ ଦେଖି ସତ୍ୟବତୀ ପୁଣି ସୁରମାକୁ କହିଲେ–ବୋହୂ, ଆଜି ବୋଧହୁଏ ମେଡ଼ିକାଲ୍‌ରେ ଜାଗା ମିଳିଲା । ପ୍ରଭୁ ଜାଣନ୍ତି, ଗରିବର ପିଲା ବଞ୍ଚିଯାଉ । ବୁଝିଲ ବୋହୂ, ପରପିଲାକୁ କେଭେ ହତାଦର କରିବ ନାହିଁ । ପିଲା ସମସ୍ତଙ୍କର, ତାକୁ ଯେ ଆଦର କରିବ, ସେ ତାଙ୍କରି ।

 

ସତ୍ୟବତୀଙ୍କ କଥା ଶେଷ ନ ହେଉଣୁ ଯାମିନୀବାବୁ ଆସି ଡାକଦେଇ ହସି ହସି କହିଲେ–ମା’ ଆଜି ଜାଗା ମିଳିଲା, ଦୋତାଲା ଉପରେ ରହିବେ ।

 

ଭଜହରିର ସ୍ତ୍ରୀ ମଧ୍ୟ ଆସି ପହଞ୍ଚିଲେ–ବର୍ଷାପାଣିରେ ଭିଜି ସକାଳର ଶିଶିରସିକ୍ତ ଗୋଲାପ କୁସୁମପରି ।

 

ଯାମିନୀବାବୁ ପୁଣି କହିଲେ–ମା, ସେ ଓ୍ୱାର୍ଡରେତ ଦେଖିଲି, ଆମ ସାହିର ଝିଅ–‘ମାଣିକ’ ଆଉ ତା ସାନ ଭଉଣୀ ‘ତନୁ’ ସେଠି ଅଛନ୍ତି । ମାଣିକ ହାତରେ ଢେଙ୍କିପଡ଼ି ହାତ ଭାଙ୍ଗିଯାଇଛି । ସେଇଥିଲାଗି ସେ ସେଠି ରହିଛି । ଆଉ ତନୁ ତାକୁ ସାହାଯ୍ୟ କରିବାପାଇଁ ତା’ କତିରେ ରହିଛି । ପଫକୁ ତାଙ୍କରି ଜିମା କରି ଆସିଛି । ଜାଗା ମିଳିବା ଭାରି ମୁସ୍କିଲ । ଯା’ ହଉ ମିଳିଛି, କୌଣସି ଅସୁବିଧା ହବ ନାହିଁ ।

 

ଯାମିନୀବାବୁ ଭଜହରିର ସ୍ତ୍ରୀକୁ ଲକ୍ଷ୍ୟକରି କହିଲେ–ଚାଲ ବଭକୁ ଧର । ଡେରିହେଲେ ପୁଣି ପଫ ସିଆଡ଼େ ଅସମ୍ଭାଳ ହେଇ ପଡ଼ିବ ।

 

ଭଜହରିର ସ୍ତ୍ରୀ ବଭକୁ ନେଇ ବାହାରିଲେ । ସତ୍ୟବତୀ ଯାମିନୀବାବୁଙ୍କୁ ପଚାରିଲେ–ଏ ମା ପୁଅ ସମସ୍ତେ ସେ ଓ୍ୱାର୍ଡରେ ରହିବେ ?

 

ଯାମିନୀବାବୁ ଉତ୍ତର ଦେଲେ–ତା’ନ ହେଲେ, ପିଲା ଦି’ଜଣ ରହିବେ କିପରି ? ସେତ ଫିମେଲ୍‌ ଓ୍ୱାର୍ଡ, ସେଠିତ କେତେ ଇମିତି ରହିଛନ୍ତି ।

 

ସତ୍ୟବତୀ କହିଲେ–ମୁଁ ଦେଖିବାକୁ ଯିବି ଯେ ।

 

ଭଜହରିର ସ୍ତ୍ରୀ ବଭକୁ ନେଇ ଯାମିନୀବାବୁଙ୍କ ଅନୁଗାମନୀ ହୋଇ ସତ୍ୟବତୀ ସୁରମାଙ୍କ ନିକଟରୁ ବିଦାୟ ନେଇ ଚାଲିଗଲେ ।

 

X X X

 

ସନ୍ଧ୍ୟାପରେ ଯାମିନୀବାବୁ କୁଆଡ଼େ ଯାଇଥାନ୍ତି । ଦୋକାନ ଖୋଲାଥାଏ । ନବ, ନଟ ଦୁହେଁ ଆସି ଦୋକାନ ଘରେ ପ୍ରବେଶ କରି ଯାମିନୀବାବୁଙ୍କ ଅପେକ୍ଷାରେ ବସିଲେ ।

 

ନବ, ନଟବରଙ୍କୁ ଲକ୍ଷ୍ୟକରି ଆରମ୍ଭ କଲା–ଆଜିତ ବାବୁଙ୍କୁ ଦେଖିଥିଲି, ସେ ଭଜହରିର ସ୍ତ୍ରୀକୁ ନେଇ ମେଡ଼ିକାଲ୍‌କୁ ଯାଉଥିଲେ ।

 

ନଟବର ପଚାରିଲା–ତୁ କୋଉଠି ଦେଖିଲୁ ?

 

ନବ କହିଲା–ସେ ମେଡ଼ିକାଲ ନିକଟରେ ଗୋଟାଏ କୋଠା ତୋଳା ହଉଛି, ମୁଁ ସେଇଠି କାମ କରୁଥିଲି । ବାବୁ ଭଜହରିର ସ୍ତ୍ରୀକୁ ନେଇ ଯାଉଥିଲେ, ଦେଖିଛି । ବାବୁ ମୋତେ ଦେଖି ନାହାନ୍ତି । ସେ ମାଇପିଟିକୁ ନେଇ ବୋଧହୁଏ ମେଡ଼ିକାଲରେ ରଖି ଆସିଛନ୍ତି । ମେଡ଼ିକାଲରେ ସେମାନଙ୍କର ରହିବା ଉଚିତ । ସେ ପିଲା ଦି’ଟାତ ମରିଯିବା ଭଳି ହୋଇଥିଲେ ।

 

ଏଇ ସମୟରେ ଯାମିନୀବାବୁ ବାହାରୁ ଆସି, ଘର ଭିତରକୁ ନ ଯାଇ ନବ, ନଟକୁ ଦେଖି ଆଗେ ଦୋକାନ ଘରେ ପ୍ରବେଶ କଲେ ।

 

ନବ ଆରମ୍ଭ କଲା–ବାବୁ ଆଜି କଣ ଭଜହରିର ଭାରିଯା ପିଲା ମେଡ଼ିକାଲ୍‌ରେ ରହିଲେ-? ତୁମେ ଯେତେବେଳେ ମେଡ଼ିକାଲ୍‌କୁ ଯାଉଥିଲ ମୁଁ ଦେଖିଛି । ତୁମେ ଆଗେ ଆଗେ ଚାଲିଯାଅ, ଭଜହରିର ସ୍ତ୍ରୀ ପିଲା କାଖେଇ ପଛେ ପଛେ ଚାଲିଯାଏ । ବାବୁ, ସେ ଦି’ଟା ପିଲାକୁ ନେଇ କିମିତି ଏକାଥରକେ ସେ ଚାଲି ଚାଲି ଗଲା ?

 

ଯାମିନୀବାବୁ ଚୌକି ଉପରେ ବସି, ଗୋଡ଼ ଦି’ଟାକୁ ଟେବୁଲ୍‌ ଉପରେ ରଖି କହିଲେ–ଏକା ଥରକେ କଣ ଦୁଇଟି ପିଲା ଯାଇ ପାରିଲେ ? ପ୍ରଥମେ ବଡ଼ ପୁଅକୁ ନେଇଗଲୁ, ମେଡ଼ିକାଲ୍‌ରେ ଯାଇ ପ୍ରଥମେ କେତେ ସମୟ ଅପେକ୍ଷା କରିବାକୁ ହେଲା । ଭଜଦା ସ୍ତ୍ରୀତ ବାରନ୍ଦାରେ ପିଲାଟିକି ନେଇ ବସିଲେ, ଦିହରେ ଛିଣ୍ଡାଲୁଗା, କେତେ ଲୋକ ଯେ ତାଙ୍କୁ ଚାହୁଁଥାନ୍ତି ।

 

ଯାମିନୀବାବୁ ନଟବରକୁ ଲକ୍ଷ୍ୟକରି କହିଲେ–ବୁଝିଲ ନଟ, ସେତେବେଳେ ମୋର Tennyson 'Begger Maid' କଥା ମନେ ପଡ଼ୁଥାଏ । ଭଜଦାଙ୍କ ସ୍ତ୍ରୀ ତାଙ୍କର ଅପରିଷ୍କାର ଛିଣ୍ଡା ଲୁଗାର ଆବରଣ ତଳେ ଦେଖାଯାଉଥାନ୍ତି–ଯେମିତି, ପାଉଁଶ ତଳେ ନିଆଁ । ଯାମିନୀବାବୁ ପୁଣି ନବ, ନଟ ଉଭୟଙ୍କୁ କହିଲେ–କେତେ ଲୋକ ଯେ ତାଙ୍କୁ ଚାହୁଁଥାନ୍ତି, ଅଥଚ ତାଙ୍କର ରୁଗ୍‌ଣ ପିଲା ଉପରେ କାହାରି ଦୃଷ୍ଟି ନାହିଁ !

 

ଡାକ୍ତରବାବୁ ଆସିଲା ପରେ ସେତେବେଳେ ଭଜଦାଙ୍କର ପୁଅର ସେଠି ରହିବାର କାଗଜପତ୍ର ଲେଖା ହେଇଗଲା । ସେତେବେଳେ ଜଣେ ବେହେରା ମୋତେ କହୁଛି–ବାବୁ, ଆପଣ ଯାନ୍ତୁ ମୁଁ ସେ ପିଲା ଆଉ ତାରି ମା’କୁ ନେଇ ଓ୍ୱାର୍ଡରେ ରଖେଇ ଦେବି । ମୁଁ ମନାକଲି । ଶେଷରେ ଭଜଦାର ସ୍ତ୍ରୀ ପିଲାକୁ ଧରି ଚାଲିଲେ, ମୁଁ ସାଙ୍ଗରେ ଗଲି । ସେ ବେହେରା ମଧ୍ୟ ଆମ ସାଙ୍ଗରେ ଗଲା । ଦୋତାଲା ଉପରେ ରହିବାର କଥା, ଜଣେ ନର୍ସ ଆସି ମୋତେ ପଚାରିଲା–ଏମାନେ ତୁମର କଣ ହୁଅନ୍ତି ? ମୁଁ ସବୁ ପରିଚୟ ଦେଲି ଏବଂ ଗରିବଲୋକ ବୋଲି ଟିକିଏ ଭଲ କରି ଯତ୍ନ ନବାକୁ କହିଲି । ଅନେକ ମାଇପି ରୋଗୀ ଆସି ଭଜଦାର ସ୍ତ୍ରୀ ପିଲାକୁ ଘେରିଗଲେ । ସେ ଓ୍ୱାର୍ଡରେ ଦେଖିଲି ଆମର ଏ ସାହିର ମାଣିକ ସେଠି ଅଛି, ତା’ ଭଉଣୀ ତନୁ ମଧ୍ୟ ତା’ କତିରେ ଅଛି । ତାଙ୍କରି ଜିମା ପଫକୁ ଛାଡ଼ିଦେଇ, ଆସି ପୁଣି ବଭକୁ ନେଇଗଲୁ । ଭଜଦାର ସ୍ତ୍ରୀ ତାଙ୍କର ଦୁଇଟି ପିଲାକୁ ନେଇ ସେ ଓ୍ୱାର୍ଡରେ ରହିଲେ । ମୁଁ ଭଜଦାର ସ୍ତ୍ରୀଙ୍କ ହାତରେ କିଛି ହାତ ଖର୍ଚ୍ଚ ଦେଇ ଏବଂ ବାରମ୍ବାର ଯାଇ ଦେଖି ଆସିବାର ଆଶ୍ୱାସନା ଦେଇ ଫେରି ଆସିଲି ।

 

ନବ ସବୁ ଶୁଣିସାରି କହିଲା–ବାବୁ, ବହୁତ ଧର୍ମ ଅର୍ଜିଲ, ଏଣିକି ତାଙ୍କ କପାଳ, ତୁମର କାମ ତୁମେ କରିଛ ।

 

-୧୭-

 

ବୟସରେ ମାଣିକ ବଡ଼, ତନୁ ସାନ । ତନୁ ଦେଖିବାକୁ ମଧ୍ୟ ଛୋଟ, କିନ୍ତୁ କଥାବାର୍ତ୍ତା, ଚାଲିଚଳନରେ ଜଣେ ବୟସ୍କା ସ୍ତ୍ରୀଲୋକ ସହିତରେ ସମାନ ।

 

ତନୁର ଲୁଗାପିନ୍ଧା ଠିକ୍‌ ବିବାହିତା ସ୍ତ୍ରୀ ଲୋକପରି । ତା’ ଛାତିରୁ ଟିକିଏ ଲୁଗା ଖସିଗଲେ, ସେ ଚମକିପଡ଼ି ପୁଣି ଲୁଗା ଟାଣିନେଇ ଘୋଡ଼େଇ ପକାଏ । ଗାଲରେ ଖିଲେ ପାନ, ମୁଣ୍ଡରେ ସିନ୍ଦୂର ଟୋପାଟା ବରାବର ଥାଏ । ବେଳେବେଳେ ବଡ଼ ମାଇପିଙ୍କ ପରି ମୁହଁର ଲୁଗାଦେଇ ଠିଆହେଇ କଥା ଶୁଣେ । ପୁରୁଷ ଦେଖିଲେ, ବାଟରେ ଚାଲି ଯାଉ ଯାଉ ମୁଣ୍ଡରେ ଉରୁଣା ଟାଣିଦେଇ ବୁଲି ଠିଆହୁଏ । ପୁରୁଷ ଲୋକ ଚାଲିଗଲେ, ପୁଣି ତା ବାଟରେ ସେ ଚାଲିଯାଏ-

 

ଓ୍ୱାର୍ଡରେ ଭଜହରି ସ୍ତ୍ରୀ ସହିତରେ ମାଣିକ ଆଉ ତନୁର ବେଶ ଆଳାପ ହେଇଗଲା । ଇମିତିକି ଭଜହରିର ସାନ ପୁଅକୁ କାଖେଇ ତନୁ ଓ୍ୱାର୍ଡ ବାରନ୍ଦାରେ ବୁଲିଲା । ଭଜହରିର ସ୍ତ୍ରୀ ସହିତରେ ମାଣିକ ଅପେକ୍ଷା ତନୁ ବେଶି ମିଶିଗଲା ।

 

ତନୁ ବଡ଼ ଭଉଣୀ କତିରେ ଯା’ କରିବାର କରି ସାରି ନିତି କିଛି ସମୟ ଲାଗି ଘରକୁ ପଳେଇ ଯାଏ । ଘରେ କିଛି ସମୟ ରହି ପୁଣି ମାଣିକ କତିକି ପଳାଏ, ରାତିରେ ମାଣିକ କତିରେ ଓ୍ୱାର୍ଡରେ ରହେ ।

 

ଦିନେ ତନୁ ଯାମିନୀବାବୁଙ୍କ ଦୁଆର ସାମନାଦେଇ ମେଡ଼ିକାଲ୍‌ରୁ ଫେରି ଘରକୁ ଯାଉଥିବା ବେଳେ ସତ୍ୟବତୀ ଦେଖି ଡାକ ପକାଇଲେ ।

 

ତନୁ ଡାକ ଶୁଣି କତିକି ଆସିଲାରୁ ସତ୍ୟବତୀ ପ୍ରଶ୍ନ କଲେ–କିଲୋ ତନୁ, ତୁ ପରା ଡାକ୍ତରଖାନାରେ ତୋ’ ଭଉଣୀ କତିରେ ରହିଛୁ ?

 

ତନୁ ଉତ୍ତର ଦେଲା–ହଁ ।

 

ସତ୍ୟବତୀ ପଚାରିଲେ–ଆମ ଘରୁ ଯୋଉ ମାଇପିଟି ଯାଇ ଏବେ ଡାକ୍ତରଖାନାରେ ଅଛି, ତାକୁ ଦେଖୁଛୁନା ? ତା’ର ପିଲା ଦୋ’ଟି କିମିତି ଅଛନ୍ତି ? ତା’ର ତ ସେଠି ଆଉ କେହି ନାହାନ୍ତି, ତାକୁ ଦେଖାଚାହାଁ କରିବାକୁ । ପିଲା ଦୁଇଟିକୁ ନେଇ ଡାକ୍ତରଖାନାରେ ସେ ଏକା ଭାରି ହଇରାଣ ହେଉଥିବ ?

 

ସତ୍ୟବତୀର ଏକଥା ଶୁଣି ତନୁ ସତ୍ୟବତୀର ଅଳ୍ପ ଦୂରରେ ସମବୟସ୍କା ପରି ଗୋଡ଼ ଲମ୍ବେଇ ବସି ଆରମ୍ଭକଲା–ମା, ତୁମେ କହୁଛ, ସେ ମାଇପି ଡାକ୍ତରଖାନାରେ ଥାଇ ହଇରାଣ ହଉଛି ? ତା’ର ତ ଗେରସ୍ତ ଏବେ ନିତି ଦଉଡ଼ୁଛି । ପାନ, ତେଲ, ସିନ୍ଦୁର, ପାନିଆ, ଅଳତା ସବୁ ନେଇ ଯୋଗୋଉଛି । ବେଳେବେଳେ ପୁଅକୁ ନେଇ ବାରନ୍ଦାରେ ଶୁଏ, ସକାଳ ହେଲେ ଉଠି କୁଆଡ଼େ ଚାଲିଯାଏ, ପୁଣି ସଞ୍ଜବେଳକୁ ଯାଇ ପହଞ୍ଚେ ।

 

ସତ୍ୟବତୀ ତନୁର କଥାରୁ ବୁଝିପାରିଲେ–ଭଜହରି ଯାଇ ଡାକ୍ତରଖାନାରେ ତା’ ସ୍ତ୍ରୀ କତିରେ ଯୁଟିଲେଣି ।

ସତ୍ୟବତୀ ପୁଣି ପଚାରିଲେ–ତୁ ତା’ ଗେରସ୍ତକୁ ଚିହ୍ନିଛୁ ?

ତନୁ କହିଲା–ମୁଁ ତା’ ଗେରସ୍ତକୁ ଚିହ୍ନି ନାହିଁ ? ସେ ତମ ଘରେ କେତେ ଦିନ ରହିଥିଲା, ପୁଣି ଯାଇ ରସମା’ ଘରେ ରହିଥିଲା । ମା’ ସେ ମରଦଟା ଏଡ଼ିକି ବେହଲ । ବେଳେବେଳେ ଯାଇ ତା’ ସ୍ତ୍ରୀ କତିରେ ଦିହକୁଦିହ ଲଗେଇ ସେ ବାରନ୍ଦାରେ ବସି ଗପ କରୁଛି । ତା’ ସ୍ତ୍ରୀ ତା’ ଉପରେ ଭାରି ଚିଡ଼ିଚିଡ଼ି ହଉଛି, ଚିଡ଼ିଲେ କଣ ହେବ ? ସେ ମରଦ କଣ ମାନୁଛି ? ମା, ୟା ଭିତରେ ସେ ମରଦ ଯା କଲା !

ସତ୍ୟବତୀ ପଚାରିଲେ–କ’ଣ କଲା ?

ତନୁ ଆରମ୍ଭ କଲା–ମା, ଦିନେ ରାତିରେ ଆମେ ସେ ଓ୍ୱାର୍ଡରେ ଯେତେ ମାଇପି ଅଛୁ, ସମସ୍ତେ ଶୋଇଛୁ, କେତେବେଳେ ସେ ମରଦ ତଳ ମାହାଲାରୁ ଉପର ମାହାଲାକୁ ଯାଇ, ସେ ମାଇକିନିଆ ଓ୍ୱାର୍ଡ ଭିତରେ ପଶି ତା’ ସ୍ତ୍ରୀ ଖଟ କତିକି ଯାଇ ସ୍ତ୍ରୀକୁ ଉଠାଉଛି । ତା’ ସ୍ତ୍ରୀ ଶୋଇଥିଲା, ସେ ଓ୍ୱାର୍ଡ ଭିତରେ ତ ରାତିସାରା ବିଜୁଳିବତୀ ଜଳୁଥାଏ । ଆଉ ଜଣେ ମାଇପି କେମିତି ଦେଖିଲା ସେ ମରଦକୁ । ଦେଖିଲା ମାତ୍ରେ ପାଟିକଲା । ଆଉ ମାଇପିଯାକ ସମସ୍ତେ ଧଡ଼ଧାଡ଼ ହେଇ ଉଠି ପଡ଼ିଲେ । ପଫ ମା’ ବି ଉଠି ପଡ଼ିଲା । ମା, ସେ ମରଦ ଏ ପାଟି ଗୋଳ ଶୁଣି ଭୟରେ ‘ଜୟଦୁର୍ଗା’ କହି ସିଧା ସେ ଉପର ମାହାଲାରୁ ତଳକୁ ଡେଇଁ ପଡ଼ିଲା ।

ସତ୍ୟବତୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ–ସେ ମଲା, ନା, ବଞ୍ଚିଲା ? ତନୁ ମୁହଁ ଛାଟିଦେଇ କହିଲା–ଉଠମ, ସେ ମରିବ ? ନିଲଠା ପୁଣି ଯାଇ ପରା ତହିଁ ଆରଦିନ ସଞ୍ଜ ବେଳକୁ ତା’ ଭାରିଯା କତିରେ ପହଞ୍ଚିଲା ।

 

ତନୁ ପୁଣି କହିଲା–ମା, ସେ ବାପ ଯେମିତି, ପୁଅ ସେମିତି । ପୁଅ ନାଁ ପୁଣି ପଫ ! ନିଲଠା ଯେତେ ଗାଳି ଖାଉଛି, କୁଆଡ଼େ ମପେଇ ଦଉଛି ! ପୁଣି ଯୋଉ କଥାକୁ ସେଇ କଥା । ରୋଗୀମାନେ ଶୋଇଗଲେ, ତାଙ୍କ ଆଲମାରି ଖୋଲି ଯେତେ ଖାଇବା ଜିନିଷ ସବୁ ଚୋରି କରି ଖାଉଛି । ଆଉ ଯେତେ ବାବୁମାନେ ଆସୁଛନ୍ତି, ସମସ୍ତଙ୍କୁ ପଇସା ମାଗୁଛି । ତା’ ମା ଶିଖେଇ ଦେଇଛି–ପଇସା ମାଗିବାପାଇଁ । ମା, ସେ ମାଇପି ବହୁତ ପଇସା ତା’ ହାତରେ ରଖିଲାଣି । ଜଣେ ଜଣେ ବାବୁ ସେ ମାଇପି ହାତରେ ପାଞ୍ଚ ଟଙ୍କା, ତିନି ଟଙ୍କା ଦେଇ ଯାଉଛନ୍ତି । କ’ଣ କହିବି ମା’ ! ଯୋଉ ବାମୁଣମାନେ ଆସୁଛନ୍ତି ଖାଇବା ଜିନିଷ ଦବା ପାଇଁ ! ସେଇ ମାଇପି କତିରେ ସବୁ ଜିନିଷ ବେଶି ବେଶି କରି ଅଜାଡ଼ି ଦେଇ ଯାଉଛନ୍ତି । ଆମେ ଥରକୁ ଦି’ ଥର ଗଣ୍ଡାଏ ବେଶି ମାଗିଲେ ଚିଡ଼ୁଛନ୍ତି । ଆଉ ସେ ମାଇପି କତିରେ ଦୁଧ, ରୋଟି, ମାଉଁସ, ଭାତ, ଡାଲି, ଅଣ୍ଡା ଗଦାଗଦା ଅଜାଡ଼ି ଦେଇ ଚାଲି ଯାଉଛନ୍ତି । ସେ ମାଇପିତ ଗଲା ପେଟ ଫଟେଇ ଖାଉଛି ! ଖାଇ ଖାଇ ସେ ମାଇପିଟା ମା, ହାତୀପରି ହେଲାଣି । ତା’ ପୁଅ ଦୁହିଁଙ୍କର ବି ଦିହ ଫେରିଗଲାଣି । ମା, ପୁଅ ସମସ୍ତଙ୍କର ଦିହ ବଦରି ଗଲାଣି । ଗୋଟାଏ ଗୋଟାଏ ବାବୁ ଆସି ସେଇ ମାଇପିଟା କତିରେ ଠିଆ ହେଇ ଘଣ୍ଟା ଘଣ୍ଟା ଧରି ଗପୁଛନ୍ତି । ଆମକୁ ଯୋଉ ସରମ ଲାଗୁଛି ! ସେ ମାଇପିଟାର ଏଡ଼େ ଛାତି ! ମରଦଗୁଡ଼ାକ ସାଙ୍ଗରେ କିମିତି ସେ ଗପ କରୁଛି !

 

ସତ୍ୟବତୀ ସବୁ ଶୁଣିଲା ପରେ ତନୁର ବଡ଼ ମାଇପିଙ୍କ ପରି କଥାକହିବା, ବସିବାର ଢଙ୍ଗ ଦେଖି ରହସ୍ୟ କରି କହିଲେ–ହଇଲୋ, ତୋ’ ସାଙ୍ଗରେ କେହି ବାବୁ ଗପ କରୁ ନାହାନ୍ତି ? ମିଛ କଥା କହୁଛୁ ?

 

ତନୁ ମୁହଁ ମୋଡ଼ିଦେଇ କହିଲା–ହଁ, କିଏ କହିବ ? ଆମେ ସେମିତିଆ ଓପରମୁହିଁ ମାଇକିନିଆ ନୁହଁ । ମରଦ ସାମନାରେ ଆମେ ଆଗେ ଠିଆ ହବୁନା ?

 

ସତ୍ୟବତୀ ତନୁର କଥା ଶୁଣି ହସି ହସି କହିଲେ–ତୁ ବାହା ହେଲେ ତୋ’ ବର ସାମନାରେ ଠିଆ ହବୁ ନାହିଁ ?

 

ତନୁ ସାହସରେ କହିଲା–ମୋ ବର ସାମନାରେ ମୁଁ ଠିଆ ହେବି ନାହିଁ କାହିଁକି ? ମୁଣ୍ଡରେ ଉରୁଣା ଦେଇ ଠିଆ ହେବି । ଆଉକଣ ଏମିତି ଛାତି ମୁଣ୍ଡରେ ଲୁଗା ନ ରଖି କଥା କହିବି-?

 

ସତ୍ୟବତୀ ପୁଣି ପଚାରିଲେ–ହଇଲୋ, ଛାତି ମୁଣ୍ଡରେ ଲୁଗା ନ ଥିଲେ କଣ ହେଲା ? ପିଲା ବକଟେ ତୁ, ଏତେ କଥା ଜାଣିଲୁଣି । ଆଜୁ ଏଡ଼େ ନା, ପାଣି ପିଇଲେ ହେବୁ କେଡ଼େ ?

 

ତନୁ ସତ୍ୟବତୀଙ୍କ ସାମନାରୁ ଉଠି ଡେଇଁ ଡେଇଁ କହି ଚାଲିଗଲା–ତୁମେ ଜାଣିବ, ଆମେ ପିଲା ମଣିଷ, ଆମେ ଜାଣିଲେ ଦୋଷ ହେଲା ? ଜାଣିବି ନାହିଁ, ଅଜଣା ଚାଉଳ ଭାତ ଖାଉଛି ?

 

ସନ୍ଧ୍ୟା ପରେ ନବ ନଟ ଆସି ଯାମିନୀବାବୁଙ୍କ ଦୋକାନ ଘରେ ପହଁଚିଲେ–ଗପ ଜମେଇବା ପାଇଁ ।

 

ନବ ଆରମ୍ଭ କଲା–ବାବୁ ଆଜି ଆପଣଙ୍କର ଭଜହରି ସହିତରେ ମୋର ଦେଖା ହୋଇଥିଲା । ଭଜହରି ଚାଲିଥିଲେ ଲୁଗାପଟା ଧରି ଡାକ୍ତରଖାନାକୁ ସ୍ତ୍ରୀ କତିକି । ମୋତେ ଯେମିତି ଦେଖିଲେ, ଟିକିଏ ଚମକି ପଡ଼ିଲା ପରି ହେଲେ ।

 

ମୁଁ ପଚାରିଲି–କି ? କୁଆଡ଼େ ଯାଉଛ ?

 

ଭଜହରି କହିଲେ–ଯିବି ଆଉ କୁଆଡ଼େ ? ଡାକ୍ତରଖାନାକୁ ଯାଉଛି । ତୁ ତ ଜାଣିଛୁ ସବୁ, ଦେଖିଲୁତ ଯାମିନୀ ଆଉ ତାର ମା’ର ବ୍ୟବହାର କିମିତି ? ମୋର ଆଦୌ ଇଚ୍ଛା ନ ଥିଲା, ମୋ ସ୍ତ୍ରୀକି ଡାକ୍ତରଖାନାରେ ଛାଡ଼ିବା ପାଇଁ । ତାକୁ କିମିତି ଯାମିନୀ ଆଉ ତା ମା’ ହଟ କରି ଡାକ୍ତରଖାନାରେ ଛାଡ଼ିଦେଲେ । ମୋ ସ୍ତ୍ରୀକି ଅଟକେଇ ରଖିଲେ । କେତେଥର ଦୌଡ଼ିଲି, ଯାମିନୀ ଆଉ ତା’ ମା’ କତିକି, ମୋ ସାଙ୍ଗରେ ଛାଡ଼ିଲେ ନାହିଁ । ଏଣେ ଡାକ୍ତରଖାନାରେ ଛାଡ଼ିଦେଲେ ! କେଡ଼େ ଅମଣିଷ ସେମାନେ ! ଯାମିନୀ ମା’ ଅପେକ୍ଷା ଯାମିନୀଟା ବେଶି ଅମଣିଷ । ମୋତେ ଏଣେ ଦାଦି ଦାଦି ଡାକୁଛି, ମୋ ସ୍ତ୍ରୀଟା ସାଙ୍ଗରେ....କଣ ଆଉ କହିବି ତୋତେ ! ତୁ କଣ ଜାଣି ନଥିବୁ ଯେ, ତୁ ତ ଉଡ଼ିଲା ଚଢ଼େଇର ପର ଗଣିଲାବାଲା । ଯା’, ଯା’, ମୁଁ ଯାଉଛି ।

 

ଭଜହରି ଚାଲି ଯାଉଥିଲେ, ମୁଁ ପୁଣି ପଚାରିଲି–ଚାକିରି କରୁଛ ନା ?

 

ଭଜହରି ଫେରିପଡ଼ି ଉତ୍ତର ଦେଲେ–ଚାକିରି ଆଉ ଅଛି ? କୋଉ ଦିନଠୁଁ ଗଲାଣି । ସମସ୍ତେ ଷ୍ଟ୍ରାଇକ୍ କଲେ, ମୁଁ ମଧ୍ୟ ଷ୍ଟ୍ରାଇକରେ ଯୋଗଦେଲି । ସେଇ ଦୋଷରୁ ମୋତେ, ଆଉ କେତେ ଜଣକୁ ଚାକିରିରୁ ବାହାର କରିଦେଲେ ।

 

ମୁଁ ପଚାରିଲି ଅଭିକା ତା’ହେଲେ କ’ଣ କରୁଛ ?

 

ଭଜହରି କହିଲେ–ଗୋଟାଏ ବାବୁ କତିରେ ଅଛି । ସେଇ ବାବୁଙ୍କର ରୋଷେଇ କରେ, ତାଙ୍କରି ଉପରେ ଖାଏ, ଆଉ ପିଲା, ଭାରିଯାତ ଡାକ୍ତରଖାନାରେ ଅଛନ୍ତି, ସେଇଠି ଖାଉଛନ୍ତି । ମୋତେ ତ ଅଭିକା ତାଙ୍କର ଖର୍ଚ୍ଚ ଲାଗୁ ନାହିଁ । ଯା’ ଯା’ ଭାଇ ପୁଣି ଦେଖା ହବ ଯେ.....

 

ଭଜହରି ଚାଲି ଯାଉ ଯାଉ ପୁଣି କହିଲେ–ଭାଇ ମୋ କପାଳର ଦୋଷ । ମୋ ନିଜ ଭାରିଯାଟାତ ଅମଣିଷ, ଆଉ କାହାକୁ ମୁଁ ଦୋଷ ଦେବି ? ଯା’ ଯା’ ଭାଇ ମୁଁ ଯାଉଛି, ଡେରି ହେଇ ଗଲାଣି...

 

ନବମୁହଁରୁ ସବୁକଥା ଶୁଣିସାରି ଯାମିନୀବାବୁ ହସି ହସି କହିଲେ–ଦୁନିଆର ଲୋକ ସମସ୍ତେ ଅମଣିଷ । କେବଳ ଭଜଦାହିଁ ମଣିଷ । ମୋ ନାଁରେ ଶେଷରେ ଏଇ ଦୁର୍ନାମ ରଟନା କଲେ ଭଜଦା ! ମୁଁ ତାଙ୍କର କି ଅପରାଧ କଲି ! ଚାକିରି ଖଣ୍ଡେ କେତେ କଷ୍ଟରେ ଯୋଗାଡ଼ କରା ହେଇଥିଲା । ତାକୁ ମଧ୍ୟ ହରେଇ ବସିଲେ ।

 

ନବ ପୁଣି କହିଲା–ଚାଲୁଣି ଛୁଞ୍ଚିକୁ କହିଲା ଭଳି ! ଭଜହରି ଆପେ ଯେ ଅମଣିଷଟିଏ, ସେ କଥା ବୁଝିପାରୁ ନାହାନ୍ତି । ସେ ପୁଣି ସମସ୍ତଙ୍କୁ ଅମଣିଷ ବୋଲି କହି ବୁଲୁଛନ୍ତି । ସେ ଲୋକଟାକୁ ବାବୁ କତିରେ ପୁରେଇବାର ନ ଥିଲା । ସେ ଯୋଉ କଥା କହିବୁଲୁଛି ! ଯେ ସିନା ଆପଣଙ୍କର ଚାଲିଚଳନ ଜାଣେ, ସେ ଅବିଶ୍ୱାସ କରିବ, ଯେ ନ ଜାଣେ, ସେ କ’ଣ ଭାବିବ ?

 

ନଟବର ଏତେବେଳେ ହସି ହସି କହିଲେ–ସାର୍, ଆପଣମାନଙ୍କ ଭିତରେ କିଏ କେତେ ପରିମାଣରେ ଅମଣିଷ, ଏଥିଲାଗି ଭୋଟ୍ ନିଆଯାଉ । ଆଉ ମହନା ଉପରେ ଭୋଟର୍ ବାକସ୍ ଖୋଲି, ବାଛି ଠିକ୍ କରିବାର ଭାରଦିଆ ଯାଉ । ଯାର ଯେତେ ଭୋଟ୍ ହୋଇଥିବ, ସେଇ ଅନୁଯାଇ ଫାଷ୍ଟ୍, ସେକେଣ୍ଡ, ଥାର୍ଡ଼, ସେ ବାଛି ଠିକ୍ କରିବ ।

 

ଏତେବେଳେ ନବ କହିଲା–ବାବୁ, ମହନା, ଆଉ ତା’ ମଝିଆଁ ଭାଇ–ରସମା’ ଗେରସ୍ତ, ଦୁହେଁ ପୁଣି ପାଗଳ ହେଇଛନ୍ତି । ସେଦିନ ରସମା’ ଦେଢ଼ଶୁର ଘିକୁଆଁରି ଗଛ ଖୋଜି ନବାପାଇଁ, ଆମ ଘରକୁ ଆସିଥିଲା ।

 

ମୁଁ ମଧ୍ୟ ଯାଇଥିଲି, ମହନା ଆଉ ତା’ ମଝିଆଁ ଭାଇକୁ ଦେଖିବାକୁ–କିମିତି ପାଗଳ ହେଇଛନ୍ତି ।

 

ମହନାକୁ ଦେଖିଲି–ମୁଣ୍ଡରେ ମାଟିଲଦା ହେଇଛି, ହାତଗୋଡ଼ ବନ୍ଧା ହେଇଛି, ମୋତେ ଯେମିତି ମହନା ଗାଇଲା–ବୟସ ତାଙ୍କର କେତେ ଗୋ ଲଳିତେ, କେଡ଼େ ଭଳି ଉଚ୍ଚ ହେବେ.......

 

ପୁଣି ଗାଇଲା–ଠିକ୍ ଠ ବର୍ତ୍ତୃଳ ଚନ୍ଦ୍ରାନନା........

 

ରସମା’ ଗେରସ୍ତକୁ ଦେଖିଲି–ସେ ବି ସେମିତି ତଳେ ଗଡ଼ୁଛି । ମୁଣ୍ଡରେ ମାଟି ଲଦାହେଇଛି, ସେ ମୋତେ ଦେଖି କହିଲା–କି ଗୁଣେ ଭମର ରସିଲୁ, ମଧୁମାଳତୀ କି ଆଡ଼ କରିଦେଇ ଧୁତୁରା ବଣରେ ପଶିଲୁ.......

 

ପୁଣି କହିଲା ମୋତେ–ନବ, ତୁ ପଳେଇଗଲୁ ସେ ଦିନ କାହିଁକି ? ତୁ ଯଦି ଭଲ ମଣିଷ, ମୋତେ ଦେଖି ପଳେଇଲୁ କାହିଁକି ? ତୋ ଉଦ୍ଦେଶ୍ୟ ଖରାପ, ତା’ନ ହେଲେ ପଳାନ୍ତୁ, ମୋତେ ଦେଖି......

 

ମୁଁ ସେଠୁଁ ଚାଲି ଆସିଲି ବାବୁ, ପାଗଳାଙ୍କ କଥା କଣ, ବୁଝିବି, ଶୁଣିବି ଠିଆ ହୋଇ ?

 

ଯାମିନୀବାବୁ ନବ ମୁହଁରୁ ମହନା ଏବଂ ରସମା’ ଗେରସ୍ତର ଅବସ୍ଥା । ଶୁଣି ଗୋଟିଏ ଦୀର୍ଘ ନିଶ୍ୱାସ ପକେଇ କହିଲେ–ସେମାନଙ୍କର ଇମିତି ଅବସ୍ଥା ହେଇଛି ?

 

X X X

 

ସତ୍ୟବତୀ ଇତିମଧ୍ୟରେ ଧନିମା, ମହନ୍ତିଆଣୀ ଦୁହିଁଙ୍କୁ ସାଙ୍ଗରେ ଘେନି ଡାକ୍ତରଖାନାକୁ ବାରମ୍ବାର ଯାଇ ଭଜହରିର ଭାରିଯା, ପିଲାଙ୍କୁ ଦେଖି ଆସି, ସେମାନଙ୍କ ଶାରୀରିକ, ମାନସିକ ଏବଂ ଆର୍ଥିକ ସବୁ ଦିଗରେ ଉନ୍ନତିର ବିଷୟ ବେଶ ରସାଳ କରି ଯାମିନୀବାବୁ ଏବଂ ସୁରମା ଆଗରେ ବାରମ୍ବାର ପରିବେଷଣ କରିବାରେ ଲାଗିଥିଲେ, କିନ୍ତୁ ଆଉ ଦିନେ ଡାକ୍ତରଖାନାକୁ ଯାଇ ଫେରି ଆସି ସତ୍ୟବତୀ ଯାମିନୀବାବୁଙ୍କ ଅଳ୍ପ ଦୂରରେ ଥକ୍‍କା ହୋଇ ବସି ପଡ଼ିଲେ । ସୁରମା ଅଳ୍ପ ଦୂରରେ ଠିଆ ହୋଇଥାନ୍ତି ଉଢ଼ାଳରେ ।

 

ସତ୍ୟବତୀଙ୍କୁ ବିମର୍ଷ ଏବଂ ଅବଶ ଦେଖି ଯାମିନୀବାବୁ ପ୍ରଶ୍ନ କଲେ–ମା, କେମିତି ଆଜି ଦେଖିଲ ? ସେମାନଙ୍କର ଆଉ କଣ ଖବର ?

 

ସତ୍ୟବତୀ ଯାମିନୀବାବୁଙ୍କ ପ୍ରଶ୍ନର ଉତ୍ତର ଦବାକୁ ଯାଇ ଅଶ୍ରୁସିକ୍ତ ନୟନରେ ଯାମିନୀବାବୁଙ୍କୁ କିଛି ସମୟ ଚାହିଁ ରହିଲେ ।

 

ଯାମିନୀବାବୁ ମା’ଙ୍କର ଏପରି ଅବସ୍ଥା ଦେଖି ଶଙ୍କିତ ହୋଇ ମନେ ମନେ ଭାବିଲେ–କଣ ହେଇଛି କି ଆଜି ? ଭଜଦା ସ୍ତ୍ରୀ, ପିଲାଙ୍କର ଦେହ ପୁଣି ଅସୁସ୍ଥ ହେଲା କି ? ମା’ଙ୍କର ଆଖି ସଜଳ କାହିଁକି ?

 

ଯାମିନୀବାବୁ ଆଉ ବିଳମ୍ବ ନ କରି ପଚାରିଲେ–ମା, କ’ଣ ହେଇଛି କହୁନା କାହିଁକି ?

 

ସତ୍ୟବତୀ ଆଖିର ଅଶ୍ରୁକୁ ସମ୍ଭାଳି ନେଇ କହିବାକୁ ଲାଗିଲେ–କିଛି ହେଇ ନାହିଁ, ତେବେ ଭଜ ଆଜି ମନ ମୋର ଭାରି ବ୍ୟସ୍ତ ହଉଛି ।

 

ଯାମିନୀବାବୁ ପ୍ରଶ୍ନ କଲେ–କଣ ହେଇଛି ଭଜଦାଙ୍କର ? କଣ କହିଲେ ତାଙ୍କର ସ୍ତ୍ରୀ ? ଭଜଦାଙ୍କ ସହିତରେ ତୁମର ଆଜି ଦେଖା ହେଲା କି ?

 

ସତ୍ୟବତୀ ବିମର୍ଷ ହୋଇ ଉତ୍ତର ଦେଲେ–ନା, ଭଜ ସହିତରେ ମୋର ଦେଖା ହୋଇ ନାହିଁ । କିନ୍ତୁ ଆଜି ଭଜର ସ୍ତ୍ରୀ କହିଲା–ଭଜ ଆଜିକି ଦୁଇ, ତିନି ଦିନ ହବ, କୁଆଡ଼େ ଡାକ୍ତରଖାନାକୁ ଆସି, ତା’ର ସ୍ତ୍ରୀର ଯେତେବେଳେ ଡାକ୍ତରଖାନାରେ ଖାଇବାକୁ ମିଳୁଛି, ତା’ ସ୍ତ୍ରୀ ଖାଇବାକୁ ବସୁଛି, ଭଜ ସେ ମାଇକିନିଆ ଓ୍ୱାର୍ଡରେ ସବୁ ମାଇପିଙ୍କ ସାମନାରେ, ତା’ ସ୍ତ୍ରୀ କତିରେ ମୁଣ୍ଡବାଡ଼େଇ କାନ୍ଦୁଛି, ଏଣେ କହୁଛି–ମୋତେ ଗଣ୍ଡାଏ ଖାଇବାକୁ ଦେ, ମୁଁ ମରିଯିବି, ମୋର ହଁସା ଉଡ଼ିଯାଉଛି, ମୁଁ ଗଣ୍ଡାଏ ଭାତ ଖାଇବି, ମୋତେ ଗଣ୍ଡାଏ ଭାତ ଦେ......

 

ଭଜ ତା’ ସ୍ତ୍ରୀ କତିରୁ ସେଇଠି ଭାତ ମାଗିନେଇ ଖାଉଛି । ଆହା ! ଭଜ କପାଳରେ ୟା ଥିଲା । କି ଘର ପିଲା ସେ ! ଯେମିତି ଗୁଣ, ସେମିତି ଫଳ । ମୋ ସାଙ୍ଗରେ ଦେଖା ହେଇଥିଲେ, ମୁଁ ଭଜକୁ ଡାକି ଆଣିଥାନ୍ତି, କିନ୍ତୁ ମୋ ସାଙ୍ଗରେ ତ କେଭେ ଦେଖା ହଉନି ।

 

ସତ୍ୟବତୀ ପୁଣି କହିଲେ–ମୁଁ ତ ଜାଣିଥିଲି, ଭଜ ଗୋଟିଏ ବାବୁ ଘରେ କାମ କରୁଥିଲା-। ଆଜି ତା’ ସ୍ତ୍ରୀ କତିରୁ ଶୁଣିଲି–ଭଜ ସେ ବବୁ ଘରୁ ମଧ୍ୟ ବାହାରିଗଲାଣି । ବର୍ତ୍ତମାନ ଆଉ କିଛି କାମଧନ୍ଦା ନାହିଁ । ସେଇଥିଲାଗି ଆଉ ଖାଇବାକୁ ପାଉନି । ତେବେ ଖାଇବାକୁ ନ ପାଇଲା ବୋଲି ଡାକ୍ତରଖାନାରେ ସ୍ତ୍ରୀ କତିରୁ ଭାତ ମାଗିଖାଉଛି, କି କଥା ଏ । ମୋ ଘରକୁ ଆସିବାକୁ ହଉନି-? ଏଡ଼େ ଆଣ୍ଟ ! ମୁଁ ତା’ର ଇମିତି କି ଦୋଷ କଲିଯେ.......

 

ଯାମିନୀବାବୁ କହିଲେ–ଭଜଦାଙ୍କୁ ଡାକି ଆଣିଲେ ହୁଅନ୍ତା । ନ ଖାଇ, ନ ପିଇ କୋଉଠି ବୁଲୁଛନ୍ତି ।

 

ଯାମିନୀବାବୁଙ୍କ ମୁହଁରୁ ଭଜହରିକୁ ଡାକି ଆଣିବା କଥା ଶୁଣି ସତ୍ୟବତୀ ମନେ ମନେ ପୁଲକ ଅନୁଭବ କଲେ । କାରଣ ସେ ମଧ୍ୟ ଭାବୁଥିଲେ–ଭଜକୁ ଡାକି ଆଣିଲେ ଭଲ ହୁଅନ୍ତା, କିନ୍ତୁ ପୁଅକୁ ଭରସି କହିପାରୁ ନ ଥିଲେ । କାଳେ ପୁଅ ମନା କରି ଦେଇପାରେ ! ବର୍ତ୍ତମାନ ସତ୍ୟବତୀ ସାଗ୍ରହେ ପ୍ରଶ୍ନ କଲେ–ଡାକିଆଣିବୁ, ଦେଖୁଛୁ ସେ କେଉଁଠି ଅଛି ? ଯାମିନୀବାବୁ ଉତ୍ତର ଦେଲେ–ନା, ମୁଁ କିମିତି ଦେଖିଲି, ସେ କୋଉଠି ଅଛନ୍ତି ? ତେବେ ମୁଁ ଭାବୁଛି–ଡାକ୍ତରଖାନାକୁ ଗଲେ ତାଙ୍କ ସହିତରେ ଦେଖା ହୋଇପାରେ । ସେ ତ ପ୍ରାୟ ତାଙ୍କ ସ୍ତ୍ରୀ କତିକି ଆସୁଛନ୍ତି । ଆଉ ମୁଁ ମଧ୍ୟ ଅନେକ ଦିନ ହେଲାଣି ଭଜଦାଙ୍କର ସ୍ତ୍ରୀ ପିଲାଙ୍କୁ ଦେଖି ନାହିଁ । ଟିକିଏ ଦେଖି ଆସନ୍ତି ।

 

ପୁଅର ଏ ପ୍ରସ୍ତାବରେ ସତ୍ୟବତୀ ଆନନ୍ଦ ପ୍ରକାଶ କରି ଯାମିନୀ ବାବୁଙ୍କୁ ଉତ୍ସାହିତ କରିବାକୁ ଲାଗିଲେ ।

 

ଯାମିନୀବାବୁ ଡାକ୍ତରଖାନାକୁ ବାହାରିଗଲେ । ଯାମିନୀବାବୁ ଯିବାର କିଛିକ୍ଷଣ ପରେ, ସତ୍ୟବତୀ ଭଜହରିର ପୁନରାଗମନର କଳ୍ପନାରେ ଆନନ୍ଦ ଅନୁଭବ କରି ବଧୂ ସୁରମାକୁ କହିବାକୁ ଲାଗିଲେ–ବୁଝିଲ ବୋହୂ, ଭଜ ଅମଣିଷ ହେଲା ବୋଲି କଣ ତା’ ସାଙ୍ଗରେ ଆମେ ବି ଅମଣିଷ ହବୁ ? ଭଜ କେଡ଼େ ବଡ଼ଘର ପିଲା ! ଆମେ ଥାଉ ଥାଉ ସେ ମାଗି ଖାଇବ ? ଏ ଦିହ ସହିବ କି ? ଏ କଣ ଗୋଟାଏ ଭଲ କଥା । ତା’ରି ଆଣ୍ଟ ପଛେ ରହୁ, ସେ ନ ଆସିଲା ନାହିଁ । ଆମେ ଡାକି ଆଣିବୁ, ଅମରି ଜାଣି ସବୁ ଦୋଷ । ସେ ଭଲ ହେଲା, ଆମେ ମନ୍ଦ ହେଲୁ । ଭଜ କିମିତି ଫେରି ଆସୁ ।

 

ଶାଶୁ ସତ୍ୟବତୀଙ୍କ କଥା ଶୁଣି ସୁରମା କହିଲେ–ସେ ଯଦି ଫେରି ଆସିବ, ଆମେ ତାଙ୍କୁ ଖୋଇ ପେଇ ରଖିଲେ, ତାଙ୍କର କଣ ବୁଦ୍ଧି ବଦଳି ଯିବ ମା ? ଆମେ ବା କେତେଦିନ ତାଙ୍କୁ ଖୋଇ ପେଇ ରଖିପାରିବୁ ?

 

ସତ୍ୟବତୀ କହିଲେ–ବୋହୂ, ଭଜ ଅଭାବରେ ପଡ଼ି ସେମିତି ହେଇଛି । ଆଜି ଯଦି ତା’ର ଅଭାବ ଘୁଞ୍ଚିଯିବ, ସେଇ ଲୋକର ଦେଖିବ ପୁଣି ଭଲ ବୁଦ୍ଧି ହବ । ପ୍ରକୃତ ଆମେ ତାକୁ କଣ ସବୁଦିନ ଖୋଇ ପେଇ ରଖିପାରିବୁ ? ସେ ଶକ୍ତି ଆମର କାହିଁ ? ତେବେ ଭଜ ଖାଇବାକୁ ପାଉନି, ମୁଁ ଖାଇ ପିଇ ବସିଛି । ଭଜ ଯଦି ମୋର ନିଜ ପୁଅ ହେଇଥାନ୍ତା, ମୁଁ ଏମିତି କରିପାରନ୍ତି କି ? ଭଜ ଅମଣିଷ ଜାଣିପାରୁଛି, କିନ୍ତୁ କଣ......

 

ସତ୍ୟବତୀଙ୍କ କଥା ଶେଷ ନ ହେଉଣୁ ଯାମିନୀବାବୁ ଡାକ୍ତରଖାନାରୁ ଫେରି ଆସି ମା’ଙ୍କୁ ଡାକିଦେଲେ ।

 

ସତ୍ୟବତୀ ଯାମିନୀବାବୁଙ୍କ ଡାକ ଶୁଣି ଆନନ୍ଦରେ ପଚାରି ଉଠିଲେ–କିରେ, ଭଜ ଆସିଛି ?

 

ଯାମିନୀବାବୁ ଥକ୍‍କା ହୋଇ ବସି ପଡ଼ି କହିବାକୁ ଲାଗିଲେ–ନା, ମା, ଭଜଦାଙ୍କ ସହିତରେ ଦେଖା ହେଲା ନାହିଁ । ଅଳ୍ପ ଟିକିଏ ସମୟର ତଫାତ୍ ଯୋଗୁଁ ଭଜଦାଙ୍କ ସହିତରେ ଭେଟ ହୋଇ ପାରିଲାନି, ଭଜଦାଙ୍କ ସ୍ତ୍ରୀ କହିଲେ–ଭଜଦା ତାଙ୍କ କତିକି ଆସିଥିଲେ, କିନ୍ତୁ ମୋର ପହଞ୍ଚିବା ଅଳ୍ପ ସମୟ ଆଗରୁ ଚାଲିଗଲେ ।

 

ଭଜଦାଙ୍କର ସ୍ତ୍ରୀ, ପିଲାଙ୍କୁ ଦେଖିଲି ମା, ଆହା ! ସେମାନଙ୍କର କି ପରିବର୍ତ୍ତନ ହେଇଛି । ପଫ ମୋତେ ପ୍ରଥମେ ଚିହ୍ନି ପାରିଲାନି । ଭଜଦାର ସ୍ତ୍ରୀ ମଧ୍ୟ ମୋତେ ଟିକିଏ ଲାଜ ଲାଜ ହେଲେ । ଯା’ ହେଉ ମା ସେମାନଙ୍କୁ ଏମିତି ରୂପରେ ଦେଖିବାର ମୋର ଆଶା ନ ଥିଲା । ଖାଲି ଔଷଧିରେ ହୁଏ ନା, ମା, ଖାଦ୍ୟ ଦରକାର, ଯତ୍ନ ଦରକାର, ତେବେ ରୋଗୀ ସୁସ୍ଥ ସବଳ ହୁଏ । ଡାକ୍ତରଖାନାକୁ ନ ଯାଇଥିଲେ ପିଲା ଦୋ’ଟି ଆଉ ନ ଥାନ୍ତେ । ଭଜଦାଙ୍କ ସ୍ତ୍ରୀର ମଧ୍ୟ ଇମିତି ପରିବର୍ତ୍ତନ ହେଇ ନ ଥାନ୍ତା । ଭଜଦା ସ୍ତ୍ରୀଙ୍କ କତିରୁ ଶୁଣିଲି–ଭଜଦା କୁଆଡ଼େ ଗୋଟିଏ ହୋଟେଲରେ ରହିବାର ଯୋଗାଡ଼ କରୁଛନ୍ତି....

 

ସତ୍ୟବତୀ ଏସବୁ କଥା ଶୁଣି କହିଲେ–ଡାକ୍ତରଖାନାର ଖାଦ୍ୟ, ସେବା ଶୁଶ୍ରୂଷା ଆମେମାନେ କଣ ଦେଇ ପାରନ୍ତୁ, ନା, କରି ପାରନ୍ତୁ ? ସବୁ ଭଲ ହେଲା, କିନ୍ତୁ ଭଜର ଅବସ୍ଥା ଆଉ ଫେରିଲା ନାହିଁ । ଆଉ ଭଜ ସାଙ୍ଗରେ ମୋର ଦେଖା ହବ ନାହିଁ । ଭଜ ରହୁଛି କୋଉଠି, ତା’ର ସ୍ତ୍ରୀ କିଛି କହୁଥିଲା କି ?

 

ଯାମିନୀବାବୁ ଉତ୍ତର ଦେଲେ–ଭଜଦାଙ୍କର ସ୍ତ୍ରୀକୁ ପଚାରିଥିଲି, ସେ କିଛି କହିପାରିଲେ ନାହିଁ ।

 

ସତ୍ୟବତୀ ଅଳ୍ପ ରାଗିଯାଇ କହିଲେ–ଭଜ ସ୍ତ୍ରୀ କହିପାରିବ କାହିଁକି ? ସେ ତ ଖାଇପିଇ ଦୋତାଲା ଉପରେ ଶୋଉଛି, ସେ କାହିଁକି ଭଜର ଖବର ରଖିବ ? କଥାରେ ଅଛି–‘ଥିଲି କି, ହେଲି କି, ଦେଖ ମୋର ଚାଲିକି’ । ଭଜ ତାକୁ ନ ଜାଣି ପାହାର ଦିଏ ? ସେଇ ଅଲକ୍ଷଣୀ ଯୋଗୁଁ ଭଜର ଏ ଅବସ୍ଥା.....

 

ସତ୍ୟବତୀ କଥା କହୁ କହୁ ତାଙ୍କର ଆଖି ସଜଳ ହୋଇ ଉଠିଲା ।

 

-୧୮-

 

କିଛି ଦିନ ପରେ ସତ୍ୟବତୀ ଅସୁସ୍ଥ । ଜ୍ଞାନ ନାହିଁ । ମୁଣ୍ଡରେ ବରଫ ଲଦା ହୋଇଛି । କତିରେ କେବଳ ଯାମିନୀବାବୁ ଆଉ ସୁରମା, ଅନ୍ୟ କେହି ନାହାନ୍ତି । ସହିପଡ଼ିଶାଙ୍କ ମଧ୍ୟରୁ କେତେବେଳେ କିଏ ଆସି ଦେଖି ଚାଲି ଯାଉଛନ୍ତି ।

 

ଯାମିନୀବାବୁ ମନେ ମନେ ଶଙ୍କିତ–କେତେବେଳେ କଣ ଘଟିପାରେ ! କତିରେ କେହି ନାହାନ୍ତି ।

 

ଦିନ ଆସି ଶେଷ ହବା ଉପରେ । ଆଉ ଅଳ୍ପ ସମୟ ପରେ ସୂର୍ଯ୍ୟ ତାଙ୍କର ଦେଇଥିବା ଆଲୋକ ଧରିତ୍ରୀ ଉପରୁ ଗୋଟେଇ ନେଇ ଚାଲି ଯିବାର ଆୟୋଜନରେ ବ୍ୟସ୍ତ । ଏହି ସମୟରେ ଯାମିନୀବାବୁ ସୁରମାକୁ ଅଧୈର୍ଯ୍ୟ ହୋଇ କହିବାକୁ ଲାଗିଲେ–ଦିନ ତ କୌଣସି ରକମ କଟିଗଲା, ପୁଣି ରାତି ଆସୁଛି ! ରାତି କିମିତି କଟିବ ! କତିରେ ତ କେହି ଗୋଟିଏ ଲୋକ ନାହାନ୍ତି ।

 

ସୁରମା ବିଷାଦଭରା କଣ୍ଠରେ କହିଲେ–ଭଲ ବେଳରେ ଲୋକଗୁଡ଼ାକ କୁଆଡ଼ୁ ଆସି, କେତେ ହଇରାଣ କରିଗଲେ, ଅଥଚ ଦରକାର ବେଳେ କାହାରି ଗୋଟିଏ ଦେଖା ନାହିଁ ।

 

ସୁରମା ଏଇ କଥା କହୁ କହୁ ବାହାରଆଡ଼କୁ ଅକସ୍ମାତ୍ ଚାହିଁଦେଲା ମାତ୍ରେ ଦେଖିଲେ–ଭଜହରିର ସ୍ତ୍ରୀ, ସାନ ପୁଅଟିକି କାଖରେ ଯାକି ଏବଂ ବଡ଼ ପୁଅଟିର ହାତଧରି ଚାଲି ଚାଲି ତାଙ୍କରିଆଡ଼କୁ ଆସିବାପାଇଁ ପାହାଚ ଉପରେ ଉଠୁଛନ୍ତି ।

 

ଡାକ୍ତରଖାନାକୁ ଗଲା ଦିନୁଁ ସୁରମା ଭଜହରିର ସ୍ତ୍ରୀ, ପିଲାଙ୍କୁ ଦେଖି ନ ଥିଲେ । ଆଜି ପ୍ରଥମେ ଦେଖି ସୁରମା ଆଶ୍ଚର୍ଯ୍ୟ ହୋଇଗଲେ । କାରଣ–ଭଜହରିର ସ୍ତ୍ରୀ ବେଶ ସୁସ୍ଥ, ସବଳ, ବର୍ଣ୍ଣ–ଗୌର, ପରିଧାନରେ–ଖଣ୍ଡିଏ ଚଉଡ଼ା କଳାଧଡ଼ିଆ ଶାଢ଼ି, କପାଳରେ–ଗୋଟିଏ ବଡ଼ ସିନ୍ଦୁର ଟୋପା, ହାତରେ–ସେଇ ପୁରୁଣା ସରୁ ସରୁ ରୂପାର ଦୁଇ ଦୁଇ ପଟ ଚୁଡ଼ି, କିନ୍ତୁ ଚୁଡ଼ି ପୁରୁଣା ହେଲେ କଣ ହେବ ? ଦେହର ପରିବର୍ତ୍ତନର ସଙ୍ଗେ ସଙ୍ଗେ ସେ ଚୁଡ଼ିର ଯେପରି ନୂତନତ୍ୱ ଫୁଟିଉଠିଛି ! ସୁଗୋଲ ହାତରେ ସେଗୁଡ଼ିକ ଯେପରି ମାୟାରେ ଗୁରେଇ ହୋଇପଡ଼ିଛନ୍ତି । ଭଜହରିର ସ୍ତ୍ରୀର ଏ କି ସୌନ୍ଦର୍ଯ୍ୟ ! ଏ ସୌନ୍ଦର୍ଯ୍ୟ ସୁଦୂର ବାରିଧିସଂଲଗ୍ନ ଚକ୍ରବାଳରୁ ରାକାଇନ୍ଦୁର ଉଦୟର ସୌନ୍ଦର୍ଯ୍ୟ ନୁହେଁ ଏ ସେଇ ବାରିଧି ସଂଲଗ୍ନ ସୁଦୂର ଚକ୍ରବାଳରେ ବଙ୍କିମରଜତ ରେଖା’ର ବିକାଶର ଶୋଭା !

 

ପୁଅ ଦୁଇଟିର ଦୈହିକ ପରିବର୍ତ୍ତନ ମଧ୍ୟ ଅତୁଳନୀୟ । ଭଜହରିର ପୂର୍ବର ସେଇ କଙ୍କାଳ ବିଶିଷ୍ଟ ଦୁଇଟି ପୁତ୍ର ସନ୍ତାନକୁ ମନେ କଲେ ଏ ଦୁଇଜଣ ଯେପରି ସମ୍ପୂର୍ଣ୍ଣ ପୃଥକ । ଏଣିକି ପଫ ବର ନାମ ଧରି ଡାକିବାକୁ ସଙ୍କୋଚ ବୋଧ ହୁଏ ଏ ଦୁଇଜଣ ଯେପରି ସାକ୍ଷାତ୍ ଗଣେଶ, କାର୍ତ୍ତିକେୟ ।

 

ଭଜହରିର ସ୍ତ୍ରୀ ଏ ଦୁଇଟି ପୁତ୍ର ସନ୍ତାନ ଘେନି ଯେପରି ଗଣେଶ, କାର୍ତ୍ତିକ ସହ ସାକ୍ଷାତ୍ ସ୍ୱୟଂ ଶଂକରୀ ରୂପରେ ଆବିର୍ଭୂତା ! ଭଜହରିର ସ୍ତ୍ରୀର ‘ସୁଧା’ ନାମ ବର୍ତ୍ତମାନ ସୁରମାଙ୍କର ବାରମ୍ବାର ମନେ ପଡ଼ିଲା, ସେ ଅନ୍ୟ ଆଖ୍ୟାରେ ଭଜହରିର ସ୍ତ୍ରୀକୁ ଭାବିବାରେ କୁଣ୍ଠାବୋଧ କଲେ-

 

ସୁଧା ଯେତେବେଳେ ପାହାଚ ଅତିକ୍ରମ କରି ଆସି ସୁରମା କତିରେ ଘର ଭିତରେ ଠିଆ ହେଲେ, ସତ୍ୟବତୀଙ୍କ ଅବସ୍ଥା ଦେଖି ଚମକି ପଡ଼ିଲେ । ସୁରମା ବସିବାକୁ କହିଲେ; କିନ୍ତୁ ସୁଧା ବସିବେ କଣ, ସତ୍ୟବତୀଙ୍କ କତିରେ ଠିଆହୋଇ ତାଙ୍କର ସାରାଅଙ୍ଗ ଆଉଁଶିଦବାକୁ ଲାଗିଲେ ଏବଂ ସଙ୍ଗେ ସଙ୍ଗେ ସୁରମାଙ୍କ କତିରୁ ସତ୍ୟବତୀଙ୍କ ଅସୁସ୍ଥତାର ସମସ୍ତ ବିବରଣ ବୁଝିବାକୁ ଲାଗିଲେ ।

 

ସୁରମା ମଧ୍ୟ ଶାଶୁଙ୍କର ଅସୁସ୍ଥ ଅବସ୍ଥାରେ ସୁଧାକୁ କତିରେ ପାଇ ମନେ ମନେ ଟିକିଏ ସାହସ ଅନୁଭବ କଲେ–କାରଣ, କେହି କତିରେ ନ ଥିଲେ ସୁଧା ଯେତେବେଳେ ଆସି ପହଞ୍ଚିଲେଣି ଆଉ ଭାବନା କଣ !

 

ତେବେ ପୁଣି ମଧ୍ୟ ସୁରମା ଭାବିଲେ–ସୁଧା ଯଦି ଡାକ୍ତରଖାନାରୁ ଇମିତି ବୁଲିବାକୁ ଚାଲି ଆସିଥାନ୍ତି, ପୁଣିତ ଫେରି ଯିବେ, ତେବେ କତିରେ ଆଉ ତ ରହିବାକୁ କେହି ନାହିଁ । ଏଇ କଥା ଭାବି ସୁରମା, ସୁଧାକୁ ପ୍ରଶ୍ନ କଲେ–ତୁମେ କଣ ଡାକ୍ତରଖାନାକୁ ପୁଣି ଫେରିଯିବ ?

 

ସୁଧା ସତ୍ୟବତୀଙ୍କ ଦେହରେ ହାତ ବୁଲଉ ବୁଲଉ କହିଲେ–ନା, ମୁଁ ଡାକ୍ତରଖାନାରୁ ବିଦାୟ ଦେଇ ଆସିଛି । ଆଉ ସେଠି ରହିବାକୁ ଦେଲେ ନାହିଁ । ଆମେମାନେ ତ ଭଲ ହେଇଗଲୁ, ଆଉ ରଖିବେ କାହିଁକି ? ସେଇଥିଲାଗି ବିଦାୟ କରିଦେଲେ ।

 

ସୁରମା କହିଲେ–ତା’ ହେଲେ ତୁମେ ଏଠି ଆଜିଠୁଁ ରହିବତ ?

 

ସୁଧା ଉତ୍ତର ଦେଲେ–ନା, ମୁଁ ଏଠି ଆଉ ରହି ପାରିବି ନାହିଁ । ମୁଁ ଆଜି ରାତିରେ ଚାଲିଯିବି ଆମ ଗାଁକୁ ।

 

ସୁରମା ପଚାରିଲେ–ତୁମେ ଡାକ୍ତରଖାନାରୁ ଏଠିକି କଣ ଏକା ଚାଲି ଆସିଲ ?

 

ସୁଧା ଉତ୍ତର ଦେଲେ–ନା, ମୁଁ ଏକା କିମିତି ଆସିବି ?

 

ମୋର ସ୍ୱାମୀ ମୋତେ ସାଙ୍ଗରେ ନେଇ ଆସିଲେ, କିନ୍ତୁ ଏଠିକି ମୋତେ ଆସିବାକୁ ଛାଡ଼ୁ ନ ଥିଲେ । ମୁଁ ଜୋର କରି ଆସିଲି, ଟିକିଏ ତୁମମାନଙ୍କୁ ଦେଖିଯିବ ବୋଲି । ଯେତେବେଳେ ଚାଲିଯିବି, ଥରେ ଦେଖି ନ ଯିବି କିମିତି ? ତା’ ପରେ ଏଠି ଦୋକାନୀର ଯେଉଁ ଟଙ୍କା ଆମ ଉପରେ ବାକି ଅଛି, ତାକୁ ଛିଣ୍ଡେଇ ଦେଇ ଯିବାକୁ ହବ, ଆଉ ମୋର କେତେଟା ଜିନିଷ ମଧ୍ୟ ଏଠି ଅଛି ତାକୁ ନେଇଯିବି ।

 

ସୁରମା ସୁଧାର ଏ କଥା ଶୁଣି ମନେ ମନେ ନିଜକୁ ଏକାନ୍ତ ଅସହାୟ ଭାବି କାତର କଣ୍ଠରେ କହିଲେ–ମୁଁ କହିଥିଲି, ମା’ଙ୍କର ଦିହ ଯେତେବେଳେ ଏପରି ହେଇଛି, ଆମ କତିରେ କେହି ନାହିଁ, ଟିକିଏ ସାହାଯ୍ୟ କରିବା ପାଇଁ, ବଡ଼ ଭୟ ଲାଗୁଛି, ତୁମେ ଯେତେବେଳେ ଆସିଛ, ଅନ୍ତତଃ ମା’ ଭଲ ହବାଯାଏ ରହିଗଲେ ଭାରି ଉପକାର କରନ୍ତ ।

 

ସୁଧା ସୁରମାର କଥାର ଉତ୍ତର ଦବାକୁ ଯାଇ କହିଲେ–ବୋହୂ, ଏ କି ହୋଇପାରେ ? ତୁମେ ତ ମୋ ସ୍ୱାମୀ କଥା ଜାଣ, ସେ କେମିତି ରାଜି ହୋଇଛନ୍ତି, ମୋତେ ନେଇ ମୋ ବାପଘରେ ଛାଡ଼ିବା ପାଇଁ, ଯଦି ମୁଁ ଏଥିରେ ବିଳମ୍ବ କରେ, ଆଉ ମୋତେ ମୋ ବାପ ଘରକୁ ନେବେ ନାହିଁ ।

 

ସୁରମା ପଚାରିଲେ–ତୁମେ ତୁମର ବାପଘର ଗାଁକୁ ଯିବ ? ଏ ଶ୍ୱଶୁର ଘର ଗାଁରେ ଯେ ଘର ତୋଳା ହଉଥିଲା, ସେଠିକି ଯିବ ନାହିଁ ?

 

ସୁଧର ଉତ୍ତର ଦେଲେ–ନା, ବୋହୂ, ସେ ଗାଁରେ ମୁଁ ଚଳିପାରିବି ନାହିଁ । ମୋର ସ୍ୱାମୀଙ୍କୁ ତ ଜାଣ, କେଡ଼େ ସନ୍ଦେହୀ ଲୋକ, ମୁଁ ସେଠି ଏକା ଚଳିପାରିବି ନାହିଁ । ମୋର ପୁଅ ଦୋ’ଟି ବଢ଼ିଗଲେ ଯଦି ହବତ ସେତେବେଳେ ସେ ଗାଁକୁ ଆସିବି । ବୋହୂ, ମୁଁ କିମିତି ମୋ ବାପଘରକୁ ଯାଏ ! ଯେତେ ହାଲ ହେଲିଣି ! ବାପଘରକୁ ଗଲେ ଯାଇ ସବୁ କଥା । ବୋହୂ, ତୁମେମାନେ ମୋର ବହୁତ ଉପକାର କରିଛ, କେଭେ ନିନ୍ଦିବି ନାହିଁ । ସେ (ସ୍ୱାମୀ) ଅମଣିଷ ହେଲେ ବୋଲି କଣ ମୁଁ ଅମଣିଷ ହେବି ?

 

ସୁଧା କାନ୍ଦ କାନ୍ଦ ହୋଇ କହିଲେ–ବୋହୂ, ମୋ ଧନ ସମ୍ପତ୍ତି ନାହିଁ, ମୋର ଏଇ ପୁଅ ଦୋ’ଟି ସମ୍ବଳ । ଯା’ ହଉ ତୁମମାନଙ୍କ ପାଇଁ ଏ ଦୋ’ଟି ବଞ୍ଚିଲେ ଭଗବାନ ତୁମ୍ଭମାନଙ୍କର ମଙ୍ଗଳ କରନ୍ତୁ ।

 

ସୁଧା ପୁଣି କହିଲେ–ମୁଁ ଟିକିଏ ରସମା’ ସଙ୍ଗରେ ଦେଖା କରି ଯିବି । ଯେତେବେଳେ ଥିଲି ତାଙ୍କ ଘରେ, ତାଙ୍କର ମଧ୍ୟ କଣ ଘରଭଡ଼ା ଆମ ଉପରେ ଅଛି, ତାକୁ ଛିଣ୍ଡେଇ ଦେବି ଯିବି । ସେ କାହିଁକି ପଦେ ପଛରେ ଗାଳିଦବ ?

 

ସୁଧା ଯାମିନୀବାବୁଙ୍କୁ ପଚାରି ଯାମିନୀବାବୁଙ୍କ ବାରଣସତ୍ୱେ ଦୋକାନୀର ସମସ୍ତ ଟଙ୍କା ସୁରମାର ଜିମା ଦେଇ ଦେଲେ ଏବଂ ନିଜର ଯା’ ଜିନିଷପତ୍ର ଦି’ଖଣ୍ଡ ହାତରେ ଧରି, ସୁରମାଙ୍କ କତିରୁ ବିଦାୟ ନେଇ ବାହାରିଲେ ରସମା’ ଘରକୁ । ଗଲାବେଳେ ସୁରମାଙ୍କୁ କହିଗଲେ–ବୋହୂ, ଗାଳିଦବ ନାହିଁ ଯାଉଛି, ମନେ କରୁଥିବ, ଭୁଲିବ ନାହିଁ ।

 

ସୁରମା ପଚାରିଲେ–ରସମା’ ଘରୁ ପୁଣି ଯିବ କିମିତି ?

 

ସୁଧା ନିଜର ବଡ଼ ପୁଅକୁ ଦେଖେଇ କହିଲେ–ୟାର ବାପା ଆସି ମୋତେ ରସମା’ ଘରୁ ନେଇଯିବେ ।

 

ସୁଧା ବିଦାୟ ନେଇ ଚାଲିଗଲେ ।

 

ସତ୍ୟବତୀଙ୍କ ଅଜ୍ଞାନ ଅବସ୍ଥା ଯୋଗୁଁ ସେ, ଏ ସବୁ କିଛି ଜାଣି ପାରିଲେ ନାହିଁ ।

 

ସୁଧା ଚାଲିଗଲା ପରେ ସୁରମା ଯାମିନୀବାବୁଙ୍କୁ କହିଲେ–ଦେଖିଲ, ମା’ଙ୍କର ଏପରି ଅବସ୍ଥା ! ମୁଁ ଏତେ କରି କହିଲି, ତେବେ ସୁଦ୍ଧା ରହିଲେ ନାହିଁ । କିମିତି ମଣିଷ ସେ ଦେଖ । ଭଜଦା ପୁଣି ଏଇ ବାଟରେ ସ୍ତ୍ରୀ, ପିଲାଙ୍କୁ ଛାଡ଼ିଦେଇ ଗଲେ, ଅଥଚ ଥରେ ଆସିଲେ ନାହିଁ ।

 

ଯାମିନୀବାବୁ, ସୁରମାର କଥାରେ କିଛି ଉତ୍ତର ନ ଦେଇ ବିମର୍ଷ ଭାବରେ ଦାଣ୍ଡଆଡ଼କୁ ଚାଲିଗଲେ ।

 

ଯାମିନୀବାବୁ ଦାଣ୍ଡଆଡ଼କୁ ଯାଇ ଥକ୍‍କା ହେଇ ଦାଣ୍ଡ ଖଟ ଉପରେ ବସିପଡ଼ି ନତମୁଖରେ ଭାବିବାକୁ ଲାଗିଲେ–ଭଜଦା ଆସିବା ପରେ ଯା’ ହଉ ମୋର ‘ଗୀତା’ ପଢ଼ିବାର ବେଶ୍ ଗୋଟାଏ ଅଭ୍ୟାସ ହେଇଗଲା, କିନ୍ତୁ ‘ଗୀତା’ ପାଠର ଫଳ କାହିଁ ? ଯେ ବିପଦକୁ ତ ସେଇ ବିପଦ ଲାଗିରହିଛି ଆଜି ମା’ ପୀଡ଼ିତା, ଜ୍ଞାନହୀନା, କତିରେ କେହି ନାହାନ୍ତି, ପୁଣି ସାହାଯ୍ୟ କରିବାର ଲୋକ ଆସି, ଫେରି ଯାଉଛନ୍ତି ରହିବାକୁ ନାରାଜ ! ଏ କଣ ! ଏ’କି ସମସ୍ୟା ! କି ପରୀକ୍ଷା !

 

ଯାମିନୀବାବୁଙ୍କର ପୁଣି ମନେ ପଡ଼ିଲା–ସାଥି ବିନୟବାବୁଙ୍କର କଥା–ଯାମିନୀ, ‘ଗୀତା’ ପଢ଼, ‘ଗୀତା’ ପଢ଼ ନିଷ୍କାମ ଭାବରେ ପଢ଼ିବ...... ।

 

ମା’ଙ୍କର ଆଜି ଅବସ୍ଥା କିପରି ?

 

ଏ ପ୍ରଶ୍ନ ଶୁଣି ଯାମିନୀବାବୁ ସାମନାକୁ ଚାହିଁ ଦେଖିଲେ–ନବ, ନଟ ଉଭୟେ ଉପସ୍ଥିତ, ସନ୍ଧ୍ୟା ହେଇ ନାହିଁ ।

 

ନବ, ନଟ ଉଭୟଙ୍କର ଏ ଶୀଘ୍ର ଉପସ୍ଥିତିର କାରଣ–ଯାମିନୀବାବୁଙ୍କର ମା’ ସତ୍ୟବତୀଙ୍କ ଅସୁସ୍ଥତା, ଏବଂ ଶୋଚନୀୟ ଅବସ୍ଥା ।

 

ଯାମିନୀବାବୁ ନବ, ନଟକୁ କତିରେ ପାଇ ଟିକିଏ ସାହସ ଅନୁଭବ କରି ମାଙ୍କର ଅବସ୍ଥା ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ଭଜଦା ସ୍ତ୍ରୀ, ପିଲାଙ୍କର ଆକସ୍ମିକ ଆଗମନ ଏବଂ ବିଦାୟ ବୃତ୍ତାନ୍ତ ବର୍ଣ୍ଣନା କରିବାକୁ ଯାଇ କହିଲେ–ଦେଖ, ଭଜଦା ସ୍ତ୍ରୀଙ୍କୁ ଯେତେ ଅନୁରୋଧ କରାଗଲା–ମା’ଙ୍କର ଏପରି ଅବସ୍ଥାରେ କେତେଟା ଦିନ ରହି ସାହାଯ୍ୟ କରିବା ପାଇଁ, ଆଦୌ ରାଜି ହେଲେ ନାହିଁ । ଭଜଦା କୁଆଡ଼େ ରାଜି ହେଇଛନ୍ତି, ତାଙ୍କୁ ନେଇ ତାଙ୍କ ବାପଘରେ ଛାଡ଼ିଦେବେ, ବିଳମ୍ବ ହେଲେ, ହୁଏତ ଭଜଦାଙ୍କ ମତ ପୁଣି ବଦଳି ଯାଇପାରେ, ଏଇଥି ଲାଗି ତାଙ୍କ ସ୍ତ୍ରୀ ଆଉ ରହିଲେ ନାହିଁ ।

 

ନବ କହିଲା–ସତେ ! ଦେଖ, ଦେଖ, ବୁଝ କେମିତିଆ ଲୋକ ସେ ! ଅଭିକା କଣ ତାଙ୍କ ବାପଘରକୁ ଚାଲିଗଲେ ?

 

ଯାମିନୀବାବୁ କହିଲେ–ନା, ଅଭିକା ରସମା’ ଘରକୁ ଯାଇଛନ୍ତି । ଆଜି ରାତିରେ ସେଇଠୁ ତାଙ୍କ ବାପଘରକୁ ଚାଲିଯିବେ ।

 

ନବ କହିଲା–ରସମା’ ଘରେ ତ କେମ୍ପା ନାହିଁ, କୁଆଡ଼େ ପଳେଇଛି । ରସମା’ ଖାଲି ପାଗଳ ହେଇ ଘରେ ଗଡ଼ୁଛି, ଏ ଆଉ କାହିଁକି ଗଲେ ସେଠିକି ?

 

ଯାମିନୀବାବୁ କହିଲେ–ଭଜଦାର ବଡ଼ ପୁଅ ‘ପଫ’କୁ ତ ଦେଖିଥିଲ ତୁମେମାନେ, ବେରାମ ଥିବା ସମୟରେ, ବର୍ତ୍ତମାନ ଦେଖିଥାନ୍ତ କି ?

 

ଯାମିନୀବାବୁଙ୍କ କଥାର ସଙ୍ଗେ ସଙ୍ଗେ ସୁଧା ପିଲା ଦୁହିଁକି ରସମା’ ଘରେ ଛାଡ଼ି ଏକାକିନୀ ପୁଣି ଯାମିନୀବାବୁଙ୍କ ଘରକୁ ଫେରି ଆସିଲେ । ମୁଣ୍ଡରେ ଉରୁଣା ଦେଇ ଯାମିନୀବାବୁ, ନବ, ନଟ ସାମନାରେ କ୍ଷିପ୍ର ଗତିରେ ଘର ଭିତରକୁ ଚାଲିଗଲେ ।

 

ଯାମିନୀବାବୁ, ନବ, ନଟ ସମସ୍ତେ ଚୁପ୍ ହେଇଗଲେ, କିନ୍ତୁ ସୁଧାର ଅଙ୍ଗଭଙ୍ଗୀ, ଗତି ଏବଂ ସାହସ ଦେଖି ନଟବରଙ୍କ ମନେ ପଡ଼ିଲା–‘ସେତ ଆଷାଢ଼ ରଜନୀ ଡରୁନି’.....

ଅଳ୍ପ ସମୟ ପରେ ପୁଣି ଯେତେବେଳେ ସୁଧା ଘର ଭିତରୁ ବାହାରି ଯାମିନୀବାବୁଙ୍କ ସାମନା ଦେଇ ଚାଲିଯିବାକୁ ଲାଗିଲେ । ଯାମିନୀବାବୁ ପଚାରିଲେ–ପୁଣି କୁଆଡ଼େ ଫେରି ଆସିଲ-? ସୁଧା ଟିକିଏ ବୁଲି ଠିଆହେଇ ଉରୁଣା ଭିତରୁ ଉତ୍ତର ଦେଲେ–ଲୁଗା ଖଣ୍ଡେ ଛାଡ଼ି ଯାଇଥିଲି-

ଯାମିନୀବାବୁ କହିଲେ–ଟିକିଏ ପଫକୁ ନେଇ ଆସିବ, ଏମାନେ ଦେଖିବେ ବୋଲି କହୁଛନ୍ତି ।

ସୁଧା ଉତ୍ତର ଦେଲେ–ହଉ ।

ସୁଧା ଚାଲିଗଲା ପରେ, ଯାମିନୀବାବୁ ଆନନ୍ଦ ପ୍ରକାଶ କରି ନବ, ନଟ ଉଭୟଙ୍କୁ କହିଲେ–ବସ, ଦେଖିବ, କି କଙ୍କାଳମୂର୍ତ୍ତି ! କି ସୁନ୍ଦର ରୂପ ଧରିଛି ! କି ଲାବଣ୍ୟ ଫୁଟିଉଠିଛି । ଖାଦ୍ୟାଭାବ, ଅଯତ୍ନ ଅବହେଳାରେ ଲୋକ କେତେ ଶ୍ରୀହୀନ ହୋଇପଡ଼େ । ପୁଣି ଖାଦ୍ୟ ପାଇଲେ, ଯତ୍ନରେ ରହିଲେ ଲୋକ କିମିତି ସୁଶ୍ରୀ ଦେଖାଯାଏ । ପଫକୁ ଦେଖିଲେ ବୁଝିପାରିବ ।

ଯାମିନୀବାବୁ ନବ, ନଟକୁ ବସେଇ ରଖିଲେ, ପଫକୁ ଦେଖିବା ପାଇଁ । ନବ, ନଟ ମଧ୍ୟ ଅନେକ ସମୟ ବସି ରହିଲେ ।

ସନ୍ଧ୍ୟା ଯାଇ, ରାତି ହେଲା ଜହ୍ନ ଉଠିଲା, ଜହ୍ନ ଆସି ନଡ଼ିଆ ଗଛର ବାହୁଙ୍ଗା ଫାଙ୍କରେ ଲାଜ ଲାଜ ହେଇ ଚିହ୍ନା ଅଚିହ୍ନା ପରି ଦେଖାଦେଲା । ହେନା ଫୁଲର ଗନ୍ଧରେ ଚାରିଆଡ଼େ ଆକୁଳ ହୋଇ ଉଠିଲା ।

ଯାମିନୀବାବୁ ଅନେକ ଥର ଘର ଭିତରକୁ ଯାଇ, ପୁଣି ବାହାରକୁ ଆସି ଶେଷଥର ନବ, ନଟ କତିରେ ବସିପଡ଼ି ବ୍ୟସ୍ତ ହୋଇ କହିଲେ–ଭଜଦାଙ୍କ ସ୍ତ୍ରୀ ପଫକୁ ଟିକିଏ ଆଣିଲେ ନାହିଁ ଦେଖେଇବା ପାଇଁ । ମିଛରେ ଏତେ ସମୟ ଆମେମାନେ ଅପେକ୍ଷା କଲୁ !

ନବ, ନଟ ଉଭୟେ କହିଲେ–ଯା’ନ୍ତୁ ଆପଣ ଘରକୁ ଯା’ନ୍ତୁ, ଆମ୍ଭେମାନେ ଯାଉଛୁ ।

ନବ ପୁଣି ଏକାକୀ କହିଲା–ଯଦି କହିବେତ ମୁଁ ଖାଇପିଇ ଆସିବି, ମା’ଙ୍କର ଇମିତି ଅବସ୍ଥା ! ଆପଣ ଏକା......

ଯାମିନୀବାବୁ କହିଲେ–ନାହିଁ, ଆସିବୁ କାହିଁକି ? ମୁଁ ଏକାହେଲେ ହେଲା ? ଭଗବାନ ଅଛନ୍ତି ।

ନବ, ନଟ ଉଭୟେ ଚାଲିଗଲେ ।

ଅଭିନେତା ଅଭିନୟ ସାରି ନେପଥ୍ୟରେ ପ୍ରବେଶ କଲା ପରେ ରଙ୍ଗମଞ୍ଚ ଉପରେ ଶେଷ ଯବନିକା ପାତପରି, ଯାମିନୀବାବୁ ବିଷଣ୍ଣଚିତ୍ତରେ ଧୀରେ ଧୀରେ ଘର ଭିତରକୁ ଉଠିଯାଇ ବାହାର ଦରଜା ବନ୍ଦ କରିଦେଲେ ।

Image